ସାରଜା : ଚଳିତ ଏସିଆ କପ୍ କ୍ରିକେଟ୍ରେ ରବିବାର ପୁଣି ଥରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଲିଗ୍ ମ୍ୟାଚ୍ରେ ଭାରତ ଜିତିଥିବା ବେଳେ ସୁପର୍ ଫୋର୍ରେ ଏହି ମୁକାବିଲା ହେବ। ଶୁକ୍ରବାର ହଂ କଂକୁ ଶେଷ ଲିଗ୍ ମ୍ୟାଚ୍ରେ ଶୋଚନୀୟ ଭାବେ ୧୫୫ ରନ୍ରେ ହରାଇ ପାକିସ୍ତାନ ସୁପର୍-୪ର ଶେଷ ସ୍ଥାନ ଦଖଲ କରିନେଇଛି। ମହମ୍ମଦ ରିଜୱାନ (୫୭ ବଲ୍ରୁ ୭୮* ରନ୍), ଫକର ଜମାନ (୪୧ ବଲ୍ରୁ ୫୩ ରନ୍) ଏବଂ ଖୁସଦିଲ୍ ସାହା (୧୫ ବଲ୍ରୁ ୩୫* ରନ୍)ଙ୍କ ବଳରେ ପାକିସ୍ତାନ ୨ ୱିକେଟ୍ ବିନିମୟରେ ୧୯୩ ରନ୍ ସଂଗ୍ରହ କରିନେଇଥିଲା। ଯାହାକି ଚଳିତ ସଂସ୍କରଣରେ ସର୍ବୋଚ୍ଚ ଦଳଗତ ସ୍କୋର୍ ହୋଇଥିଲା। ସେହି ହଂ କଂ ବିପକ୍ଷରେ ଭାରତ ଗତ ମ୍ୟାଚ୍ରେ ୧୯୨ ରନ୍ କରିଥିବାରୁ ଏହା ପଛରେ ପଡିଯାଇଥିଲା। ବାବର ଆଜମ (୯) ପୁଣି ଥରେ ବିଫଳ ହୋଇଥିଲେ ମଧ୍ୟ ରିଜୱାନ, ଜମାନ ଦ୍ବିତୀୟ ୱିକେଟ୍ ପାଇଁ ୧୧୬ ରନ୍ (୧୩.୨ ଓଭର) ଯୋଡ଼ି ନେଇଥିଲେ। ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ ଶେଷ ଓଭର ଖେଳିବା ଭଳି ଶୁକ୍ରବାର ପାକିସ୍ତାନ ପାଇଁ ଖୁସଦିଲ୍ ବିସ୍ଫୋରକ ବ୍ୟାଟିଂ କରି ଏଜାଜ ଖାନ୍ଠାରୁ ୨୯ ରନ୍ ଆଦାୟ କରିଥିଲେ। ଏହା ମଧ୍ୟରେ ୪ ଛକା ସାମିଲ ଥିଲା। ଶେଷ ୩ ଓଭରରୁ ପାକିସ୍ତାନ ୫୫ ରନ୍ ଯୋଡ଼ି ବଡ଼ ସ୍କୋର ଛିଡ଼ା କରି ନେଇଥିଲା। ଜବାବରେ ହଂ କଂ ମାତ୍ର ୩୮ ରନ୍ରେ ଅଲଆଉଟ୍ ହୋଇଯାଇଥିଲା। ପାକିସ୍ତାନ ପାଇଁ ନସିମ ସାହା ଗୋଟିଏ ଓଭରରେ ଦୁଇଟି ୱିକେଟ୍ ନେବା ପରେ ସଦାବ ଖାନ୍ (୪/୮) ଓ ମହମ୍ମନ ନୱାଜ (୩/୫) ମିଳିତ ଭାବେ ୭ ୱିକେଟ୍ ନେଇ ଜଣେ ହେଲେ ହଂ କଂ ବ୍ୟାଟରଙ୍କୁ ଦୁଇ ଅଙ୍କ ସ୍କୋର ଛୁଆଁଇ ଦେଇନଥିଲେ।
ସଂକ୍ଷିପ୍ତ ସ୍କୋର: ପାକିସ୍ତାନ ୨୦ ଓଭରରେ ୧୯୩/୨ (ମହମ୍ମଦ ରିଜୱାନ-୭୮*, ଫକର ଜମାନ-୫୩, ଖୁସଦିଲ ସାହା-୩୫*, ଇଶାନ ଖାନ୍-୨/୨୮)। ହଂ କଂ ୧୦.୪ ଓଭରରେ ୩୮ (ନିଜକତ ଖାନ୍-୮, ସଦାବ ଖାନ୍-୪/୮, ମହମ୍ମଦ ନୱାଜ-୩/୫, ନସିମ୍ ସାହା-୨/୭, ସାହାନୱାଜ ଦହାନି-୧/୭)।
ଆହତ ଜାଦେଜା ବାଦ୍ ଅକ୍ଷର ସାମିଲ
ଦୁବାଇ : ଭାରତୀୟ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଆହତ ଯୋଗୁଁ ଚଳିତ ଏସିଆ କପ୍ର ଅବଶିଷ୍ଟ ମ୍ୟାଚ୍ରୁ ବାଦ୍ ପଡ଼ିଛନ୍ତି। ଆଣ୍ଠୁ ଜନିତ ଆଘାତ ଯୋଗୁଁ ସେ ଦଳରୁ ବାଦ୍ ପଡ଼ିଥିଲା ବେଳେ ତାଙ୍କ ବଦଳ ଖେଳାଳି ଭାବେ ଅକ୍ଷର ପଟେଲଙ୍କୁ ସାମିଲ କରାଯାଇଛି। ଏନେଇ ବିସିସିଆଇ ଶୁକ୍ରବାର ସ୍ପଷ୍ଟ କରିଛି। ତେବେ ଜାଦେଜା ଏବେ ବିସିସିଆଇ ଡାକ୍ତରୀ ଦଳର ତତ୍ତ୍ବାବଧାନରେ ରହିଛନ୍ତି। ଏହା ପୂର୍ବରୁ ଅକ୍ଷର ଏସିଆ କପ୍ ଦଳରେ ଷ୍ଟାଣ୍ଡ୍ ବାଇ ଭାବେ ସ୍ଥାନ ପାଇଥିଲେ। ସେ ତୁରନ୍ତ ଦୁବାଇରେ ଭାରତୀୟ ଦଳ ସହ ଯୋଗଦେବେ ବୋଲି ବିସିସିଆଇ କହିଛି। ଚଳିତ ଏସିଆ କପ୍ରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ସମସ୍ତ ଦୁଇଟିଯାକ ମ୍ୟାଚ୍ ଜିତି ଅପରାଜେୟ ସହ ସୁପର-୪ରେ ପହଞ୍ଚିଯାଇଛି। ଗ୍ରୁପ୍ ପର୍ଯ୍ୟାୟରେ ପାକିସ୍ତାନକୁ ୫ ୱିକେଟ୍ରେ ଏବଂ ହଂକଂକୁ ୪୦ ରନ୍ରେ ପରାସ୍ତ କରିଥିଲା। ସୁପର-୪ ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଭାରତ ଆସନ୍ତା ରବିବାର ନିଜ ଗ୍ରୁପ୍ର ଦ୍ବିତୀୟ ସ୍ଥାନ ପାଇଥିବା ପାକିସ୍ତାନକୁ ଭେଟିବ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), କେଏଲ୍ ରାହୁଲ (ଉପଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ଼ା, ଋଷଭ ପନ୍ତ୍ ଓ ଦୀନେଶ କାର୍ତିକ (ୱିକେଟ୍ରକ୍ଷକ), ହାର୍ଦିକ୍ ପାଣ୍ଡ୍ୟା, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ବିନ, ୟୁଝ୍ବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ଅର୍ଶଦୀପ ସିଂହ, ଆୱେସ ଖାନ୍।