ଭାରତ-ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଆଜିଠୁ: ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ସମସ୍ୟା ଉପରେ ନଜର

ମୁକାବିଲା ପୂର୍ବର ସଂଖ୍ୟା ଖେଳ

ମୋହାଲି: ଏସିଆ କପ୍‌ ନିରାଶାକୁ ଭୁଲିବା ସହିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ନିଜକୁ ସଜାଡ଼ିବା ଓ ପ୍ରସ୍ତୁତ ହେବା ଲାଗି ଭାରତୀୟ ଦଳକୁ ମିଳିଛି ଆଉ ଏକ ସୁଯୋଗ। ମଙ୍ଗଳବାରଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା। ବିଶ୍ବ କ୍ରିକେଟ୍‌ର ଏହି ଦୁଇ ପ୍ରମୁଖ ଦଳ ବିଶ୍ବକପ୍‌ ପୂର୍ବରୁ କିଭଳି ସ୍ଥିତିରେ ଅଛନ୍ତି କ୍ରିକେଟ୍‌ପ୍ରେମୀ ମଧ୍ୟ ନଜର ରଖିବେ ଏହି ଅବସରରେ। ଭାରତ କିଛି ପେସ୍‌ ବୋଲରଙ୍କୁ ସାମୟିକ ବିଶ୍ରାମ ଦେଇ ଏହ‌ି ଶୃଙ୍ଖଳା ଖେଳିବାର ଯୋଜନା ରଖିଛି। ଅଷ୍ଟ୍ରେଲିଆ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ମଧ୍ୟ ସମାନ ୩ଟି ଟ୍ବେଣ୍ଟି-୨୦ ଖେଳାଯିବ। ଏହି ୬ଟି ମ୍ୟାଚ୍‌ ଅବସରରେ ଭାରତୀୟ ଦ୍ରୁତ ବୋଲରଙ୍କୁ ଅଦଳବଦଳ କରି ବିଶ୍ରାମ ଦିଆଯିବ। ବିଶ୍ବକପ୍‌ ପୂର୍ବରୁ ଭାରତ କିନ୍ତୁ ନିଜ ମଧ୍ୟକ୍ରମ ବ୍ୟାଟିଂ ଓ ଷଷ୍ଠ ବୋଲର ବିକଳ୍ପ ସମସ୍ୟାକୁ ସମାଧାନ କରିବା ଲକ୍ଷ୍ୟରେ ରହିଛି। ଭାରତ ନିଜର ପୂର୍ଣ୍ଣ ଦଳକୁ ନେଇ ପଡ଼ିଆକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଷ୍ଟ୍ରେଲିଆ କିନ୍ତୁ ଡେଭିଡ୍‌ ୱାର୍ଣ୍ଣରଙ୍କ ସହିତ କେତେକ ପ୍ରମୁଖ ଖେଳାଳିଙ୍କ ବିନା ଭାରତ ଆସିଛି।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବାର ଗୋଟିଏ ଦିନ ପୂର୍ବରୁ ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ସ୍ପଷ୍ଟ କରିଛନ୍ତି, କେଏଲ୍ ରାହୁଲ ହିଁ ବିଶ୍ବକପ୍‌ରେ ତାଙ୍କ ଓପନିଂ ପାର୍ଟନର୍‌ ହେବେ। ବିରାଟ କୋହଲି ୩ ନମ୍ବର ସ୍ଥାନରେ ପୂର୍ବବତ ଖେଳିବେ ଏବଂ ଆବଶ୍ୟକ ସ୍ଥଳେ ପାଳି ଆରମ୍ଭ କରିବେ। ହର୍ଷଲ ପଟେଲ୍ ଓ ଯଶପ୍ରୀତ୍ ବୁମରାଙ୍କ ପ୍ରତ୍ୟାବର୍ତନ ଭାରତୀୟ ଦଳର ବୋଲିଂ ବିଭାଗକୁ ଦୃଢ଼ କରିବା ସହ ଦଳର ମନୋବଳକୁ ମଧ୍ୟ ବଢ଼ାଇଛି। ରୋହିତ, ରାହୁଲ, କୋହଲି ଓ ସୂର୍ଯ୍ୟକୁମାରଙ୍କୁ ନେଇ ଭାରତର ଶୀର୍ଷ ୪ ସ୍ଥାନ ନିଶ୍ଚିତ ରହିଛି। ଚୂଡ଼ାନ୍ତ ଏକାଦଶରେ ଦୁଇ ୱିକେଟରକ୍ଷକ ଋଷଭ ପନ୍ତ୍‌ ଓ ଦୀନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣଙ୍କୁ ଖେଳାଯିବ କି ଉଭୟଙ୍କୁ ଏ ସମ୍ପର୍କରେ ଦଳ ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରିନାହିଁ। ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି କାରଣରୁ ବାମହାତୀ ଭାବେ ଋଷଭ ପନ୍ତ୍‌ଙ୍କୁ ସ‌ୁଯୋଗ ମିଳିବା ସମ୍ଭାବନା ଅଧିକ। କାର୍ତ୍ତିକଙ୍କୁ କିନ୍ତୁ ଫିନିସର୍ ଭୂମିକା ଲାଗି ଦଳରେ ନିଆଯାଇଥିବାରୁ କିଭଳି ଖେଳାଯାଇପାରିବ ବିଚାର ଆଲୋଚନା ଚାଲିଛି। ଏସିଆ କପ୍‌ରେ ସୀମିତ ସୁଯୋଗ ପାଇଥିବା କାର୍ତ୍ତିକ କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିକ ବ୍ୟାଟିଂ ପାଇବା ସମ୍ଭାବନା ଅଧିକ। ଜାଦେଜାଙ୍କ ଆହତ ସମସ୍ୟା କାରଣରୁ ଭାରତ ଗତ ଏସିଆ କପ୍‌ରେ ୫ ଜଣ ବୋଲରଙ୍କୁ ନେଇ ଖେଳିବାକୁ ବାଧ୍ୟ ହୋଇଥିଲା। ଭାରତ ଯଦି ହାର୍ଦିକ ପାଣ୍ଡ୍ୟା ଓ ଜାଦେଜାଙ୍କ ବିକଳ୍ପ ଅକ୍ଷର ପଟେଲଙ୍କୁ ଖେଳାଇବ ତେବେ ଅତିରିକ୍ତ ବୋଲିଂ ବିକଳ୍ପ ପାଇପାରିବ।

ଅଷ୍ଟ୍ରେଲିଆ ଦଳର ନେତୃତ୍ବ ନେଇ ଆସିଥିବା ଆରୋନ୍‌ ଫିଞ୍ଚ୍ ଗତ ସପ୍ତାହରେ ଦିନିକିଆ କ୍ରିକେଟ୍‌ରୁ ଅବସର ନେଇଛନ୍ତି। ଖରାପ ଫର୍ମ କାରଣରୁ ସେ ଦିନିକିଆ ଫର୍ମାଟ ଛାଡ଼ିଥିବାରୁ ଟ୍ବେଣ୍ଟି-୨୦ରେ ତାଙ୍କ ପ୍ରଭାବୀ ପ୍ରଦର୍ଶନ ଦେବାକୁ ଚାହିଁବେ। ଡେଭିଡ୍‌ ୱାର୍ଣ୍ଣର, ମିଚେଲ୍‌ ଷ୍ଟାର୍କ, ମାର୍କସ ଷ୍ଟୋଇନିସ ଓ ମିଚେଲ୍ ମାର୍ସ ଭାରତ ଆସିନାହାନ୍ତି। ସିଙ୍ଗାପୁର ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିଲେ ମଧ୍ୟ ପାୱାର ହିଟର୍‌ ଟିମ୍ ଡେଭିଡ୍‌ ଭାରତ ଗସ୍ତରେ ଅଷ୍ଟ୍ରେଲିଆ ପାଇଁ ପଦାର୍ପଣ କରିବା ଏକ ପ୍ରକାର ନିଶ୍ଚିତ ରହିଛି। ବିଶ୍ବର ବିଭିନ୍ନ ଟ୍ବେଣ୍ଟି-୨୦ ଲିଗ୍‌ରେ ନିଜ ଛାପ ଛାଡ଼ିବା ପରେ ଡେଭିଡ୍‌ ଏହି ସ‌ୁଯୋଗ ପାଇଛନ୍ତି।
ମୁହାଁମୁହିଁ: ଭାରତ ଏବଂ ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଫର୍ମାଟରେ ପରସ୍ପର ସହ ୨୩ ଥର ଖେଳିଛନ୍ତି। ଭାରତ ୧୩ ଜିତିଥିବା ବେଳେ କଙ୍ଗାରୁ ଦଳ ୯ ଥର ବାଜି ମାରିଛି। ଗୋଟିଏ ମ୍ୟାଚ୍‌ରୁ ଫଳାଫଳ ବାହାରିନାହିଁ। ବିଗତ ୫ ମ୍ୟାଚ୍‌ରୁ କିନ୍ତୁ ଭାରତ ୨ ଓ ଅଷ୍ଟ୍ରେଲିଆ ୩ ଜିତିଛି। ଅଷ୍ଟ୍ରେଲିଆ ଏବେ ବିଶ୍ବ ବିଜେତା ସହିତ ଆଇସିସି‌ ଟ୍ବେଣ୍ଟି-୨୦ ମାନ୍ୟତାର ଷଷ୍ଠ ସ୍ଥାନରେ ରହିଛି। ଭାରତ କିନ୍ତୁ ଏହି ଫର୍ମାଟର ଏକ ନମ୍ବର ଖ୍ୟାତି ବହନ କରୁଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ୍ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡା, ଋଷଭ ପନ୍ତ୍‌, ଦୀନେଶ କାର୍ତ୍ତିକ, ହାର୍ଦିକ ପାଣ୍ଡ୍ୟା, ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲ, ଅକ୍ଷର ପଟେଲ୍‌, ଭୁବନେଶ୍ବର କୁମାର, ହର୍ଷଲ୍ ପଟେଲ୍‌, ଦୀପକ ଚହର, ଯଶପ୍ରୀତ୍ ବୁମରା, ଉମେଶ ଯାଦବ।
ଅଷ୍ଟ୍ରେଲିଆ ଦଳ: ସିନ୍ ଆବୋଟ୍‌, ଆଷ୍ଟନ୍ ଆଗର, ପ୍ୟାଟ୍ କମିନ୍ସ, ଟିମ୍ ଡେଭିଡ୍, ନାଥନ୍ ଏଲିସ୍‌, ଆରୋନ୍‌ ଫିଞ୍ଚ୍‌ (ଅଧିନାୟକ), କାମେରନ୍ ଗ୍ରିନ୍‌, ଜୋସ୍ ହାଜେଲଉଡ୍‌, ଜୋସ୍‌ ଇଙ୍ଗଲିସ୍‌, ଗ୍ଲେନ୍ ମ୍ୟାକ୍ସୱେଲ୍‌, କେନ୍‌ ରିଚାର୍ଡସନ୍‌, ଡାନିଏଲ୍‌ ସାମ୍ସ, ଷ୍ଟିଭ୍ ସ୍ମିଥ୍, ମାଥ୍ୟୁ ୱାଦେ, ଆଦାମ ଜାମ୍ପା।

୧-ପରସ୍ପର ସହ ଖେଳିଥିବା ବିଗତ ୬ ଟ୍ବେଣ୍ଟି-୨୦ ମୁକାବିଲାରୁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ୩ ଲେଖାଏଁ ଜିତିଛନ୍ତି।
ଶେଷ ଥର ପାଇଁ ଭାରତ ଓ ଅଷ୍ଟ୍ରେଲିଆ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ ୨୦୨୦ ଡିସେମ୍ବର ୮ ତାରିଖରେ ଖେଳିଥିଲେ। ସିଡନିରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବିରାଟ କୋହଲି (୬୧ ବଲ୍‌ରୁ ୮୫ ରନ୍‌, ୪ ଚୌକା, ୩ ଛକା) ଆକର୍ଷଣୀୟ ପାଳି ‌ଖେଳିଥିଲେ ମଧ୍ୟ ଭାରତ ୧୨ ରନ୍‌ରେ ହାରିଯାଇଥିଲା।
୩-୨୦୦୭ରୁ ୨୦୧୭ ମସିହା ମଧ୍ୟରେ ଭାରତ ମାଟିରେ ଖେଳିଥିବା ପ୍ରଥମ ୪ ଟ୍ବେଣ୍ଟି-୨୦ରେ ଅଷ୍ଟ୍ରେଲିଆ ହାରିଯାଇଥିଲା। କିନ୍ତୁ ପରିବର୍ତୀ ୩ଟି (୨୦୧୭-୨୦୧୯)ରେ ଜିତିଥିଲା।
୪-ଭାରତକୁ ଅଷ୍ଟ୍ରେଲିଆ ଦୁଇ ଥର ୯ ୱିକେଟ୍‌ରେ ହରାଇଛି। ୨୦୦୮ରେ ମେଲବର୍ଣ୍ଣରେ ଏବଂ ୨୦୧୨ରେ ଆଇସିସି ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ର କଲମ୍ବୋ ଲଢ଼େଇରେ।
୫-୨୦୦୮ ଫେବ୍ରୁଆରି ପହିଲାରେ ମେଲବର୍ଣ୍ଣରେ ଭାରତ ମାତ୍ର ୭୪ ରନ୍‌ରେ ଅଲ୍‌ଆଉଟ୍ ହେବା ଉଭୟ ଦଳ ମଧ୍ୟରେ ସର୍ବନିମ୍ନ ଦଳଗତ ସ୍କୋର ହୋଇ ରହିଛି।
୬-ରବିଚନ୍ଦ୍ରନ ଅଶ୍ବିନ (୪/୧୧, ମୀରପୁର, ୨୦୧୪ ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌)ଙ୍କ ବୋଲିଂ ଚିତ୍ର ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଏହି ଫର୍ମାଟରେ ଶ୍ରେଷ୍ଠ ହୋଇ ରହିଛି।
୭-୨୦୧୮ ମସିହାରେ ସିଡନିରେ କୃନାଲ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ବୋଲିଂ ଚିତ୍ର ୪/୩୬ ସହାୟତାରେ ଭାରତ ୬ ୱିକେଟ୍‌ରେ ଜିତିଥିଲା।
୮-ବିରାଟ କୋହଲି ୧୮ ପାଳିରୁ ୭ ଅର୍ଦ୍ଧଶତକ ସହ ୫୯.୮୩ ହାର ଓ ୧୪୬.୨୩ ଷ୍ଟ୍ରାଇକ୍‌ ରେଟ୍‌ରେ ସଂଗ୍ରହ କରିଥିବା ୭୧୮ ରନ୍‌ ଅଷ୍ଟ୍ରେଲିଆ ବିପକ୍ଷରେ କୌଣସି ବ୍ୟାଟର୍‌ଙ୍କ ମଧ୍ୟରେ ଶ୍ରେଷ୍ଠ।
୯-ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଆରୋନ୍‌ ଫିଞ୍ଚ୍ ସର୍ବାଧିକ ୪୪୦ ରନ୍‌ (୨୯.୩୩ ହାର, ୨ ଅର୍ଦ୍ଧଶତକ) ସଂଗ୍ରହ କରିଛନ୍ତି।
୧୦-ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର୍‌ ରେକର୍ଡ ବିରାଟ କୋହଲି (୫୫ ବଲରୁ ୯୦ ରନ୍‌, ଆଡିଲେଡ୍‌, ୨୦୧୬)ଙ୍କ ନାମରେ ରହିଛି।
୧୧-ଭାରତ-ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅଗ୍ରଣୀ ୱିକେଟ୍‌ ଦଖଲକାରୀ ହେଲେ ଯଶପ୍ରୀତ ବୁମରା (୧୧ ମ୍ୟାଚ୍‌ରୁ ୧୫ ୱିକେଟ୍‌)।
୧୨-ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଏହି‌ ଫର୍ମାଟରେ ସେନ୍‌ ୱାଟସନ୍‌ ସର୍ବାଧିକ ୧୦ ୱିକେଟ୍ ନେଇଛନ୍ତି।
୧୩-ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ସମସ୍ତ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ମାତ୍ର ୨ଟି ଶତକ ଦେଖିବାକୁ ମିଳିଛି। ଉଭୟ ଅଷ୍ଟ୍ରେଲୀୟ। ୨୦୧୬ରେ ସିଡନିରେ ସେନ୍‌ ୱାଟସନ୍‌ (୭୧ ବଲ୍‌ରୁ ୧୨୪* ରନ୍‌) ଏବଂ ୨୦୧୯ରେ ବେଙ୍ଗାଲୁରୁରେ ଗ୍ଲେନ୍ ମ୍ୟାକ୍ସୱେଲ୍‌ (୫୫ ବଲରୁ ୧୧୩* ରନ୍‌) ଏହି ଦୁଇ ଶତକ ହାସଲ କରିଥିଲେ।
୧୪-ଅଷ୍ଟ୍ରେଲିଆର ସଫଳ ପଶ୍ଚାତଧାବନରେ ଗ୍ଲେନ୍ ମ୍ୟାକ୍ସୱେଲ୍ ଦୁଇଟି ଶତକ ମାରିଛନ୍ତି। ଦ୍ବିତୀୟଟି (୧୦୩* ରନ୍‌) ସେ ୨୦୧୮ରେ ହୋବାର୍ଟରେ ଇଂଲଣ୍ଡ ବିପକ୍ଷରେ ଜମାଇଥିଲେ।
୧୫-ଅନ୍ୟୁନ ୫୦୦ ରନ୍ ସଂଗ୍ରହ କରିଥିବା ଖେଳାଳିଙ୍କ ମଧ୍ୟରେ ପଶ୍ଚାତଧାବନ ସମୟରେ କୋହଲି ଶ୍ରେଷ୍ଠ (୩୨ ପାଳିରୁ ୧୪ ଅର୍ଦ୍ଧଶତକ, ୧୪୬୨ ରନ୍‌, ୯୭.୪୬ ହାରାହାରି, ୧୩୫.୨୪ ଷ୍ଟ୍ରାଇକରେଟ୍‌, ୧୭ ଥର ଅପରାଜିତ)।
୧୬-ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଆଉଟ୍‌ କରାଇଥିବା ୱିକେଟରକ୍ଷକ ହେଲେ ମହେନ୍ଦ୍ର ସିଂହ ଧୋନି (୧୭ ପାଳିରୁ ୧୫ ଡିସମିସାଲ୍-୧୦ କ୍ୟାଚ୍‌ ଓ ୫ ଷ୍ଟମ୍ପିଂ)।
୧୭-ଭାରତ-ଅଷ୍ଟ୍ରେଲିଆ ସମ୍ପୃକ୍ତ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କ୍ଷେତ୍ରରକ୍ଷଣ ରେକର୍ଡ ବିରାଟ କୋହଲିଙ୍କ ନାମରେ ରହିଛି। ୧୯ ମ୍ୟାଚ୍‌ରୁ ସେ ନେଇଛନ୍ତି ୯ କ୍ୟାଚ୍‌।
୧୮-ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଯେ କୌଣସି ୱିକେଟ୍ ଲାଗି ସର୍ବୋଚ୍ଚ ଭାଗୀଦାରି ରହିଛି ବିରାଟ କୋହଲି-ସୁରେଶ ରାଇନାଙ୍କ ନାମରେ। ଏହି ଯୋଡ଼ି ୨୦୧୬ରେ ଆଡିଲେଡ୍‌ରେ ତୃତୀୟ ୱିକେଟ୍ ପାଇଁ ୧୩୪ ରନ୍‌ ସଂଗ୍ରହ କରିଥିଲେ।
୧୯-ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ପାଇଁ ଯେ କୌଣସି ୱିକେଟ୍ ଲାଗି ସର୍ବୋଚ୍ଚ ଭାଗୀଦାରି ରହିଛି ସେନ୍‌ ୱାଟସନ୍‌-ଡେଭିଡ୍‌ ୱାର୍ଣ୍ଣରଙ୍କ ନାମରେ। ଏମାନେ ୨୦୧୨ରେ କଲମ୍ବୋରେ ପ୍ରଥମ ୱିକେଟ୍ ପାଇଁ ୧୩୩ ରନ୍ ସଂଗ୍ରହ କରିଥିଲେ।
୨୦-ଭାରତ-ଅଷ୍ଟ୍ରେଲିଆ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ସର୍ବାଧିକ ୨୮ ଛକା ମାରିଛନ୍ତି ଗ୍ଲେନ୍ ମ୍ୟାକ୍ସୱେଲ୍‌। ବିରାଟ କୋହଲି (୨୨ ଛକା) ଅଷ୍ଟ୍ରେଲିଆ ବିପକ୍ଷରେ ସର୍ବାଧିକ ଛକା ମାରିବାର ଭାରତୀୟ କୀର୍ତ୍ତିମାନ ରଖିଛନ୍ତି।

ସମ୍ବନ୍ଧିତ ଖବର