ଟିମ୍ ଇଣ୍ଡିଆ ଦେଲା ହୋଲି ଉପହାର : ଉତ୍କଣ୍ଠାପୂର୍ଣ୍ଣ ଅନ୍ତିମ ମୁକାବିଲାରେ ଇଂଲଣ୍ଡ ୭ ରନ୍‌ରେ ପରାସ୍ତ, ଭାରତ ୨-୧ରେ ଶୃଙ୍ଖଳା ବିଜୟୀ

ପୁଣେ : ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ, ଉତ୍ଥାନ ପତନଭରା, ନାଟକୀୟ ଏବଂ ନାନା ମୋଡ଼ ନେଇଥିବା ନିର୍ଣ୍ଣାୟକ ତୃତୀୟ ମୁକାବିଲାକୁ ୭ ରନ୍‌ରେ ଜିତି ନେଇ ରଙ୍ଗର ପର୍ବ ହୋଲିର ଦିନକ ପୂର୍ବରୁ ପ୍ରଶଂସକଙ୍କୁ ଅନନ୍ୟ ଶୃଙ୍ଖଳା ବିଜୟ ଉପହାର ଦେଇଛି ଭାରତ। ପ୍ରଥମେ ବ୍ୟାଟିଂ କରି ୩୨୯ ରନ୍ କରିବା ପରେ ଇଂଲଣ୍ଡକୁ ୩୨୨/୯ରେ ଅଟକାଇ ବିଶ୍ବବିଜେତା ଦଳକୁ ଶୃଙ୍ଖଳା ମୂଳପୋଛ କରିଛି ‌କୋହଲି ବାହିନୀ। ଏହା ପୂର୍ବରୁ ଖେଳା ଯାଇଥିବା ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ଯଥାକ୍ରମେ ୩-୧ ଓ ୩-୨ରେ ଜିତିଥିଲା। ଏବେ ଦିନିକିଆ ଶୃଙ୍ଖଳାକୁ ୨-୧ରେ ଜିତି ନେଇ ଇଂଲଣ୍ଡକୁ ଖାଲି ହାତରେ ସ୍ବଦେଶ ଫେରିବାକୁ ବାଧ୍ୟ କରିଛି ଭାରତ। ରବିବାରର ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ତୃତୀୟ ମୁକାବିଲାରେ ସାମ୍‌ କରନଙ୍କ ଧମାକାଦାର ବ୍ୟାଟିଂ ସତ୍ତ୍ବେ ଶେଷ ପର୍ଯ୍ୟନ୍ତ ନିଜ ଉପରୁ ଭରସା ନହରାଇ ଭାରତ ମ୍ୟାଚ୍ ସହ ଶୃଙ୍ଖଳା କବଜା କରି ନେଇଥିଲା। ଅଧିନାୟକ ବିରାଟ କୋହଲି ନିଜ ବ୍ୟାଟ୍‌ରେ ବିଶେଷ କିଛି କରି ପାରି ନଥିଲେ ମଧ୍ୟ ବଳିଷ୍ଠ ନେତୃତ୍ବର ପରିଚୟ ଦେଇ ନିଜ ୨୦୦ ତମ ମ୍ୟାଚ୍ (ଅଧିନାୟକ ଭାବେ)କୁ ସବୁଦିନ ପାଇଁ ସ୍ମରଣୀୟ କରି ଦେଇଥିଲେ। ପରାଜିତ ଦଳରେ ଥିଲେ ମଧ୍ୟ ଅଷ୍ଟମ ସ୍ଥାନରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଥିବା କରନ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଇଂଲଣ୍ଡର ଜନି ବେୟାରଷ୍ଟୋ ବି ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ଇଂଲଣ୍ଡର ୩-୦ ଟସ୍
ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରି ଦିନିକିଆ ଖେଳିବାକୁ ଆସିଥିବା ଇଂଲଣ୍ଡ ସପକ୍ଷରେ ପୁଣି ଥରେ ଟସ୍ ଯାଇଥିଲା। ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଇଅନ ମୋର୍ଗାନ ଟସ୍ ଜିତି ଇଂଲଣ୍ଡକୁ ଫାଇଦାରେ ରଖିଥିଲେ। ଶେଷ ଦୁଇ ମ୍ୟାଚ୍‌ରେ କାମଚଳା ଅଧିନାୟକ ଜୋସ୍ ବଟଲର ମଧ୍ୟ ଏହି କ୍ଷେତ୍ରରେ ଶତ ପ୍ରତିଶତ ସଫଳତା ଲାଭ କରିଥିଲେ। ଦ୍ବିତୀୟ ମୁକାବିଲାରେ ଟସ୍ ଓ ମ୍ୟାଚ୍‌କୁ ସହଜରେ ଜିତି ନେଇଥିବା ବଟଲରଙ୍କୁ ଆଜି ବି ଭାଗ୍ୟ ଦେବୀ ବେଶ୍ ସହାୟ ହୋଇଥିଲେ। ଲଗାତାର ଦ୍ବିତୀୟବାର ଟସ୍ ଜିତିବା ସହ ସେ ତୁରନ୍ତ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ‌ସେପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଲଗାତାର ତୃତୀୟ ଥର ଟସ୍ ହାରି ଅଲୋଡ଼ା ହ୍ୟାଟ୍ରିକ୍ କରିଥିଲେ। ଇଂଲଣ୍ଡ ଟସ୍ ଜିତିବା କ୍ଷଣି ପୁଣେର ଘାତକ କାକରପାତରୁ ବଞ୍ଚିବା ଲାଗି ପୁଣି ଥରେ ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା।

ଭାରତର ଭଲ ଆରମ୍ଭ, ଖରାପ ଶେଷ
ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇବା ପରେ ରୋହିତ ଶର୍ମା (୩୭) ଓ ଶିଖର ଧାୱନ (୬୭) ପ୍ରଥମ ୱିକେଟ୍‌ରେ ୧୦୩ ରନ୍ ଯୋଡ଼ି ଭାରତ ପାଇଁ ଦୃଢ଼ ମୂଳଦୁଆ ପକାଇଥିଲେ। ତେବେ ନିୟମିତ ବ୍ୟବଧାନ ଏବଂ ଯୋଡ଼ାରେ ୱିକେଟ୍ ପଡ଼ିବା ଟିମ୍ ଇଣ୍ଡିଆ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଦଳର ତିନି ମହାରଥୀ ରୋହିତ, ଧାୱନ ଓ ଅଧିନାୟକ ବିରାଟ କୋହଲି (୭) ୧୮ ରନ୍ ଭିତରେ ଆଉଟ୍ ହେବା ଇଂଲଣ୍ଡକୁ ମ୍ୟାଚ୍‌କୁ ଫେରିବାର ସୁଯୋଗ ଦେଇଥିଲା। ତିନି ଜଣ ଯାକ ସ୍ପିନରଙ୍କ ଶିକାର ହୋଇଥିଲେ। ଆଦିଲ ରସିଦ ରୋହିତଙ୍କୁ ଚତୁରତାର ସହ ‌ବୋଲ୍ଡ କରିବା ପରେ ଧାୱନଙ୍କୁ କଟ୍ ଆଣ୍ଡ ବୋଲ୍ଡ କରି ଭାରତର ଉଭୟ ଓପନରଙ୍କୁ ୧୨ ରନ୍ ଭିତରେ ପ୍ୟାଭିଲିୟନ ଫେରାଇ ଦେଇଥିଲେ। ପୂର୍ବରୁ ଟେଷ୍ଟ୍ ଓ ଟ୍ବେଣ୍ଟି-୨୦ରେ କୋହଲିଙ୍କୁ ହଇରାଣ କରି ଆସୁଥିବା ମୋଇନ ଅଲ୍ଲୀ ପୁଣି ଥରେ କୋହଲିଙ୍କୁ ଚକ୍‌ମା ଦେବାକୁ ସକ୍ଷମ ହୋଇଥିଲେ। ବଲ୍ ଅଫ୍‌ରୁ ଲେଗ୍‌କୁ ଘୂରିବା ପରେ କୋହଲି କିଛି ବୁଝିବା ପୂର୍ବରୁ ତାଙ୍କ ୱିକେଟ୍ ଉଡ଼ିଯାଇଥିଲା। ସେହିଭଳି ଦ୍ବିତୀୟ ମ୍ୟାଚ୍‌ର ଶତକ ହାସଲକାରୀ କେଏଲ୍ ରାହୁଲ ନିଜ ଦ୍ବିତୀୟ ମ୍ୟାଚ୍ ‌ଖେଳୁଥିବା ଲିୟମ ଲିଭିଂଷ୍ଟୋନଙ୍କ ଏକ ଖରାପ ବଲ୍‌ରେ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ଭାରତ ଏକପ୍ରକାର ଦିଗ ହରାଇ ବସିଥିଲା ବେଳେ ଋଷବ ପନ୍ତ (୭୮) ଓ ହାର୍ଦିକ ପାଣ୍ଡ୍ୟା (୬୪) ଧମାକାଦାର ବ୍ୟାଟିଂ କରି ପୁଣି ଥରେ ସ୍ଥିତି ସମ୍ଭାଳି ନେଇଥିଲେ। ଉଭୟଙ୍କ ମଧ୍ୟରେ ପଞ୍ଚମ ୱିକେଟ୍‌ରେ ଦ୍ରୁତ ଓ ମହତ୍ବପୂର୍ଣ୍ଣ ୯୯ ରନ୍‌ର ଭାଗୀଦାରି ହୋଇଥିଲା। ହେଲେ ହଠାତ୍ ଟିମ୍ ଇଣ୍ଡିଆ ପୁଣି ଥରେ ନାଟକୀୟ ଭାବେ ପନ୍ତ ଓ ହାର୍ଦିକଙ୍କୁ ୧୦ ରନ୍ ଭିତରେ ହରାଇଥିଲା। କ୍ରୁନାଲ ପାଣ୍ଡ୍ୟା (୨୫) ଢେର ସମୟ ଲଢ଼ିଥିଲେ। ହେଲେ ଇଂଲଣ୍ଡ ବୋଲରଙ୍କ ମାପଚୁପ ବୋଲିଂ ପାଇଁ ବଡ଼ ସଟ୍ ଖେଳିବାକୁ ଅସମର୍ଥ ହୋଇଥିଲେ। ତେବେ ଦ୍ରୁତ ବୋଲର ଶାର୍ଦୁଳ ଠାକୁର (୩୦) ତିନିଟି ବିଶାଳ ଛକା ସହ ୨୧ ବଲ୍‌ରୁ ୩୦ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ହେଲେ ଭାରତ ଶେଷ ଆଡ଼କୁ ମାତ୍ର ୮ ରନ୍‌ରେ ୪ ୱିକେଟ୍ ହରାଇ ୧୦ ବଲ୍ ପୂର୍ବରୁ ୩୨୯ ରନ୍‌ରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ୩୫୦ ରନ୍ ଛୁଇଁବାରୁ ବଞ୍ଚିତ ହୋଇଥିଲା। ଧାୱନ, ପନ୍ତ ଓ ପାଣ୍ଡ୍ୟା ଆଜି ଯଥାକ୍ରମେ ନିଜ ନିଜର ୩୨ତମ, ତୃତୀୟ ଓ ସପ୍ତମ ଅର୍ଦ୍ଧଶତକ ପୂରଣ କରିଥିଲେ।

କମାଲ କଲେ ଭୁବନେଶ୍ବର ଓ ଶାର୍ଦୁଳ
୩୩୦ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ମାତ୍ର ୨୮ ରନ୍‌ରେ ଦୁଇ ଓପନର ଜାସନ ରୟ ଓ ଜନି ବେୟାରଷ୍ଟୋଙ୍କୁ ହରାଇଥିଲା। ଉଭୟଙ୍କୁ ଭୁବନେଶ୍ବର କୁମାର (୩/୪୨) ଶିକାର କରି ନେଇଥିଲେ। ବିସ୍ଫୋରକ ବେନ୍ ଷ୍ଟୋକ୍ସ ବି ବିଶେଷ କିଛି କରି ପାରି ନଥିଲେ। ତେବେ ଦାୱିଦ ମଲାନ (୫୦) ଓ ଲିୟମ ଲିଭିଷ୍ଟୋନ୍ (୩୬) ଉପଯୋଗୀ ପାଳି ଖେଳିବା ପରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ସାମ୍ କରନ ୮୩ ବଲ୍‌ରୁ ୩ ଛକା ଓ ୯ ଚୌକା ସହାୟତାରେ ୯୬ ରନ୍‌ର ଅବିଶ୍ବସନୀୟ ପାଳି ଖେଳି ଭାରତ ହାତରୁ ମ୍ୟାଚ୍ ଛଡ଼ାଇ ନେବାର ଆପ୍ରାଣ ଉଦ୍ୟମ କରିଥିଲେ। ଚମତ୍କାର ବୋଲିଂ କରି ଚାରିଟି ୱିକେଟ୍ କରାୟତ୍ତ କରିଥିବା ଶାର୍ଦୁଳ ଠାକୁର (୪/୬୭) ଓ ଟି ନଟରାଜନ ହାର୍ଦିକ ପାଣ୍ଡ୍ୟାଙ୍କ ଊନ୍ନବିଂଶ ଓଭରରେ ଦୁଇଟି ସହଜ କ୍ୟାଚ୍ ହାତଛଡ଼ା କରିବା ପରେ ଭାରତ ହାତରୁ ମ୍ୟାଚ୍ ଖସି ଯିବାର ଆଶଙ୍କା ବି ଦେଖା ଦେଇଥି‌ଲା। ହେଲେ ଶେଷ ଓଭରରେ ମାପଚୁପ ବୋଲିଂ କରି ନଟରାଜନ ହିଁ ଭାରତକୁ ବିଜୟ ଉପହାର ଦେଇଥିଲେ। ବିଶ୍ବ ବିଜେତା ଇଂଲଣ୍ଡ ବହୁ ଚେଷ୍ଟା କରିବା ସତ୍ତ୍ବେ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୨୨ ରନ୍ କରି ପାରିଥିଲା। ଶେଷ ଓଭର ପର୍ଯ୍ୟନ୍ତ ଉତ୍କଣ୍ଠା ଓ ରୋମାଞ୍ଚରେ ଭରପୁର ଏହି ମ୍ୟାଚ୍‌କୁ ଜିତି ଭାରତ ଶେଷରେ ଶୃଙ୍ଖଳା ବିଜୟର ହ୍ୟାଟ୍ରିକ୍ କରିଥିଲା। ସେପଟେ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳାରେ ହ୍ୟାଟ୍ରିକ୍ ପରାଜୟ ବରଣ କରିବାରୁ ବର୍ତ୍ତି ଯାଇଥିଲା ଏହା ପୂର୍ବରୁ ଖେଳିଥିବା ଦୁଇଟି ଦିନିକିଆ ଶୃଙ୍ଖଳାରେ ଭାରତ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡଠାରୁ ହାରିଥିଲା।

ସମ୍ବନ୍ଧିତ ଖବର