ଭାରତ ବନାମ ଇଂଲଣ୍ଡ : ଶ୍ରେଷ୍ଠ ୫ ସ୍ମରଣୀୟ ଟେଷ୍ଟ୍‌

ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ୍‌ ପ୍ରତିଦ୍ବନ୍ଦ୍ବିତା ୧୯୩୨ ମସିହାରୁ ଆରମ୍ଭ ହୋଇଛି। ସେତେବେଳେ ସିକେ ନାୟୁଡୁଙ୍କ ନେତୃତ୍ତ୍ବାଧୀନ ଏକ ଭାରତୀୟ ଦଳ ଗୋଟିଏ ମାତ୍ର ଟେଷ୍ଟ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିଥିଲା। ଆଉ ସେହି ଟେଷ୍ଟ୍‌ରେ ହିଁ ଭାରତ ୧୫୮ ରନ୍‌ରେ ପରାଜୟ ବରଣ କରିଥିଲା। ଅନୁରୂପ ଭାବେ ଭାରତକୁ ଇଂଲଣ୍ଡ ପ୍ରଥମ ଅଫିସିଆଲ ଗସ୍ତ ୧୯୩୩/୩୪ରେ କରିଥିଲା। ସେହି ଗସ୍ତରେ ଖେଳାଯାଇଥିବା ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାକୁ ଭ୍ରମଣକାରୀ ଦଳ ୨-୦ରେ ଜିତି ନେଇଥିଲା। ତେବେ ପରସ୍ପର କ୍ରିକେଟ୍‌ ଲଢ଼େଇରେ ପ୍ରଥମ ବିଜୟ ପାଇବା ପାଇଁ ଅବଶ୍ୟ ଭାରତକୁ ୨୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ୧୯୫୨ ମସିହାରେ ଭାରତ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ୍‌ ବିଜୟ ପାଇଥିଲା। ପରସ୍ପର ମଧ୍ୟରେ ଦ୍ବିପାକ୍ଷିକ ଶୃଙ୍ଖଳା ଖେଳାଯିବାର ଇତି ମଧ୍ୟରେ ପ୍ରାୟ ୯୦ ବର୍ଷ ଅତିକ୍ରାନ୍ତ ହେବାକୁ ଯାଉଛି। ଦୁଇ ଦଳ ଆସନ୍ତା ୫ ତାରିଖରୁ ସଦ୍ୟ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିଛି ଏବଂ ୪ ଟେଷ୍ଟ୍‌ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ପୂର୍ବରୁ ୯୦ ବର୍ଷର ଇତିହାସ ମଧ୍ୟରେ ଭାରତ ମାଟିରେ ସବୁଠୁ ସ୍ମରଣୀୟ ଟେଷ୍ଟ୍‌ର ଶ୍ରେଷ୍ଠ ୫ ଉପରେ ଆସନ୍ତୁ ନଜର ପକାଇବା।

Times of India

୧୯୩୩, ମୁମ୍ବାଇ, ପ୍ରଥମ ଟେଷ୍ଟ୍‌ : ଇଂଲଣ୍ଡ ୯ ୱିକେଟ୍‌ରେ ବିଜୟୀ
ଏହା ଥିଲା ଭାରତରେ ଖେଳାଯାଇଥିବା ସର୍ବପ୍ରଥମ ଟେଷ୍ଟ୍‌। ଚାରି ଦିନିଆ ମୁକାବିଲାରେ ଇଂଲଣ୍ଡ ୯ ୱିକେଟ୍‌ରେ ବିଜୟୀ ହୋଇଥିଲା। ହେଲେ ଏହା ପୂର୍ବରୁ ଜଣେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କଠୁ ପ୍ରଥମ ଟେଷ୍ଟ୍‌ ଶତକ ଦେଖିବାକୁ ମିଳିନଥିଲା। ଫଳରେ ଲାଲା ଅମରନାଥ ଏହି ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ୧୧୮ ରନ୍‌ କରି ଟେଷ୍ଟ୍‌ ଶତକର ଇତିହାସ ପୃଷ୍ଠାରେ ନିଜ ନାମକୁ ଲିପିବଦ୍ଧ କରିଥିଲେ। ସେ ମଧ୍ୟ ଅଧିନାୟକ ସିକେ ନାୟୁଡୁ (୬୭ ରନ୍‌)ଙ୍କ ସହ ୧୮୬ ରନ୍‌ର ତୃତୀୟ ୱିକେଟ୍‌ ଭାଗୀଦାରି ଗଢ଼ିଥିଲେ। ଅମରନାଥଙ୍କ ଐତିହାସିକ ଶତକୀୟ ପାଳି ଆଗରେ ଇଂଲଣ୍ଡ ବିଜୟକୁ ଭାରତୀୟମାନେ ଭୁଲି ଯାଇଥିଲେ।

ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ପାଳିରେ ୨୧୯ ରନ୍‌ କରିଥିଲା। ଲାଲା ଅମରନାଥ (୩୮) ମଧ୍ୟ ବ୍ୟକ୍ତିଗତ ସର୍ବାଧିକ ସ୍କୋରର୍‌ ରହିଥିଲେ। ତିନି ଜଣ ଇଂଲିସ୍‌ ବୋଲର ୩ ୱିକେଟ୍‌ ଲେଖାଏଁ ଦଖଲ କରିନେଇଥିଲେ। ଜବାବରେ ଇଂଲଣ୍ଡ (୪୩୮ ରନ୍‌) ଭାରତ ସ୍କୋର୍‌ର ସମାନ ଦୁଇଗୁଣା ସ୍କୋର୍‌ କରିନେଇଥିଲା। ବ୍ରିଆନ୍‌ ଭାଲେଣ୍ଟିନେ (୧୩୬) ଶତକ ଜମାଇଥିଲା ବେଳେ ଓପ୍‌ନର ସିରିଲ୍‌ ୱାଲ୍‌ଟର୍ସ (୭୮) ଓ ଅଧିନାୟକ ଡଗ୍‌ଲାସ ଜର୍ଦିନେ (୬୦) ଅର୍ଦ୍ଧଶତକ ହାସଲ କରିଥିଲେ। ପରେ ଲାଲା ଅମରନାଥଙ୍କ ଦ୍ବିତୀୟ ପାଳି ଶତକ ସତ୍ତ୍ବେ ଭାରତ ଦ୍ବିତୀୟ ପାଳିରେ କେବଳ ୨୫୮ ରନ୍‌ କରିପାରିଥିଲା। ଶେଷରେ ୪୦ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ମାତ୍ର ଗୋଟିଏ ୱିକେଟ୍‌ ହରାଇ ଇଂଲଣ୍ଡ ହାସଲ କରିନେଇଥିଲା।

୧୯୫୨, ଚେନ୍ନାଇ, ପଞ୍ଚମ ଟେଷ୍ଟ୍‌ : ଭାରତ ପାଳି ଓ ୮ ରନ୍‌ରେ ବିଜୟୀ
ଏହା ଥିଲା ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଥମ ଟେଷ୍ଟ୍‌ ବିଜୟ। ଏହା ମଧ୍ୟ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଶେଷ ଟେଷ୍ଟ୍‌ ଥିଲା। ଭିନୁ ମଙ୍କଡ଼ଙ୍କ ୮/୫୫ ବୋଲିଂ ଚିତ୍ର ବଳରେ ଇଂଲଣ୍ଡ ପ୍ରଥମ ପାଳିକୁ ଭାରତ ୨୬୬ ରନ୍‌ରେ ସୀମିତ ରଖିଦେଇଥିଲା। ପରେ ପଙ୍କଜ ରୟ (୧୧୧) ଏବଂ ପୋଲି ଉମ୍ରିଗର (୧୩୦*)ଙ୍କ ଦମ୍‌ଦାର ଶତକ ବଳରେ ଭାରତ ୪୫୭/୯ରେ ପ୍ରଥମ ପାଳି ଘୋଷଣା କରିଦେଇଥିଲା। ଜବାବରେ ଭ୍ରମଣକାରୀ ଇଂଲଣ୍ଡ ୧୮୩ ରନ୍‌ରେ ଦ୍ବିତୀୟ ପାଳି ଶେଷ କରିଥିଲା। ଗୁଲାମ ଅହମ୍ମଦ ଓ ମଙ୍କଡ଼ ୪ ଲେଖାଏଁ ୱିକେଟ୍‌ ବାଣ୍ଟି ନେଇଥିଲେ। ଏକ ପାଳି ଓ ୮ ରନ୍‌ର ଏହି ବିଜୟ ବଳରେ ଭାରତ ମଧ୍ୟ ଶୃଙ୍ଖଳାକୁ ୧-୧ରେ ଅମୀମାଂସିତ ରଖିଥିଲା।

Times of India

୧୯୮୫, କୋଲ୍‌କାତା, ତୃତୀୟ ଟେଷ୍ଟ୍‌ : ମ୍ୟାଚ୍‌ ଅମୀମାଂସିତ
ଏହି ମ୍ୟାଚ୍‌ରେ ବିବାଦର ମଞ୍ଜି ପୂର୍ବ ଟେଷ୍ଟ୍‌ରୁ ହିଁ ବୁଣା ହୋଇଯାଇଥିଲା। ସୁନିଲ ଗାଭାସ୍କରଙ୍କ ନେତୃତ୍ବରେ ଭାରତୀୟ ଦଳ ମୁମ୍ବାଇରେ ପ୍ରଥମ ଟେଷ୍ଟ୍‌କୁ ୮ ୱିକେଟ୍‌ରେ ଜିତି ନେଇଥିଲା। ଏହାପରେ ଦିଲ୍ଲୀରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ଏକ ସମୟରେ ୨୮ ରନ୍‌ ଭିତରେ ଶେଷ ୬ ୱିକେଟ୍‌ ହରାଇବା ପୂର୍ବରୁ ସବୁକିଛି ଭଲ ଥିଲା। କିନ୍ତୁ ସନ୍ଦୀପ ପାଟିଲ (୪୧) ଏବଂ କପିଳ ଦେବ (୭)ଙ୍କ ଅନାବଶ୍ୟକ ସର୍ଟ‌୍ ଭାରତ ପରାଜୟର କାରଣ ପାଲଟିଥିଲା। ଏହାପରେ କୋଲ୍‌କାତା ଟେଷ୍ଟ୍‌ ପାଇଁ ଚୂଡାନ୍ତ ଏମକାଦଶରୁ କପିଳ ଦେବ ବାଦ୍‌ ପଡ଼ିବା ପରେ ବିବାଦର ସୂତ୍ରପାତ ଘଟିଥିଲା। ପାଟିଲ ମଧ୍ୟ ବାଦ୍‌ ପଡ଼ିଥିଲେ। କିନ୍ତୁ କପିଳଙ୍କ ବାଦ୍‌କୁ ନେଇ ପାଗଳ ଇଡେନ୍‌ ଗାର୍ଡେନ୍‌ ଦର୍ଶକ ଉତ୍ସୃଙ୍ଖଳିତ ହୋଇ ଉଠିଥିଲେ। ଏପରିକି ଗାଭାସ୍କରଙ୍କୁ ଖୁବ୍‌ ଗାଳିଗୁଲଜ କରିଥିଲେ। କପିଳଙ୍କୁ ବାଦ୍‌ ଦେବାରେ ଗାଭାସ୍କର ଦାୟୀ ବୋଲି ଚିତ୍କାର କରିଥିଲେ। ଏଭଳି ସବୁ ବିବାଦୀୟ ପରିସ୍ଥିତି ମଧ୍ୟରେ ମଧ୍ୟ ଭାରତ ମହମ୍ମଦ ଆଝାରଉଦ୍ଦିନ୍‌ଙ୍କ ରୂପରେ ରତ୍ନ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ଆବିଷ୍କାର କରିଥିଲା। ଆଝାର ତାଙ୍କ ଟେଷ୍ଟ୍‌ ପଦାର୍ପଣରେ ଶତକ ଜମାଇଥିଲେ। ଏପରିକି ପରବର୍ତ୍ତି ଦୁଇଟି ଟେଷ୍ଟ୍‌ରେ ମଧ୍ୟ ଆଉ ଦୁଇଟି ଶତକ ହାସଲ କରି ବିଶ୍ବ କୀର୍ତ୍ତିମାନ ରଚିଥିଲେ।

ଏଠାରେ ଉଲ୍ଲେଖନୀୟ ଯେ ସେହି କୋଲ୍‌କାତା ଟେଷ୍ଟ୍‌ କପିଳ ତାଙ୍କ ଜାଜୁଲ୍ୟମୟ କ୍ୟାରିୟରରେ ବଞ୍ଚିତ ହେବାର ଏକମାତ୍ର ଟେଷ୍ଟ୍‌ ଥିଲା। ହେଲେ ବର୍ଷ ବର୍ଷ ଧରି କପିଳଙ୍କୁ ବାଦ୍‌ ଦେବାର କଳଙ୍କ ଗାଭାସ୍କରଙ୍କ ନାମରୁ ଲିଭିନଥିଲା। ଗାଭାସ୍କର କିନ୍ତୁ ଏଭଳି ଅଭିଯୋଗକୁ ଅସ୍ବୀକାର କରିଥିଲେ। କପିଳଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ମୋର ଆଦୌ ନଥିଲା ବୋଲି କହି ଚାଲିଥିଲେ। କେବଳ ସେତିକି ନୁହେଁ, ତତ୍‌କାଳୀନ ମନୋନୟନ କମିଟି ଅଧ୍ୟକ୍ଷ ତଥା ଦିଂବଗତ ଭାରତୀୟ କ୍ରିକେଟର୍‌ ହନୁମନ୍ତ ସିଂହ ଏକ ସ୍ତମ୍ଭରେ କପିଳଙ୍କୁ ବାଦ୍‌ ଦେବା ନିଷ୍ପତ୍ତି ଗାଭାସ୍କରଙ୍କର ନଥିଲା ବୋଲି ସ୍ପଷ୍ଟୀକରଣ ଦେଇଥିଲେ। କୌଣସି ଅଧିନାୟକ କଦାପି ତାଙ୍କର ଶ୍ରେଷ୍ଠ ଖେଳାଳି ଏବଂ ମ୍ୟାଚ୍‌ ବିଜେତାଙ୍କୁ ବାଦ୍‌ ଦେବାର ବୋକାମି ପ୍ରସ୍ତାବ ବାଢ଼ିବେ ନାହିଁ ବୋଲି ସେ ସ୍ତମ୍ଭରେ ଲେଖିଥିଲେ। ମୁଁ ମଧ୍ୟ ସେଭଳି କରିନଥା’ନ୍ତି ବୋଲି ସେ ଉଲ୍ଲେଖ କରିଥିଲେ।

ତେବେ ସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ କୋଲ୍‌କାତା ଟେଷ୍ଟ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୪୩୭/୭ରେ ପାଳି ଘୋଷଣା କରିଥିଲା। ଆଝାରଉଦ୍ଦିନ୍‌ (୧୧୦) ଏବଂ ରବି ଶାସ୍ତ୍ରୀ (୧୧୧) ଶତକ ଜମାଇଥିଲେ। ଜବାବରେ ଇଂଲଣ୍ଡ ପ୍ରଥମ ପାଳି ୨୭୬ରେ ସଫା ହୋଇଯାଇଥିଲା। ଚେତନ ଶର୍ମା ଓ ଶିବଲାଲ ଯାଦବ ୪ ୱିକେଟ୍‌ ଲେଖାଏଁ ବାଣ୍ଟି ନେଇଥିଲେ। ଭାରତ ଦ୍ବିତୀୟ ପାଳି ୨୯/୧ ବେଳକୁ ମ୍ୟାଚ୍‌ ଅମୀମାଂସିତ ଘୋଷଣା ହୋଇଥିଲା।

୨୦୦୮, ଚେନ୍ନାଇ, ପ୍ରଥମ ଟେଷ୍ଟ୍‌ : ଭାରତ ୬ ୱିକେଟ୍‌ରେ ବିଜୟୀ
୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭୟଭୀତ ଇଂଲଣ୍ଡ ଦଳ ପ୍ରତ୍ୟାବର୍ତ୍ତନ କରି ଭାରତ ଗସ୍ତକୁ ଉଜ୍ଜୀବୀତ ରଖିବା ପାଇଁ ସଚିନ୍ ତେନ୍ଦୁଲକରଙ୍କ ମନୋବଳ ବୃଦ୍ଧିକାରୀ ମନ୍ତବ୍ୟ ଯଥେଷ୍ଟ ଥିଲା। ଶୃଙ୍ଖଳାର ପ୍ରଥମ ଟେ‌ଷ୍ଟ୍‌ ଚେନ୍ନାଇରେ ଖେଳାଯାଇଥିଲା। ଏଥିରେ ଭାରତ କୀର୍ତ୍ତିମାନ ଭଙ୍ଗକାରୀ ୩୮୭ ରନ୍‌ର ଟାର୍ଗେଟ୍‌କୁ ଅତିକ୍ରମ କରିବାରେ ସଫଳ ହୋଇଥିଲା। ମ୍ୟାଚ୍‌ର ଅଧିକାଂଶ ସମୟ ଇଂଲଣ୍ଡ ନିୟଂତ୍ରଣରେ ରହିଥିଲା। ଆଣ୍ଡରୁ ଷ୍ଟ୍ରସ୍‌ ଉଭୟ ପାଳିରେ ଶତକ ହାସଲ କରିଥିଲେ। ଦ୍ବିତୀୟ ପାଳିରେ ଏକ ସମୟରେ ୪୩/୩ରେ ସଂଘର୍ଷ କରିଥିବା ଇଂଲଣ୍ଡ ‌ଷ୍ଟ୍ରସ୍‌ ଓ ପଲ୍‌ କଲିଂଉଡ୍‌ (୧୦୮)ଙ୍କ ୨୧୪ ରନ୍‌ର ଭାଗୀଦାରୀ ବଳରେ ବିପର୍ଯ୍ୟୟରୁ ବର୍ତି ଯାଇଥିଲା। କିନ୍ତୁ ଯେତେବେଳେ ଅଧିନାୟକ କେଭିନ୍‌ ପିଟରସନ୍‌ ଇଂଲଣ୍ଡ ଦ୍ବିତୀୟ ପାଳି ସ୍କୋର୍‌ ୩୧୧/୯ରେ ଘୋଷଣା କରିଦେଲେ ସେତେବେଳେ ଏଭଳି ଘଟିବ ବୋଲି କଦାପି ଭାବିନଥିଲେ।

ଭାରତର ପ୍ରାରମ୍ଭିକ ଯୋଡ଼ି ଗୌତମ ଗମ୍ଭୀର ଓ ବୀରେନ୍ଦ୍ର ସେହବାଗ୍‌ ସଫଳ ପିଛା କରି ୧୦୮ ବଲ୍‌ରୁ ୧୦୦ ରନ୍ ଯୋଡ଼ି ଦୃଢ଼ ମୁଳଦୂଆ ପକାଇଥିଲେ। ସେହବାଗ୍‌ ଇଂଲିସ୍‌ ବୋଲିଂ ଆକ୍ରମଣକୁ ବେଖାତିର କରି ୩୨ ବଲ୍‌ରୁ ଅର୍ଦ୍ଧଶତକ କରିବା ପରେ ୬୮ ବଲ୍‌ରୁ ୮୩ ରନ୍‌ କରି ଆଉଟ୍‌ ହୋଇଥିଲେ। କିନ୍ତୁ ଗମ୍ଭୀର ୬୬ ରନ୍‌ର ଦମ୍‌ଦାର ପାଳି ଖେଳିଥିଲେ। ତେବେ ରାହୁଲ ଦ୍ରାବିଡ୍‌ (୪)ଙ୍କୁ ହରାଇବା ପରେ ଭାରତ ୧୪୧/୨ରେ ଲଢ଼ିଥିଲା। ହେଲେ ଗମ୍ଭୀରଙ୍କ ସହ ଯୋଗଦେଇ ସଚିନ୍‌ ପାଳି ଆଗେଇ ନେଇଥିଲେ। ସଚିନ୍ କ୍ରିଜ୍‌ରେ ଜମି ରହି ଦଳୀୟ ସ୍କୋର୍‌କୁ ଗମ୍ଭୀରଙ୍କ ସହ ୧୫୦ ଏବଂ ଭିଭିଏସ୍‌ ଲକ୍ଷ୍ମଣଙ୍କ ସହ ୨୦୦ ପାରି କରାଇଥିଲେ। ଏହି ଅବସରରେ ସଚିନ୍‌ ମଧ୍ୟ ନିଜର ଅର୍ଦ୍ଧଶତକ ପୂରଣ କରିନେଇଥିଲେ। ଏହାପରେ ଯୁବରାଜ ସିଂହ (୮୫*)ଙ୍କୁ ସାଥୀ କରି ସଚିନ୍ ଭାରତକୁ ଅଭୁଲା ବିଜୟ ଭେଟି ଦେଇଥିଲେ। ସଚିନ୍‌ ମଧ୍ୟ ବିଜୟ ସୂଚକ ସର୍ଟ‌୍ ମାରି ନିଜର ଶତକ ହାସଲ କରିନେଇଥିଲେ। ସେତେବେଳେ ଯୁବରାଜ ତାଙ୍କୁ ଉଠାଇ ଧରି ଚେପକ୍‌ ପଡ଼ିଆରେ ଉତ୍ସବ ମନାଇଥିଲେ। ମ୍ୟାଚ୍‌ ଶେଷରେ ସଚିନ୍ (୧୦୩*) ତାଙ୍କ ଅପରାଜିତ ଶତକକୁ ସମଗ୍ର ଦେଶ ସହିତ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ‌ରେ ସହିଦଙ୍କୁ ଉତ୍ସର୍ଗ କରିଥିଲେ।

CricketCountry.com

୨୦୧୨, ମୁମ୍ବାଇ, ଦ୍ବିତୀୟ ଟେଷ୍ଟ୍‌ : ଇଂଲଣ୍ଡ ୧୦ ୱିକେଟ୍‌ରେ ବିଜୟୀ
ଭାରତ ମାଟିରେ ଏକ ଟେଷ୍ଟ୍‌ ବିଜୟ ପାଇବାରେ ସେତେବେଳେ (୨୦୧୨/୧୩) ଇଂଲଣ୍ଡ ଥିଲା ଶେଷ ଆନ୍ତର୍ଜାତିକ ଦଳ। ଭାରତ ଅହମ୍ମଦାବାଦରେ ପ୍ରଥମ ଟେଷ୍ଟ୍‌କୁ ୯ ୱିକେଟ୍‌ରେ ଜିତି ନେଇଥିଲା। ହେଲେ କେଭିନ ପିଟରସନ୍‌ଙ୍କ ଚମତ୍କାର ୧୮୬ ରନ୍‌ର ପାଳି ଇଂଲଣ୍ଡକୁ ମୁମ୍ବାଇରେ ୧୦ ୱିକେଟ୍‌ର ବିଜୟ ଭେଟି ଦେଇଥିଲା। ଆଲିଷ୍ଟର କୁକ୍‌ (୧୨୨ ରନ୍‌)ଙ୍କ ସହ ପିଟରସନ୍‌ଙ୍କ ୨୦୬ ରନ୍‌ର ଭାଗୀଦାରି ଭାରତର କଦର୍ଯ୍ୟ ବୋଲିଂ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଯଥେଷ୍ଟ ଥିଲା। ସେହି ଟେଷ୍ଟ୍‌ରେ ଭାରତ ଏକମାତ୍ର ପେସର୍‌ ଭାବେ ଜାହିର ଖାନ୍‌ଙ୍କୁ ଖେଳାଇଥିଲା ବେଳେ ତିନି ଜଣ ସ୍ପିନର (ରବିଚନ୍ଦ୍ରନ୍ ଅଶ୍ବିନ୍‌, ହରଭଜନ ସିଂହ ଓ ପ୍ରଜ୍ଞାନ ଓଝା)ଙ୍କୁ ନେଇଥିଲା। ହେଲେ ସ୍ପିନ୍‌ ଆକ୍ରମଣକୁ ପିଟରସନ୍‌ ଛିନ୍‌ଛତ୍ର କରିଦେଇଥିଲେ। ସେ ୱିକେଟ୍‌ର ଚାରିଆଡ଼କୁ ସଟ୍‌ ଖେଳିଥିଲେ। ଏପରିକି ୬୩ ବଲ୍‌ରେ ଅର୍ଦ୍ଧଶତକ, ୧୨୭ ବଲ୍‌ରେ ଶତକ ଏବଂ ୨୦୧ ବଲ୍‌ରେ ୧୫୦ ରନ୍‌ ପୂରଣ କରିନେଇଥିଲେ। ଶେ‌ଷରେ ତାଙ୍କ ୧୮୬ ରନ୍‌ ପାଳିରେ ୨୦ ଚୌକା ଓ ୪ ଛକା ସାମିଲ ଥିଲା। ଏହା ମଧ୍ୟ ଭାରତ ମାଟିରେ କୌଣସି ବିଦେଶୀ ବ୍ୟାଟ୍‌ସମ୍ୟାନ୍‌ଙ୍କ ପାଇଁ ସର୍ବଶ୍ରେଷ୍ଠ ପାଳିର ମାନ୍ୟତା ପାଇଥିଲା।

ଏହି ଟେଷ୍ଟ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୩୨୭ ରନ୍‌ କରିଥିଲା। ଚେତେଶ୍ବର ପୂଜାରା ୧୩୫ ରନ୍‌ କରିଥିଲେ। ଜବାବରେ ଇଂଲଣ୍ଡ ୪୧୩ କରିଥିଲା। ପରେ ଭାରତ ଦ୍ବିତୀୟ ପାଳିରେ ୧୪୨ କରିପାରିଥିଲା। ଗମ୍ଭୀର (୬୫) ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ (୧୧) କେବଳ ଦୁଇ ବ୍ୟାଟ୍‌ସମ୍ୟାନ୍‌ ଭାବେ ଦୁଇ ଅଙ୍କ ଛୁଇଥିଲେ। ହେଲେ ୫୭ ରନ୍‌ର ଛୋଟିଆ ଟାର୍ଗେଟ୍‌କୁ ଇଂଲଣ୍ଡ ପ୍ରାରମ୍ଭିକ ଯୋଡ଼ି କୁକ୍‌ ଓ ନିକ୍‌ କମ୍ପ୍‌ଟନ୍‌ ହାସଲ କରିନେଇଥିଲେ।

ସମ୍ବନ୍ଧିତ ଖବର