ମୋହାଲି ଦିନିକିଆ: ଧାଓ୍ଵନଙ୍କ ଶତକ, ରୋହିତଙ୍କ ବିସ୍ଫୋରକ ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୩୫୯ ରନ୍‌ ବିଜୟ ଲକ୍ଷ୍ୟ ଦେଲା ଭାରତ

ମୋହଲି: ପ୍ରଥମ ଓ୍ଵିକେଟ୍‌ରେ ରୋହିତ ଶର୍ମା ଓ ଶିଖର ଧାଓ୍ଵନ୍‌ଙ୍କ ୧୯୩ ରନ୍‌ ଭାଗିଦାରୀ ବଳରେ ଭାରତ ରବିବାର ଅଷ୍ଟ୍ରେଲିଆ ବିପକ୍ଷରେ ୩୫୮ ରନ୍‌ କରିଛି। ଟିମ୍‌ ଆରମ୍ଭରୁ ସାହସିକତାର ସହିତ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ ହରାଇ ଏକ ମଜବୁତ ସ୍କୋର କରିପାରିଛି। ଫଳରେ ଅଷ୍ଟ୍ରେଲିଆକୁ ୩୫୯ ରନ୍‌ ବିଜୟ ଲକ୍ଷ୍ୟ ମିଳିଛି।

ପାଞ୍ଚ ମ୍ୟାଚ ଦିନିକିଆ ଶୃଙ୍ଖଳାର ୪ର୍ଥ ମୁକାବିଲାରେ ଟିମ୍‌ ଇଣ୍ଡିଆର ଓପନର୍‌ ଶିଖର ଧାଓ୍ଵନ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଶିଖର ଧାଓ୍ଵନ ୧୨୪.୩୫ ହାରରେ ୧୧୫ ବଲ୍‌ ଖେଳି ୧୪୩ ରନ୍‌ କରିଛନ୍ତି। ଏଥିରେ ୧୮ଟି ଚୌକା ଓ ୩ଟି ଛକା ସାମିଲ ଅଛି। ସ୍କୋର ୨୫୪ ରନ୍‌ରେ ଶିଖର ଧାଓ୍ଵନ୍‌ ଆଉଟ୍‌ ହୋଇଥିଲେ। ଧାଓ୍ଵନ୍‌ ପେଟ୍‌ କମ୍ବିନ୍ସଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ଶିଖର ଧାଓ୍ଵନ୍‌ ରାଂଞ୍ଚି, ନାଗପରୁ ଓ ହ୍ରାଇଦ୍ରାବାଦ୍‌ରେ ଭଲ ବ୍ୟାଟିଂ କରି ନଥିଲେ ବି ଆଜି ସତର୍କତା ମୂଳକ ବ୍ୟାଟିଂ କରିଛନ୍ତି। ଲୋକେଶ ରାହୁଲ ୩୧ଟି ବଲ ଖେଳି ୨୬ ରନ୍‌, ଋଷଭ ପନ୍ତ ୨୪ଟି ବଲ ଖେଳି ୩୬ ରନ୍‌ ଓ ବିଜୟ ଶଙ୍କର ୧୫ଟି ବଲ ଖେଳି ୨୬ ରନ୍‌ କରିଥିଲେ।

ପଂଜାବର ମୋହାଲିସ୍ଥିତ ବିନ୍ଦ୍ରା କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ବିରୋଧରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ସ୍କୋର ୧୯୩ ରନ୍‌ରେ ରୋହିତ ଶର୍ମା (୯୫ ରନ୍‌, ୯୨ ବଲ, ୭ ଚୌକା ଓ ୨ ଛକା) ଆଉଟ୍‌ ହୋଇଥିଲେ। ସ୍କୋର ୨୬୬ ରନ୍‌ରେ ଅଧିନାୟକ ବିରାଟ କୋହଲି, ୨୯୬ ରନ୍‌ରେ ଲୋକେଶ ରାହୁଲ, ୩୧୪ ରନ୍‌ରେ ଋଷଭ ପନ୍ତ, ୩୩୧ ରନ୍‌ରେ କେଦାର ଯାଦବ, ୩୪୪ ରନ୍‌ରେ ଭୁବନେଶ୍ୱର କୁମାର, ୩୫୧ ରନ୍‌ରେ ବିଜୟ ଶଙ୍କର ଓ ୩୫୨ ରନ୍‌ରେ ୟୁଜବେନ୍ଦ୍ର ଚହଲ ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର