ନୂଆଦିଲ୍ଲୀ: ସବୁଠି ବିରୋଧ… ସବୁଠି ପ୍ରତିବାଦ… ସବୁଠି ଅସନ୍ତୋଷ… ଭାରତ-ପାକିସ୍ତାନ ମ୍ୟାଚକୁ ନେଇ ପୂର୍ବରୁ ସାରା ଦେଶବାସୀ ଉତ୍ସାହର ସହ ଅପେକ୍ଷା କରି ରହିଥିବା ବେଳେ ଏଥର ଖେଳାଯିବାକୁ ଥିବା ଏସିଆ କପ ପାଇଁ ସେତେଟା ଉତ୍ସାହିତ ନାହାନ୍ତି । ଆଉ ତାର ମୂଳ କାରଣ ହେଲା ପହଲଗାମ୍ ଆତଙ୍କୀ ହମଲା । ଯେଉଁ ଦେଶ ଆତଙ୍କବାଦୀଙ୍କୁ ପାଳି ଆମ ଦେଶର ନିରୀହ ଲୋକଙ୍କ ଜୀବନ ନେଇଗଲା ସେହି ଦେଶ ସହ କେମିତି ଏବେ ଖେଳ ହେବ ? ଏବେବି ଅନେକ ପରିବାରରୁ ଦୁଃଖ କମିନି, ସେମାନଙ୍କ ଆଖିରୁ ଲୁହ ଶୁଖିନି । ଆତ୍ମିୟଙ୍କୁ ହରାଇ ପରିବାର ଲୋକଙ୍କ ମନରେ ହୋଇଥିବା କ୍ଷତିଚିହ୍ନ ଏବେ ବି ଭରିନଥିବା ବେଳେ କାହିଁକି ଏ ମ୍ୟାଚ୍ ? ବୋଲି ପ୍ରଶ୍ନ ଉଠିଛି… 

Advertisment

ଯେଉଁଠି ଆତଙ୍କୀ ହମଲା ପରେ ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନକୁ ନାକରେ ପାଣି ପିଆଇ ଦେଇଛି ଭାରତ ଆଉ ଆତଙ୍କୀସ୍ତାନ ସହ କୌଣସି ବି ବ୍ୟବସାୟ କି ସମ୍ପର୍କ ରଖିବାକୁ ଚାହୁଁନି ଠିକ୍ ସେତେବେଳେ ମ୍ୟାଚ୍ କାହିଁକି ଖେଳାଯିବ ବୋଲି ପ୍ରଶ୍ନ ଉଠିଛି ।

ଗୁଜୁରାଟର ଜଣେ ମହିଳା ପହଲଗାମ ହମଲାରେ ତାଙ୍କ ପୁଅ ଏବଂ ସ୍ବାମୀଙ୍କୁ ହରାଇଥିବା ବେଳେ ମ୍ୟାଚକୁ ସେ ନାପସନ୍ଦ କରିଛନ୍ତି ଆଉ ଜଣେ ଯୁବକ ତାଙ୍କ ବାପା ଏବଂ ଭାଇଙ୍କୁ ହରାଇଥିବାର ଦୁଃଖରୁ ଏବେବି ମୁକୁଳି  ପାରିନଥିବା ବେଳେ ଆତଙ୍କୀର ଦେଶ ପାକିସ୍ତାନ ସହ ମ୍ୟାଚକୁ ବିରୋଧ କରି କହିଛନ୍ତି- ଯଦି ତମେ ପାକିସ୍ତାନ ସହ ମ୍ୟାଚ୍ ଖେଳିବ ତାହାଲେ ମତେ ଆଗ ମୋ ମୃତ ଭାଇ ଓ ବାପାଙ୍କୁ ଫେରାଇଦିଅ । ଅପରେସନ ସିନ୍ଦୂରରେ ସେନାଙ୍କ ସାହସ ଏହି ମ୍ୟାଚ୍ ପାଇଁ ବ୍ୟର୍ଥ ଯିବ ବୋଲି ସେ କହିଛନ୍ତି ।

ତେବେ ସବୁବେଳେ ଭାରତ-ପାକିସ୍ତାନ ଲଢ଼େଇକୁ କ୍ରିକେଟ୍‌ପ୍ରେମୀ ଉତ୍ସାହର ସହ ପ୍ରତୀକ୍ଷା କରିଥାନ୍ତି। କେବଳ ଏହି ଦୁଇ ଦେଶ ନୁହେଁ, ଯେବେବି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୁଅନ୍ତି, ସାରା ବିଶ୍ବର ନଜର ଏହି ମହାମୁକାବିଲା ଉପରେ ରହିଥାଏ। ବିଶ୍ବର ଯେଉଁସ୍ଥାନରେ ଖେଳା ଯାଉଥିଲେ ମଧ୍ୟ ଏହାକୁ ନେଇ ଗଳି କନ୍ଦିରୁ ସହର ବଜାର ପର୍ଯ୍ୟନ୍ତ, ସବୁଠି ଉତ୍କଣ୍ଠା ଦେଖିବାକୁ ମିଳିଥାଏ। ଏଥର କିନ୍ତୁ ନାହିଁ ଆଗଭଳି ସେହି ଉତ୍ସାହ। ଏସିଆ କପ୍‌ର ବହୁ ପ୍ରତୀକ୍ଷିତ ମହାଲଢ଼େଇରେ ଆଜି ଭାରତ-ପାକିସ୍ତାନ ପରସ୍ପରକୁ ଭେଟାଭେଟି ହେବାକୁ ଯାଉଥିଲା ବେଳେ ପୂର୍ବର ସେହି ଚର୍ଚ୍ଚା ଓ ଉତ୍କଣ୍ଠା ଯେମିତି ଏକବାର କମିଯାଇଛି। 

ଟିକେଟ୍ ବିକ୍ରିରେ ଅପ୍ରତ୍ୟାଶିତ ମାନ୍ଦାବସ୍ଥା, ଆଇପିଏଲ୍ ଫ୍ରାଞ୍ଚାଇଜ୍‌ଗୁଡ଼ିକର ଏହି ହାଇଭୋଲ୍‌ଟେଜ୍ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି, ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ତା’ପରେ ପରେ ଅପରେସନ୍ ସିନ୍ଦୁରକୁ ନେଇ ଯୁଦ୍ଧଭଳି ପରିସ୍ଥିତି ସୃଷ୍ଟି ହେବା ପରିପ୍ରେକ୍ଷୀରେ ବିଭିନ୍ନ ରାଜନୈତିକ ଦଳ ଏହି ମ୍ୟାଚ୍‌କୁ ତୀବ୍ର ବିରୋଧ କରିବାର ପ୍ରଭାବ ଅନେକାଂଶରେ ଏହା ଉପରେ ପଡ଼ିଛି। ଏକାଧିକ ରାଜନୈତିକ ଦଳ ମଧ୍ୟ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ବର୍ଜନ କରିବାକୁ ପ୍ରଶଂସକମାନଙ୍କୁ ଖୋଲା ଆହ୍ବାନ କରିଛନ୍ତି।  ସେହିଭଳି ବଡ଼ ସ୍କ୍ରିନ୍‌ରେ ମ୍ୟାଚ୍‌ର ସିଧାପ୍ରସାରଣ କଲେ ଭୟଙ୍କର ପରିସ୍ଥିତି‌ର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହିବାକୁ କିଛି ସଂଗଠନ ଧମକ ଦେବା ପରେ ବିବାଦୀୟ ଓ ବିତର୍କିତ ପରିସ୍ଥିତି ସୃଷ୍ଟି କରିଛି। ମ୍ୟାଚ୍ ଲାଗି ଅନୁମତି ଦେଇଥିବାରୁ ଭାରତ ସରକାରଙ୍କୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି। 

ସାରା ଦେଶରେ ମ୍ୟାଚ୍‌କୁ ବିରୋଧ କରି ଜୋରଦାର ପ୍ରତିବାଦ କରାଯାଉଛି । କେଉଁଠି ବିକ୍ଷୋଭ, ପୁଣି କେଉଁଠି ସୁପ୍ରିମକୋର୍ଟରେ ପିଟିସନ । ପହଲଗାମ୍ ଆତଙ୍କବାଦ ଆକ୍ରମଣ ପରେ ପାକିସ୍ତାନ ସହ ନା ଖେଳ ନା ବ୍ୟବସାୟ, କୌଣସି ପ୍ରକାର ସମ୍ପର୍କ ନରଖିବାକୁ ଦେଶବାସୀ ଚାହୁଛନ୍ତି । ଏହା ଭିତରେ ଏସିଆ କପ୍ ମ୍ୟାଚ୍ ନୂଆ ବିବାଦ ଛିଡ଼ା କରିଛି । ପାକିସ୍ତାନ ପ୍ରତି ପ୍ରତ୍ୟେକ ଭାରତୀୟଙ୍କ ମନରେ କେତେ ଆକ୍ରୋଶ ରହିଛି  । ପହଲଗାମ ଆତଙ୍କୀ ଆକ୍ରମଣ ପରେ, ଯେଉଁଠି ସରକାର ଶତ୍ରୁ ଦେଶ ସହ କୌଣସି ପ୍ରକାର ସମ୍ପର୍କ ରଖିବାକୁ ଓ ବୁଝାମଣା କରିବାକୁ ନାରାଜ ଥିଲେ, ସେଠି କିଭଳି ମ୍ୟାଚ୍ ଆୟୋଜନ କରାଯାଉଛି ବୋଲି ପ୍ରଶ୍ନ ଉଠିଛି । 

ପହଲଗାମ ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ମଧ୍ୟ ବିସିଆଇର ନିଷ୍ପତ୍ତିକୁ ପ୍ରବଳ ବିରୋଧ କରିବା ସହ କଡ଼ା ଶବ୍ଦରେ ନିନ୍ଦା କରିଛନ୍ତି । ଆତଙ୍କୀ ଦେଶ ସହ  କ୍ରିକେଟ ଖେଳି,  ମୃତକଙ୍କ ପରିଜନଙ୍କ ଭାବନା ସହ ଖେଳାଯାଉଥିବା କହିଛନ୍ତି ।

ସେପଟେ ମ୍ୟାଚରେ ପାକିସ୍ତାନକୁ ଲଢେଇ କରି ହରାଇବ ବୋଲି ବିଜେପିର ନେତା କହିଛନ୍ତି । ଯେଉଁ ପରିସ୍ଥିତିରେ ହେଉ ନା କାହିଁକି ଆମେ ପାକିସ୍ତାନକୁ ହରାଇବୁ । ବିରୋଧୀ ମ୍ୟାଚକୁ ନେଇ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ଚାହୁଁଛନ୍ତି ବୋଲି ବିଜେପିନେତା ଦିଲିପ ଘୋଷ କହିଛନ୍ତି ।