ପୋର୍ଟ ଅଫ୍ ସ୍ପେନ୍: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶତକୀୟ ଟେଷ୍ଟ୍ ମୁକାବିଲା ଗୁରୁବାର ରାତିରୁ ଆରମ୍ଭ ହେବ। ପୋର୍ଟ ଅଫ୍ ସ୍ପେନ୍ରେ ଖେଳାଯିବାକୁ ଥିବା ଏହି ଟେଷ୍ଟ୍ ଚଳିତ ଶୃଙ୍ଖଳାର ଦ୍ବିତୀୟ ତଥା ଅନ୍ତିମ ମୁକାବିଲା। ଭାରତ ୧-୦ରେ ଆଗୁଆ ଥିବାରୁ ସୁବିଧାଜନକ ସ୍ଥିତିରେ ରହିଛି। ତେବେ ପ୍ରଥମ ଟେଷ୍ଟ୍ରୁ ମାତ୍ର ୪ ଦିନ ଭିତରେ ହାରିଥିବା ଘରୋଇ ୱେଷ୍ଟଇଣ୍ଡିଜ୍ ନିଶ୍ଚିତ ଆଉ ଏକ ଆହ୍ବାନର ସମ୍ମୁଖୀନ ହେବ। ଭାରତ ଶୃଙ୍ଖଳା ଜିତିବା ସମ୍ଭାବନା ଅଧିକ ଥିବାବେଳେ ଘରୋଇ ଦଳ ନିଶ୍ଚିତ କିଛିଟା ଲଢ଼େଇ କରିବାକୁ ଆଶା ରଖିବ।
ଭାରତୀୟ ଦଳ ଉପଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ ପାଇଁ ଏହା ଆଉ ଏକ ସୁଯୋଗ ଦେଇଛି। ଦୀର୍ଘ ୧୮ ମାସ ପରେ ଟେଷ୍ଟ୍ କ୍ରିକେଟ୍କୁ ଫେରି ଗତ ମାସରେ ଆଇସିସି ବିଶ୍ବ ଟେଷ୍ଟ୍ ଚାମ୍ପିୟନସିପ୍ ଫାଇନାଲ୍ ଖେଳିଥିଲେ ରାହାଣେ। ଅଷ୍ଟ୍ରେଲିଆ ବିପକ୍ଷ ସେହି ଫାଇନାଲ୍ରେ ସେ ଭାରତର ଅଗ୍ରଣୀ ରନ୍ ସ୍କୋରର୍ ଥିଲେ। କିନ୍ତୁ ଡୋମିନିକାରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଖେଳିଥିବା ଏକମାତ୍ର ପାଳିରେ ବିଫଳ ହୋଇଥିଲେ। ଭାରତର ପରବର୍ତ୍ତୀ ଟେଷ୍ଟ୍ ଶୃଙ୍ଖଳା ଡିସେମ୍ବରର ଦକ୍ଷିଣ ଆଫ୍ରିକା ଗସ୍ତ ରହିଛି। ଶ୍ରେୟସ ଆୟର୍ ସେତେବେଳକୁ ଉପଲବ୍ଧ ହେବା ସମ୍ଭାବନା ଥିବାରୁ ରାହାଣେଙ୍କ ନିଜ ସ୍ଥାନ ସୁରକ୍ଷିତ ରଖିବାକୁ ନିଶ୍ଚିତ ପୋର୍ଟ ଅଫ୍ ସ୍ପେନ୍ରେ ଭଲ ପାଳି ଖେଳିବାକୁ ପଡ଼ିବ। ଅନ୍ୟପକ୍ଷରେ ୧୩ ବର୍ଷ ଭିତରେ ୩୧ ବର୍ଷୀୟ ଜୟଦେବ ଉନାଦକଟ୍ ମାତ୍ର ୩ ଟେଷ୍ଟ୍ ଖେଳିଥିବାରୁ ଆଉ ଏକ ସୁଯୋଗ ପାଇବା ସମ୍ଭାବନା ରହିଛି। ଡୋମିନିକାରେ କିନ୍ତୁ ସେ ମାତ୍ର ୯ ଓଭର ବୋଲିଂ କରି ୱିକେଟଶୂନ୍ୟ ରହିଥିଲେ। ଅବଶ୍ୟ ଡୋମିନିକାରେ ଭାରତୀୟ ସ୍ପିନ୍ ଯୋଡ଼ି ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ପ୍ରାଧାନ୍ୟ ବିସ୍ତାର କରିବାରୁ ଦ୍ରୁତ ବୋଲରଙ୍କ ପାଇଁ ବିଶେଷ ସୁଯୋଗ ନଥିଲା। ପ୍ରଥମ ଟେଷ୍ଟ୍ରେ ୭୬ ରନ୍ କରିଥିବା ବିରାଟ କୋହଲିଙ୍କଠାରୁ ୨୦୧୮ ମସିହା ପରେ ବିଦେଶରେ ପ୍ରଥମ ଶତକ ଆଶା କରାଯାଉଛି। ତୃତୀୟ ଭାରତୀୟ ଭାବେ ଯଶସ୍ବୀ ଜୟସ୍ବାଲ ପଦାର୍ପଣରେ ୧୫୦ରୁ ଊର୍ଧ୍ବ ରନ୍ ପାଳି (୧୭୧) ଖେଳିଥିବାରୁ ଏଠାରେ ମଧ୍ୟ ଅନୁରୂପ ଆଶା ରହିବ। କିନ୍ତୁ ନିମ୍ନକ୍ରମକୁ ଖସିବା ପରେ ଶୁବମନ ଗିଲ୍ଙ୍କଠାରୁ ଏକ ଆତ୍ମବିଶ୍ବାସ ଭରା ପାଳିର ଅପେକ୍ଷା ରହିଛି।
ଭାରତ ବିପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଗତ ୨୧ ବର୍ଷ ଭିତରେ ଗୋଟିଏ ବି ବିଜୟ ପାଇନାହିଁ। ପ୍ରଥମ ଟେଷ୍ଟ୍ର ଶ୍ରେଷ୍ଠ ଖେଳାଳି ଜୟସ୍ବାଲଙ୍କୁ ମାତ୍ର ୫ ମାସ ହୋଇଥିବା ବେଳେ ୨୦୦୨ରେ ଭାରତକୁ ୱେଷ୍ଟଇଣ୍ଡିଜ୍ ଶେଷ ଥର ପାଇଁ ହରାଇଥିଲା। ଏହା ପରଠାରୁ ଉଭୟ ଦଳ ୨୪ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୧୫ଟି ଜିତି ଅବଶିଷ୍ଟ ୯ଟିକୁ ଅମୀମାଂସିତ ରଖିଛି। ମୋଟ ଉପରେ ଉଭୟ ଦଳ ଖେଳିଥିବା ୯୯ ଟେଷ୍ଟ୍ରୁ ଭାରତ ୨୩, ୱେଷ୍ଟଇଣ୍ଡିଜ୍ ୩୦ ଜିତିଛନ୍ତି। ଅବଶିଷ୍ଟ ୪୬ ଟେଷ୍ଟ୍ ବିନା ହାରଜିତ୍ରେ ଶେଷ ହୋଇଛି। ପୋର୍ଟ ଅଫ୍ ସ୍ପେନ୍ର କୁଇନ୍ସ ପାର୍କ ଓଭାଲ୍ରେ ଭାରତ ୧୩ ଟେଷ୍ଟ୍ ଖେଳି ୩ ଜିତିଛି। ଆଉ ଏକ ବିଜୟ ଭାରତ ପାଇଁ ମେଲବର୍ଣ୍ଣ ପରେ ଯୁଗ୍ମ ସଫଳ ଟେଷ୍ଟ୍ ଭେନ୍ୟୁ ହୋଇପାରିବ। କୁଇନ୍ସ ପାର୍କ ଓଭାଲ୍ରେ ୨୦୧୮ ମସିହା ପରଠାରୁ ଟେଷ୍ଟ୍ ମ୍ୟାଚ୍ ଖେଳାଯାଇନାହିଁ। ସ୍ପିନରଙ୍କ ତୁଳନାରେ ଦ୍ରୁତ ବୋଲରମାନେ ଏଠାରେ ପରିସ୍ଥିତି ଓ ପରିବେଶରୁ ଅଧିକ ଫାଇଦା ଉଠାଇଥାନ୍ତି। ବର୍ଷା କିନ୍ତୁ ସମସ୍ତ ୫ ଦିନ ପାଇଁ ପୂର୍ବାନୁମାନ ତାଲିକାରେ ରହିଛି।
ଭାରତୀୟ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଦେଜା, ଈଶାନ କିଶନ, ଆର୍ ଅଶ୍ବିନ୍, ଶାର୍ଦୁଳ ଠାକୁର, ଜୟଦେବ ଉନାଦକଟ୍, ମହମ୍ମଦ ସିରାଜ୍।
ୱେଷ୍ଟଇଣ୍ଡିଜ୍ ସମ୍ଭାବ୍ୟ ଏକାଦଶ: କ୍ରେଗ୍ ବ୍ରାଥ୍ୱେଟ୍ (ଅଧିନାୟକ), ଟାଗେନାରାୟଣ ଚନ୍ଦରପଲ୍, ଆଲିକ୍ ଆଥାନେଜ୍, ଜର୍ମାଇନ୍ ବ୍ଲାକଉଡ୍, କିର୍କ ମ୍ୟାକେଞ୍ଜି, ଜାସନ୍ ହୋଲ୍ଡର, ଯୋଶୁଆ ଡ’ ସିଲଭା, ରାଖିମ କର୍ଣ୍ଣୱାଲ୍/କେଭିନ୍ ସିନକ୍ଲେୟାର୍, ଅଲଜାରି ଯୋସେଫ, କେମାର ରୋଚ୍, ସାନନ୍ ଗାବ୍ରିଏଲ୍/ଜୋମେଲ୍ ୱାରିକାନ୍।
ଲାରାଙ୍କୁ ଭେଟିବାକୁ ଭୁଲିଲେନି ଭାରତୀୟ ଖେଳାଳି
ତ୍ରିନିଦାଦ: ୱେଷ୍ଟଇଣ୍ଡିଜ୍ର ତିନି ମହାନ ଖେଳାଳି ଭିଭିଆନ୍ ରିଚାର୍ଡସ, ଗ୍ୟାରି ସୋବର୍ସ, ବ୍ରାଏନ୍ ଲାରାଙ୍କୁ ପରବର୍ତୀ ପିଢ଼ିର ଖେଳାଳି ଭେଟିବା ଏକ ବିରଳ ମୁହୂର୍ତ। ଏଭଳି ସୁଯୋଗ ପାଇଛନ୍ତି ଭାରତୀୟ ଖେଳାଳି। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟ ବେଳେ ସୋବର୍ସଙ୍କ ସାନ୍ନିଧ୍ୟ ଲଭିଥିବାବେଳେ ବୁଧବାର ବିଶ୍ବରେକର୍ଡଧାରୀ ବ୍ରାଏନ୍ ଲାରାଙ୍କୁ ସାକ୍ଷାତ କରିଛନ୍ତି। ଦ୍ବିତୀୟ ଟେଷ୍ଟ୍ ଗୁରୁବାରଠୁ ଆରମ୍ଭ ହେବ। ବୁଧବାର ଲାରାଙ୍କ ସହ ଅଧିନାୟକ ରୋହିତ ଶର୍ମା, ତାରକା ବ୍ୟାଟର୍ ବିରାଟ କୋହଲି, ମହମ୍ମଦ ସିରାଜ, ଶାର୍ଦୁଳ ଠାକୁର, ଅଜିଙ୍କ୍ୟ ରାହାଣେ ଓ ଋତୁରାଜ ଗାଏକ୍ବାଡ ଆଲୋଚନା କରିବାର ଏକ ଭିଡିଓକୁ ବିସିସିଆଇ ନିଜ ଟ୍ବିଟର୍ ପୃଷ୍ଠାରେ ପୋଷ୍ଟ କରିଛି। ଏହାର ଶିରୋନାମାରେ ବିସିସିଆଇ ଲେଖିଛି ‘ତ୍ରିନିଦାଦରେ ଥିଲାବେଳେ କିଂମ୍ବଦନ୍ତି ବ୍ରାଏନ ଲାରାଙ୍କ ଭେଟିବାକୁ ଭୁଲିବେନି’। ପୂର୍ବରୁ ଲାରା ବିପକ୍ଷରେ ଅନେକ ମ୍ୟାଚ୍ ଖେଳିଥିବା ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ ମଧ୍ୟ ତାଙ୍କ ସହ ବାର୍ତ୍ତାଳାପ କରୁଥିବାରୁ ଭିଡିଓରେ ଦେଖାଯାଇଛି। ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ଶୃଙ୍ଖଳାରେ ଭାରତ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି। ଦ୍ବିତୀୟ ମ୍ୟାଚ୍ ଜିତି ଶୃଙ୍ଖଳା ମୂଳପୋଛ କରିବା ଲକ୍ଷ୍ୟରେ ଭାରତ ରହିଛି।