ତିରୁଅନନ୍ତପୁରମ: ସ୍ଥାନୀୟ ଗ୍ରୀନଫିଲ୍‌ଡ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ରବିବାର ଅନୁଷ୍ଠିତ ଭାରତ- ୱେଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ଟ୍ୱେଣ୍ଟି-୨୦ ମ୍ୟାଚରେ ଭାରତକୁ ୱେଷ୍ଟଇଣ୍ଡିଜ୍‌ ୮ ଓ୍ଵିକେଟ୍‌ରେ ପରାସ୍ତ କରିଛି। ଲେଣ୍ଡଲ ସିମନ୍‌ସଙ୍କ ଅର୍ଦ୍ଧଶତକ ବଳରେ ୱେଷ୍ଟଇଣ୍ଡିଜ୍‌ ୧୭୧ ରନ୍‌ ବିଜୟ ଲକ୍ଷ୍ୟକୁ ୧୮.୩ ଓଭରରେ ପୂରା କରିଛି। ଟିମ୍‌ ୨ଟି ଓ୍ଵିକେଟ୍‌ ହରାଇ ୧୭୩ ରନ୍‌ କରିଛି। ୱେଷ୍ଟଇଣ୍ଡିଜ୍‌ ଏହି ମ୍ୟାଚ୍‌ ଜିତିବା ପରେ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳା ସମାନ ସ୍ତରରେ ପହଂଚିଛି। କାରଣ ପ୍ରଥମ ଟ୍ୱେଣ୍ଟି-୨୦ରେ ଭାରତ ହାଇଦ୍ରାବାଦ୍‌ରେ ୬ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା। ମୁମ୍ବାଇରେ ଡିସେମ୍ବର ୧୧ରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଟ୍ୱେଣ୍ଟି-୨୦ରେ ଶୃଙ୍ଖଳାର ବିଜେତା ସ୍ପଷ୍ଟ ହେବ।

Advertisment

୧୭୧ ରନ୍‌ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବା ପରେ ୱେଷ୍ଟଇଣ୍ଡିଜ୍‌ ଓପନର ଲେଣ୍ଡଲ ସିମନ୍‌ସ ଭାରତୀୟ ବୋଲରଙ୍କ ଉପରେ ଆଧିପତ୍ୟ ଜାରି ରଖିଥିଲେ। ସେ ୪୫ଟି ବଲ ଖେଳି ଅପରାଜିତ ୬୭ ରନ୍‌ ଯୋଡ଼ିଥିଲେ। ଏଥିରେ ୪ଟି ଚୌକା ଓ ୪ଟି ଛକା ସାମିଲ ଥିଲା। ସେହିପରି ନିକୋଲାସ୍‌ ପୂରନ ମଧ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ ବ୍ୟାଟିଂ କରିଥିଲେ। ସେ ୧୮ଟି ବଲ ଖେଳି ୪ଟି ଚୌକା ଓ ୨ଟି ଛକା ବଳରେ ଅପରାଜିତ ୩୮ ରନ୍‌ ସଂଗ୍ରହ କରିଥିଲେ।

ଓପନର ଇଭନ୍‌ ଲୁଇସଙ୍କ ବ୍ୟାଟ୍‌ରୁ ୪୦ ରନ୍‌ ମିଳିଥିଲା। ସେ ୩୫ଟି ବଲ ଖେଳି ୩ଟି ଚୌକା ଓ ୩ଟି ଛକା ମାରିଥିଲେ। ସେହିପରି ଟିମ୍‌ର ସ୍କୋରରେ ସିମ୍‌ରନ୍‌ ହେଟମେୟରଙ୍କ ମଧ୍ୟ ଭଲ ଯୋଗଦାନ ଥିଲା। ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ହେଟମେୟର ୧୪ଟି ବଲ ଖେଳି ୨୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୩ଟି ଛକା ସାମିଲ ଥିଲା।

ୱେଷ୍ଟଇଣ୍ଡିଜ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଯୁବ ବ୍ୟାଟ୍‌ସମ୍ୟାନ୍‌ ଶିଭମ୍‌ ଦୁବେଙ୍କ ପ୍ରଥମ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ବଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୭୦ ରନ୍‌ କରିଥିଲା।

publive-image Photo: Hindustan Times

ଆରମ୍ଭରୁ ଭାରତ ଭଲ ବ୍ୟାଟିଂ କରିଥିଲା କିନ୍ତୁ ଚତୁର୍ଥ ଓଭରର ପ୍ରଥମ ବଲରେ ଯୁବ ବ୍ୟାଟସ୍‌ମ୍ୟାନ୍‌ ଲୋକେଶ ରାହୁଲ ୭ ରନ୍‌ କରି ପାଭଲିଅନ୍‌ ଫେରିଯାଇଥିଲେ। ସେତେବେଳକୁ ଟିମ୍‌ର ସ୍କୋର ୨୪ ରନ୍‌ ଥିଲା। ଏହା ପରେ ଭାରତ ଦ୍ୱିତୀୟ ଓ୍ଵିିକେଟ୍‌ ଭାବେ ରୋହିତ ଶର୍ମା (୧୫ ରନ୍‌)ଙ୍କୁ ହରାଇଥିଲା। ତେବେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଶିଭମ୍‌ ଦୁବେ କ୍ରିଜରେ ତିଷ୍ଠି ରହି ୩୦ଟି ବଲ ଖେଳି ୩ଟି ଚୌକା ଓ ୬ଟି ଛକା ସହ ୫୪ ରନ୍‌ ସଂଗ୍ରହ କରିଥିଲେ। ଦୁବେ ଧମାକାଦାର ବ୍ୟାଟିଂ କରି ଆଉଟ୍‌ ହୋଇ ପାଭଲିଅନ୍‌ ଫେରିବା ବେଳକୁ ଭାରତର ସ୍କୋର ୯୭ରେ ପହଂଚିଥିଲା।

ଏହାପରେ ପଡ଼ିଆକୁ ଅଧିନାୟକ ବିରାଟ କୋହଲି ଓହ୍ଲାଇ ଥିଲେ ମଧ୍ୟ ଅଧିକ ସମୟ ଯାଏଁ କ୍ରିଜରେ ରହିପାରି ନ ଥିଲେ। ସେ ୧୭ଟି ବଲ ଖେଳି ୧୯ ରନ୍‌ କରିବା ପରେ ଆଉଟ୍‌ ହୋଇଯାଇଥିଲେ। ଏହାପରେ ଟିମ୍‌ ପାଇଁ ଶ୍ରେୟସ ଆୟର ୧୦ ରନ୍‌ ଓ ରବୀନ୍ଦ୍ର ଜାଦେଜା ୯ ରନ୍‌ ଯୋଡ଼ିଥିଲେ। ପରେ ଋଷବ ପନ୍ତଙ୍କ ଅପରାଜିତ ୩୩ ରନ୍‌ ବଳରେ ଭାରତର ରନ୍‌ ସଂଖ୍ୟା ୧୭୦ରେ ପହଞ୍ଚିଥିଲା।

ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ କେସ୍ରିକ ୱିଲିୟମ୍‌ସ ଓ ହେଡେନ ୱାଲ୍‌ସ ୨-୨ ଓ୍ଵିକେଟ୍‌ ନେଇଥିବା ବେଳେ ଜାସନ ହୋଲ୍‌ଡର, ଖରି ପିଏରେ ଓ ସେଲଡନ କଟରେଲଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।