ଭୁବନେଶ୍ୱର : ଚଳିତ ହକି ବିଶ୍ୱ ଲିଗ୍ ଫାଇନାଲରେ ଆୟୋଜକ ଭାରତର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍କୁ ଅମୀମାଂସିତ ରଖିବା ପରେ ଦ୍ୱିତୀୟରେ ଇଂଲଣ୍ଡଠାରୁ ହାରିଥିବା ଭାରତୀୟ ଦଳ ସୋମବାର ଖେଳିଥିବା ତୃତୀୟ ତଥା ଶେଷ ଲିଗ୍ ମ୍ୟାଚ୍ରେ ଜର୍ମାନିଠାରୁ ୦-୨ ଗୋଲ୍ରେ ପରାସ୍ତ ହୋଇଛି। ଫଳରେ ୪ ଦଳୀୟ ଗ୍ରୁପ୍ ‘ବି’ରେ ମାତ୍ର ୧ ପଏଣ୍ଟ ସହ ସବାଶେଷ ଚତୁର୍ଥ ସ୍ଥାନରେ ରହିଛି। ତଥାପି ପ୍ରତିଯୋଗିତାରେ ମୋଟ ୮ ଦଳ ଅଂଶ ଗ୍ରହଣ କରୁଥିବାରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ସୋମବାର ଗ୍ରୁପ୍ ‘ବି’ର ସବୁ ଲିଗ୍ ମ୍ୟାଚ୍ ଶେଷ ହେବା ପରେ ୭ (୨ ବିଜୟ, ୧ ଅମୀମାଂସିତ) ପଏଣ୍ଟ ସହ ଜର୍ମାନି ପ୍ରଥମ ସ୍ଥାନରେ ରହିଛି। ଅନ୍ୟ ପକ୍ଷରେ ୪ ପଏଣ୍ଟ ( ୧ ବିଜୟ, ୧ ପରାଜୟ, ୧ ଅମୀମାଂସିତ) ଅର୍ଜନ କରି ଇଂଲଣ୍ଡ ଦ୍ୱିତୀୟ ଏବଂ ଅଷ୍ଟ୍ରେଲିଆ ୩ ପଏଣ୍ଟ (୩ ଅମୀମାଂସିତ) ପାଇ ତୃତୀୟ ସ୍ଥାନରେ ରହିଛି। ଭାରତ ବୁଧବାର କ୍ୱାର୍ଟର ଫାଇନାଲ୍ରେ ଗ୍ରୁପ୍-‘ଏ’ର ବିଜେତାକୁ ଭେଟିବ। ପ୍ରତିଦ୍ୱନ୍ଦ୍ୱୀ ଦଳ ଓ ସମୟ ମଙ୍ଗଳବାରର ମ୍ୟାଚ୍ ପରେ ନିର୍ଦ୍ଧାରିତ ହୋଇଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଗ୍ରୁପ୍ ‘ବି’ ଶେଷରେ ଭାରତ
ବିଶ୍ୱ ମାନ୍ୟତାରେ ବିଶେଷ ଫରକ ନଥିଲେ ମଧ୍ୟ ସୋମବାର ମୁକାବିଲାରେ ଜର୍ମାନି ଏବଂ ଭାରତ ଖେଳରେ ଆକାଶ ପାତାଳ ଫରକ ଥିଲା। ଗ୍ରୁପ୍ ବି’ର ଏହି ଶେଷ ଲିଗ୍ ମ୍ୟାଚ୍ରେ ପାରମ୍ପରିକ ଶୈଳୀ ଅପଣାଇଥିବା ଭାରତକୁ ଏହି ଦେଶ ୟୁରୋପୀୟ ଚାଲ୍ରେ ଚକ୍ମା ଦେଇଥିଲା। ଜର୍ମାନି ଖେଳାଳିଙ୍କ ଫିଟନେସ୍ ସ୍ତର ଯେ ଭାରତୀୟ ଖେଳାଳିଙ୍କଠାରୁ ଯଥେଷ୍ଟ ଭଲ ତାହା ମଧ୍ୟ ସ୍ପଷ୍ଟ ବାରି ହୋଇ ଯାଉଥିଲା।
ତେବେ ଭାରତୀୟ ଖେଳାଳି କଷ୍ଟେମଷ୍ଟେ ପ୍ରଥମ ୧୫ ମିନିଟ୍ରେ ଜର୍ମାନି ଅଗ୍ରଭାଗ ଖେଳାଳିଙ୍କୁ ବାନ୍ଧି ରଖିଥିଲେ। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ କିନ୍ତୁ ଭାରତ ରକ୍ଷଣଭାଗରେ ଘଳିଆ ପଡ଼ି ଯାଇଥିଲା। ଯାହାର ପୂରା ଫାଇଦା ଜର୍ମାନି ଉଠାଇଥିଲା। ୧୬ ମିନିଟ୍ରେ ଏହି ଦଳର ଅଧିନାୟକ ମାର୍ଟିନ ହେନରଙ୍କ ସଟ୍ ଭାରତୀୟ ଗୋଲ୍ ରକ୍ଷକ ଆକାଶ ଚିଟକେଙ୍କ ଷ୍ଟିକ୍ ତଳ ଦେଇ ଗୋଲ୍ପୋଷ୍ଟ ଭିତରେ ପଶିଯିବା ସହ ଭାରତକୁ ପ୍ରଥମ ଝଟ୍କା ଲାଗିଥିଲା। ସେପଟେ ହେନରଙ୍କ ହାତରେ ହୋଇଥିବା ଏହି ଗୋଲ୍ ବଳରେ ଜର୍ମାନି ଆଗୁଆ ହୋଇ ଯାଇଥିଲା। ଦୁଇ ମିନିଟ ପରେ ମ୍ୟାଟ୍ସ ଗ୍ରାମବକ୍ସ ଚିଟ୍କେଙ୍କ ଦେହରେ ବାଜି ଫେରି ଆସୁଥିବା ବଲ୍କୁ ଚତୁରତାର ସହ ଗୋଲ୍ ପୋଷ୍ଟ ଭିତରକୁ ପଠାଇ ସ୍ଥିତି ୨-୦ କରି ନେଇଥିଲେ। ସେହିଠାରେ ସମ୍ଭବତଃ ଭାରତ ହାତରୁ ମ୍ୟାଚ୍ ଖସି ଯାଇଥିଲା।
ପ୍ରଥମାର୍ଧ ସୁଦ୍ଧା ଏହି ସ୍କୋର ଲାଇନ୍ ଅପରିବର୍ତିତ ରହିଥିଲା। ଘରୋଇ ଦଳକୁ ନିୟମିତ ଉତ୍ସାହିତ କରୁଥିବା କଳିଙ୍ଗ ଦର୍ଶକ ଦ୍ୱିତୀୟାର୍ଧରେ କିଛି ଗୋଟାଏ କମାଲ ହେବ ବୋଲି ଭାବିଥିଲେ। ଶେଷ ୩୦ ମିନିଟ୍ରେ ଭାରତ ଫେରିବ ବୋଲି ସେମାନେ ଆଶା ରଖିଥିଲେ। ହେଲେ ସେମିତି କିଛି ହୋଇ ନଥିଲା। ସେମାନଙ୍କ ଆଶା ଆଶାରେ ରହି ଯାଇଥିଲା। ଭାରତ ଶେଷ ମିନିଟ୍ରେ ଦୁଇଟି ପେନାଲ୍ଟି କର୍ନର ପାଇଥିଲା। ହେଲେ ଗୋଟିଏ ହେଲେ ବି ଗୋଲ୍ ଦେଇ ପାରି ନଥିଲା।
ପେନାଲ୍ଟି କର୍ନରକୁ ଗୋଲ୍ରେ ରୂପାନ୍ତର କରି ନ ପାରିବାର ଦୁର୍ବଳତା ସୋମବାର ବି ଭାରତ ପରାଜୟର କାରଣ ହୋଇଥିଲା ଜର୍ମାନି ଶେଷରେ ୨-୦ ରେ ସହଜ ବିଜୟ ହାସଲ କରିଥିଲା। ଜର୍ମାନିର ମ୍ୟାଟ୍ସ ଗ୍ରାମବସ୍କ ମ୍ୟାଚର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ଜୋହାନେସ୍ ଗ୍ରୋବେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ପୁରସ୍କାର ହାସଲ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କର ବିତରଣ କରିଥିଲେ।