ବେଙ୍ଗାଲୁରୁ: ପ୍ରଥମ ତିନୋଟି ମୁକାବିଲାରେ ରନ୍ ବର୍ଷା ପରେ ଚତୁର୍ଥ ମ୍ୟାଚ୍ରେ ବଲ୍ ଓ ବ୍ୟାଟ୍ ମଧ୍ୟରେ ଭଲ ସନ୍ତୁଳନ ତଥା ଲଢ଼େଇ ଦେଖିବାକୁ ମିଳିଥିଲା। ଭାରତ ଏବେ ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ୩-୧ରେ ଜିତି ସାରିଥିବାରୁ ରବିବାରର ପଞ୍ଚମ ମୁକାବିଲା ନିଶ୍ଚିତ ରନ୍ ବର୍ଷା ଦେଖାଇବ ବୋଲି ବିଶ୍ବାସ କରାଯାଉଛି। ୪୮ ଘଣ୍ଟା ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଖେଳିବାକୁ ଯାଉଥିବାରୁ ଅଷ୍ଟ୍ରେଲିଆ ପାଇଁ ଏହା ଆହ୍ବାନ ଆଣିଛି। କିନ୍ତୁ ଦୁଇ ମାସରୁ ଅଧିକ ସମୟ ଭାରତରେ କାଟି ସାରିଥିବା ଟ୍ରାଭିସ୍ ହେଡ୍, ତନବୀର ସାଙ୍ଗା ଓ ମାଥ୍ୟୁ ସର୍ଟ ଅଭିଯୋଗ କରିବାର ନାହିଁ। ବରଂ କ୍ଲାନ୍ତ କାରଣରୁ ଏମାନେ କିଭଳି ପ୍ରଦର୍ଶନ କରିବେ ଦେଖିବାର ଅଛି। ହେଡ୍ ଦିନିକିଆ ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିବା ବେଳେ ସାଙ୍ଗା ଓ ସର୍ଟ ରିଜର୍ଭ ଖେଳାଳି ଭାବେ ଦଳ ସହ ଭାରତର ବିଭିନ୍ନ ସହର ବୁଲୁଥିଲେ। ଏବେ ଅଷ୍ଟ୍ରେଲୀୟ ଖେଳାଳି ଘର ବାହୁଡ଼ିବାକୁ ବ୍ୟସ୍ତ ଥିବାରୁ ବିଜୟ ସହ ଫେରିବାକୁ ମଧ୍ୟ ଆଶା ରଖିଛନ୍ତି।
ଗତ ରାୟପୁର ମ୍ୟାଚ୍ରେ ଅଷ୍ଟ୍ରେଲିଆ ୫ ପରିବର୍ତ୍ତନ କରି ଖେଳିଥିଲା। ମ୍ୟାକ୍ସୱେଲ, ଷ୍ଟୋଇନିସଙ୍କ ବିନା ଏହି ଦଳର ବ୍ୟାଟିଂ ସଂଘର୍ଷ କରିଥିଲା। ବିଶେଷ କରି ରବି ବିଷ୍ଣୋଇ ଓ ଅକ୍ଷର ପଟେଲ ମିଳିତ ଭାବେ ୮ ଓଭରରେ ୩୩ ରନ୍ ଦେଇ ୪ ୱିକେଟ୍ ଦଖଲ କରିନେବା ନିର୍ଣ୍ଣାୟକ ହୋଇଥିଲା। ଅଷ୍ଟ୍ରେଲିଆ ଏହି ଶୃଙ୍ଖଳାରେ ମୋଟ ୧୯ ଜଣ ଖେଳାଳିଙ୍କୁ ଖେଳାଇ ସାରିଛି କିନ୍ତୁ ଶୃଙ୍ଖଳା ବିଜୟରେ ସକ୍ଷମ ହୋଇପାରିନି। ଅନ୍ୟ ଭାରତୀୟ ପିଚ୍ ଭଳି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ ସ୍ପିନରଙ୍କୁ ବିଶେଷ ସହାୟକ ହେଉ ନଥିବାରୁ ପେସ୍ ବୋଲରଙ୍କ ପାଇଁ ଏହା ସୁଯୋଗ ରଖିବ। ଭାରତ ଦଳଗତ ଭାବେ ଭଲ ଖେଳି ନଥିଲେ ମଧ୍ୟ ଚାପ ପରିସ୍ଥିତିରେ ବ୍ୟକ୍ତିଗତ ଖେଳାଳି ପ୍ରଭାବୀ ପ୍ରଦର୍ଶନ କରିଥିବାରୁ ଭାରତ ଶୃଙ୍ଖଳା ଜିତି ସାରିଥିବାରୁ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଶ୍ବସ୍ତ ଅଛନ୍ତି। ରିଙ୍କୁ ସିଂହ ତାଙ୍କ ଫିନିସର୍ ଭୂମିକା ଜାରି ରଖିଥିବା ବେଳେ ନବାଗତ ଜିତେଶ ଶର୍ମା ଶୁକ୍ରବାର ରାତିରେ ରାୟପୁର ମ୍ୟାଚ୍ରେ ୧୯ ବଲ୍ରୁ ୩୫ ରନ୍ ସଂଗ୍ରହ କରି ପ୍ରତିଭାର ଭରପୂର ନିଦର୍ଶନ ଦେଇଛନ୍ତି। ପ୍ରତ୍ୟାବର୍ତ୍ତନରେ ଦୀପକ ଚହର ୨ ୱିକେଟ୍ ନେଇଥିଲେ ମଧ୍ୟ ୪୪ ରନ୍ ବ୍ୟୟ କରିବା ଏକମାତ୍ର ଚିନ୍ତାର କାରଣ ଥିଲା। ରବିବାର ଭାରତ ନିଶ୍ଚିତ ପୁଣି ଥରେ ବ୍ୟାଟିଂ ବଳରେ ଜିତିବାକୁ ଚେଷ୍ଟା କରିବ। ଯୁବ ତାରକା ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ତିଳକ ବର୍ମାଙ୍କଠାରୁ ଶୀର୍ଷକ୍ରମରେ ଏବଂ ରିଙ୍କୁ ସିଂହ, ଜିତେଶ ଶର୍ମାଙ୍କଠାରୁ ନିମ୍ନକ୍ରମରେ ଭଲ ବ୍ୟାଟିଂ ଆଶା କରାଯାଇପାରିବ। ଅଷ୍ଟ୍ରେଲିଆର ଅଧିକାଂଶ ଖେଳାଳି ସ୍ବଦେଶ ଫେରିଯାଇଥିବାରୁ ବିଶେଷ ପରିବର୍ତ୍ତନର ସୁଯୋଗ ନାହିଁ। ୧୩ ଜଣିଆ ଦଳରେ କେବଳ ତନବୀର ସାଙ୍ଗାଙ୍କ ବଦଳରେ ଭ୍ରମଣକାରୀ ଦଳ କେନ୍ ରିଚାର୍ଡସନ୍ କିମ୍ବା ନାଥନ୍ ଏଲିସ୍ଙ୍କୁ ନେଇପାରେ। ଅରୋନ୍ ହାର୍ଡି ଏବେ ପ୍ରଭାବୀ ହୋଇପାରି ନଥିବାରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍ରେ ନିଶ୍ଚିତ ଛାପ ଛାଡ଼ିବାକୁ ଆଶା ରଖିଥିବେ।
ପିଚ୍ ଓ ପରିବେଶ: ଏମ୍ ଚିନ୍ନାସ୍ବାମୀ ଷ୍ଟାଡିୟମ୍ର ରନ୍ ବର୍ଷା ଏକ ସାଧାରଣ କଥା। ଛୋଟ ବାଉଣ୍ଡରି ଓ ପଟ୍ଟା ପିଚ୍ ରବିବାର ଆଉ ଏକ ରନ୍ ଉତ୍ସବକୁ ଅପେକ୍ଷା ରଖିଛି। ଚଳିତ ବର୍ଷ ଆଇପିଏଲ୍ରେ ୧୪ ପାଳିରୁ ଏଠାରେ ୯ ଥର ୧୮୦ରୁ ଊର୍ଧ୍ବ ରନ୍ର ସ୍କୋର୍ ମିଳିଥିଲା। ବର୍ଷାର ଆକଳନ ନାହିଁ କିନ୍ତୁ ଥଣ୍ଡା ପରିବେଶ (୧୮ରୁ ୨୨ ଡିଗ୍ରି ସେଲସିୟସ) ଥିବାରୁ ରାତିବେଳାର ଏହି ମ୍ୟାଚ୍ରେ ନିଶ୍ଚିତ କାକର ପ୍ରଭାବ ଦେଖିବାକୁ ମିଳିବ। ମାତ୍ର ୩ ସପ୍ତାହ ତଳେ ଦିନିକିଆ ବିଶ୍ବକପ୍ରେ ଏଠାରେ ନେଦରଲାଣ୍ଡ୍ସ ବିପକ୍ଷରେ ୪୧୦ ରନ୍ର ବିଶାଳ ସ୍କୋର୍ କରିଥିଲା। ଆୟର ଏବଂ ରାହୁଲ ଶତକ ହାସଲ କରିଥିଲେ।
ତଥ୍ୟ: ଚଳିତ ଶୃଙ୍ଖଳାରେ ଯଶସ୍ବୀ ଜୟସ୍ବାଲ ତାଙ୍କ ସମସ୍ତ ୧୧୭ ରନ୍କୁ ପାୱାର ପ୍ଲେ ଭିତରେ ସଂଗ୍ରହ କରିଥିବା ବେଳେ ୧୭୪.୬୨ ଷ୍ଟ୍ରାଇକ୍ ରେଟ୍ରେ ଖେଳିଛନ୍ତି। ଜାସନ୍ ବେହେରନ୍ଡର୍ଫ ସମସ୍ତ ବୋଲରଙ୍କ ମଧ୍ୟରେ ଶ୍ରେଷ୍ଠ ଇକୋନୋମି (୫.୭୫) ସହ ୪ ୱିକେଟ୍ ପାଇଛନ୍ତି। ରିଙ୍କୁ ସିଂହ ଡେଥ୍ ଓଭରରେ ୨୦ ବଲ୍ରୁ ୪୯ ରନ୍ ସଂଗ୍ରହ କରିଛନ୍ତି ୨୪୫.୦୦ ଷ୍ଟ୍ରାଇକ ରେଟ୍ରେ।
ଭାରତ ସମ୍ଭାବ୍ୟ ଏକାଦଶ: ଯଶସ୍ବୀ ଜୟସ୍ବାଲ, ଋତୁରାଜ ଗାଏକ୍ବାଡ୍, ଶ୍ରେୟସ ଆୟର/ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଜିତେଶ ଶର୍ମା (ୱିକେଟରକ୍ଷକ), ରିଙ୍କୁ ସିଂହ, ଅକ୍ଷର ପଟେଲ୍/ୱାସିଂଟନ ସୁନ୍ଦର, ଦୀପକ ଚହର, ରବି ବିଷ୍ଣୋଇ, ଅୱେଶ ଖାନ୍, ମୁକେଶ କୁମାର।
ଅଷ୍ଟ୍ରେଲିଆ ସମ୍ଭାବ୍ୟ ଏକାଦଶ: ଜୋସ୍ ଫିଲିପ୍, ଟ୍ରାଭିସ୍ ହେଡ୍, ବେନ୍ ମ୍ୟାକଡର୍ମଟ, ଆରୋନ୍ ହାର୍ଡି, ଟିମ୍ ଡେଭିଡ୍, ମାଥ୍ୟୁ ସର୍ଟ, ମାଥ୍ୟୁ ୱେଡ୍ (ଅଧିନାୟକ, ୱିକେଟରକ୍ଷକ), ବେନ୍ ଡ୍ବାରସୁଇସ୍, କ୍ରିସ୍ ଗ୍ରିନ୍, ଜାସନ୍ ବେହେରନଡର୍ଫ, ତନବୀର ସାଙ୍ଗା/ନାଥନ୍ ଏଲିସ୍/କେନ୍ ରିଚାର୍ଡସନ୍।