ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରି‌କେଟ୍ ଦଳ ଏବଂ ବିସିସିଆଇ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଖେଳାଯିବାକୁ ଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଆଜିଠୁ

ରୋହିତଙ୍କ ‘ଟେଷ୍ଟ୍‌’ ପରୀକ୍ଷା‌

ବିଶାଖାପାଟଣା : ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା କ୍ରି‌କେଟ୍ ଦଳ ଏବଂ ବିସିସିଆଇ ବୋର୍ଡ ସଭାପତି ଏକାଦଶ ମଧ୍ୟରେ ଖେଳାଯିବାକୁ ଥିବା ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଗୁରୁବାରଠାରୁ ବିଶାଖାପାଟଣାଠାରେ ଆରମ୍ଭ ହେବ। ଅକ୍ଟୋବର ୨ ତାରିଖରୁ ଆୟୋଜିତ ହେବାକୁ ଥିବା ଭାରତ ବିପକ୍ଷ ତିନି ଟିକିଆ ଟେଷ୍ଟ୍‌ ଶୃଙ୍ଖଳା ପୂର୍ବରୁ ଦକ୍ଷିଣ ଆଫ୍ରିକା ଏଠାରେ ଏକମାତ୍ର ଅଭ୍ୟାସ ମ୍ୟାଚ୍ ଖେଳିବ। ଏହି ମ୍ୟାଚ୍‌ରେ ସମସ୍ତଙ୍କ ତୀକ୍ଷ୍ଣ ନଜର ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ଉପରେ ରହିବ। ବୋର୍ଡ ସଭାପତି ଏକାଦଶ ଦଳର ନେତୃତ୍ବ ନେବା ସହ ରୋହିତ ଏଥିରେ ଏକ ନୂଆ ଭୂମିକାରେ ଦେଖିବାକୁ ମିଳିବେ। ସେ ଏହି ମ୍ୟାଚ୍‌ରେ ପାଳି ଆରମ୍ଭ କରିବେ।

ଟେଷ୍ଟ୍‌ ଜୀବନର ପୁନରୁଦ୍ଧାର ପାଇଁ ଶେଷ ସୁଯୋଗ ପାଇଥିବା ରୋହିତ ଲମ୍ବା ପାଳି ଖେଳି ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ପାଇଁ ନିଜକୁ ପ୍ରସ୍ତୁତ କରିବେ। ସୀମିତ ଓଭର କ୍ରିକେଟ୍‌ରେ ଭରତ ପାଇଁ ନିୟମିତ ଭାବେ ପାଳି ଆରମ୍ଭ କରୁଥିବା ରୋହିତ ଟେଷ୍ଟ୍‌ରେ ମଧ୍ୟକ୍ରମରେ ଖେଳନ୍ତି। ହେଲେ ଲୋକେଶ ରାହୁଲଙ୍କ ଲଗାତାର ବିଫଳତା ପରେ ଚୟନକର୍ତା ତାଙ୍କୁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ଲାଗି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଦଳରେ ନେଇଛନ୍ତି। ରୋହିତଙ୍କ ସହ ଯଶପ୍ରୀତ ବୁମରାଙ୍କ ବଦଳରେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଦ୍ରୁତ ବୋଲର ଉମେଶ ଯାଦବ ନିଜ ପୁରୁଣା ଯାଦୁ ଫେରି ପାଇବାକୁ ଚେଷ୍ଟା କରିବେ। ଫାଫ୍ ଡୁ’ ପ୍ଳେସିସ୍ ଏବଂ ଏଦେନ ମର୍କରାମଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କୁ ଚକ୍‌ମା‌ ଦେବାକୁ ସେ ଚେଷ୍ଟା କରିବେ। କାଗିସୋ ରବାଦା, ଭର୍ନାନ ଫିଲାଣ୍ଡର ଓ ଲୁଙ୍ଗି ଏନଗିଡ଼ିଙ୍କ ଭଳି ବୋଲର ମଧ୍ୟ ରୋହିତଙ୍କ ବ୍ୟାଟିଂ କଳା କୌଶଳ ପାଇଁ ବଡ଼ ଆହ୍ବାନ ହେବେ। ଲାଲ ବଲ୍‌ରେ ରୋହିତଙ୍କ ବ୍ୟାଟିଂ କୌଶଳକୁ ପୂର୍ବରୁ ସନ୍ଦେହ ଚକ୍ଷୁରେ ଦେଖା ଯାଇଥିଲା ବେଳେ ଏହାକୁ ଦୂର କରିବାକୁ ଏବେ ସେ ଏକ ଭଲ ସୁଯୋଗ ପାଇଛନ୍ତି।

ସମ୍ବନ୍ଧିତ ଖବର