ପୁନେ ଟେଷ୍ଟ: ମୟଙ୍କ ଅଗ୍ରଓ୍ଵାଲଙ୍କ ଶତକ, କୋହଲି-ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ମଜବୁତ ସ୍ଥିତିରେ ଭାରତ

ପୁନେ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପୁନେରେ ଗୁରୁବାର ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ମୟଙ୍କ ଅଗ୍ରଓ୍ଵାଲ ଶତକ ହାସଲ କରିଛନ୍ତି। ମୟଙ୍କ ଅଗ୍ରଓ୍ଵାଲଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି (ଅପରାଜିତ ୬୩ ରନ୍‌) ଓ ଚେତେଶ୍ୱର ପୂଜାରା (୫୮)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ନିଜର ସ୍କୋରକୁ ୨୭୩ ରନ୍‌ରେ ପହଞ୍ଚାଇପାରିଛି।

ପ୍ରଥମ ଦିନରେ ଭାରତ ୩ଟି ଓ୍ଵିକେଟ ହରାଇଛି। ଦକ୍ଷିଣ ଆଫ୍ରିକା ପାଇଁ କାଗିସୋ ରବାଦା ଏକମାତ୍ର ସଫଳ ବୋଲର ହୋଇପାରିଛନ୍ତି, ଯିଏକି ୩ଟି ଓ୍ଵିକେଟ ନିଜ ଖାତାରେ ଯୋଡ଼ିପାରିଛନ୍ତି। ପଡ଼ିଆରୁ ଫେରିବା ପୂର୍ବରୁ କୋହଲିଙ୍କ ସହିତ ଆଜିଙ୍କ ରାହାଣେ ଅପରାଜିତ ୧୮ ରନ୍‌ କରିଥିଲେ। ପାଗ ଖରାପ ଯୋଗୁଁ ଅମ୍ପାୟାର ପ୍ରଥମ ଦିନର ମ୍ୟାଚ୍‌ରୁ ୪.୫ ଓଭର କମ କରି ଦେଇଥିଲେ।

ମୟଙ୍କ ଅଗ୍ରଓ୍ଵାଲ ୧୯୫ଟି ବଲ ଖେଳି ୧୦୮ ରନ କରିଥିଲେ। ଏଥିରେ ୧୬ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ରୋହିତ ଶର୍ମା ପ୍ରଥମ ଟେଷ୍ଟ ଭଳି ଖେଳି ପାରି ନାହାନ୍ତି। ସେ ୩୫ଟି ବଲ ସମ୍ମୁଖୀନ ହୋଇ ଏକ ଛକା ସହାୟତାରେ ୧୪ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର