ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆ: ଭାରତର ସହଜ ବିଜୟ, ୧-୧ରେ ଶୃଙ୍ଖଳା

ଧାଓ୍ଵନ-କାର୍ତ୍ତିକଙ୍କ ଅର୍ଦ୍ଧଶତକ, ଭୁବନେଶ୍ୱର କୁମାରଙ୍କୁ ୩ଟି ଓ୍ଵିକେଟ

ପୁନେ: ନ୍ୟୁଜିଲାଣ୍ଡ ବିପକ୍ଷରେ ପୁନେରେ ୧୦୦ ତମ ଦିନିକିଆ ମ୍ୟାଚକୁ ଭାରତ ୬ଓ୍ଵିକେଟରେ ବିଜୟୀ ହୋଇଛି। ଓପନର ଶିଖର ଧାଓ୍ଵନ(୬୮) ଓ ଦିନେଶ କାର୍ତ୍ତିକ (ଅପରାଜିତ ୬୪)ଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ସହଜରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଭାରତ ୪୬ ଓଭରରେ ୪ ଓ୍ଵିକେଟ ହରାଇ ୨୩୨ ରନ କରିବା ସହିତ ଶୃଙ୍ଖଳାକୁ ୧-୧ରେ ସମାନ ସ୍ତରକୁ ଆଣି ପାରିଛି। ଭାରତ ପାଇଁ କାର୍ତ୍ତିକ ନବମ ଅର୍ଦ୍ଧଶତକ ଖେଳି ଥିବା ବେଳେ ଭୁବନେଶ୍ୱର କୁମାର ୩ଟି ଓ୍ଵିକେଟ ଓ ଯଶପ୍ରିତ ବୁମରା ଏବଂ ଯଜୁବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିଲେ।

ଟିମ୍‌ ଇଣ୍ଡିଆର ଓପନର ଶିଖର ଧାଓ୍ଵନ କ୍ୟାରିୟର ୨୨ତମ ଅର୍ଦ୍ଧଶତକ ହାସଲ କରିବା ପରେ ଆଦାମ ମିଲେନଙ୍କ ବଲ ରସ ଟେଲରଙ୍କୁ କ୍ୟାଚ ଦେଇଥିଲେ। ୨୯.୨ଓଭରରେ ଭାରତ ୧୪୫ ରନ୍‌ ସଂଗ୍ରହ କରିଥିଲା। ଦ୍ୱିତୀୟ ପାଳିରେ ୨୩୧ ରନ୍‌ ବିଜୟ ଲକ୍ଷ୍ୟ ବ୍ୟାଟିଂ ଆରମ୍ଭ କରିଥିବା ଭାରତ ଓପନର ରୋହିତ ଶର୍ମା(୭)ଙ୍କୁ ହରାଇବା ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି(୨୯)ଙ୍କୁ ମଧ୍ୟ ହରାଇଥିଲା। ଭାରତ ୪.୩ଓଭରରେ ୨୨ରନ୍‌ରେ ପ୍ରଥମ ଓ୍ଵିକେଟ, ୧୩.୫ଓଭରରେ ୭୯ ରନ୍‌ରେ ୨ୟ ଓ୍ଵିକେଟ ହରାଇ ଥିଲା। ଟିମ ସାଉଦୀଙ୍କ ବଲ କୋଲିନ ମୋନେରୋଙ୍କୁ କ୍ୟାଚ ଦେଇଥିଲେ ରୋହିତ ଶର୍ମା। କୋହଲି, କୋଲିନଙ୍କ ବଲ ଲାଥାମଙ୍କୁ କ୍ୟାଚ ଦେଇଥିଲେ। ଭାରତ ୨୦ ଓଭରରେ ୧୦୦ ରନ୍‌ ସଂଗ୍ରହ କରିଥିଲା। ସେହିଭଳି ୨୦୪ ରନ୍‌ରେ ଭାରତ ୪ର୍ଥ ଓ୍ଵିକେଟ ଭାବରେ ହାର୍ଦିକ ପାଣ୍ଡ୍ୟା ନ୍ୟୁଜିଲାଣ୍ଡର ଶିକାର ହୋଇଥିଲେ। ପାଣ୍ଡ୍ୟା ୩୦ ରନ୍‌ ସଂଗ୍ରହ କରିବା ପରେ ମିଚେଲ ସଣ୍ଟନରଙ୍କ ବଲ ଆଦାମ ମିଲେନଙ୍କୁ କ୍ୟାଚ ଦେଇ ଆଉଟ ହୋଇଥିଲେ।

ପୂର୍ବରୁ ଭାରତକୁ ନ୍ୟୁଜିଲାଣ୍ଡ ତରଫରୁ ମ୍ୟାଚ ଜିତିବା ପାଇଁ ୨୩୧ ରନ୍‌ ବିଜୟ ଲକ୍ଷ୍ୟ ମିଳିଥିଲା। ପୁନେର ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମରେ ବୁଧବାର ଟସ୍‌ ଜିଣି ପ୍ରଥମ ପାଳିରେ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ ହରାଇ ୨୩୦ ରନ୍‌ ସଂଗ୍ରହ କରିଥିଲା। ଟିମ୍‌ ଇଣ୍ଡିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୩ଟି ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମୁକାବିଲାରେ ନ୍ୟୁଜିଲାଣ୍ଡ ଆରମ୍ଭରୁ ହିଁ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା।

ନ୍ୟୁଜିଲାଣ୍ଡ ୪୮.୫ଓଭରରେ ୨୨୦ ରନ୍‌ ଥିବା ବେଳେ ମିଚେଲ ସଣ୍ଟନର(୨୯) ବୁମରାଙ୍କ ବଲ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କେହଲିଙ୍କୁ କ୍ୟାଚ ଦେଇଥିଲେ। ଭାରତର ଯୁଜବେନ୍ଦ୍ର ଚହଲଙ୍କ ଦ୍ୱାରା ଅଷ୍ଟମ ଶିକାର ଆଦାମ ମିଲେନ(୦) ହୋଇଥିବା ବେଳେ ୭ମ ଶିକାର ହୋଇଥିଲେ କୋଲିନ୍‌ ଗ୍ରାଣ୍ଡ ହୋମ୍‌(୪୧)। ସେ ଯୁଜବେନ୍ଦ୍ର ଚହଲଙ୍କ ବଲ ଯସପ୍ରିତ ବୁମରାଙ୍କୁ କ୍ୟାଚ ଦେଇଥିଲେ। ନ୍ୟୁଜିଲାଣ୍ଡ ୪୬.୩ ଓଭରରେ ୨୦୦ ରନ୍‌ ପୂରା କରିଥିଲା। ହେନରୀ ନିକୋଲ(୪୨)ରନ୍‌ ସଂଗ୍ରହ କରି ଭୁବନେଶ୍ୱର କୁମାରଙ୍କ ଦ୍ୱାରା ଆଉଟ ହୋଇଥିବା ବେଳେ ଟମ୍‌ ଲାଥାମ(୩୮) ଭାରତର ୫ମ ଶିକାର ହୋଇଥିଲେ। ସେ ୬୨ଟି ବଲ ଖେଳି ଅକ୍ଷର ପଟେଲଙ୍କ ଦ୍ୱାରା ବୋଲ୍‌ଡ ହୋଇ ପାଭଲିୟନକୁ ଫେରିଥିଲେ। ଭାରତର ୪ର୍ଥ ଶିକାର ହୋଇଥିଲେ ରସ ଟେଲର। ସେ ୩୩ଟି ବଲ ଖେଳି ୨୧ ରନ୍‌ ସଂଗ୍ରହ କରିବା ପରେ ହାର୍ଦିକ ପାଣ୍ଡ୍ୟାଙ୍କ ବଲ ଧୋନିଙ୍କୁ କ୍ୟାଚ ଦେଇଥିଲେ।

ଭୁବନେଶ୍ୱର କୁମାରଙ୍କ ବଲ ଖେଳି ଓ୍ଵିକେଟ କିପର ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ ଦେଇଥିଲେ ଓପନର ଗୁପଟିଲ। ଭୁବନେଶ୍ୱର କୁମାରଙ୍କ ଦ୍ୱାରା କୋଲିନ ମୁନରୋ ବୋଲ୍‌ଡ ହୋଇଥିବା ବେଳେ ଓ୍ଵିଲିୟମସନ୍‌ଙ୍କୁ ବୋଲ୍‌ଡ କରିଥିଲେ ଯଶପ୍ରିତ ବୁମରା।

ନ୍ୟୁଜିଲାଣ୍ଡ ପୂର୍ବରୁ ୭ ଓଭରରେ ୩ଟି ମୂଲ୍ୟବାନ ଓ୍ଵିକେଟ ହରାଇ ସାରିଥିଲା। ଦଳର ପ୍ରଥମ ଓ୍ଵିକେଟ ୨୦ ରନ୍‌ରେ ମାର୍ଟିନ ଗୁପଟିଲ(୧୧), ଦ୍ୱିତୀୟ ଓ୍ଵିକେଟ ୨୫ ରନ୍‌ରେ ଅଧିନାୟକ କେନ ଓ୍ଵିଲିୟମସନ୍‌(୩) ଓ ୩ୟ ଓ୍ଵିକେଟ ୨୭ରନ୍‌ରେ କୋଲିନ ମୁନରୋ (୧୦), ୫୮ ରନ୍‌ରେ ୪ର୍ଥ ଓ୍ଵିକେଟ(୧୬ଓଭର) ରସ ଟେଲର, ୧୧୮ ରନ୍‌ରେ ୫ମ ଓ୍ଵିକେଟ (୨୯.୧ଓଭର), ୧୬୫ ରନ୍‌ରେ ୬ଷ୍ଠ ଓ୍ଵିକେଟ(୩୭.୫ଓଭର), ୭ମ ଓ ୮ମ ଓ୍ଵିକେଟ ୧୮୮ରନ୍‌ରେ(୪୩.୧ ଓ ୪୩.୨ଓଭର) ଓ ୨୨୦ ରନ୍‌ରେ ୯ମ ଓ୍ଵିକେଟରେ ମିଚେଲ ସଣ୍ଟନର ଆଉଟ ହୋଇ ପାଭଲିୟନ ଫେରିଥିଲେ।

ସମ୍ବନ୍ଧିତ ଖବର