ଦୁବାଇ : ସୁପର ସଣ୍ଡେ’ରେ ହେବ ‘ସୁପର-୪’ ଟକ୍କର। ମାତ୍ର ୭ ଦିନ ପରେ ପୁଣି ଥରେ ଦେଖିବାକୁ ମିଳିବ ଭାରତ-ପାକିସ୍ତାନ ମହାଲଢ଼େଇ। ଚଳିତ ଏସିଆ କପ୍‌ରେ ଦ୍ବିତୀୟ ଥର ପାଇଁ ମୁହାଁମୁହିଁ ହେବେ ଦୁଇ ଚିର ପ୍ରତିଦ୍ବନ୍ଦ୍ବୀ। ଯାହାକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମନରେ ପ୍ରବଳ ଉତ୍ସାହ।

Advertisment

ଗତ ୨୮ ତାରିଖରେ ହୋଇଥିବା ପ୍ରଥମ ମୁକାବିଲାରେ ଭାରତ ୫ ୱିକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏଣୁ ରବିବାର ପାକିସ୍ତାନ ପାଖରେ ଏହି ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିବ। ଅନ୍ୟପକ୍ଷରେ ଭାରତ ନିଜ ପାରମ୍ପରିକ ପ୍ରତିପକ୍ଷ ବିପକ୍ଷରେ ଲଗାତାର ବିଜୟ ହାସଲ କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। କାଲିର ସୁପର-୪ ମୁକାବିଲାକୁ ଯିଏ ଜିତିବ ସିଏ କିନ୍ତୁ ଆଗୁଆ ଫାଇନାଲ୍ ଖେଳିବାର ନିକଟତର ହେବ।

publive-image CricketNMore.com

୬ ଦଳୀୟ ଏସିଆ କପ୍‌ରେ ପାୱାର ପ୍ଲେ’ରୁ ଫାଇଦା ଉଠାଇ ନପାରିବା ଭାରତ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଶେଷ ଓଭରଗୁଡ଼ିକରେ ଆୱେଶ ଖାନ୍ ମାତ୍ରାଧିକ ରନ୍ ବ୍ୟୟ କରିବା ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କ ଚିନ୍ତାକୁ ବଢ଼ାଇଛି। ସେଥିପାଇଁ ହଂକଂ ବିପକ୍ଷରେ ୧୫୫ ରନ୍‌ର ବୃହତ୍ ବିଜୟ ହାସଲ କରି ଏହି ମ୍ୟାଚ୍‌ ଖେଳିବାକୁ ଯାଉଥିବା ପାକିସ୍ତାନର ଶକ୍ତିଶାଳୀ ବ୍ୟାଟିଂ ବାହିନୀକୁ ‌ରୋକିବା ଲାଗି ଭାରତ ନିଶ୍ଚିତ ଭାବେ ନୂଆ ରଣନୀତି ଏବଂ ଯୋଜନା ପ୍ରସ୍ତୁତ କରିଥିବ ବୋଲି ପ୍ରଶଂସକ ଆଶା ରଖିଛନ୍ତି। ରବୀନ୍ଦ୍ର ଜାଦେଜା ବାଦ୍ ପଡ଼ିବା ବି ଟିମ୍ ଇଣ୍ଡିଆ ପାଇଁ ଆଉ ଏକ ଶକ୍ତ ଧକ୍କା ହୋଇଛି। କାରଣ ପାକିସ୍ତାନ ବିପକ୍ଷ ଲିଗ୍ ପର୍ଯ୍ୟାୟ ବିଜୟରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ ସେ। ତାଙ୍କ ସ୍ଥାନ ନେଇଥିବା ଅକ୍ଷର ପଟେଲଙ୍କ ପାଇଁ ସିଧାସଳଖ ପାକିସ୍ତାନ ବିପକ୍ଷ ହାଇଭୋଲ୍‌ଟେଜ୍ ମ୍ୟାଚ୍ ଖେଳିବା ଆଦୌ ସହଜ ହେବନି। ବାମ-ଡାହାଣ ବ୍ୟାଟିଂ ସମନ୍ବୟ ଲାଗି ରୋହିତ ଏବଂ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ଅଲ୍‌ରାଉଣ୍ଡର ଜାଦେଜାଙ୍କୁ ଉପରେ ଖେଳାଇଥିଲେ। ଏହି ରଣନୀତି ମଧ୍ୟ ବେଶ୍ ଫଳପ୍ରଦ ‌ହୋଇଥିଲା। ଗତ ମ୍ୟାଚ୍ ଭଳି ଅନ୍ୟତମ ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ଭୂମିକା ମଧ୍ୟ ରବିବାର ମ୍ୟାଚ୍‌ରେ ବେଶ୍ ଗୁରୁତ୍ବ ବହନ କରିବ। ପୂର୍ବତନ ଅଧିନାୟକ ବିରାଟ କୋହଲି ଫର୍ମକୁ ଫେରିବା ଦଳ ପାଇଁ ଶୁଭସଙ୍କେତ। ହେଲେ ଅଧିନାୟକ ରୋହିତ ଶର୍ମା ଏବଂ ଓପନର କେଏଲ୍ ରାହୁଲଙ୍କୁ ବଡ଼ ପାଳି ଖେଳି ପାକିସ୍ତାନ ବୋଲରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ହେବ। ସୂର୍ଯ୍ୟକୁମାର ଯାଦବଙ୍କୁ ପୁଣି ଥରେ ତାଙ୍କ ଯାଦୁ ଦେଖାଇବାକୁ ପଡ଼ିବ। ପାକିସ୍ତାନ ବିପକ୍ଷ ମହାଲଢ଼େଇ ପୂର୍ବରୁ ଦୁବାଇ ବିଚ୍‌ରେ ସମୟ କଟାଇ ଭାରତୀୟ ଖେଳାଳିମାନେ ଚାପ ହଟାଇବାକୁ ଚେଷ୍ଟା କରିଛନ୍ତି।

publive-image CNBC TV18

ଅନ୍ୟପକ୍ଷରେ ପାକିସ୍ତାନ ପାଇଁ ମହମ୍ମଦ ରିଜୱାନ ଏବଂ ଅଧିନାୟକ ବାବର ଆଜମଙ୍କ ଭୂମିକା ପୂର୍ବଭଳି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହେବ। ଦୁଇ ବାମହାତୀ ବ୍ୟାଟର୍‌ ଫକର ଜମନ ଏବଂ ଖୁସଦିଲ ସାହ ମଧ୍ୟ ଭାରତୀୟ ବୋଲରଙ୍କୁ ହଇରାଣରେ ପକାଇବାକୁ ପୂରା ସକ୍ଷମ। ଗତ ମ୍ୟାଚ୍‌ରେ ଭଲ ବୋଲିଂ କରିବା ସହ ୬ ବଲ୍‌ରୁ ୧୬ ରନ୍ କରିଥିବା ସାହନୱାଜ ଦହାନୀ ଆହତ ହୋଇଥିବାରୁ ରବିବାର ମ୍ୟାଚ୍ ଖେଳିବେ ନାହିଁ ବୋଲି ଜଣାପଡ଼ିଛି। ତାଙ୍କ ସ୍ଥାନରେ ହାସନ ଅଲୀ ଖେଳିବାର ସଙ୍କେତ ଦେଇଛି ପାକିସ୍ତାନ।

ପିଚ୍‌ ଓ ପାଗ: ଦୁବାଇରେ ରବିବାର ଅପରାହ୍ଣ ତାପମାତ୍ରା ପାଖାପାଖି ୪୦ ଡିଗ୍ରି ରହିବ। ମ୍ୟାଚ୍ ଆରମ୍ଭ ହେବା ବେଳକୁ ଏହା ୨ରୁ ୩ ଡିଗ୍ରି କମିବାର ସମ୍ଭାବନା ରହିଛି। ଏଣୁ ଉଭୟ ଦଳର ଖେଳାଳିଙ୍କୁ ଭୀଷଣ ଗରମ ଓ ଗୁଳୁଗୁଳି ଭିତରେ ମ୍ୟାଚ୍ ଖେଳିବାକୁ ପଡ଼ିବ। ଗତ ମ୍ୟାଚ୍‌ଗୁଡ଼ିକ ଭଳି ଏହି ମ୍ୟାଚ୍‌ରେ ବ୍ୟବହୃତ ହେବାକୁ ଥିବା‌ ପିଚ୍ ମଧ୍ୟ ବୋଲରଙ୍କୁ ସହାୟତା କରିବ।

ପରିସଂଖ୍ୟାନ: ପାକିସ୍ତାନ ବିପକ୍ଷ ୮ ଟ୍ବେଣ୍ଟି-୨୦ ଭିତରୁ ତିନିଟିରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ପ୍ରଥମ ଦୁଇ ବଲ୍‌ରେ ଆଉଟ୍ ହୋଇଛନ୍ତି। ଏଣୁ ଏହାକୁ ବଦଳାଇବାକୁ ନିଶ୍ଚିତ ଚାହିବେ ସେ। ଏସିଆ କପ୍‌ର ଗତ ୪ ମ୍ୟାଚ୍‌ରେ ଭାରତଠାରୁ ପାକିସ୍ତାନ ପରାଜିତ ହୋଇଛି। ସେଥିମଧ୍ୟରୁ ଦୁଇଟିକୁ ଭାରତ ପଛୁଆ ବ୍ୟାଟିଂ କରି ଜିତିଛି। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ୧୪ ମ୍ୟାଚ୍‌ ଭିତରୁ ଭାରତ ୯ଟିରେ ବିଜୟୀ ହୋଇଛି।