ପୋର୍ଟ ଅଫ୍ ସ୍ପେନ୍, ୨୨ା୭: ୱେଷ୍ଟଇଣ୍ଡିଜ୍ ଗସ୍ତକୁ ଭାରତ ରୋମାଞ୍ଚକ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଦିନିକିଆକୁ ଶିଖର ଧାୱନଙ୍କ ଦଳ ଉତ୍କଣ୍ଠାପୂର୍ଣ୍ଣ ଭାବେ ୩ ରନ୍ରେ ଜିତି ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଶିଖର ଧାୱନ, ଶୁବମନ ଗିଲ୍, ଶ୍ରେୟସ ଆୟରଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଭାରତ ୩୦୮ ରନ୍ କରିବା ପରେ ଘରୋଇ ଦଳକୁ ୩୦୫ ରନ୍ରେ ରୋକି ଦେଇଥିଲା। ଶେଷ ଓଭରରୁ ୧୫ ରନ୍ ଆବଶ୍ୟକ ଥିବାବେଳେ ମହମ୍ମଦ ସିରାଜ୍ ୧୧ ରନ୍ ଦେଇ ଦଳକୁ ବିଜୟମଣ୍ଡିତ କରିଥିଲେ। ସିରାଜ, ଶାର୍ଦୁଳ ଠାକୁର ଓ ୟୁଝବେନ୍ଦ୍ର ଚହଲ୍ ୨ ଲେଖାଏଁ ୱିକେଟ୍ ନେଇଥିଲେ।
ଧାୱନ ଶତକରୁ ବଞ୍ଚିତ
ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲା। ମ୍ୟାଚ୍ ଆରମ୍ଭ ପୂର୍ବରୁ କିନ୍ତୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ଶକ୍ତ ଝଟକା ଲାଗିଥିଲା। ଆହତ କାରଣରୁ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଦେଜା ଚୂଡାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ସେହିଭଳି ଦଳକୁ ପ୍ରତ୍ୟାବର୍ତନ ଅପେକ୍ଷାରେ ଥିବା ଅଭିଜ୍ଞ ଅଲ୍ରାଉଣ୍ଡର୍ ଜାସନ୍ ହୋଲ୍ଡର କୋଭିଡ୍ ସଂକ୍ରମିତ ହେବାରୁ ଖେଳିପାରିନଥିଲେ। ଭାରତ ପାଇଁ କିନ୍ତୁ ବାମ-ଡାହାଣ ପ୍ରାରମ୍ଭିକ ଯୋଡ଼ି ଶିଖର ଧାୱନ-ଶୁବମନ ଗିଲ୍ ବଢ଼ିଆ ଆରମ୍ଭ କରିଥିଲେ। ଘରୋଇ ଦଳର ଦିଶାହୀନ ବୋଲିଂରୁ ଫାଇଦା ଉଠାଇ ପ୍ରଥମ ୱିକେଟ୍ ପାଇଁ ୧୭.୪ ଓଭରରେ ୧୧୯ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲେ। ନିଜ ନିଜର ଅର୍ଧଶତକ ମଧ୍ୟ ଜମାଇ ନେଇଥିଲେ। ନିଜ ଚତୁର୍ଥ ଦିନିକିଆରେ ଗିଲ୍ ପ୍ରଥମ ଥର ପଚାଶ ଟପିଥିଲେ ମାତ୍ର ୩୬ ବଲ୍ରୁ। ଜମି ଆସୁଥିବା ଗିଲ୍ (୬୪, ୫୩ ବଲ୍, ୬ ଚୌକା, ୨ ଛକା) ନିଜ ଭୁଲ ପାଇଁ ରନ୍ ଆଉଟ୍ ହୋଇଯାଇଥିଲେ। ଅନ୍ୟପଟେ ଅପେକ୍ଷାକୃତ ଜଗିରଖି ଖେଳୁଥିବା ଅଧିନାୟକ ଶିଖର ଧାୱନ କ୍ରମେ ଗିୟର ବଦଳାଇ ରନ୍ ହାର ବଢ଼ାଇଥିଲେ। କିନ୍ତୁ ମାତ୍ର ୩ ରନ୍ ପାଇଁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଶତକ (୯୭, ୯୯ ବଲ୍, ୧୦ ଚୌକା, ୩ ଛକା)ରୁ ବଞ୍ଚିତ ରହିଥିଲେ।
ମୋତି କହ୍ନାଇଙ୍କ ବୋଲିଂରେ ବ୍ୟାକୱାର୍ଡ ପଏଣ୍ଟରେ କ୍ୟାଚ୍ ନେଇଥିଲେ ସାମରା ବ୍ରୁକ୍ସ। ଶ୍ରେୟସ ଆୟରଙ୍କ ସହ ମିଶି ୯୪ ରନ୍ ଭାଗୀଦାରି ଗଢ଼ିସାରିଥିଲେ। ଆୟର (୫୪, ୫୭ ବଲ୍, ୫ ଚୌକା, ୨ ଛକା) ମଧ୍ୟ ଅର୍ଦ୍ଧଶତକ ହାସଲ କରିବା ପରେ ଆଗକୁ ବଢ଼ି ପାରିନଥିଲେ। ସେ ମୋତିଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ୩୨ତମ ଓଭରରେ ୨୦୦ ରନ୍ ପୂର୍ଣ୍ଣ କରିଥିବା ଭାରତକୁ କିନ୍ତୁ ରୋକିବାରେ ଇଣ୍ଡିଜ୍ ବୋଲର ସକ୍ଷମ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ଏବଂ ସଞ୍ଜୁ ସାମସନ୍ ଶସ୍ତାରେ ଆଉଟ୍ ହୋଇଯାଇଥିଲେ। ଦୀପକ ହୁଦା ଲୟରେ ନ ଥିବା ଭଳି ସଂଘର୍ଷ କରିବାରୁ ଭାରତ ଶେଷ ୧୦ ଓଭରରେ ଆଶା ମୁତାବକ ରନ୍ କରିପାରିନଥିଲା। ଏକଦା ୩୫୦ ସ୍କୋର୍ ସହଜ ଲାଗୁଥିଲେ ମଧ୍ୟ ୩୦୦ ରନ୍ ପାଇଁ ସଂଘର୍ଷ କରିଥିଲା ଭାରତ। ୪୮ତମ ଓଭରରୁ ଦୀପକ ହୁଦା ଓ ଅକ୍ଷର ପଟେଲ୍ ୨୦ ରନ୍ ଆଦାୟ କରିବାରୁ ଦଳ ୩୦୦ ଟପିପାରିଥିଲା। ଭାରତ ପାଳିର ଦ୍ବିତୀୟାର୍ଦ୍ଧରେ ୱେଷ୍ଟଇଣ୍ଡିଜ୍ ବୋଲର ଶୃଙ୍ଖଳିତ ଭାବେ ଲାଇନ୍ ଓ ଲେନ୍ଥରେ ବୋଲିଂ କରି ଭାରତକୁ ନିୟନ୍ତ୍ରଣରେ ରଖିଥିଲେ।