କୋଲକାତା : ଆସନ୍ତା ୨୨ ତାରିଖରୁ କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍‌ସରେ ଭାରତ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ୍‌ରେ ବାଂଲାଦେଶକୁ ଭେଟିବ। ଏଥିପାଇଁ ଉଭୟ ଦଳରେ ଉତ୍ସୁକତା ଭରିଯାଇଛି। ନାଲି ବଲ୍‌ ତୁଳନାରେ ଗୋଲାପି ବଲ୍‌ ଅଧିକ ସୁଇଂ କରିବ ବୋଲି କୁହାଯାଉଛି। ତଥାପି ଇଡେନ୍‌ ଗାର୍ଡେନ୍‌ ପିଚ୍‌ ଦ୍ରୁତ ବୋଲରଙ୍କୁ ସୁହାଇବ ବୋଲି ପୂର୍ବାନୁମାନ କରାଯାଇଥିଲା ବେଳେ ସ୍ପିନରଙ୍କ ପାଇଁ କଷ୍ଟକର ହେବ ବୋଲି ଜଣାପଡ଼ିଛି। ତେବେ ଏହି ଟେ‌ଷ୍ଟ୍‌ ପୂର୍ବରୁ ଗୋଲାପି ବଲ୍‌ ମ୍ୟାଚ୍‌ରେ ଦ୍ରୁତ ବୋଲର ନା ସ୍ପିନର ଅଧିକ ସଫଳତା ପାଇଛନ୍ତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୧ ଦିବାରାତ୍ର ତଥା ଗୋଲାପି ବଲ୍‌ ଟେଷ୍ଟ୍‌ରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା ବେଳେ ଏସିଆରେ ସ୍ପିନର ସବୁଠୁ ସଫଳ ରହିଥିବା ଏକ ପରିସଂଖ୍ୟାନରୁ ସ୍ପଷ୍ଟ ହୋଇଛି।

Advertisment

ଏହି ୧୧ ଦିବାରାତ୍ର ଟେ‌ଷ୍ଟ୍‌ରେ ପତନ ଘଟିଥିବା ୩୬୬ ୱିକେଟ୍‌ ମଧ୍ୟରୁ ସ୍ପିନରଙ୍କୁ ମିଳିଛି ୯୬। ତେଣୁ ଗୋଲାପି ବଲ୍‌ରେ ଦ୍ରୁତ ବୋଲରଙ୍କ ଆଧିପତ୍ୟ ଏଥିରୁ ପ୍ରମାଣିତ ହୋଇଯାଇଛି। ହେଲେ ଏସିଆ ମହାଦେଶରେ ଆୟୋଜିତ ଏଭଳି ଟେଷ୍ଟ୍‌ରେ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଏସିଆରେ ସ୍ପିନରଙ୍କ ରାଜୁତି ରହିଛି। ଯାହାକି ଏସିଆରେ ମାତ୍ର ଦୁଇଟି ଟେଷ୍ଟ ଖେଳାଯାଇଥିଲା ବେଳେ ସେଥିରେ ପତନ ଘଟିଥିବା ୭୩ ମଧ୍ୟରୁ ସ୍ପିନରଙ୍କୁ ମିଳିଛି ୪୬ ୱିକେଟ୍‌। ଅବଶ୍ୟ ଏହି ଦୁଇଟି ମ୍ୟାଚ୍‌ ଦୁବାଇରେ ହିଁ ଖେଳାଯାଇଥିଲା। ଏଥିରେ ପାକିସ୍ତାନ ଲେଗ୍‌ ସ୍ପିନର ୟାସିର୍‌ ସାହା ଦୁଇ ଥର ୫ ୱିକେଟ୍‌ ସଫଳତା ପାଇଥିଲା ବେଳେ ୱେଷ୍ଟଇଣ୍ଡିଜ୍‌ ସ୍ପିନର ଦେବେନ୍ଦ୍ର ବିଶୁ ଥରେ ୮ ୱିକେଟ୍‌ ସଫଳତା ହାତେଇଥିଲେ। ମୋଟାମୋଟି ଭାବେ ଗୋଲାପି ବଲ୍‌ ଟେଷ୍ଟ୍‌ରେ କଚଟି ସ୍ପିନରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି ଓ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଅନୁଭବ କରିଛନ୍ତି। ଯାହା ଫଳରେ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟ୍‌ରେ ସେମାନେ କୁଲ୍‌ଦୀପ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ଖେଳାଇବାର ଚିନ୍ତା କରିଛନ୍ତି।

ଆଶା ଓ ଆଶଙ୍କାରେ ବଲ୍ ଯୋଗାଣକାରୀ
ଶୁକ୍ରବାରଠାରୁ ଭାରତ ମାଟିରେ ଖେଳାଯିବାକୁ ଥିବା ପ୍ରଥମ ଗୋଲାପି ବଲ୍ ଟେଷ୍ଟ୍‌କୁ ନେଇ କେବଳ କ୍ରିକେଟ୍ ପ୍ରେମୀ ଓ ଖେଳାଳି ଉତ୍ସାହିତ ନାହାନ୍ତି, ବଲ୍ ଯୋଗାଣକାରୀ ପାରସ୍ ଆନନ୍ଦ ମଧ୍ୟ ଆଶା ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ବହୁ ଦଶନ୍ଧି ଧରି ଏସ୍‌ଜି (ସାନ୍ସପରେଲ୍ସ ଗ୍ରିନଲାଣ୍ଡ୍ସ) କଂପାନି ଭାରତ ସହ ବିଶ୍ବର ଅନେକ ଦେଶକୁ କ୍ରିକେଟ୍ ବଲ୍ ଯୋଗାଇ ଆସୁଛି। ତେବେ ଶୁକ୍ରବାରଠାରୁ ଆରମ୍ଭ ହେଉଥିବା ଭାରତର ଏହି ପ୍ରଥମ ଦିବା ରାତ୍ର ଟେଷ୍ଟ୍‌ ନେଇ ହେଉଥିବା ଚର୍ଚ୍ଚା କଂପାନିର ବିପଣନ ନିର୍ଦେଶକ ଆନନ୍ଦଙ୍କୁ ବି ଚିନ୍ତାରେ ପକାଇଦେଇଛି। ସେ କହିଛନ୍ତି ଯେ ମୋ ମତରେ ଗୋଲାପି ବଲ୍‌ର ସଫଳତା ପାଞ୍ଚଟି କାରକ ଉପରେ ନିର୍ଭର କରେ। ସେଗୁଡ଼ିକ ‌ହେଲା ପିଚ୍, ପଡ଼ିଆ, ଆଲୋକ, ଖେଳାଳିଙ୍କ ଅଭିଜ୍ଞତା ଓ ନିଜେ ବଲ୍। କେବଳ ବଲ୍‌କୁ ନେଇ ଚର୍ଚ୍ଚା ହେଉଛି। ଯାହା ଉତ୍ପାଦକଙ୍କ ପାଇଁ ଉତ୍ସାହଜନକ ଖବର। ତେବେ ତା ସହିତ ଆମେ ଟିକିଏ ଚିନ୍ତିତ ଅଛୁ। ଏହା କିଭଳି ବ୍ୟବହାର କରୁଛୁ, ତାକୁ ଚାହିଁ ବସିଛୁ।

ଗୋଟିଏ ବଲ୍ ପାଇଁ ଲାଗୁଛି ୮ ଦିନ
ଟେଷ୍ଟ କ୍ରିକେଟ୍‌ରେ ପାରମ୍ପରିକ ଭାବେ ବ୍ୟବହୃତ ହୋଇ ଆସୁଥିବା ଲାଲ ବଲ୍ ତିଆରି କରିବାକୁ ଯେତିକି ସମୟ ଲାଗେ ଗୋଲାପି ବଲ୍ ପାଇଁ ତା’ଠାରୁ ପାଖାପାଖି ୩ ଗୁଣା ସମୟ ଲାଗେ। ମିରଟରେ ଥିବା ଏସ୍‌ଜି କାରଖାନାରେ ଗୋଟିଏ ଲାଲ୍ ବଲ୍ ତିଆରି କରିବାକୁ ୩ ଦିନ ଲାଗୁଥିଲା ବେଳେ ଗୋଲାପି ବଲ୍ ଲାଗି ୮ ଦିନ ଲାଗୁଛି। ଦଲୀପ ଟ୍ରଫି ଘରୋଇ କ୍ରିକେଟ୍ ପ୍ରତିଯୋଗିତାରେ ବିସିସିଆଇ ଅଷ୍ଟ୍ରେଲିଆରେ ତିଆରି ହେଉଥିବା ଗୋଲାପି କୁକାବୁରା ବଲ୍ ବ୍ୟବହାର କରିଥିଲା। ତେବେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ବାଂଲାଦେଶ-ଭାରତ ପ୍ରଥମ ଦିବା ରାତ୍ର ଟେଷ୍ଟରେ ଏସଜି ଗୋଲାପି ବଲ୍ ଉପଯୋଗ କରାଯିବ। ଏହି ବଲ୍‌ରେ ଖେଳିବାର ଅଭିଜ୍ଞତା ଉଭୟ ଦଳର ଖେଳାଳିଙ୍କର ପ୍ରାୟ ନାହିଁ କହିଲେ ଚଳେ। ବିଶେଷ କରି ସଂଧ୍ୟା ସମୟରେ ଗୋଲାପି ବଲ୍‌କୁ ଭଲ ଭାବରେ ଦେଖିବା ବ୍ୟାଟ୍ସମ୍ୟାନଙ୍କ ପାଇଁ କାଠିକର ପାଠ ହୋଇପାରେ। କାକର ମଧ୍ୟ ଆଉ ଏକ ଆହ୍ବାନ ହେବ। ଏହି ମାଇଲଖୁଣ୍ଟ ମ୍ୟାଚ୍‌ର ପ୍ରଥମ ଚାରି ଦିନର ଟିକେଟ୍‌ ବିକ୍ରି ସରିଥିଲା ବେଳେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ ଦର୍ଶକ ଇଡେନ୍‌ରେ ଉପସ୍ଥିତ ରହିବାର ଆଶା ରହିଛି।