ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୩ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ (ଫିରୋଜ ଶାହା କୋଟଲା ଗ୍ରାଉଣ୍ଡ)ରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ତେବେ ପ୍ରଦୂଷଣକୁ ନେଇ ଚିନ୍ତା ବଢିବାରେ ଲାଗିଛି । ଦୀପାବଳୀ ଯୋଗୁଁ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିଯାଇଛି । ସୋମବାରଦିନ ଦିଲ୍ଲୀର ପ୍ରଦୂଷଣ ମାତ୍ରା (ଏୟାର କ୍ୱାଲିଟି ଇଣ୍ଡେକ୍ସ) ଚଳିତ ସିଜିନର ସବୁଠାରୁ ଖରାପ ସ୍ତର ୫୦୬ ରେ ପହଞ୍ଚିଛି । ଏହା ଆସନ୍ତା କିଛି ଦିନ ପର୍ଯ୍ୟନ୍ତ ବଜାୟ ରହିବା ଆଶଙ୍କା କରାଯାଉଛି । ଏପରି ହେଲେ ମ୍ୟାଚ ଉପରେ ବିପଦ ଦେଖାଦେଇଛି । କାରଣ ଗତ ୨୦୧୭ରେ ପ୍ରଦୂଷଣ ଯୋଗୁଁ ଶ୍ରୀଲଙ୍କାର ଖେଳାଳିମାନେ ପଡିଆକୁ ଆସିନଥିଲେ ।
ତେବେ ପ୍ରଦୂଷଣ ସତ୍ତ୍ୱେ ଦିଲ୍ଲୀରେ ମ୍ୟାଚ ପ୍ରଭାବିତ ହେବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଦିଲ୍ଲୀରେ ପ୍ରଦୂଷଣ କମାଇବାକୁ ଆସନ୍ତା ୪ରୁ ଅଡ-ଇଭିନ ବ୍ୟବସ୍ଥା ଆରମ୍ଭ କରାଯାଉଛି ।
ବାଂଲାଦେଶ ନିଜର ଭାରତ ଗସ୍ତ କାଳରେ ୩ଟି ଟି-୨୦ ମ୍ୟାଚ ଓ ୨ଟି ଟେଷ୍ଟମ୍ୟାଚ ଖେଳିବ ।