ନୂଆଦିଲ୍ଲୀ : ମାଲେସିଆରେ ଚାଲିଥିବା ସୁଲତାନ ଜୋହର କପ୍ (୨୧ ବର୍ଷରୁ କମ୍ ହକି) ଫାଇନାଲ୍ରେ ଭାରତ ଓ ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ। ଶୁକ୍ରବାର ଗ୍ରେଟ୍ ବ୍ରିଟେନ୍ ସହ ଭାରତ ଖେଳିଥିବା ଶେଷ ଲିଗ୍ ମ୍ୟାଚ୍କୁ ବିନା କୌଣସି ହାର୍ଜିତ୍ (୫-୫)ରେ ଶେଷ କରିଛି। ଫଳରେ ଭାରତ ୫ ମ୍ୟାଚ୍ରୁ ୨ ବିଜୟ, ୨ ଅମୀମାଂସିତ ଓ ୧ ପରାଜୟ ସହ ମୋଟ ୮ ପଏଣ୍ଟ ପାଇ ଅଷ୍ଟ୍ରେଲିଆ (୧୦) ପଛକୁ ଦ୍ବିତୀୟ ଦଳ ଭାବେ ଫାଇନାଲ୍ରେ ପହଞ୍ଚିଥିଲା। ପୂର୍ବରୁ ଅଷ୍ଟ୍ରେଲିଆ ଫାଇନାଲ୍ରେ ପହଞ୍ଚିସାରିଥିଲେ ବି ଦ୍ବିତୀୟ ଦଳ ଦୌଡ଼ରେ ଭାରତ ସହ ଦକ୍ଷିଣ ଆଫ୍ରିକା ରହିଥିଲା। ହେଲେ ଶୁକ୍ରବାର ଏହି ଦଳ ୧-୬ ଗୋଲ୍ରେ ଅଷ୍ଟ୍ରେଲିଆଠୁ ହାରିଯିବାରୁ ଭାରତର ଫାଇନାଲ ଖେଳିବା ନିଶ୍ଚିତ ହୋଇଯାଇଥିଲା। ଶୁକ୍ରବାର ଜାପାନ ଓ ମାଲେସିଆ ମଧ୍ୟରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍ ୨-୨ ଗୋଲ୍ରେ ଶେଷ ହୋଇଥିଲା।
ଭାରତ ଖେଳିଥିବା ଶେଷ ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍ର ପ୍ରଥମ ତିନି କ୍ବାର୍ଟର ବ୍ରିଟେନ୍ ସପକ୍ଷରେ ରହିଥିଲା। ଖେଳର ପ୍ରଥମ ମିନିଟ୍ରେ ମ୍ୟାକ୍ସ ଆଣ୍ଡରସନ୍ ଗୋଲ୍ ଦେଇଥିଲା ବେଳେ ପୁଭାନା ସିବି ୭ ମିନିଟ୍ରେ ଏହାକୁ ଶୁଝିଥିଲେ। ପ୍ରଥମାର୍ଦ୍ଧ ୧-୧ରେ ଶେଷ ହେବାପରେ ଦ୍ବିତୀୟାର୍ଦ୍ଧରେ ଯଦିଓ କଡ଼ା ସଂଘର୍ଷ ହୋଇଥିଲା କିନ୍ତୁ କେହି ଗୋଲ୍ ଦେଇପାରିନଥିଲେ। ପରେ ତୃତୀୟ କ୍ବାର୍ଟରରେ ମ୍ୟାକ୍ସଙ୍କ ଦ୍ବିତୀୟ ଗୋଲ୍ (୩୯ ମିନିଟ୍) ଓ ୪୨ ମିନିଟ୍ରେ ହାରିସନ୍ ଷ୍ଟୋନ୍ଙ୍କ ଗୋଟିଏ ଗୋଲ୍ ବଳରେ ବ୍ରିଟେନ୍ ୩-୧ରେ ଅଗ୍ରଣୀ ପାଇଥିଲା। କିନ୍ତୁ ଶେଷ ତଥା ଚତୁର୍ଥ କ୍ବାର୍ଟରରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ୪୯ ମିନିଟ୍ରେ ଅମନଦୀପ ଓ ୫୨ ମିନିଟ୍ରେ ଅରିଜିତ ସିଂହ ହୁନ୍ଦାଲ ଗୋଟିଏ ଲେଖାଏଁ ଗୋଲ୍ ଦେବାରୁ ସ୍ଥିତି ୩-୩ ହୋଇଯାଇଥିଲା। ଏହାପରେ ଜାମି ଗୋଲ୍ଡେନ୍ଙ୍କ ଦୁଇଟି ଲଗାତାର ଗୋଲ୍ (୫୩ ଓ ୫୫ ମିନିଟ୍) ବଳରେ ବ୍ରିଟେନ୍ ୨ ଗୋଲ୍ ବ୍ୟବଧାନରେ ଆଗୁଆ ହୋଇଯାଇଥିଲା। କିନ୍ତୁ ଶାରଦାନନ୍ଦ ତିୱାରୀ ଏହାକୁ ତୁରନ୍ତ ଫିକା କରିଦେଇଥିଲେ। ୫୫ ମିନିଟ୍ ଓ ୫୭ ମିନିଟ୍ରେ ଦୁଇଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଶାରଦାନନ୍ଦ ପୁଣି ଥରେ ମ୍ୟାଚ୍କୁ ସମାନ ସ୍ଥିତିକୁ ଆଣିଥିଲେ। ଏହାପରେ ଶତଚେଷ୍ଟା ସତ୍ତ୍ବେ ଉଭୟ ଦଳ ଗୋଲ ଦେଇନପାରିବାରୁ ମ୍ୟାଚ୍ ଅମୀମାଂସିତ ରହିଥିଲା। ପୂର୍ବରୁ ଭାରତ ୫-୨ରେ ମାଲେସିଆକୁ, ୫-୧ରେ ଜାପାନ୍କୁ ହରାଇଥିଲା ବେଳେ ଦକ୍ଷିଣ ଆଫ୍ରିକାଠୁ ୪-୫ରେ ପରାଜିତ ହୋଇଥିଲା। ଅଷ୍ଟ୍ରେଲିଆ ସହିତ ଭାରତ ୫-୫ ଗୋଲ୍ରେ ଅମୀମାଂସିତ ରଖିଥିଲା।