ଫୋର୍ଟ ଲୌଡରହିଲ୍ (ଆମେରିକା) : ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାର ଦ୍ବିତୀୟ ଚରଣ ଅର୍ଥାତ୍ ଶେଷ ଦୁଇ ମ୍ୟାଚ୍ ଶନିବାର ଓ ରବିବାର ଖେଳାଯିବ। ପ୍ରଥମ ଚରଣ ୱେଷ୍ଟଇଣ୍ଡିଜ୍ରେ ଖେଳାଯାଇଥିବା ବେଳେ ଭାରତ ୨-୧ରେ ଆଗୁଆ ଥିବାରୁ ଶନିବାର ବିଜୟ ସହ ଶୃଙ୍ଖଳାକୁ ଆଗୁଆ କବ୍ଜା କରିବା ସୁଯୋଗ ମିଳିବ। ଚଳିତ ବର୍ଷ ବିଶ୍ବକପ୍ ଖେଳାଯିବାକୁ ଥିବାରୁ ଭାରତ ପାଇଁ ଏହି ଶୃଙ୍ଖଳା ଗୁରୁତ୍ବ ବହନ କରୁଛି। ତୃତୀୟ ମ୍ୟାଚ୍ ବେଳେ ମାଂଶପେଶୀ ଟାଣି ହୋଇଯିବାରୁ ରିଟାର୍ଡ ହର୍ଟ ହୋଇଥିବା ଅଧିନାୟକ ରୋହିତ ଶର୍ମା ଫିଟ୍ ଘୋଷିତ ହୋଇଥିବାରୁ ଶନିବାର ମ୍ୟାଚ୍ ଖେଳିବା ସମ୍ଭାବନା ଉଜ୍ବଳ ରହିଛି। ଲୌଡରହିଲ୍ରେ ଭାରତୀୟ ଦଳକୁ ଉତ୍ସାହିତ କରିବାକୁ ମଧ୍ୟ ବହୁ ପ୍ରଶଂସକ ପ୍ରତ୍ୟେକ୍ଷ ଭାବେ ଉପସ୍ଥିତ ରହିବେ।
ବିଶ୍ବକପ୍ ଦଳ ଚୂଡାନ୍ତ ପୂର୍ବରୁ ଏବେ ଭାରତୀୟ ଚୟନକର୍ତାଙ୍କ ବିଶେଷ ନଜର ରହିଛି ଶ୍ରେୟସ ଆୟରଙ୍କ ଉପରେ। ହଠାତ୍ ଅସ୍ଥିର ପ୍ରଦର୍ଶନ ପର୍ଯ୍ୟାୟରେ ସମୟ କାଟୁଛନ୍ତି ଏହି ଶୀର୍ଷକ୍ରମ ବ୍ୟାଟର୍। ଅନ୍ୟପକ୍ଷରେ ଦୀପକ ହୁଡାଙ୍କୁ ମିଳିଥିବା ସୀମିତ ସୁଯୋଗକୁ ସେ ସଦ୍ବ୍ୟବହାର କରିଛନ୍ତି। ବିଶ୍ବକପ୍ ଦଳ ପାଇଁ ହୁଡା ଦାବିଦାର ହେଲେଣି। ଏସିଆ କପ୍ ଚୂଡାନ୍ତ ଏକାଦଶ ଦଳକୁ ବିରାଟ କୋହଲି ଏବଂ କେଏଲ୍ ରାହୁଲ ଫେରିବା ନିଶ୍ଚିତ ଥିବାରୁ ୨୭ ବର୍ଷୀୟ ଆୟରଙ୍କ ପାଇଁ ସମୟ ସରିସରି ଆସୁଛି ବୋଲି ବିବେଚନା କରାଯାଉଛି। ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଆରମ୍ଭରୁ କୌଣସି ଖେଳାଳିଙ୍କୁ ଅନ୍ୟାୟର ଶିକାର ହେବାକୁ ଦିଆଯାଉନାହିଁ। ଯାହାକୁ ସୁଯୋଗ ମିଳୁଛି ପର୍ଯ୍ୟାପ୍ତ ରହୁଛି। ଆୟରଙ୍କ କ୍ଷେତ୍ରରେ କିନ୍ତୁ ଟିକିଏ ଏହା ଭିନ୍ନ ରହିଛି। ଦିନିକିଆ ତୁଳନାରେ ସେ ଟ୍ବେଣ୍ଟି-୨୦ରେ ବିଶେଷ ପ୍ରଭାବ ଛାଡ଼ିନାହାନ୍ତି। ବିଗତ ଅଢ଼େଇ ମାସରେ ସେ ୯ଟି ଟ୍ବେଣ୍ଟି-୨୦ ଖେଳିଥିବା ବେଳେ ମାତ୍ର ଥରେ ୫୦ ଟପିଛନ୍ତି। ଗୋଟିଏ ବର୍ଷାରେ ଧୋଇଯାଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଶେଷ ଦୁଇ ମ୍ୟାଚ୍ରେ ସେ ଖେଳିଲେ ନିଶ୍ଚିତ ପ୍ରଭାବ ଛାଡ଼ିବାକୁ ଚାହିଁବେ। କାରଣ ଏସିଆ କପ୍ ଦଳରେ ସାମିଲ ରହିଲେ ବି ସେ ଚୂଡାନ୍ତ ଏକାଦଶକୁ ଆସିବା କଷ୍ଟକର ହେବ।

ଭାରତ ଏବେ ଆହତ ହର୍ଷଲ ପଟେଲ ଫିଟ୍ ହୋଇଯାଇଥିବାରୁ ତାଙ୍କୁ ଅସ୍ଥିର ଆୱେସ ଖାନଙ୍କ ବଦଳରେ ଖେଳାଇବା ସ୍ଥିତିରେ ରହିଛି। କୁଲଦୀପ ଯାଦବଙ୍କୁ ଖେଳାଇବା କଥା ମଧ୍ୟ ରୋହିତ ଶର୍ମା ବିଚାର କରୁଛନ୍ତି। ଶେଷ ଥର ପାଇଁ ଲୌଡରହିଲ୍ରେ ୨୦୧୬ରେ ଭାରତ-ୱେଷ୍ଟଇଣ୍ଡିଜ୍ ୨ ମ୍ୟାଚ୍ ଶୃଙ୍ଖଳା ଖେଳିଥିବା ବେଳେ ଗୋଟିଏ ମ୍ୟାଚ୍ ବର୍ଷା ଧୋଇନେଇଥିଲା। ୱେଷ୍ଟଇଣ୍ଡିଜ୍ ୧-୦ରେ ଶୃଙ୍ଖଳା ଜିତିଥିଲା। କୋଭିଡ୍ ପ୍ରଭାବିତ ଶ୍ରୀଲଙ୍କା ଗସ୍ତକୁ ଛାଡ଼ିଦେଲେ ଭାରତ ଶେଷ ଥର ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ନିକଟରୁ ହିଁ ଏକ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିଲା।
ଲୌହରଡିଲ୍ର ପିଚ୍ ସମ୍ପର୍କରେ ବିଶେଷ ଧାରଣା ନାହିଁ, କାରଣ ଏଠାରେ ନିୟମିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳାଯାଉନାହିଁ। ପଡିଆ ଛୋଟ ଥିବାରୁ ସଟ୍ର ମୂଲ୍ୟ ମିଳିବ। ଭସା ବାଦଲକୁ ଛାଡିଦେଲେ ବର୍ଷାର ବିଶେଷ ଆଶଙ୍କା ନାହିଁ।
ଭାରତୀୟ ଦଳ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ୍ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଦୀନେଶ କାର୍ତ୍ତିକ, ରୀବନ୍ଦ୍ର ଜାଦେଜା, ହର୍ଷଲ ପଟେଲ୍, ରବିଚନ୍ଦ୍ରନ ଅଶ୍ବିନ, ୟୁଝବେନ୍ଦ୍ର ଚହଲ୍, ଅର୍ଶଦୀପ ସିଂହ।
ୱେଷ୍ଟଇଣ୍ଡିଜ୍ ଦଳ (ସମ୍ଭାବ୍ୟ ୧୧): କାଇଲ୍ ମାୟର୍ସ, ବ୍ରାଣ୍ଡନ୍ କିଙ୍ଗ୍, ନିକୋଲାସ ପୂରନ (ଅଧିନାୟକ), ସିମ୍ରନ ହେଟମାୟର, ରୋଭମାନ ପାୱେଲ, ଡେଭନ୍ ଥୋମାସ (ୱିକେଟରକ୍ଷକ), ଜାସନ୍ ହୋଲ୍ଡର, ଅକିଲ ହୋସେନ୍, ଡୋମିନିକ ଡ୍ରେକ୍ସ, ଅଲଜାରି ଯୋସେଫ, ଓବେଦ ମ୍ୟାକୟ।