ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ବିଶ୍ୱକପ ସେମିଫାଇନାଲ, ବିଶ୍ୱକପରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ

ଭୁବନେଶ୍ୱର : ଆସନ୍ତାକାଲି ମାଞ୍ଚେଷ୍ଟର ଓଲଡ ଟାଫୋର୍ଟଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ କ୍ରିକେଟ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଚଳିତ ବିଶ୍ୱକପରେ ଭାରତ ମାତ୍ର ଗୋଟିଏ ମ୍ୟାଚ ହାରିଥିବାବେଳେ ମୋଟ ୭ଟି ମ୍ୟାଚରେ ବିଜୟ ହାସଲ କରି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବାବେଳେ ନ୍ୟଜିଲାଣ୍ଡ ୫ ବିଜୟ ୩ ପରାଜୟ ସହ ୪ର୍ଥ ସ୍ଥାନରେ ରହିଛି ।

ତେବେ ଆଇସିସି ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଗୁଡ଼ିକରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଟ ଅପେକ୍ଷାକୃତ ଭଲ ରହିଛି । ୧୯୭୫ ମସିହାରେ ହୋଇଥିବା ପ୍ରଥମ ବିଶ୍ୱକପର ଏକ ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ୪ ଓ୍ଵିକେଟରେ ହରାଇଥିଲା । ଏହି ମ୍ୟାଚଟି ମାଞ୍ଚେଷ୍ଟରଠାରେ ଖେଳାଯାଇଥିଲା, ଯେଉଁଠାରେ ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ ଖେଳାଯିବ । ସେହିପରି ୧୯୭୯ ୨ୟ ବିଶ୍ୱକପରେ ଲିଡ୍ସଠାରେ ଅନୁଷ୍ଠିତ ଏକ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠାରୁ ୮ ଓ୍ଵିକେଟରେ ପରାଜିତ ହୋଇଥିଲା । କିନ୍ତୁ ୧୯୮୭ରେ ଭାରତରେ ଅନୁଷ୍ଠିତ ବିଶ୍ୱକପରେ ନ୍ୟୁଜିଲାଣ୍ଡ ଦଳ ଭାରତକୁ ୨ ଥର ଭେଟିଥିଲା ଓ ୨ଥର ପରାଜିତ ହୋଇଥିଲା । ୧୯୯୨ ବିଶ୍ୱକପରେ ଡୁନେଡିନଠାରେ ଅନୁଷ୍ଠିତ ଏକ ମ୍ୟାଚରେ ଭାରତକୁ ନ୍ୟୁଜିଲାଣ୍ଡ ୪ ଓ୍ଵିକେଟରେ ପରାସ୍ତ କରିଥିଲା । ସେହିପରି ୧୯୯୯ ବିଶ୍ୱକପରେ ନଟିଂହାମରେ ଖେଳାଯାଇଥିବା ଏକ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୫ ଓ୍ଵିକେଟରେ ପରାସ୍ତ କରିଥିଲା । କିନ୍ତୁ ୨୦୦୩ ବିଶ୍ୱକପରେ ସେଞ୍ଚୁରିଅନଠାରେ ଅନୁଷ୍ଠିତ ମ୍ୟାଚରେ ଭାରତ ୭ ଓ୍ଵିକେଟରେ ବିଜୟୀ ହୋଇଥିଲା ।

ସମ୍ବନ୍ଧିତ ଖବର