ମାଞ୍ଚେଷ୍ଟର : ଏଠାରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ୍ ସ୍ଥଗିତ ରହିବାକୁ ନେଇ ପୂର୍ବତନ କ୍ରିକେଟର୍ ଏବଂ ବିଶେଷଜ୍ଞଙ୍କ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମିଳୁଛି। ଏପରିକି ଇଂଲିସ୍ କ୍ରିକେଟ୍କୁ ଭାରତ ଅଡୁଆ ତଥା ଅପ୍ରୀତିକର ପରିସ୍ଥିତିରେ ପକାଇଦେଲା ବୋଲି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ଭନ୍ ମନ୍ତବ୍ୟ ଦେଇଛନ୍ତି। ଭାରତ ଟେଷ୍ଟ୍ ଶୃଙ୍ଖଳାକୁ ଶେଷ ନକରି ସ୍ବଦେଶ ଫେରିଯିବା ଯୋଗୁଁ ଇଂଲଣ୍ଡ ବୋର୍ଡ ଆର୍ଥିକ କ୍ଷତି ସହିଲା। ଟିକେଟ ଅର୍ଥ ଫେରସ୍ତ କିପରି ଦେବ ଏବଂ ପ୍ରସାରଣ ବାବଦ କ୍ଷତି କିପରି ସହିବ ସେନେଇ ଚିନ୍ତାରେ ପଡ଼ିଯାଇଛି। ପୁଣି ସ୍ଥଗିତ ଟେଷ୍ଟ୍ କେବେ ହେବ ତାହା ମଧ୍ୟ ଅନିଶ୍ଚିତ। ଏଥିରେ ଇଂଲଣ୍ଡ ଦଳ ମଧ୍ୟ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ପଏଣ୍ଟ୍ ହରାଇବା ଆଶଙ୍କା ରହିଛି।
ଏନେଇ ଗନ୍ ମଧ୍ୟ ଗତବର୍ଷ ଦକ୍ଷିଣ ଆଫ୍ରିକାରୁ ଇଂଲଣ୍ଡର ଫେରିଆସିବା ନିଷ୍ପତ୍ତିକୁ ଉଦାହରଣ ଦେଇଛନ୍ତି। ସେତେବେଳେ ଇଂଲଣ୍ଡ ଦଳ ମଧ୍ୟ ଦକ୍ଷିଣ ଆଫ୍ରିକା କ୍ରିକେଟ୍କୁ ଅପ୍ରୀତିକର ପରିସ୍ଥତିରେ ପକାଇଥିଲା। ସେହିଗସ୍ତରେ ନିଜ ଶିବିରରେ କରୋନା ମାମଲା ଯୋଗୁଁ ଇଂଲଣ୍ଡ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ଅଧାରୁ ସ୍ବଦେଶ ଫେରିଆସିଥିଲା ଦକ୍ଷଇର ଆଫ୍ରିକା ବୋର୍ଡ ଅଡୁଆରେ ପଡ଼ିଯାଇଥିଲା। ଏବେ ଇଂଲଣ୍ଡ ସମଦଶା ଭୋଗିଲା ବୋଲି ଭନ୍ କହିଛନ୍ତି। ତଥାପି ବିସିସିଆଇ ଏବଂ ଇସିବି ମଧ୍ୟରେ ଦୃଢ଼ ସଂପର୍କ ରହିଥିବାରୁ ସ୍ଥଗିତ ଏକମାତ୍ର ଟେଷ୍ଟ୍କୁ ପୁନଃନିର୍ଦ୍ଧାରିତ କରିବାକୁ ବିସିସିଆଇ ପ୍ରସ୍ତାବ ଦେଇଛି। ଫଳରେ ଏଥିପାଇଁ ଖାଲି ସମୟ ବାହାର କରିବାକୁ ଉଭୟ ବୋର୍ଡ କାର୍ଯ୍ୟକରିବେ ବୋଲି ବିସିସିଆଇ ମଧ୍ୟ କହିଛି।