ଶୀର୍ଷ ସ୍ଥାନ ଲାଗି ଉଜ୍‌ବେକିସ୍ତାନକୁ ଭେଟିବ ଭାରତ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ହକି କମ୍ପ୍ଲେକ୍ସରେ ଆୟାଜିତ ଏଫ୍‌ଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍‌ର ଗ୍ରୁପ୍‌-ଏରୁ ସିଧାସଳଖ ସେମିଫାଇନାଲ୍‌ ସ୍ଥାନ ପକ୍କା କରିବା ଲାଗି ଭାରତ ସୋମବାର ଉଜ୍‌ବେକିସ୍ତାନକୁ ଭେଟିବ। ଉଜ୍‌ବେକିସ୍ତାନ ବିଶ୍ବ ମାନ୍ୟତାରେ ୪୩ତମ ସ୍ଥାନରେ ଥିଲା ‌ବେଳେ ଭାରତ ପଞ୍ଚମରେ ରହିଛି। ଫଳରେ ଭାରତର ପଲ୍ଲା ନିଶ୍ଚିତ ଭାରି ରହିବ। ଅନ୍ୟ ପକ୍ଷରେ ଭାରତ ୧୦-୦ରେ ରୁଷିଆକୁ ଏବଂ ୩-୧ରେ ପୋଲାଣ୍ଡକୁ ପରାସ୍ତ କରି ଅପରାଜେୟ ସହ ଗ୍ରୁପ୍‌-ଏର ଶୀର୍ଷରେ ରହିଛି। ଗ୍ରୁପ୍‌-ଏର ଶେଷ ମ୍ୟାଚ୍‌ରେ ଯଦି ଭାରତ ଜିତିଯାଏ ତେବେ ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ମାସରେ ହେବାକୁଥିବା ଅଲିମ୍ପିକ୍ସ ଯୋଗ୍ୟତା ପ୍ରତିଯୋଗିତାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିବ। ବିଶ୍ବ ମାନ୍ୟତା କିଛି ମାନେ ରଖିନଥାଏ। କାରଣ ଦୁଇ ଦଳ ମଧ୍ୟ ଅନ୍ତର କମ୍‌ ରଖିଥାଏ। ଏହା କେବଳ ଦଳଗୁଡ଼ିକୁ ଗୋଟିଏ କ୍ରମରେ ରଖିବା ଲାଗି ଅନ୍ତର୍ଜାତୀୟ ହକି ‌ମହାସଂଘର କାର୍ଯ୍ୟ ବୋଲି କହିଛନ୍ତି ଭାରତୀୟ ଦଳର ପ୍ରଶିକ୍ଷକ ଗ୍ରାହମ ରିଡ୍‌। ସଂପ୍ରତି ମୋର ମୁଖ୍ୟ ଲକ୍ଷ୍ୟ ହେଉଛି ଦଳର ପ୍ରଦର୍ଶନରେ ଆହୁରି ଉନ୍ନତ କରିବା। ବେଳେ ବେଳେ ତୁମକୁ ଉଚ୍ଚସ୍ତରର ଖେଳ ଶିଖିବାକୁ ପଡ଼ିବ ଏବଂ ଜିତିବାକୁ ଅଭ୍ୟାସ କରିବାକୁ ପଡ଼ିବ। ଅଷ୍ଟ୍ରେଲିଆ ଗସ୍ତରେ ଆମର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରତ୍ୟେକ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ ବୋଲି ସେ କହିଛନ୍ତି। କଳିଙ୍ଗରେ ଗତ ଦୁଇ ମ୍ୟାଚ୍‌ରେ ରିଡ୍‌ ଦୁଇ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ ଏବଂ କୃଷ୍ଣ ବାହାଦୁର ପାଠକଙ୍କୁ ୪ କ୍ବାର୍ଟର୍‌ରେ ବଦଳାଇ ଖେଳାଇଥିଲେ। ନୀଳକଣ୍ଠ ଶର୍ମା ଓ ଅଧିନାୟକ ମନ୍‌ପ୍ରୀତ ସୁନ୍ଦର ଖେଳ ଖେଳିଥିଲେ। ଉଭୟ କେବଳ ମଧ୍ୟଭାଗ ସମ୍ଭାଳିନଥିଲେ ଗୋଲ୍‌ ମଧ୍ୟ ଦେଇଥିଲେ। କିନ୍ତୁ ଏହି ଦୁଇଟି ଭ‌ାରତୀୟ ଦଳର ଅଗ୍ରଭାଗ ସେଭଳି କିଛି କରିନାହାନ୍ତି। ପୋଲାଣ୍ଡ ବିପକ୍ଷରେ ବହୁ ସୁଯୋଗ ମିଳିଥିଲେ ବି ଗୋଲ୍‌ରେ ରୂପାନ୍ତର କରିବା‌ରେ ବିଫଳ ହୋଇଥିଲେ। ପ୍ରଶିକ୍ଷକ ରିଡ୍‌ ଉଜ୍‌ବେକିସ୍ତାନ ବିପକ୍ଷରେ ଅଗ୍ରଭାଗ କିଭଳି ଭଲ କରିବେ ସଂପ୍ରତି ତା’ ଉପରେ ନଜର ରଖିଛନ୍ତି। ପ୍ରତିଯୋଗିତାର ନିୟମ ଅନୁସାରେ ଦୁଇ ଗ୍ରୁପ୍‌ର ଶୀର୍ଷ ଦଳ ସିଧାସଳଖ ସେମିଫାଇନାଲ୍‌ ପ୍ରବେଶ କରିବ। ଦ୍ବିତୀୟ ଓ ତୃତୀୟ ଦଳ କ୍ରସ୍‌ ଓଭର ବାଟ ଦେଇ ସେମିରେ ପହଞ୍ଚିବେ।

ସମ୍ବନ୍ଧିତ ଖବର