କରୋନା ଭୟ ଭିତରେ ‘ଭାରତ-ଦ.ଆଫ୍ରିକା’ ଶୃଙ୍ଖଳା

ଧର୍ମଶାଳାରେ ଆଜି ପ୍ରଥମ ଦିନିକିଆ, ଅଷ୍ଟ୍ରେଲିଆକୁ ମୂଳପୋଛ କରି ଭାରତ ଆସିଛି ଡି’କକ୍‌ଙ୍କ ଦଳ

ଧର୍ମଶାଳା : ନ୍ୟୁଜିଲାଣ୍ଡରେ ଅପ୍ରତ୍ୟା‌ଶିତ ଭାବେ ଯୁଗଳ ମୂଳପୋଛ (ଉଭୟ ଦିନିକିଆ ଓ ଟେଷ୍ଟ୍‌ ଶୃଙ୍ଖଳାର ସବୁ ମ୍ୟାଚ୍ ହାରିବା ପରେ)ର ସମ୍ମୁଖୀନ ହେବା ପରେ ଭାରତୀୟ କ୍ରିକେଟ୍ ଦଳ ଗୁରୁବାରଠାରୁ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାର ମୁକାବିଲା କରିବ। ଏହି ତିନି ଟିକିଆ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଧର୍ମଶାଳା (ହିମାଚଳ ପ୍ରଦେଶ)ରେ ଆସନ୍ତାକାଲି ଖେଳାଯିବ। କୋହଲି ବାହିନୀ ଏଥିରେ ନିଜର ହୃତ ଗୌରବକୁ ଫେରି ପାଇବାକୁ ପଡ଼ିଆକୁ ଓହ୍ଲାଇବ। ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଦୁଃଖକୁ ଦୂର କରିବାକୁ ଚେଷ୍ଟା‌ କରିବ। ହେଲେ ଧର୍ମଶାଳାରେ ସଂପ୍ରତି ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ତା’ ସହ ଆସନ୍ତା ଦିନେ ଦୁଇ ଦିନ ସେଠାରେ ବର୍ଷା ହେବାର ଆଶଙ୍କା ବି ରହିଛି। ‌ସେଥିପାଇଁ ଭାରତ ଏଠାରେ ନିଜ ମନ ମୁତାବକ ପାଗ ଓ ପିଚ୍ ପାଇବାର ଆଶା କମ୍ ରହିଛି। ସେପଟେ ଅଷ୍ଟ୍ରେଲିଆ ଭଳି ଶକ୍ତିଶାଳୀ ଦଳକୁ ଦକ୍ଷିଣ ଆଫ୍ରିକା ମୂଳପୋଛ କରି ଭାରତ ଆସିଛି। ଏଣୁ ଶୃଙ୍ଖଳା ବେଶ୍ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଓ ସଂଘର୍ଷମୟ ହେବ ବୋଲି ଆଶା କରାଯାଉଛି। ତେବେ ସଂପ୍ରତି ସାରା ବିଶ୍ବରେ କରୋନା ଭୂତାଣୁର ସଂକ୍ରମଣକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି। ସେହିଦୃଷ୍ଟିରୁ ଭାରତ-ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଟିକିଏ ମାନ୍ଦା ପଡ଼ିଯିବାର ଯଥେଷ୍ଟ ଆଶଙ୍କା ରହିଛି।

ଫେରିବେ ଧାୱନ, ପାଣ୍ଡ୍ୟା ଓ ଭୁବି
ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ କେତେକ ବରିଷ୍ଠ ଖେଳାଳିଙ୍କ ସେବାରୁ ବଞ୍ଚିତ ହୋଇଥିଲା। ଶିଖର ଧାୱନ, ହାର୍ଦିକ ପାଣ୍ଡ୍ୟା ଆଘାତ ପ୍ରାପ୍ତ ହୋଇ ଦଳରେ ସ୍ଥାନ ପାଇ ନଥି‌ଲେ। ଏହି ଦୁଇ ଜଣଙ୍କ ସହ ଦ୍ରୁତ ବୋଲର ଭୁବନେଶ୍ବର କୁମାର ଦକ୍ଷିଣ ଆଫ୍ରିକା ଶୃଙ୍ଖଳାକୁ ଫେରିଛନ୍ତି। ଧାୱନ ଫେରିବା ପରେ ଶୀର୍ଷକ୍ରମ ସୁଦୃଢ଼ ହୋଇଛି। ସେହିଭଳି ପାଣ୍ଡ୍ୟା ମଧ୍ୟକ୍ରମର ଶକ୍ତି ବଢ଼ାଇବେ। ଭୁବି ଫେରିବା ପରେ ଅଧିନାୟକ ବିରାଟ କୋହଲିଙ୍କୁ ବୋଲିଂ ବାହିନୀରେ ଅଧିକ ବିକଳ୍ପ ମିଳିବ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଏହି ଶୃଙ୍ଖଳା ମଧ୍ୟ ଖେଳି ପାରିବେ ନାହିଁ। ଏଣୁ ଭାରତ ତାଙ୍କ ଅନୁପସ୍ଥିତିକୁ ନିଶ୍ଚିତ ଭାବେ ଅନୁଭବ କରିବ। ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ରବୀନ୍ଦ୍ର ଜାଦେଜା ନିଜକୁ ଜଣେ ଦକ୍ଷ ଅଲ୍‌ରାଉଣ୍ଡର ଭାବେ ଗଢ଼ି ତୋଳିଥିବାରୁ ଉଭୟଙ୍କ ମଧ୍ୟରୁ କାହାକୁ କୋହଲି ସୁଯୋଗ ଦେଉଛନ୍ତି କିମ୍ବା ଉଭୟଙ୍କୁ ଦଳରେ ନେଉଛନ୍ତି, ତାହା ଚର୍ଚ୍ଚାର ବିଷୟ ହୋଇଛି। ନ୍ୟୁଜିଲାଣ୍ଡ ଶୃଙ୍ଖଳାରେ ଭଲ କରିଥିବା ସତ୍ତ୍ବେ ମନୀଷ ପାଣ୍ଡେଙ୍କ ସ୍ଥାନ ପାଣ୍ଡ୍ୟା ନେଇପାରନ୍ତି। ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ପୃଥ୍ବୀ ସ’ଙ୍କ ସହ ଧାୱନ ପାଳି ଆରମ୍ଭ କରିପାରନ୍ତି। ଭୁବନେଶ୍ବର ଯୁବ ବୋଲର ସାର୍ଦୁଲ ଠାକୁରଙ୍କ ସ୍ଥାନରେ ଖେଳିବାର ସମ୍ଭାବନା ଅଧିକ।

ସମ୍ଭାବ୍ୟ ଭାରତ: ଶିଖର ଧାୱନ, ପୃଥ୍ବୀ ସ’, ବିରାଟ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର, କେଏଲ୍ ରାହୁଲ, ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ନଭଦୀପ ସୈନି, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମ୍‌ରା।

ରବାଦାଙ୍କ ବିନା ଖେଳିବ ଦକ୍ଷିଣ ଆଫ୍ରିକା
ଦକ୍ଷିଣ ଆଫ୍ରିକା କଥା ବିଚାରକୁ ନେଲେ ଏହି ଦଳ ତା’ର ପ୍ରମୁଖ ଦ୍ରୁତ ବୋଲର କାଗିସୋ ରବାଦାଙ୍କ ବିନା ଭାରତ ଆସିଛି। ତେବେ ଅଷ୍ଟ୍ରେଲିଆ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଥିବା ଜାନେମନ ମଲାନ ଦକ୍ଷିଣ ଆଫ୍ରିକାର ଟ୍ରମ୍ପ୍‌ କାର୍ଡ ସାବ୍ୟସ୍ତ ହୋଇପାରନ୍ତି। ଫାଫ୍ ଡୁ’ ପ୍ଲେସିସ୍ ଫେରିବା ପରେ ଦକ୍ଷିଣ ଆଫ୍ରିକା ପୂର୍ବାପେକ୍ଷା ଶକ୍ତିଶାଳୀ ହୋଇଛି। ବୋଲିଂରେ ଦକ୍ଷିଣ ଆଫ୍ରିକା ବାମହାତୀ ଦ୍ରୁତ ‌ବୋଲର ବିୟୁରନ୍ ହେଣ୍ଡ୍ରିକ୍ସ ଓ ବାମହାତୀ ସ୍ପିନର ଜର୍ଜ ଲିଣ୍ଡେଙ୍କ ମଧ୍ୟରୁ ଜଣକୁ ଖେଳାଇପାରେ। ଲିଣ୍ଡେ ଗତ ଅକ୍ଟୋବରରେ ଭାରତରେ ହିଁ ଟେଷ୍ଟ୍ ଜୀବନ ଆରମ୍ଭ କରିଥିଲେ।

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା: କ୍ବିଣ୍ଟନ୍ ଡି’ କକ୍ (ଅଧିନାୟକ), ଜାନେମନ୍ ମଲାନ/ତେମ୍ବା ବଭୁମା/ ଜେଜେ ସ୍ମୁଟ୍ସ, ରସି ଭାନଡର ଦୁସେନ, ଫାଫ୍ ଡୁ’ ପ୍ଲେସିସ୍, ହେନରିକ୍ କ୍ଲା‌ସେନ, ଡେଭିଡ୍ ମିଲର, ଆନ୍ଦିଲ ଫେଲୁକ୍ବାଓ, କେଶବ ମହାରାଜ, ବିୟୁରନ୍ ହେଣ୍ଡ୍ରିକ୍ସ/ଜର୍ଜ ଲିଣ୍ଡେ, ଆନରିକ୍ ନର୍ଜେ, ଲୁଙ୍ଗି ଏନଗିଡ଼ି।

ମଜାଦାର ତଥ୍ୟ: ଯଶପ୍ରୀତ ବୁମରା ଓ ଭୁବନେଶ୍ବର କୁମାର ଦିନିକିଆରେ ପ୍ରଥମ ଥର ପାଇଁ ଏକାଠି ଖେଳିବା ପରଠାରୁ ଯେତେବେଳେ ସେମାନେ ଦୁଇଜଣ ଦଳରେ ଥାଆନ୍ତି ଭାରତର ଜୟ/ପରାଜୟ ପରିସଂଖ୍ୟାନ ୩୧/୧୦ ରହିଛି। ସେମାନଙ୍କ ମଧ୍ୟରୁ ଜଣେ ଖେଳିଲେ ଏହି ସଂଖ୍ୟା ୧୯/୯ ହୋଇଥିଲା ବେଳେ ଏହି ଦୁଇ ଜଣ ଯାକ ଯେଉଁ ମ୍ୟାଚ୍‌ରେ ଆଦୌ ଖେଳି ନାହାନ୍ତି, ସେଥିରେ ଭାରତର ଜୟ/ପରାଜୟ ସଫଳତା ୫/୪ ରହିଛି। କ୍ବିଣ୍ଟନ୍ ଡି’ କକ୍ ଭାରତ ବିପକ୍ଷରେ ୫୦୦ରୁ ଅଧିକ ରନ୍ କରିଛନ୍ତି। ଭାରତ ବିପକ୍ଷରେ ୫୦୦ କିମ୍ବା ତା’ଠାରୁ ଅଧିକ ରନ୍ କରିଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ତାଙ୍କ ରନ୍ ହାର ହେଉଛି ଦ୍ବିତୀୟ ସର୍ବାଧିକ (୬୦.୩)। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ୭ ମ୍ୟାଚ୍ ଖେଳି ୨୦ ୱିକେଟ୍ କରାୟତ୍ତ କରିଛନ୍ତି। କୌଣସି ଦଳ ବିପକ୍ଷରେ ଏହା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ତାଙ୍କ ୱିକେଟ୍ ଅକ୍ତିଆର ହାର ୧୫.୬୫ ରହିଛି। ଯେ କୌଣସି ଦଳ ବିପକ୍ଷରେ (ହଂକଂ ଓ ଜିମ୍ବାୱେକୁ ଛାଡ଼ି) ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ।

ବର୍ଷା ଆଶଙ୍କା
ହିମାଳୟ ପାଦ ଦେଶରେ ଅବସ୍ଥିତ ଧର୍ମଶାଳା ସହରରେ ବର୍ଷ ସାରା ବର୍ଷା ଲାଗି ରହିଥାଏ। ତଥାପି ଏଠାରେ ୬ଟି ଅନ୍ତର୍ଜାତୀୟ ଦିନିକିଆ ସୁରୁଖୁରୁରେ ଖେଳାଯାଇ ସାରିଛି। ଶେଷ ଥର ପାଇଁ ଗତବର୍ଷ ସେପ୍ଟେମ୍ବର ମାସରେ ଏଠାରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ବର୍ଷା ଧୋଇ ନେଇଥିଲା। ଗୁରୁବାର ଏଭଳି ସ୍ଥିତି ସୃଷ୍ଟି ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ପାରମ୍ପରିକ ଭାବେ ଏଠାରେ ଟସ୍ ଜିତିବା ଦଳ କିନ୍ତୁ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରନ୍ତି। ଏଠାରେ ଖେଳା ଯାଇଥିବା ଚାରିଟିରୁ ତିନିଟି ଦିନିକିଆରେ ପଶ୍ଚାତଧାବନ କରିଥିବା ଦଳ ବିଜୟୀ ହୋଇଛନ୍ତି। ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ଧର୍ମଶାଳାରେ ଟ୍ବେଣ୍ଟି-୨୦ ମୁକାବିଲାରେ ସାମ୍ନାସାମ୍ନି ହୋଇଥିଲେ। ସେତେବେଳେ ଦକ୍ଷିଣ ଆଫ୍ରିକା ୨୦୦ ରନ୍‌ର ଲକ୍ଷ୍ୟକୁ ହାସଲ କରି ନେଇଥିଲା। ସେହି ମ୍ୟାଚ୍ ଜିତିଥିବା ଦକ୍ଷିଣ ଆଫ୍ରିକା ଦଳର ଦୁଇ ସଦସ୍ୟ ଫାଫ୍ ଡୁ’ ପ୍ଲେସିସ୍ ଓ ଡେଭିଡ୍ ମିଲର ଏବେକାର ଦଳରେ ଅଛନ୍ତି।

ସମ୍ବନ୍ଧିତ ଖବର