ପ୍ରଥମ ଦିନ ଭାରତ ୨୬୪/୫

ଜାମାଇକା : କିଙ୍ଗଷ୍ଟନ୍‌ରେ ଶୁକ୍ରବାରଠାରୁ ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ତଥା ଶେଷ ଟେଷ୍ଟ୍ ଆରମ୍ଭ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୫ ୱିକେଟ୍‌ ହରାଇ ୨୬୪ ରନ୍ କରିଛି। କେଏଲ୍ ରାହୁଲ ଏବଂ ଚେତେଶ୍ବର ପୂଜାରା ବିଫଳ ହୋଇଥିବା ବେଳେ ମୟଙ୍କ ଅଗ୍ରୱାଲ୍ (୫୫) ଏବଂ ବିରାଟ କୋହଲି (୭୬) ଅର୍ଧଶତକ ହାସଲ କରିଛନ୍ତି।

ଜାମାଇକାର କିଙ୍ଗଷ୍ଟନ୍‌ସ୍ଥିତ ସାବିନା ପାର୍କରେ ଖେଳାଯାଉଥିବା ଏହି ଟେଷ୍ଟରେ ଶୁକ୍ରବାର ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲଡର୍ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ପସନ୍ଦ କରିଥିଲା। ପଡିଆର ଆର୍ଦ୍ରତାକୁ ନଜରରେ ରଖି ହୋଲଡର୍ ଏଭଳି ନିଷ୍ପତ୍ତି ନେଇଥିଲେ। କେଏଲ୍ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ୍‌ ପ୍ରଥମ ୱିକେଟ୍‌ ପାଇଁ ୩୨ ରନ୍ ଉଠାଇଥିଲେ। କେମାର ରୋଚ୍‌ ଏବଂ ସାନନ୍ ଗାବ୍ରିଏଲ୍‌ ୱିକେଟ ବାହାର କରିବାରେ ବିଫଳ ହେବାରୁ ଅଧିନାୟକ ଜାସନ୍ ହୋଲଡର୍ ପ୍ରଥମ ବୋଲିଂ ପରିବର୍ତନରେ ଆସି କେଏଲ୍ ରାହୁଲ (୧୩, ୨୬ ବଲ, ୨ ଚୌକା)ଙ୍କୁ ଆଉଟ୍ କରି ଦେଇଥିଲେ। ହୋଲଡରଙ୍କ ଲେନ୍ଥ ବଲ୍‌ ରାହୁଲଙ୍କ ବ୍ୟାଟର ଧାର ଛୁଇଁ ସ୍ଲିପ୍‌ରେ ଥିବା ପ୍ରଥମ ପଦାର୍ପଣକାରୀ ପୃ୍ଥଳକାୟ (୧୪୦ କିଲୋଗ୍ରାମ ଓଜନ) ରାଖିମ୍ କର୍ନୱାଲଙ୍କ ହାତରେ ଧରାପଡ଼ିଥିଲା। ୧୦ ଓଭର ପରେ ଚେତେଶ୍ବର ପୂଜାରା (୬, ୨୫ ବଲ) କର୍ନୱାଲଙ୍କ ସ୍ପିନ୍‌ର ଶିକାର ହୋଇଥିଲେ। ପଏଣ୍ଟ ଅଞ୍ଚଳରେ ଥିବା ସାମରା ବ୍ରୁକ୍ସ ନେଇଥିଲେ ସହଜ କ୍ୟାଚ୍‌। ମଧ୍ୟାହ୍ନ ଭୋଜନ ପରେ ମୟଙ୍କ ଅଗ୍ରୱାଲ (୫୫, ୧୨୭ ବଲ, ୭ ଚୌକା) ଙ୍କୁ ହୋଲଡର୍ ସମାନ ଢ଼ଙ୍ଗରେ ସ୍ଲିପ୍‌ରେ କର୍ନୱାଲଙ୍କୁ ଦ୍ବିତୀୟ କ୍ୟାଚ୍‌ ସୁଯୋଗ ଦେଇଥିଲେ। ଚା’ପାନ ବିରତି ପରେ ଅଜିଙ୍କ୍ୟ ରାହାଣେ (୨୪, ୫୫ ବଲ, ୪ ଚୌକା)ଙ୍କୁ କେମାର ରୋଚ୍‌ ଏବଂ ବିରାଟ କୋହଲି (୭୬, ୧୬୩ ବଲ୍‌, ୧୦ ଚୌକା)ଙ୍କୁ ହୋଲଡର୍ କଟ୍ ବିହାଇଣ୍ଡ୍ କରାଇ ନେଇଥିଲେ।

ଭାରତ ଏହି ଟେଷ୍ଟକୁ ବିନା ପରିବର୍ତନରେ ଖେଳିଛି। କୋହଲିଙ୍କ ଅଧୀନରେ ଦ୍ବିତୀୟ ଥର ପାଇଁ ଭାରତ ଅପରିବର୍ତିତ ଦଳ ନେଇ ଟେଷ୍ଟ୍ ଖେଳିଛି। ଗତବର୍ଷ ଟ୍ରେଣ୍ଟ୍‌ ବ୍ରିଜ୍ ଏବଂ ସାଉଥାମ୍ପଟନ୍‌ ଟେଷ୍ଟରେ ଭାରତ ଏଭଳି କରିଥିଲା। ଟସ୍ ହାରି ବ୍ୟାଟିଂ ପାଇଥିଲେ ମଧ୍ୟ କୋହଲି ଖୁସି ବୋଲି ପ୍ରକାଶ କରିଥିଲେ। ଅନ୍ୟପକ୍ଷରେ ଶୃଙ୍ଖଳା ସମତୁଲ ଆଶାରେ ଥିବା ୱେଷ୍ଟଇଣ୍ଡିଜ୍‌ ଦୁଇଟି ପରିବର୍ତନ କରି ଏହି ଟେଷ୍ଟ୍ ଖେଳୁଛି। ମିଗୁଏଲ୍‌ କମିନ୍ସ ଏବଂ ସାଏ ହୋପ୍‌ଙ୍କ ବଦଳରେ ଅଲରାଉଣ୍ଡର୍‌ ରାଖିମ କର୍ନୱାଲ ଏବଂ ୱିକେଟରକ୍ଷକ ଜମାର୍‌ ହାମିଲଟନ୍ ପଦାର୍ପଣ ଟେଷ୍ଟ୍ ଖେଳିଛନ୍ତି।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୯୦ ଓଭରରେ ୨୬୪/୫ (ବିରାଟ କୋହଲି-୭୬, ମୟଙ୍କ ଅଗ୍ରୱାଲ-୫୫, ଅଜିଙ୍କ୍ୟ ରାହାଣେ-୨୪, ହନୁମା ବିହାରୀ-୪୨*, ଋଷବ ପନ୍ତ୍‌-୨୭*, ଜାସନ୍‌୍ହେ ହୋଲଡର-୩/୩୯, କେମାର ରୋଚ୍‌-୧/୪୭, ରାଖିମ୍‌ କର୍ନୱାଲ-୧/୬୯)।

ସମ୍ବନ୍ଧିତ ଖବର