୩ୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ଝଟକା ! କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ରୋହିତ ଶର୍ମାଙ୍କ ସମେତ ୫ ଭାରତୀୟ ଖେଳାଳିଙ୍କୁ ଏକାନ୍ତବାସକୁ ପଠାଗଲା

ସିଡନି : ଅ‌ଷ୍ଟ୍ରେଲିଆ ସହ ୨ୟ ଟେଷ୍ଟ ଜିତି ଉତ୍ସାହିତ ଥିବା ଭାରତୀୟ କ୍ରିକେଟ ଦଳ ଏବେ ୩ୟ ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛି । କିନ୍ତୁ ତାହା ପୂର୍ବରୁ ଦଳକୁ ଆଜି ଏକ ବଡ଼ ଝଟକା ଲାଗିଛି । କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଭାରତୀୟ ଦଳର ପ୍ରମୁଖ ଖେଳାଳି ରୋହିତ ଶର୍ମା, ଋଷଭ ପନ୍ଥ, ଶୁଭମନ ଗିଲ, ନବଦୀପ ସୈନି ଓ ପୃଥ୍ବୀ ସ’ ଙ୍କୁ ଏକାନ୍ତବାସକୁ ପଠାଇ ଦିଆଯାଇଛି । ଏ ନେଇ କ୍ରିକେଟ୍ ଅଷ୍ଟ୍ରେଲିଆ ଟୁଇଟ୍ କରି ସୂଚନା ଦେଇଛି।

ଏହି ୫ ଜଣ ଖେଳାଳି ନୂଆବର୍ଷ ଉପଲକ୍ଷେ ମେଲବୋର୍ଣ୍ଣର ଏକ ରୋସ୍ତୋରାଁରେ ଏକାଠି ଖାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିସିସିଆଇ ଓ କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏହି ଭିଡିଓର ସତ୍ୟତା ଯାଞ୍ଚ କରାଯାଉଛି । ଯଦି ଭିଡିଓଟି ସତ ତେବେ ଖେଳାଳିମାନେ କ୍ରିକେଟ ଅଷ୍ଟ୍ରେଲିଆର ବାୟୋ-ସିକ୍ୟୁରିଟି ନିୟମର ଉଲ୍ଲଙ୍ଘନ କରିଛନ୍ତି କି ନାହିଁ, ତାହା ଯାଞ୍ଚ କରାଯାଉଛି । ଏହି ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଉକ୍ତ ୫ ଖେଳାଳିଙ୍କୁ ଅନ୍ୟ ଖେଳାଳିମାନଙ୍କଠାରୁ ଅଲଗା ଏକାନ୍ତବାସରେ ରଖାଯାଇଛି ।

କ୍ରିକେଟ ଅଷ୍ଟ୍ରେଲିଆର କୋଭିଡ୍ ନିୟମ ଅନୁସାରେ ଖେଳାଳିମାନେ ରେସ୍ତୋରାଁରେ ଖାଇପାରିବେ । କିନ୍ତୁ ସେମାନେ କେବଳ ଆଉଟଡୋର ରେସ୍ତୋରାଁରେ ଖାଇପାରିବେ । କିନ୍ତୁ ଭାରତୀୟ ଖେଳାଳିମାନେ ଇନଡୋର ରେସ୍ତୋରାଁରେ ଖାଉଥିବାରୁ ତାହା ନିୟମର ଉଲ୍ଲଙ୍ଘନ ବୋଲି ମନେ କରାଯାଉଛି । ଯଦି ତଦନ୍ତରୁ ଅଭିଯୋଗ ସତ ବୋଲି ପ୍ରମାଣିତ ହୁଏ ତେବେ ସେମାନଙ୍କୁ ବାଧ୍ୟତାମୂଳକ ଭାବେ ୧୫ ଦିନିଆ ଏକାନ୍ତବାସକୁ ପଠାଇଦିଆଯିବ । ଫଳରେ ସେମାନଙ୍କ ପାଇଁ ପରବର୍ତ୍ତି ଟେଷ୍ଟ ଖେଳିବା କଷ୍ଟକର ହୋଇପଡ଼ିବ ।

ସମ୍ବନ୍ଧିତ ଖବର