ବାରବାଟୀ ମୁକାବିଲା : ଦଶନ୍ଧିର ଶେଷ ବିରାଟ ବିଜୟ

କଟକ :  ବର୍ଷର ଶେଷ ମ୍ୟାଚ୍‌, ଦଶନ୍ଧିର ଶେଷ ଶୃଙ୍ଖଳାର ବି ଥିଲା ଶେଷ ଲଢ଼େଇ। ଟକ୍କରା ଟକ୍କରି ହେବାର ଶେଷ ସୁଯୋଗ ନେଇଥିବା ବାରବାଟୀ ମୁକାବିଲାରେ ବିରାଟ ବାହିନୀ ବି ଛାଡ଼ିଦେଲା ସ୍ମରଣୀୟ ସ୍ବାକ୍ଷର। ଡିସେମ୍ବର ୨୨ ଥିଲା ସବୁଠୁ ଛୋଟ ଦିନ, କଟକ ବି ଥିଲା କ୍ରିକେଟ୍‌ ଦୃଷ୍ଟିକୋଣରୁ ଛୋଟ ସହର। କୋହାଲି ସେନା କିନ୍ତୁ କଟକରେ ହାସଲ କଲେ ବଡ଼ ବିଜୟ, ମ୍ୟାଚ୍‌ ଏବଂ ଦଶମ ଲାଗତାର ଏକଦିବସୀୟ ଶୃଙ୍ଖଳା ବିଜୟ। ବିଜୟ ସହ ବ‌ର୍ଷ ଶେଷ କରିଗଲେ। ବଡ଼ ଦିନ ଏବଂ ନୂଆ ବର୍ଷ ପୂର୍ବରୁ ବି ଭାରତୀୟ କ୍ରିକେଟ୍ ରହିଲା ବଡ଼ ଜୋସ୍‌ରେ।

ଆଗକୁ କ୍ୟାଚ ହାତଛଡ଼ା ନକରିବାକୁ ଅଧିକ ଅଭ୍ୟାସ କରିବୁ: ଜାଦେଜା
ପ୍ରଥମରୁ ରୋହିତ ଓ ରାହୁଲ ମ୍ୟାଚକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିନ୍ତୁ ତିନୋଟି ୱିକେଟ ଚାଲିଯିବା ପରେ ଭାଗୀଦାରି ବଢ଼ାଇବା ଦଳ ପାଇଁ ଜରୁରି ଥିଲା। ଏଥିପାଇଁ ‌କୋହଲି ନିଜ ଉପରେ ଦାୟିତ୍ବ ନେଇଥିଲେ। କୋହଲି ଓ ମୋ’ ଭିତରେ ଯେଉଁ ଭାଗୀଦାରି ହୋଇଥିଲା ତାହା ସେ ସମୟରେ ଗୁରୁତ୍ବପୂର୍ଣ୍ଣ ଥିଲା। ପିଚ୍‌ ବ୍ୟାଟିଂ ପାଇଁ ଭଲ ଥିଲା। ତେଣୁ ଆମେ ନିଜର ସ୍ବଭାବିକ ଖେଳ ଖେଳିଥିଲୁ। ବିରାଟ ଆଉଟ ହେବା ପରେ ସେ ମଧ୍ୟ ମୋତେ ଶେଷ ପର୍ଯ୍ୟନ୍ତ ଖେଳ ନେବାକୁ ସନ୍ଦେଶ ଦେଇଥିଲେ। ସାର୍ଦ୍ଦୁଲଙ୍କ ସହ ମିଶି ଖେଳକୁ ଆମେ ଆଗେଇ ନେଇଥିଲୁ ଓ ଶେଷରେ ବିଜୟୀ ହୋଇଥିଲୁ ବୋଲି ରବୀନ୍ଦ୍ର ଜାଦେଜା କହିଛନ୍ତି। ଏହି ଶୃଙ୍ଖଳାରେ ଏକାଧିକ କ୍ୟାଚ୍‌ ହାତଛଡ଼ା ହୋଇଛି। ଯାହାକି ଆଦୌ ଭଲ ସଙ୍କେତ ନୁହେଁ। ତେଣୁ ଆଗକୁ କ୍ୟାଚ୍‌ ଅଭ୍ୟାସ ଉପରେ ଅଧିକ ଧ୍ୟାନ ଦିଆଯିବ। ପ୍ରତ୍ୟେକ ସୀମିତ ଓଭର ମ୍ୟାଚ୍‌ ରାତିରେ ‌ଶେଷ ହେଉଛି। ତେଣୁ କାକର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଏଥିପାଇଁ ଆମକୁ କ୍ଷେତ୍ରରକ୍ଷଣ ଓ କ୍ୟାଚ୍‌ ଉପରେ ଅଭ୍ୟାସ କରିବାକୁ ହେବ। ବର୍ଷ ଶେଷ ହୋଇଥିବାରୁ ନିଜ ପ୍ରଦର୍ଶନ ଉପରେ ଜାଦେଜା କହିଛନ୍ତି ଯେ, ଏହି ବର୍ଷ ସେ ସେତେ ଅଧିକ କ୍ରିକେଟ୍‌ ଖେଳିନାହାନ୍ତି। ତଥାପି ସୀମିତ ଓଭର କ୍ରିକେଟ୍‌ରେ ସେ କେତେ ଦକ୍ଷ ତାହା ପ୍ରମାଣିତ କରିସାରିଛନ୍ତି। ତେଣୁ ମୋତେ ‌ନିଜକୁ ପ୍ରମାଣିତ କରିବାକୁ ହେବ ଜାଦେଜା କହିଛନ୍ତି।

ଭାରତ ନିଜକୁ ଶ୍ରେଷ୍ଠ ଦଳ ଭାବେ ପୁଣି ପ୍ରମାଣିତ କଲା: ପୂରନ
ଟସ୍‌ର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା। ଆମେ ମଧ୍ୟ ଟସ୍‌ ଜିତିଥିଲେ ବୋଲିଂ କରିଥାନ୍ତୁ। କାରଣ କାକର ବଡ଼ ଭୂମିକା ବହନ କରୁଛି। ତଥାପି ପ୍ରଥମ ପାଳିରେ ଆମେ କରିଥିବା ୩୧୫ ରନ୍‌ ଭଲ ରନ୍‌ ଥିଲା। ଏହି ୱିକେଟ୍‌ରେ ଆରମ୍ଭରୁ ମଧ୍ୟ ଏଭଳି ଆଶ‌ା କରାଯାଉଥିଲା। କିନ୍ତୁ ବୋଲିଂରେ ଶେଷ ଆଡ଼କୁ ଆମେ ଆଶା ଅନୁଯାୟୀ ଠିକ୍‌ ସ୍ଥାନରେ ପକାଇ ନପାରିବାରୁ ପରାଜିତ ହେଲୁ ବୋଲି ନିକୋଲାସ ପୂରନ କହିଛନ୍ତି। ପୋଲାର୍ଡଙ୍କ ସହ ଭାଗୀଦାରି ସମ୍ପର୍କରେ ପୂରନ କହିଛନ୍ତି ଯେ, କ୍ରିକେଟ୍‌ ଖେଳିବା ଦିନଠୁ ସେ ସବୁବେଳେ ମୋତେ ସୁଯୋଗ ଦେଇ ଆସୁଛନ୍ତି। ପଡ଼ିଆ ଭିତରେ ଓ ବାହାରେ ଆମେ ଭଲ ସାଙ୍ଗ। ପରସ୍ପର ପରସ୍ପରଙ୍କୁ ପ୍ରଶଂସା କରୁ। ହେଲେ ଶେଷରେ ଭାରତ ପୁଣି ଥରେ ନିଜକୁ ଶ୍ରେଷ୍ଠ ଦଳ ଭାବେ ପ୍ରମାଣିତ କଲା। ଆଗକୁ ଆମ ପାଇଁ ଭଲ ଦିନ ଆସିବ ବୋଲି ପୂରନ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର