େୱଲିଂଟନ୍ : ଦି ବେସିନ୍ ରିଜର୍ଭ ପିଜ୍ ଘାସୁଆ ରହିଛି। ଶୁକ୍ରବାର ଆରମ୍ଭ ହେବାକୁ ଯାଉଥିବା ପ୍ରଥମ ଟେଷ୍ଟ୍ର ଦୁଇ ଦିନ ପୂର୍ବରୁ ପଡ଼ିଆରେ ୧୮ ଏମ୍ଏମ୍ ଘାସ ଥିବା ଦେଖାଯାଇଛି। ଗୋଟିଏ ପଟେ କିଛିଟା ପ୍ୟାଚ୍ ପଡ଼ିଛି। ଏହି ପିଚ୍ ବିଶେଷକରି ଦ୍ରୁତ ବୋଲରଙ୍କୁ ଫାଇଦା ଦେବ। ଯାହାଫଳରେ ନ୍ୟୁଜିଲାଣ୍ଡ୍ ଏହି ପିଚ୍ରେ ୪ ଜଣ ଦ୍ରୁତ ବୋଲରଙ୍କୁ ନେଇ ଖେଳିବାର ସମ୍ଭାବନା ଅଧିକ ରହିଛି। ବୋଲ୍ଟ ଓ ସାଉଦି ଦଳର ନିୟମିତ ଟେଷ୍ଟ୍ ବୋଲର ରହିଥିଲା ବେଳେ ଜାମିସନ୍ ପଦାର୍ପଣ କରିବା ଅପକ୍ଷାରେ ଅଛନ୍ତି। ଅନ୍ୟପକ୍ଷରେ ହେନ୍ରି ୧୨ ଟେଷ୍ଟ୍ ଖେଳି ୩୦ ୱିକେଟ୍ ନିଜ ନାମରେ ରଖିଛନ୍ତି। ହେନ୍ରି ମଧ୍ୟ ଭାରତ ବିପକ୍ଷରେ ୨ ଟେଷ୍ଟ୍ ଖେଳିଛନ୍ତି। ଦୁଇଟିଯାକ ଟେଷ୍ଟ୍ ୨୦୧୬ରେ ଭାରତରେ ଖେଳିଥିଲେ। ତେବେ ହେନ୍ରି ବିଶେଷକରି ଗତବର୍ଷ ବିଶ୍ବକପ୍ ସେମିଫାଇନାଲ୍ରେ ଭାରତକୁ ଅଡୁଆରେ ପକାଇଥିଲେ। ନ୍ୟୁଜିଲାଣ୍ଡ୍ ଜିତିଥିବା ଏହି ମ୍ୟାଚ୍ରେ ହେନ୍ରି ହିଁ ୩୭ ରନ୍ରେ ୩ ୱିକେଟ୍ ଦଖଲ କରିଥିଲେ। ତେଣୁ ୪ ଦ୍ରୁତ ବୋଲରଙ୍କୁ ନେଇ ଘରୋଇ ଦଳ ଭାରତକୁ ସମସ୍ୟାରେ ପକାଇବାର ଯୋଜନା କରିବ। ଏହି ଶୃଙ୍ଖଳା ଟେଷ୍ଟ୍ ଚାମ୍ପିଅନ୍ସିପ୍ ଅନ୍ତର୍ଗତ ଥିବାରୁ ପଏଣ୍ଟ୍ ପାଇଁ ଉଭୟ ଦଳ ପ୍ରୟାସ କରିବେ। ଏବେ ନ୍ୟୁଜିଲାଣ୍ଡ ୬ ଟେଷ୍ଟ୍ରୁ ଗୋଟିଏ ବିଜୟ ସହ ଷଷ୍ଠ ସ୍ଥାନରେ ରହିଥିଲା ବେଳେ ଭାରତ ୭ରୁ ୭ ବିଜୟ ସହ ତାଲିକାର ଶୀର୍ଷରେ ରହିଛି। ଏପରିସ୍ଥଳେ ଘରୋଇ ମାଟିରେ ଭାରତକୁ ପରାସ୍ତ କରି ପୂରା ପଏଣ୍ଟ୍ ଅକ୍ତିଆର କରିବାକୁ ନ୍ୟୁଜିଲାଣ୍ଡ୍ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ଘାସୁଆ ପିଚ୍ ବୋଲରଙ୍କୁ ଫାଇଦା ଦେବାର ସମ୍ଭାବନା ଅଧିକ ଥିବାରୁ ଭାରତୀୟ ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ମଧ୍ୟ ଆମକୁ ସମସ୍ୟାରେ ପକାଇପାରିବେ ବୋଲି ନ୍ୟୁଜିଲାଣ୍ଡ୍ ମଧ୍ୟକ୍ରମ ତଥା ବରିଷ୍ଠ ବ୍ୟାଟ୍ସମ୍ୟାନ୍ ରସ୍ ଟେଲର କହିଛନ୍ତି। ବୁମ୍ରାଙ୍କ ନେତୃତ୍ବରେ ମହମ୍ମଦ ସାମି, ଈଶାନ୍ତ ଶର୍ମା ଓ ନଭ୍ଦୀପ ସୈନି ମଧ୍ୟ ଘରୋଇ ଦଳକୁ ଅଡୁଆରେ ପକାଇବାର ସାମର୍ଥ୍ୟ ରଖିଛନ୍ତି। ବିଶେଷକରି ଆହତ ପରେ ଫିଟ୍ ହୋଇ ଦଳକୁ ଫେରିଥିବା ଈଶାନ୍ତ ବୁଧବାର ନେଟ୍ସରେ ଖୁବ୍ ଚମତ୍କାର ବୋଲିଂ କରି ଲୟ ପାଇଥିବା ପ୍ରମାଣିତ କରିଛନ୍ତି। ପୁଣି ଘାସୁଆ ପିଚ୍ ସତ୍ତ୍ବେ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ମଧ୍ୟ ନ୍ୟୁଜିଲାଣ୍ଡ୍ ବ୍ୟାଟ୍ସମ୍ୟାନ୍ଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରିବେ। ତେବେ ଉଭୟ ଦଳରେ ଦକ୍ଷ ଦ୍ରୁତ ବୋଲର ରହିଥିବାରୁ ପ୍ରଥମ ଟେଷ୍ଟ୍ର ଫଳାଫଳ କାହା ପଟକୁ ଢଳିବ ତାହା ଦେଖିବାକୁ ବାକି ରହିଲା।