ଭାରତ ଉତ୍ସାହ ବନାମ ନ୍ୟୁଜିଲାଣ୍ଡ ସଂକଳ୍ପ

ମାଞ୍ଚେଷ୍ଟର: ଚଳିତ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ପ୍ରଥମ ସେମିଫାଇନାଲ୍‌ରେ ମଙ୍ଗଳବାର ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଉଭୟ ଦଳ ଏହାକୁ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବେ। ଏହି ମୁକାବିଲାକୁ ସମଗ୍ର କ୍ରିକେଟ୍ ଦୁନିଆ ଚାହିଁ ରହିଛି। ବିଶ୍ବକପ୍ ହେଉ କି ଅନ୍ୟ ବହୁ ରାଷ୍ଟ୍ରୀୟ ପ୍ରତିଯୋଗିତା, ଇଂଲଣ୍ଡ ମାଟିରେ ଭାରତ କେବେ ବି ନ୍ୟୁଜିଲାଣ୍ଡକୁ ହରାଇ ନାହିଁ। ସେହି ଦୃଷ୍ଟିରୁ ଆସନ୍ତାକାଲି କୋହଲି ବାହିନୀ ଯୁଗଳ ସଫଳତା ଆ‌ଶାରେ ରହିବ। ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ୍ ଟିକେଟ ହାସଲ କରିବା ସହ ଇଂଲଣ୍ଡରେ ନ୍ୟୁଜିଲାଣ୍ଡର ବିଜୟ ଧାରାକୁ ରୋକିବା ପାଇଁ ଉଦ୍ୟମ କରିବ। ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଲଗାତାର ଦ୍ବିତୀୟ ଥର ଫାଇନାଲ୍ ଖେଳିବାର ସଂକଳ୍ପ ନେଇ ଲଢ଼େଇ କରିବ। ୨୦୧୫ରେ ଆୟୋଜିତ ବିଶ୍ବକପ୍‌ର ପୂର୍ବ ସଂସ୍କରଣରେ ମଧ୍ୟ ନ୍ୟୁଜିଲାଣ୍ଡ ଫାଇନାଲ୍ ଖେଳିଥିଲା। ହେଲେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ଦିନସାରା ମେଘୁଆ ପାଗ
ମାଞ୍ଚେଷ୍ଟରରେ ମଙ୍ଗଳବାର ବର୍ଷା ‌ହେବାର ପୂର୍ବାନୁମାନ ରହିଛି। ସେଥିପାଇଁ ଏହି ପ୍ରତୀକ୍ଷିତ ଲଢ଼େଇରେ ବର୍ଷା ବ୍ୟାଘାତ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ସ୍ଥାନୀୟ ପାଣିପାଗ ବିଭାଗ ଅନୁସାରେ ମାଞ୍ଚେଷ୍ଟରରେ ମଙ୍ଗଳବାର ସକାଳ ୧୦ରୁ ଅପରା‌ହ୍‌ଣ ଗୋଟାଏ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ଝିପି ଝିପି ବର୍ଷା ହେବ। ପୂରା ଦିନ ଆକାଶ ମେଘାଚ୍ଛନ୍ନ ରହିବ। ସେଥିପାଇଁ ମଙ୍ଗଳବାର ଟସ୍‌ର ଢେର ମହତ୍ବ ରହିବ। ସେମିଫାଇନାଲ୍ ଓ ଫାଇନାଲ୍ ପାଇଁ ଅବଶ୍ୟ ଆଇସିସି ଗୋଟିଏ ଲେଖାଏଁ ସଂରକ୍ଷିତ ଦିବସ ରଖିଛି। ମଙ୍ଗଳବାର ଖେଳ ଶେଷ ହୋଇ ନପାରିଲେ ବୁଧବାର ଏହାକୁ ସଂପୂର୍ଣ୍ଣ କରିବାକୁ ଚେଷ୍ଟା କରାଯିବ। ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମରେ ଚଳିତ ବିଶ୍ବକପ୍‌ର ପାଞ୍ଚଟି ଲିଗ୍ ପର୍ଯାୟ ମ୍ୟାଚ୍ ଖେଳା ଯାଇଯାଇଥିଲା ବେଳେ ସେଥିମଧ୍ୟରୁ ଚାରିଟିର ଗୋଟିଏ ପାଳିରେ ୨୯୦ରୁ ଅଧିକ ରନ୍ ହୋଇଛି। ଏଠାରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ଫାଇଦାରେ ରହିଥାଏ। କାରଣ ଚଳିତ ବିଶ୍ବକପ୍‌ରେ ଏଠାରେ ଖେଳାଯାଇଥିବା ୫ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଦଳ ହିଁ ଜିତିଛନ୍ତି। ଚଳିତ ବିଶ୍ବକପ୍‌ରେ ଏହି ପଡ଼ିଆରେ ସର୍ବାଧିକ ୩୯୭ ରନ୍‌ ହୋଇଛି। ଯାହାକି ଆଫ୍‌ଗାନିସ୍ତାନ ବିପକ୍ଷରେ ଆୟୋଜକ ଇଂଲଣ୍ଡ କରିଥିଲା।

ଭାରତୀୟ ଶୀର୍ଷକ୍ରମ ସମ୍ମୁଖରେ ନ୍ୟୁଜିଲାଣ୍ଡର ସିମ୍ ଆକ୍ରମଣ
ମଙ୍ଗଳବାରର ମେଗା ଲଢ଼େଇରେ ଭାରତୀୟ ଶୀର୍ଷକ୍ରମ ନ୍ୟୁଜିଲାଣ୍ଡର ଦକ୍ଷ ସିମ୍ ଆକ୍ରମଣର ସମ୍ମୁଖୀନ ହେବ। ଦଳଗତ ଲଢ଼େଇ ସହ ଏହି ମ୍ୟାଚ୍‌ରେ ଖେଳାଳି-ଖେଳାଳିଙ୍କ ମଧ୍ୟରେ ଲୁକାୟିତ ବ୍ୟକ୍ତିଗତ ମୁକାବିଲା ମଧ୍ୟ ଚାଲିବ। ପ୍ରତିଯୋଗିତାର ସର୍ବାଧିକ ରନ୍ ସଂଗ୍ରହକାରୀ ରୋହିତ ଶର୍ମା ଓ ନ୍ୟୁଜିଲାଣ୍ଡ ବୋଲର ଲୋକି ଫର୍ଗୁସନ୍, ଲୋକେଶ ରାହୁଲ ଏବଂ ଟ୍ରେଣ୍ଟ ବୋଲ୍ଟ ପରସ୍ପର ଉପରେ ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିବେ। ସେହିଭଳି ଭାରତୀୟ ସ୍ପିନର ଏବଂ ୟର୍କର ମାଷ୍ଟର ଯଶ୍‌ପ୍ରୀତ ବୁମରାଙ୍କ ସମ୍ମୁଖରେ କେନ୍ ୱିଲିୟମସନଙ୍କ ବ୍ୟାଟିଂ କଳା କୌଶଳ କଡ଼ା ପରୀକ୍ଷାରେ ଅବତୀର୍ଣ୍ଣ ହେବ। ଚେନ୍ନାଇ ସୁପରକିଙ୍ଗ୍ସରେ ଏକାଠି ଖେଳିଥିବା ମିଚେଲ ସାଣ୍ଟନର ଏବଂ ମହେନ୍ଦ୍ର ସିଂହ ଧୋନି ପରସ୍ପରକୁ ରୋକିବାକୁ କିଭଳି ଯୋଜନା କରିବେ, ତାହା ଉପରେ ସମସ୍ତଙ୍କ ନଜର ରହିବ।

ନ୍ୟୁଜିଲାଣ୍ଡ ବିଶ୍ବକପ୍‌ର ପ୍ରଥମ ୬ ମ୍ୟାଚ୍‌ରେ ବହୁତ ଭଲ ଖେଳିଥିଲା। ହେଲେ ଶେଷ ୩ ମ୍ୟାଚ୍‌ରେ ସଂଘର୍ଷ କରିବା ଏହି ଦଳ ବିପକ୍ଷରେ ଯାଇପାରେ। ସେପଟେ କେବଳ ଇଂଲଣ୍ଡ ଛଡ଼ା ଅନ୍ୟ ସବୁ ଦଳ ବିପକ୍ଷରେ ଭଲ କରିଥିବାରୁ କୋହଲି ବାହିନୀର ମନୋବଳ ତୁଳନାତ୍ମକ ଭାବେ ଉଚ୍ଚରେ ଥିବ। ସଂଯୋଗବଶତଃ ନଟିଂହାମରେ ଜୁନ୍ ୧୩ରେ ଖେଳା ଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍ ଲଗାଣ ବର୍ଷା ପାଇଁ ଗୋଟିଏ ହେଲେ ବି ବଲ୍ ପଡ଼ିବା ପୂର୍ବରୁ ବାତିଲ ହୋଇ ଯାଇଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ କିନ୍ତୁ ନ୍ୟୁଜିଲାଣ୍ଡ ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ପୂରା ଘାଇଲା କରି ଦେଇଥିଲେ। ଚଳିତ ବିଶ୍ବକପ୍‌ରେ ରୋହିତ (୬୪୭), ରାହୁଲ (୩୬୦) ଓ ଅଧିନାୟକ କୋହଲି (୪୪୨) ମିଳିତ ଭାବେ ୧୩୪୯ ରନ୍ କରିଛନ୍ତି। ନ୍ୟୁଜିଲାଣ୍ଡ ପାଇଁ ଫଗୁର୍ସନ୍ (୧୭), ବୋଲ୍ଟ (୧୫) ଓ ମ୍ୟାଟ୍ ହେନରି (୧୦) ମିଳିତ ଭାବେ ୪୨ ୱିକେଟ୍ କରାୟତ କରିଛନ୍ତି। ଅଲରାଉଣ୍ଡର ଜିମି ନିସାମ (୧୧) ଓ କଲିନ୍ ଡି’ ଗ୍ରାଣ୍ଡୋମେ (୫)ଙ୍କୁ ମିଶାଇ ମୋଟ ୫୮ ୱିକେଟ୍ ହେଉଛି। ମଧ୍ୟକ୍ରମ ଚିନ୍ତା ସହ ମେଘୁଆ ପାଗରେ ବୋଲ୍ଟଙ୍କ ପ୍ରଥମ ସ୍ପେଲ୍‌କୁ ପାର କରିବା ଭାରତ ପାଇଁ ଆଦୌ ସହଜ ହେବନି। ନ୍ୟୁଜିଲାଣ୍ଡ ପକ୍ଷରୁ ୱିଲିୟମସନ୍ ସର୍ବାଧିକ ୪୮୧, ମାର୍ଟିନ ଗପ୍ଟିଲ ୧୬୬, କଲିନ୍ ମୁନ୍ରୋ ୧୨୫ ଓ ରସ୍ ଟେଲର ୨୬୧ ରନ୍ କରିଛନ୍ତି।

ବିଶ୍ବକପ୍ ସେମିରେ ଭାରତ ୩-୩ ନ୍ୟୁଜିଲାଣ୍ଡ ୧-୬
ମଙ୍ଗଳବାର ମୁକାବିଲା ପୂର୍ବରୁ ନ୍ୟୁଜିଲାଣ୍ଡ ଏକଦିବସୀୟ କ୍ରିକେଟ୍ ବିଶ୍ବକପ୍‌ର ସାତଟି ସେମିଫାଇନାଲ୍ ଖେଳିସାରିଛି। ସେଥିମଧ୍ୟରୁ କେବଳ ୨୦୧୫ରେ ବିଜୟୀ ‌ହୋଇଥିଲା। ଭାରତ ୬ ବିଶ୍ବକପ୍ ସେମିଫାଇନାଲ୍ ଖେଳିଥିଲା ବେଳେ ସେଥିମଧ୍ୟରୁ ତିନିଟିରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି। ନ୍ୟୁଜିଲାଣ୍ଡ ଥରେ ହେଲେ ବି ବିଶ୍ବକପ୍ ଜିତି ନାହିଁ। ଭାରତ ଦୁଇ ଥର ଏହି ସମ୍ମାନଜନକ ଟ୍ରଫି ତୋଳି ଧରିବାର ଗୌରବ ଅର୍ଜନ କରିଛି। ବିଶ୍ବକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ୭ ଥର ପରସ୍ପରର ମୁକାବିଲା କରିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ୍ ଜିତିଛି। ଏଣୁ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ ପଲା ଟିକିଏ ଭାରି ରହିଛି। ଗତ ବିଶ୍ବକପ୍‌ଠାରୁ କିୱି ବୋଲର ଟ୍ରେଣ୍ଟ ବ‌ୋଲ୍ଟ ଭାରତ ବିପକ୍ଷରେ ସର୍ବାଧିକ ୱିକେଟ୍ (୨୨) ନେଇଛନ୍ତି। ଯାହା ଏହି ଦଳ ସପକ୍ଷରେ ଯିବ।

ଦଳ ଚୟନ ନେଇ ଦ୍ବନ୍ଦ୍ବ
ସେମିଫାଇନାଲ୍ ଭଳି ବଡ଼ ମୁକାବିଲା ପୂର୍ବରୁ ଉଭୟ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ଚୟନ ନେଇ ଦ୍ବନ୍ଦ୍ବରେ ରହିଛନ୍ତି। ଅତିରିକ୍ତ ବୋଲର କିମ୍ବା ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବେ, ତାହା ଦୁଇଟି ଯାକ ଦଳ ପାଇଁ କଷ୍ଟକର ପ୍ରଶ୍ନ ହୋଇଛି। ମେଘୁଆ ପାଗର ପୂର୍ବାନୁମାନ ଥିବାରୁ ଭାରତ ମହମ୍ମଦ ସାମିଙ୍କୁ ଖେଳାଇବ କି ନାହିଁ, ସେହିଭଳି ଦୁଇ ଜଣ କଚଟି ସ୍ପିନର କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡ଼ାନ୍ତ ଏକାଦଶରେ ନେବ କି ନାହିଁ? ସର୍ବୋ‌ପରି ରବୀନ୍ଦ୍ର ଜାଦେଜା ଏବଂ ଦୀନେଶ କାର୍ତିକଙ୍କୁ ଦଳରେ ରଖିବ କି ନାହିଁ, ସେ ନିଷ୍ପତ୍ତି ନେବା ଭାରତ ପାଇଁ ସହଜ ହେବନି। ନ୍ୟୁଜିଲାଣ୍ଡ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହେବ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ମହେନ୍ଦ୍ର ସିଂହ ଧୋନି, ଋଷବ ପନ୍ତ, ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତିକ, ରବୀନ୍ଦ୍ର ଜାଦେଜା/କୁଲଦୀପ ଯାଦବ, ଭୁବନେଶ୍ବର କୁମାର/ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), ମାର୍ଟିନ ଗପ୍ଟିଲ, ହେନରି ନିକୋଲାସ/କଲିନ ମୁନ୍ରୋ, ରସ୍ ଟେଲର, ଟମ୍ ଲାଥାମ, ଜେମ୍ସ ନିସାମ, କଲିନ ଡି’ ଗ୍ରାଣ୍ଡୋମେ, ମିଚେଲ ସାଣ୍ଟନର, ମ୍ୟାଟ୍ ହେନରି, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ସମ୍ବନ୍ଧିତ ଖବର