ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ଲାଗି ଖଲିଲଙ୍କୁ ଟକ୍କର ଦେଉଛନ୍ତି ଉନାଦକଟ, ଆସନ୍ତାକାଲି ଟିମ୍‌ ହେବ ଚୟନ

ମୁମ୍ବାଇ: ଅଷ୍ଟ୍ରେଲିଆ ବିପକ୍ଷରେ ଆଗାମୀ ଦିନିକିଆ ଏବଂ ଟି-୨୦ ଶୃଙ୍ଖଳା ଲାଗି ଭାରତୀୟ ଟିମ୍‌ ଶୁକ୍ରବାର ଚୟନ ହେବ। ଭାରତୀୟ ଚୟନକାରି କମିଟି, ଯେତେବେଳେ ଖେଳାଳିଙ୍କ ଚୟନ କରିବେ, ସେମାନେ ନିଶ୍ଚିତ ଭାବରେ ଆଗାମୀ ମେ’ ମାସରେ ଆୟୋଜିତ ହେବାକୁ ଥିବା ବିଶ୍ୱକପ୍‌କୁ ଦୃଷ୍ଟି ଦେବେ। ବିଶ୍ୱକପ୍‌ ପାଇଁ ଏବେ ଅତି କମ୍‌ରେ ୨ରୁ ୩ଟି ସ୍ଥାନ ଖାଲି ଅଛି। ଏଥିରେ ବାମହାତୀ ଦ୍ରୁତ ବୋଲର ମଧ୍ୟ ଆବଶ୍ୟକତା ରହିଛି। ଆଉ ଏହି ସ୍ଥାନ ପାଇଁ ଖଲିଲ ଅହମହ ଆଶା ରଖିଛନ୍ତି। ଅନ୍ୟପଟରେ ଜୟଦେବ ଉନାଦକଟ ଏହି ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଇଁ ଆଶା ବାନ୍ଧିଛନ୍ତି।

ଅଷ୍ଟ୍ରେଲିଆ ବିପକ୍ଷରେ ଫେବ୍ରୁଆରି ୨୪ରୁ ଟି-୨୦, ମାର୍ଚ୍ଚ ୨ରୁ ଦିନିକିଆ

ଅଷ୍ଟ୍ରେଲିଆ ବିରୋଧରେ ଭାରତ ୫ଟି ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ ଖେଳିବ। ଦିନିକିଆ ଶୃଙ୍ଖଳା ମାର୍ଚ୍ଚ ୨ରୁ ହାଇଦ୍ରାବାଦରେ ଆରମ୍ଭ ହେବ। ଏହା ପରେ ନାଗପୁର (ମାର୍ଚ୍ଚ ୫), ରାଂଚି (ମାର୍ଚ୍ଚ ୮), ମୋହାଲି (ମାର୍ଚ୍ଚ ୧୦) ଓ ଦିଲ୍ଲୀ (ମାର୍ଚ୍ଚ ୧୩)ରେ ମ୍ୟାଚ ହେବ। ରାଷ୍ଟ୍ରୀୟ ଚୟନ କମିଟି ଫେବ୍ରୁଆରି ୧୫ରେ ମୁମ୍ବାଇରେ ଟିମର ଚୟନ କରିବ। ଏହି ଦିନ ବିଶାଖାପାଟଣା (ଫେବ୍ରୁଆରି ୨୪) ଓ ବେଙ୍ଗାଲୁରୁ (ଫେବ୍ରୁଆରି ୨୭)ରେ ହେବାକୁ ଥିବା ୨ଟି ଟି-୨୦ ପାଇଁ ଅନ୍ତର୍ଜାତୀୟ ଟିମ୍‌ ଘୋଷଣା କରାଯିବ।

ଅଷ୍ଟ୍ରେଲିଆ ବିରୋଧରେ ଏହି ଶୃଙ୍ଖଳାରୁ ଜଣାପଡ଼ିବ ଯେ, ଋଷଭ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ବିଶେଷଜ୍ଞ ବ୍ୟାଟସ୍‌ମ୍ୟାନ୍‌ ଏବଂ ଦ୍ୱିତୀୟ ଓ୍ଵିକେଟକିପର ଭାବରେ ଇଂଲଣ୍ଡ ଯିବେ। କେ.ଏଲ୍‌ ରାହୁଲ ଭାରତ-ଏ ତରଫରୁ ଇଂଲଣ୍ଡ ଲାୟନ୍ସ ବିରୋଧରେ ଭଲ ଇନିଂସ ଖେଳିବା ପରେ ତୃତୀୟ ବ୍ୟାଟସ୍‌ମ୍ୟାନ୍‌ ଦୌଡ଼ରେ ସାମିଲ ଅଛନ୍ତି।

ଚୟନକାରି କମିଟି ବିଶ୍ୱକପ୍‌ ପାଇଁ ୧୨ ଜଣ ଖେଳାଳିଙ୍କ ନାମ ଚିହ୍ନିତ କରିଛନ୍ତି। ବିରାଟ କୋହଲି, ଶିଖର ଧାଓ୍ଵନ, ରୋହିତ ଶର୍ମା, ଅମ୍ବାତି ରାୟଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଜାଧବ, ହାର୍ଦ୍ଦିକ ପାଣ୍ଡ୍ୟା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ୱର କୁମାର, ଜସପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କୁ ଏଥିରେ ରଖାଯାଇଛି। ଅଲରାଉଣ୍ଡର ଦୌଡ଼ରେ ବିଜୟ ଶଙ୍କର ଏବଂ ରବୀନ୍ଦ୍ର ଜାଦେଜା ସାମିଲ ଅଛନ୍ତି।

ସମ୍ବନ୍ଧିତ ଖବର