ହାଇଦ୍ରାବାଦ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳା ଏବେ ୧-୧ ବରାବର ସ୍ଥିତିରେ ରହିଛି। ଫଳରେ ହାଇଦ୍ରାବାଦ ମ୍ୟାଚ୍‌ ଉଭୟ ଦଳ ପାଇଁ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ଏଥିପୂର୍ବରୁ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ବ୍ୟାଟରମାନେ ଦମ୍‌ଦାର ପ୍ରଦର୍ଶନ କରୁଥିଲେ ହେଁ ଡେଥ୍‌ ଓଭର ବେଳକୁ ବୋଲରଙ୍କ ଉପରେ ଚାପ ବଢିଯାଉଥିବା ଦେଖାଯାଉଛି। ‌ଶେଷ ଆଡ଼କୁ ବୋଲରମାନେ ମାତ୍ରାଧିକ ରନ୍‌ ବ୍ୟୟ କରୁଥିବା ଉଭୟ ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ତେଣୁ ଡେଥ୍‌ ଓଭର ବିଶେଷଜ୍ଞ ଭାବେ କାହା ଉପରେ ଦୁଇ ଅଧିନାୟକ ନିର୍ଭର କରୁଛନ୍ତି ତାହାକୁ ଅପେକ୍ଷା କରିବାକୁ ହେବ।

Advertisment

ନାଗପୁର ମ୍ୟାଚ୍‌ରେ ଭାରତ ଜଣେ ଅତିରିକ୍ତ ବ୍ୟାଟର ଭାବେ ଋଷଭ ପନ୍ତ୍‌ଙ୍କୁ ଖେଳାଇଥିଲା। ହେଲେ ତାଙ୍କର ଆବଶ୍ୟକତା ପଡ଼ିନଥିଲା। ତଥାପି ୮ ଓଭର ବିଶିଷ୍ଟ ଏହି ମ୍ୟାଚ୍‌ରେ ଭାରତ ୪ ଜଣ ବୋଲରଙ୍କୁ ନେଇ ଓହ୍ଲାଇଥିଲା। ଯଶ୍‌ପ୍ରୀତ୍‌ ବୁମ୍‌ରା ଏହି ମ୍ୟାଚ୍‌ ଫେରିଥିଲେ ମଧ୍ୟ ଡେଥ୍‌ ଓଭର ସମସ୍ୟା ଟଳିନଥିଲା। ଘରୋଇ ଦଳ ପାଇଁ ହର୍ଷଲ ପଟେଲ ଶୃଙ୍ଖଳା ସାରା ସଂଘର୍ଷ କରୁଥିବା ଦେଖାଯାଉଛି। ଏପରିକି ଦ୍ବିତୀୟ ମ୍ୟାଚ୍‌ରେ ତାଙ୍କୁ ଡେଥ୍‌ ଓଭରରେ ଏକ ସୁଯୋଗ ଦିଆଯାଇଥିଲେ ବି ତିନିଟି ଛକା ବ୍ୟୟ କରି ସେ ଅଧିନାୟକଙ୍କ ଆସ୍ଥାଭାଜନ ‌ହୋଇପାରିନାହାନ୍ତି। ଏଭଳି ଚାପ ସମୟରେ କାକର ଯୋଗୁଁ ଗତ ଦୁଇଟି ମ୍ୟାଚ୍‌ରେ ତାଙ୍କ ପ୍ରମୁଖ ଅସ୍ତ୍ର ଧୀମା ବଲ୍‌ ଓ ୟର୍କର ମଧ୍ୟ କାମ ଦେଇନଥିଲା। ତେଣୁ ଶେଷ ମ୍ୟାଚ୍‌ରେ ଚୂଡ଼ାନ୍ତ ଏକାଦଶରେ ପନ୍ତଙ୍କ ପରିବ‌ର୍ତ୍ତେ ଜଣେ ଅତିରିକ୍ତ ବୋଲରଙ୍କୁ ନେଇ ଖେଳିବା ଭାରତ ପକ୍ଷେ ଶ୍ରେୟସ୍କର ହେବ। ଏହି ଆକଳନ ଭୁବନେଶ୍ବର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଆଡ଼କୁ ମଧ୍ୟ ଇଙ୍ଗିତ କରୁଛି। ଏପରିକି ୟୁଝବେନ୍ଦ୍ର ଚହଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ବିନଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି।

ଅଷ୍ଟ୍ରେଲିଆ ମଧ୍ୟ ଏହି ଗସ୍ତରେ ଚୂଡ଼ାନ୍ତ ଏକାଦଶ ଚୟନକୁ ନେଇ ଅନେକ ପରୀକ୍ଷା କରିଚାଲିଛି। ଯେଉଁ ବ୍ୟାଟରଙ୍କ ଉପରେ ଦଳ ଅଧିକ ନିର୍ଭର କରିବ ବୋଲି ଭାବୁଥିଲା, ସେମାନଙ୍କ ପରିବର୍ତ୍ତେ ଅନ୍ୟମାନେ ଦଳକୁ ରନ୍‌ ଯୋଗାଇଥିଲେ। ନାଗପୁରରେ ଅକ୍ଷର ପଟେଲଙ୍କ ବଲ୍‌ରେ ଗ୍ଲେନ୍‌ ମ୍ୟାକ୍ସୱେଲ ଓ ଟିମ୍‌ ଡେଭିଡ୍‌ ଆଉଟ ‌ହେବା ପରେ ମାଥ୍ୟୁ ୱେଦ୍‌ ଓ ଆରୋନ୍‌ ଫିଞ୍ଚଙ୍କ ବ୍ୟାଟ୍‌ରୁ ଭଲ ରନ୍‌ ବାହାରିଥିଲା। ଆଦାମ୍‌ ଜାମ୍ପା ମଧ୍ୟ ଉପଯୋଗୀ ବୋଲିଂ କରିଥିଲେ। କିନ୍ତୁ ଶେଷ ମ୍ୟାଚ୍‌ ପାଇଁ ଦଳ ସମ୍ମୁଖରେ ଆହତ ସମସ୍ୟା ବି ଉଭା ହୋଇଛି। ନାଥନ ଏଲିସ୍‌ ଆହତ ଯୋଗୁଁ ନାଗପୁରରେ ଖେଳିପାରିନଥିଲା ବେଳେ କେନ୍‌ ରିଚାର୍ଡସନ୍‌ ସମାନ ସମସ୍ୟା ଯୋଗୁଁ ଶେଷ ମ୍ୟାଚ୍‌ ଖେଳିବେନି। ଅନ୍ୟପକ୍ଷରେ ମିଚେଲ୍‌ ଷ୍ଟାର୍କଙ୍କ ଅନୁପସ୍ଥିତିରେ ଜୋସ ହାଜେଲଉଡ୍‌ ଓ ପ୍ୟାଟ୍‌ କମିନ୍ସଙ୍କ ଉପରେ ଡେଥ୍‌ ଓଭର ବୋଲିଂ କରାଇବାକୁ ଦଳ ବିଶ୍ବାସ ଜମାଇପାରୁନାହିଁ। ଅଷ୍ଟ୍ରେଲିଆ ମଧ୍ୟ ୭ ଜଣ ବ୍ୟାଟରଙ୍କୁ ନେଇ ଖେଳିପାରେ। ଜୋସ୍‌ ଇଙ୍ଗଲିସ୍‌ ଯଦି ସୁସ୍ଥ ହୁଅନ୍ତି ତାହେଲେ ସିନ୍‌ ଆବୋଟ୍‌ ଓ ଡାନିଏଲ୍‌ ସାମ୍ସଙ୍କ ମଧ୍ୟରୁ ଜଣଙ୍କୁ ବାହାରେ ବସିବାକୁ ପଡ଼ିପାରେ ଏବଂ ତାଙ୍କୁ ମଧ୍ୟକ୍ର‌ମରେ ଖେଳିବାକୁ ସୁଯୋଗ ରହିବ।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା, କେଏଲ୍‌ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ହର୍ଷଲ ପଟେଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମ୍‌ରା, ୟୁଜବେନ୍ଦ୍ର ଚହଲ/ରବିଚନ୍ଦ୍ରନ ଅଶ୍ବିନ।

ସମ୍ଭାବ୍ୟ ଅଷ୍ଟ୍ରେଲିଆ ଦଳ: ଆରୋନ୍‌ ଫିଞ୍ଚ, କାମେରନ୍‌ ଗ୍ରିନ୍‌, ଷ୍ଟିଭେନ୍‌ ସ୍ମିଥ୍‌, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଙ୍ଗଲିସ୍‌, ଟିମ୍‌ ଡେଭିଡ୍‌, ମାଥ୍ୟୁ ୱେଦ୍‌, ପ୍ୟାଟ୍‌ କମିନ୍ସ, ନାଥନ୍‌ ଏଲିସ୍‌/ଡାନିଏଲ୍‌ ସାମ୍ସ/ସିନ୍‌ ଆବୋଟ, ଆଦାମ୍‌ ଜାମ୍ପା, ଜୋସ୍‌ ହାଜେଲଉଡ୍‌।