ପ୍ରଥମ ଦିନିକିଆ: ଚମକିଲେ ଏକତା-ମିତାଲି, ଇଂଲଣ୍ଡକୁ ୬୬ ରନ୍‌ରେ ହରାଇଲା ଭାରତ

ମୁମ୍ବାଇ: ଏକତା ବିଷ୍ଟ (୨୫ ରନ୍‌ରେ ୪ ଓ୍ଵିକେଟ)ଙ୍କ ପ୍ରଶଂସନୀୟ ବୋଲି ବଳରେ ଭାରତୀୟ ମହିଳା ଟିମ୍‌ ପ୍ରଥମ ଦିନିକିଆରେ ଶୁକ୍ରବାର ଓ୍ଵାଖେଡେ ଷ୍ଟାଡିୟମରେ ଇଂଲଣ୍ଡକୁ ୬୬ ରନ୍‌ରେ ହରାଇଛି। ଏହି ବିଜୟ ସହିତ ଭାରତ ୩ ମ୍ୟାଚ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି।

ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଯାଇ ୪୯.୪ ଓଭରରେ ୨୦୨ ରନ ସ୍କୋର କରିଥିଲା ଏବଂ ଇଂଲଣ୍ଡକୁ ୪୧ ଓଭରରେ ୧୩୬ ରନରେ ଅଲଆଉଟ୍‌ କରିଥିଲା। ଇଂଲଣ୍ଡ ପାଇଁ ନେଟାଲି ଶିଓ୍ଵର ସର୍ବାଧିକ ୪୪ ରନ୍‌ ଏବଂ ଅଧିନାୟିକା ହିଥର ନାଇଟ ଅପରାଜିତ ୩୯ ରନ କରିଥିଲେ। ବିଷ୍ଟଙ୍କ ବ୍ୟତୀତ ଶିଖା ପାଣ୍ଡେ ଏବଂ ଦୀପ୍ତି ଶର୍ମା ୨-୨ ଓ୍ଵିକେଟ ନେଇଥିବା ବେଳେ ଝୁଲନ ଗୋସ୍ୱାମୀ ଗୋଟିଏ ଓ୍ଵିକେଟ ନେଇଥିଲେ।

ଅତିଥି ଟିମ ଟସ ଜଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଭାରତ ବ୍ୟାଟିଂ କରିଥିଲା। ଜେମିମା ରୋଡ୍ରୀଗେଜ (୪୮) ଓ ସ୍ମୃତି ମନ୍ଧାନା (୨୪) ପ୍ରଥମ ଓ୍ଵିକେଟରେ ୬୯ ରନ ଭାଗିଦାରୀ ହୋଇଥିଲେ। ଏହା ପରେ ଭାରତ ୨୬ ରନ ମଧ୍ୟରେ ୫ ଜଣ ଖେଳାଳିଙ୍କୁ ହରାଇଥିଲା। ସ୍କୋର ୯୫ ରନ ଥିବା ବେଳେ ୫ ଜଣ ଖେଳାଳି ପାଭଲିଅନ ଫେରିଥିଲେ। ଅଧିନାୟିକା ମିତାଲି ରାଜ (୪୪), ତାନିଆ ଭାଟିଆ (୨୫) ଓ ଝୁଲନ ଗୋସ୍ୱାମୀ (୩୦) ରନ କରିଥିଲେ।

ସମ୍ବନ୍ଧିତ ଖବର