ଭାରତର ଆଜି ବାଂଲା ପରୀକ୍ଷା

କଲମ୍ବୋ: ଚଳିତ ନିଦାହାସ୍‌ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ରେ ଭାରତ ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ବୁଧବାର ବାଂଲାଦେଶକୁ ଭେଟିବ। ଭାରତ ୩ଟି ମ୍ୟାଚ୍‌ରୁ ୨ଟି ଜିତି ଫାଇନାଲ୍‌ ଆଶାକୁ କାଏମ ରଖିଥିବାବେଳେ ବାଂଲାଦେଶ ୨ଟିରୁ ଗୋଟିଏ ଜିତି ଆଶା ଓ ଆଶଙ୍କା ଭିତରେ ରହିଛି। ବୁଧବାରର ମୁକାବିଲା କିନ୍ତୁ ରୋମାଞ୍ଚଭରା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ବାଂଲାଦେଶକୁ ସହଜରେ ପରାସ୍ତ କରିଥିଲା। କିନ୍ତୁ ଗୁରୁବାର ଶ୍ରୀଲଙ୍କାର ୨୧୪ ରନ୍‌ ଆହ୍ଵାନକୁ ତୁଛ କରି ଦେଇଥିବା ବାଂଲାଦେଶର ମନୋବଳ ଉଚ୍ଚା ଥିବାରୁ ଭାରତ ବିପକ୍ଷ ମୁକାବିଲା ନିଶ୍ଚିତ କଡ଼ା ଟକ୍କର ହେବ ବୋଲି ବିଶ୍ୱାସ ଆସୁଛି।
ଶ୍ରୀଲଙ୍କା ବିପକ୍ଷରେ ସୋମବାର ରାତିରେ ପ୍ରତିଶୋଧମୂଳକ ବିଜୟ ସତ୍ତ୍ୱେ ଭାରତ ଆଶଙ୍କାରେ ପଡ଼ିଥିଲା। ଆଉ ଗୋଟିଏ ଦୁଇଟି ଓ୍ଵିକେଟ୍‌ ହରାଇଥିଲେ ଏହି ମ୍ୟାଚ୍‌ ନିଶ୍ଚିତ ମୁକୁଳା ହୋଇଯାଇଥାନ୍ତା। ମନୀଷ ପାଣ୍ଡେ ଓ ଦୀନେଶ କାର୍ତିକଙ୍କ ୬୮ ରନ ଭାଗୀଦାରି ଭାରତକୁ ବଞ୍ଚାଇଥିଲା। ଏବେ ଆତ୍ମବିଶ୍ୱାସୀ ବାଂଲାଦେଶ ପରୀକ୍ଷାକୁ ଭାରତ କିଭଳି ପ୍ରତିହତ କରି ଫାଇନାଲ୍‌ ପହଞ୍ଚିବ ମୁଖ୍ୟ କଥା ହୋଇଛି। ଉଭୟ ଦଳ ନିଜ ନିଜ ଭିତରେ ବିଶ୍ୱାସ ରଖି ଖେଳିଲେ କେହି ବି ଜିତିବାର ଦକ୍ଷତା ରଖିଛନ୍ତି।
ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଦଳ ପାଇଁ ମୁଖ୍ୟ ଚିନ୍ତାର କାରଣ ହୋଇଛି। ଶିଖର ଧାଓ୍ଵନ ଓ ସୁରେଶ ରାଇନାଙ୍କ ଭଲ ପ୍ରଦର୍ଶନ ଦଳର ସମ୍ଭାବନାକୁ ଉଜ୍ଜୀବିତ କରିଛି। ବୋଲିଂରେ ଓ୍ଵାସିଂଟନ୍‌ ସୁନ୍ଦର ଏବଂ ୟୁଜବେନ୍ଦ୍ର ଚହଲ ଗତିରେ ବିବିଧତା ଭରି ଦେଉଥିବାବେଳେ ସାର୍ଦୁଲ ଠାକୁର ଶ୍ରୀଲଙ୍କା ବିପକ୍ଷରେ ୪ ଓ୍ଵିକେଟ୍‌ ନେଇ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଜୟଦେବ ଉନାଦକତ୍‌ ଏବଂ ବିଜୟ ଶଙ୍କର ଭଲ ସହଯୋଗୀ ଦାୟିତ୍ୱ ତୁଲାଇଥିଲେ।
ବାଂଲାଦେଶ ପୂର୍ବରୁ ସଫଳତାର ସହ ୧୬୬ ରନ୍‌ କରିପାରିଥିଲା। କିନ୍ତୁ ନିଜର ପୂର୍ବ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୨୧୪ ରନ୍‌କୁ ପଶ୍ଚାତଧାବନ କରି ସଫଳ ହେବା ପରେ ନିଦାହାସ ତ୍ରିରାଷ୍ଟ୍ରୀୟ ପ୍ରତିଯୋଗିତାରେ ମଧ୍ୟ ସବୁ ଦଳର ସମ୍ଭାବନାକୁ ଶେଷ ପର୍ଯ୍ୟନ୍ତ ଝୁଲାଇ ଦେଇଛି। ଭାରତ ହାରିଲେ ବି ବାଂଲାଦେଶ-ଶ୍ରୀଲଙ୍କା ଶେଷ ଲିଗ୍‌ ମ୍ୟାଚ୍‌ ପର୍ଯ୍ୟନ୍ତ ଅପେକ୍ଷା କରିବ। ପ୍ରତ୍ୟେକ ଦଳକୁ ୨ ବିଜୟ ମିିଳିଲେ ନେଟ୍‌ ରନ୍‌ ରେଟ୍‌କୁ ହିସାବକୁ ଆସିଯିବ।
ବାଂଲାଦେଶକୁ ଶ୍ରୀଲଙ୍କା ବିପକ୍ଷ ଗତ ମ୍ୟାଚ୍‌ରେ ଲିଟନ୍‌ ଦାସ, ତମିମ୍‌ ଇକ୍‌ବାଲ୍‌, ସୌମ୍ୟ ସରକାର ଏବଂ ମୁସଫିକର ରହିମ୍‌ (୭୨*, ୩୫ ବଲ୍‌) ବିଜୟ ଦେବାରେ ବଡ଼ ଭୂମିକା ନେଇଥିଲେ। ବୋଲିଂରେ ବି ମେହିଦି ହାସନ, ନଜମୁଲ୍‌ ଇସ୍‌ଲାମ, ମୁସ୍ତାଫିଜୁର ରହମାନ୍‌, ରୁବେଲ ହୋସେନ ଭଲ କରିଥିଲେ। ଖରାପ ପ୍ରଦର୍ଶନ ପାଇଁ ତସ୍‌କିନ୍‌ ଅହମ୍ମଦ ବାଦ୍‌ ପଡ଼ିପାରନ୍ତି। ଉଭୟ ଭାରତ ଏବଂ ଶ୍ରୀଲଙ୍କା ନିଜ ନିଜର ଶେଷ ମ୍ୟାଚ୍‌ ଜିତିଥିବାରୁ ବିନା ପରିବର୍ତନରେ ବୁଧବାର ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି।
କଲମ୍ବୋରେ ବର୍ଷାର ପୂର୍ବାନୁମାନ ଜାରି ରହିଛି। ବାଂଲାଦେଶ କିନ୍ତୁ ଏହି ବନ୍ଦ-ଆରମ୍ଭ ପ୍ରକ୍ରିୟା ଖେଳ ପାଇଁ ନିଜକୁ ମାନସିକ ଭାବେ ପ୍ରସ୍ତୁତ କରିଛି। ପିଚ୍‌ ପୂର୍ବ ଭଳି ରହିବ କିନ୍ତୁ ସାଧାରଣତଃ ବ୍ୟାଟିଂକୁ ସୁହାଇବ।
ଭାରତ ଦଳ (ସମ୍ଭାବ୍ୟ): ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଲୋକେଶ ରାହୁଲ, ସୁରେଶ ରାଇନା, ମନୀଷ ପାଣ୍ଡେ, ଦୀନେଶ କାର୍ତିକ, ବିଜୟ ଶଙ୍କର, ଓ୍ଵାସିଂଟନ୍‌ ସୁନ୍ଦର, ୟୁଜବେନ୍ଦ୍ର ଚହଲ୍‌, ସାର୍ଦୁଲ ଠାକୁର, ଜୟଦେବ ଉନାଦକତ୍‌।
ବାଂଲାଦେଶ ଦଳ (ସମ୍ଭାବ୍ୟ): ତମିମ୍‌ ଇକ୍‌ବାଲ୍‌, ସୌମ୍ୟ ସରକାର, ଲିଟନ୍‌ ଦାସ, ମୁସଫିକର ରହିମ୍‌ (ଓ୍ଵିକେଟରକ୍ଷକ), ମହମ୍ମଦୁଲ୍ଲା (ଅଧିନାୟକ), ସବିର୍‌ ରହମାନ୍‌/ଆରିଫିୁଲ୍‌ ହକ୍‌, ମେହିଦି ହାସନ୍‌, ମୁସ୍ତାଫିଜୁର୍‌ ରହମାନ, ତସକିନ୍‌ ଅହମ୍ମଦ/ଅବୁ ଜୟଦ, ରୁବେଲ୍‌ ହୋସେନ୍‌, ନଜମୁଲ୍‌ ଇସ୍‌ଲା।

ସମ୍ବନ୍ଧିତ ଖବର