ପର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଉଭୟ ଦଳ ଗୋଟିଏ ଲେଖାଏଁ ଜିତିଥିବାରୁ ସ୍ଥିତି ସମାନ ରହିଛି। ଗୁରୁବାର ଏହି ଶୃଙ୍ଖଳାର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍ ପର୍ଲରେ ଖେଳାଯିବ। ତେଣୁ ଉଭୟ ଦଳ ଗୁରୁବାର ମ୍ୟାଚ୍ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚାହିବେ। ଦକ୍ଷିଣ ଆଫ୍ରିକାରେ ଭାରତ ଶେଷ ଥର ଲାଗି ୨୦୧୮ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ୫ ବର୍ଷ ପରେ ପୁଣି ଥରେ ଏଠାରେ ଟ୍ରଫି ଜିତିବା ଲାଗି ଭାରତ ଦୁଇ ଓପନର୍ ଋତୁରାଜ ଗାଏକ୍ବାଡ ଓ ବି ସାଇ ସୁଦର୍ଶନଙ୍କଠୁ ଭଲ ଆରମ୍ଭ ଆଶା ରଖିଛି। ସୁଦର୍ଶନ (୫୫, ୬୨ ରନ୍) ପ୍ରଥମ ଦୁଇ ମ୍ୟାଚ୍ରେ ଭଲ କରିଥିଲା ବେଳେ ଗାଏକ୍ବାଡ ଭଲ ସହଯୋଗ ଦେଇପାରିନାହାନ୍ତି। ଏହି ଯୋଡ଼ି ମାତ୍ର ୨୩, ୪ କରିଛନ୍ତି।
ଅନ୍ୟପକ୍ଷରେ ମଙ୍ଗଳବାର ରାତିରେ ଦକ୍ଷିଣ ଆଫ୍ରିକା ଓପନର୍ ଟନି ଡି’ଜର୍ଜି ନିଜର ପ୍ରଥମ ଶତକ ହାସଲ କରିବା ସହ ରିଜା ହେଣ୍ଡ୍ରିକ୍ସଙ୍କ ସହ ପ୍ରଥମ ୱିକେଟ୍ରେ ୧୩୦ ରନ୍ର ଭାଗୀଦାରି ଗଢ଼ି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ନେଇଥିଲେ। ବୋଲିଂରେ ପ୍ରଥମ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରିଥିବା ଦୁଇ ପେସର ଅର୍ଶଦୀପ ସିଂହ ଓ ଆୱେସ ଖାନ ଦ୍ବିତୀୟରେ ବିଫଳ ହୋଇଥିଲେ। ତଥାପି ଏମାନେ ମୁକେଶ କୁମାରଙ୍କ ସହ ପେସ୍ ବୋଲିଂ ଦାୟିତ୍ବ ସମ୍ଭାଳିବେ। ସ୍ପିନ୍ରେ ଅକ୍ଷର ପଟେଲ କିମ୍ବା କୁଲଦୀପ ଯାଦବଙ୍କ ସ୍ଥାନରେ ୟୁଝବେନ୍ଦ୍ର ଚହଲ ଖେଳିବାର ସମ୍ଭାବନା ରହିଛି।