ନୂଆଦିଲ୍ଲୀ: ଆଜି ଦୁବାଇରେ ଭାରତ-ପାକିସ୍ତାନ ବଡ଼ ଲଢେଇ ଦେଖିବାକୁ ମିଳିଛି । ରାତି ୮ଟାରେ ମ୍ୟାଚ୍ ଥିବାରୁ ଏବେଠୁ ପ୍ରଶଂସକମାନେ ଉତ୍ସାହିତ ଥିବା ଦେଖିବାକୁ ମିଳିଥିବା ବେଳେ କିଛି ଫ୍ୟାନ୍ସ ଏହି ମହାମୁକାବିଲାକୁ ଅପରେସନ ସିନ୍ଦୂର-୨ର ନାମକରଣ କରିଛନ୍ତି । ପହଲଗାମ୍ ହମଲା ପରେ ଯେତେବେଳେ ଭାରତୀୟ ସେନା ସିନ୍ଦୂରର ବଦଲା ସିନ୍ଦୂରରେ ନେବାକୁ ଶପଥ ନେଲା ସେତେବେଳେ ଆରମ୍ଭ ହୋଇଥିଲା ଅପରସେନ ସିନ୍ଦୂର । ପାକିସ୍ତାନରେ ପଶି ଆତଙ୍କୀଙ୍କ ଆଡ୍ଡା ଧ୍ବଂସ କରି ଆତଙ୍କବାଦୀଙ୍କୁ ମାଟିରେ ମିଶାଇ ଦେଇଥିଲା ଭାରତ । ଆଉ ପାକିସ୍ତାନ ଛାତିରେ ପ୍ରହାର ଦେଇ ତାଣ୍ଡବ ରଚିଥିଲା ।

Advertisment

ଯେମିତି ସେତେବେଳେ ଭାରତୀୟ ସେନା ଲଢେଇ କରି କଡ଼ା ଜବାବ ଦେଇଥିଲେ ଠିକ୍ ସେମିତି ଆଜି ଦୁବାଇରେ ହେବାକୁ ଥିବା ମହାମୁକାବିଲାରେ ବି ଭାରତୀୟ ଖେଳାଳି ସୈନିକ ପରି ଲଢି ପାକିସ୍ତାନ ଖେଳାଳିଙ୍କୁ ଚିତ ପଟାଙ୍ଗ କରିବେ ଏବଂ ପାକିସ୍ତାନକୁ ଧୂଳି ଚଟାଇବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ଆଉ ଏଥିପାଇଁ ମହାଦେବଙ୍କ ପାଖରେ ପୂଜା କରି ଅପରେସନ ସିନ୍ଦୂର-୨ର ପୋଷ୍ଟର ଧରି ଆଶା ରଖିଛନ୍ତି ପ୍ରଶଂସକ ।

ବାରାଣାସୀରେ ମହାଦେବଙ୍କ ପାଖରେ ପୂଜା କରିଛନ୍ତି ପ୍ରଶଂସକ । ବିଜୟ ପାଇଁ ହୋମ କରାଯାଇଥିବା ବେଳେ ସେଠାରେ ଦେଖିବାକୁ ମିଳିଛି ଏକ ନିଆରା ପୋଷ୍ଟର । ଯେଉଁଥିରେ ଲେଖା ହୋଇଛି ଅପରେସନ ସିନ୍ଦୂର-୨ । ପୋଷ୍ଟରେ ଭାରତ- ପାକିସ୍ତାନ ଟକ୍କର ସହ ଅପରେସନ ସିନ୍ଦୂର-୨ ଲେଖି ଇଣ୍ଡିଆର ବିଜୟ ପାଇଁ ନାରା ବାଜି ଦିଆଯାଉଛି । ପହଲଗାମ୍ ହମଲା ଏବଂ ଅପରେସନ ସିନ୍ଦୂର ପରେ ଏହା ପାକିସ୍ତାନ ସହ ଭାରତର ପ୍ରଥମ ମ୍ୟାଚ ହୋଇଥିବାରୁ ଏହାକୁ ଅପରେସନ ସିନ୍ଦୂର-୨ ବୋଲି ନାଁ ଦିଆଯାଇଛି । ଯେଉଁଥିରେ ବି ପାକିସ୍ତାନକୁ ହରାଇବାକୁ ପ୍ରଶଂସକମାନେ ଆଶା ରଖିଛନ୍ତି । ତେବେ ଏପରି ଦୃଶ୍ୟ ବାରଣାସୀରୁ ଆସିଥିବା ବେଳେ ଏହା ବେଶ ଚର୍ଚ୍ଚାରେ ରହିଛି । 

ସେପଟେ ଆତଙ୍କୀ ଦେଶ ସହ କ୍ରିକେଟ୍ ଖେଳି ସହିଦଙ୍କ ପରିବାର ବର୍ଗଙ୍କ ଭାବାବେଗ ସହ ଖେଳ ଖେଳା ହେଉଛି ବୋଲି କୁହାଯାଉଥିବା ବେଳେ ଭାରତ-ପାକ୍ ମ୍ୟାଚକୁ ସବୁଠି ବିରୋଧ… ସବୁଠି ପ୍ରତିବାଦ କରାଯାଇଥିବା ବେଳେ ସବୁଠି ଅସନ୍ତୋଷ ଦେଖିବାକୁ ମିଳୁଛି । ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୂର୍ବରୁ ସାରା ଦେଶବାସୀ ଉତ୍ସାହର ସହ ଅପେକ୍ଷା କରି ରହିଥିବା ବେଳେ ଏଥର ଖେଳାଯିବାକୁ ଥିବା ଏସିଆ କପ ପାଇଁ କେହି ସେତେଟା ଉତ୍ସାହିତ ନାହାନ୍ତି । ଆଉ ତାର ମୂଳ କାରଣ ହେଲା ପହଲଗାମ୍ ଆତଙ୍କୀ ହମଲା । ଯେଉଁ ଦେଶ ଆତଙ୍କବାଦୀଙ୍କୁ ପାଳି ଆମ ଦେଶର ନିରୀହ ଲୋକଙ୍କ ଜୀବନ ନେଇଗଲା ସେହି ଦେଶ ସହ କେମିତି ଏବେ ଖେଳ ହେବ ? ଏବେବି ଅନେକ ପରିବାରରୁ ଦୁଃଖ କମିନି, ସେମାନଙ୍କ ଆଖିରୁ ଲୁହ ଶୁଖିନି । ଆତ୍ମିୟଙ୍କୁ ହରାଇ ପରିବାର ଲୋକଙ୍କ ମନରେ ହୋଇଥିବା କ୍ଷତିଚିହ୍ନ ଏବେ ବି ଭରିନଥିବା ବେଳେ କାହିଁକି ଏ ମ୍ୟାଚ୍ ? ବୋଲି ପ୍ରଶ୍ନ ଉଠିଛି…