ମୁମ୍ବାଇ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶୃଙ୍ଖଳା ନିର୍ଣ୍ଣାୟକ ଶେଷ ମ୍ୟାଚ୍ ବୁଧବାର ଖେଳାଯିବ। ଆଇସିସି ଟି-୨୦ ମାନ୍ୟତାରେ ଭାରତ ୫ ଓ ୱେଷ୍ଟଇଣ୍ଡିଜ୍ ୧୦ ନମ୍ବର ଦଳ। କିନ୍ତୁ ସାମ୍ପ୍ରତିକ ପ୍ରଦର୍ଶନ ଏହି ଦୁଇ ଦଳକୁ ସମତୁଲ ସ୍ଥିତିରେ ରଖିଛି। ଚଳିତ ଶୃଙ୍ଖଳାର ସ୍ଥିତି ୧-୧ ମଧ୍ୟ ଏହାର ପ୍ରତିଫଳନ ରଖିଛି। ସେହି ଦୃଷ୍ଟିରୁ ଶୃଙ୍ଖଳା ବିଜୟ ଲାଗି ଦୁଇ ଦଳ ନିକଟରେ ସୁଯୋଗ ଆସିଛି। ହାଇଦ୍ରାବାଦରେ ଭାରତ ଏବଂ ତିରୁଅନନ୍ତପୁରମରେ ଇଣ୍ଡିଜ୍ ସହଜରେ ଜିତିଥିଲେ। ବୁଧବାର କିନ୍ତୁ ଏକ ରୋମାଞ୍ଚକ ଟି-୨୦ ଟକ୍କର ଦେଖିବାକୁ ମିଳିବ ବୋଲି ଆଶା କରିଛନ୍ତି ପ୍ରଶଂସକମାନେ। ୩ ବର୍ଷ ତଳେ ୱାଙ୍ଖ୍ଡେ ଷ୍ଟାଡିୟମ୍ରେ ଭାରତକୁ ଟି-୨୦ ବିଶ୍ବକପ୍ ସେମିଫାଇନାଲ୍ରେ ବିଦାୟ ରାସ୍ତା ଦେଖାଇବା ପରେ ମୁକୁଟ ବିଜେତା ହୋଇଥିବା ୱେଷ୍ଟଇଣ୍ଡିଜ୍ ଏବେ ଶୃଙ୍ଖଳା ବିଜୟ ସହ ଆସନ୍ତା ବର୍ଷର ବିଶ୍ବକପ୍ ପ୍ରସ୍ତୁତିକୁ ଠିକଣା ପଥକୁ ଆଣିବା ଆଶାରେ ରହିଛି।
ଭାରତର ନଜର ଏବେ ନିଶ୍ଚିତ ଖରାପ ପ୍ରଦର୍ଶନ କରୁଥିବା ଅଫ୍ସ୍ପିନର୍ ୱାସିଂଟନ୍ ସୁନ୍ଦର ଏବଂ ୱିକେଟ୍ରକ୍ଷକ ଋଷବ ପନ୍ତଙ୍କ ଉପରେ ରହିଛି। ସୁନ୍ଦରଙ୍କ ବଦଳରେ ଦଳୀୟ ମ୍ୟାନେଜ୍ମେଣ୍ଟ୍ କୁଲଦୀପ ଯାଦବଙ୍କୁ ସୁଯୋଗ ଦେଉଛନ୍ତି କି ନା ଦେଖିବାର ଅଛି। ବାଂଲାଦେଶ ଏବଂ ୱେଷ୍ଟ୍ଇଣ୍ଡିଜ୍ ଶୃଙ୍ଖଳାକୁ ମିଶାଇ ଗତ ୫ ମ୍ୟାଚ୍ରେ ସେ ୨୩ ଓଭରରେ ୧୪୪ ରନ୍ ବ୍ୟୟ କରି ସାରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ୨ ମ୍ୟାଚ୍ରେ ମଧ୍ୟ ୱିକେଟଶୂନ୍ୟ ରହିଥିଲେ। ତାଙ୍କ କ୍ଷେତ୍ରରକ୍ଷଣ ଏବେ କୋହଲିଙ୍କୁ ଚିନ୍ତାରେ ବି ପକାଇଛି। ସେହି ଭଳି ୪ ନମ୍ବରରେ ଖେଳି ପନ୍ତ ଗତ ମ୍ୟାଚ୍ରେ ୩୩* ରନ୍ କରିଥିଲେ ମଧ୍ୟ ବିଗତ ୭ ଟି-୨୦ ପାଳିରେ ଏହି ଥରେ ମାତ୍ର ୩୦ ଟପିଛନ୍ତି। ଦଳ ବାହାରେ ସଞ୍ଜୁ ସାମସନ୍ ବସିଥିବାରୁ ପନ୍ତଙ୍କ ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ପାଖେଇ ଆସୁଛି। ଭାରତର ଅନ୍ୟତମ ଚିନ୍ତା ହେଉଛି ପ୍ରାରମ୍ଭିକ ବ୍ୟାଟିଂ। ରୋହିତ ଶର୍ମା ବିରଳ ଭାବେ ଦୁଇ ଥର ବିଫଳ ହୋଇଛନ୍ତି। ବିରାଟ କୋହଲି, ଲୋକେଶ ରାହୁଲଙ୍କ ପରେ ଶିଭମ ଦୁବେ ମଧ୍ୟ ବଡ଼ ସଟ୍ ଖେଳିବାର ଦକ୍ଷତା ଦେଖାଇ ସାରିଛନ୍ତି। ବୋଲିଂରେ ମଧ୍ୟ ବାଂଲାଦେଶ ବିପକ୍ଷ ସଫଳତାକୁ ଦୋହରାଇ ପାରିନାହାନ୍ତି ଦୀପକ ଚହର। ତାଙ୍କ ବଦଳରେ ମହମ୍ମଦ ସାମି ଖେଳିବା ସମ୍ଭାବନା ରହିବ।
ଅନ୍ୟପକ୍ଷରେ ବିସ୍ଫୋରକ ବ୍ୟାଟିଂ କରିବାରେ ୱେଷ୍ଟଇଣ୍ଡିଜ୍ ମାହିର ଥିବାରୁ ବୁଧବାର ୱାଙ୍ଖ୍ଡେରେ ବ୍ରେଣ୍ଡନ୍ କିଙ୍ଗ୍, ଏଭିନ୍ ଲୁଇସ୍, ନିକୋଲାସ୍ ପୂରନ୍, ସିମରନ୍ ହେଟମେୟର୍ଙ୍କ ସହିତ ଅଧିନାୟକ କିରଣ ପୋଲାର୍ଡ ମଧ୍ୟ ବଡ଼ ବଡ଼ ଛକା ମାରି ଦଳକୁ ଦୃଢ଼ ସ୍ଥିତିରେ ରଖିବେ ବୋଲି ଆଶା କରିଛନ୍ତି। ବୋଲିଂରେ ସେଲଡନ୍ କଟ୍ରେଲ, ଜାସନ୍ ହୋଲ୍ଡର, ଲେଗ୍ ସ୍ପିନର୍ ହେଡେନ୍ ୱାଲ୍ସ ଜୁନିଅର୍ ପ୍ରମୁଖ ଦଳର ଭରସାରେ ରହିବେ। ୱାଙ୍ଖ୍ଡେରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିବାର ଅଭିଜ୍ଞତା ରଖିଥିବାରୁ ଲେଣ୍ଡଲ୍ ସିମନ୍ସ ଏବଂ କିରଣ ପୋଲାର୍ଡ ମଧ୍ୟ ଏହାକୁ ଉପଯୋଗ କରିବାର ସୁଯୋଗ ପାଇବେ। ପୋଲାର୍ଡଙ୍କ ଆଇପିଏଲ୍ ଅଭିଜ୍ଞତା ମଧ୍ୟ ଦଳକୁ ସହାୟକ ହେବ ବୋଲି ଦଳର ପ୍ରଶିକ୍ଷକ ଫିଲ୍ ସିମନ୍ସ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ତାରକା ଖେଳାଳି ରୋହିତ ଶର୍ମା କିନ୍ତୁ ଶୃଙ୍ଖଳା ଉପରେ ସମ୍ପୂର୍ଣ୍ଣ ଏକାଗ୍ର ରହିଛନ୍ତି। ଟି-୨୦ ବିଶ୍ବକପ୍ ପାଇଁ ଢେର ସମୟ ଅଛି, ପ୍ରଥମେ ଏହି ଶୃ୍ଙ୍ଖଳା ଜିତାଯାଉ ବୋଲି ସେ ପ୍ରକାଶ କରିଛନ୍ତି। ଏବେଠାରୁ ବିଶ୍ବକପ୍ ଦଳ ଗଢ଼ିବା ପରିବର୍ତେ ଶୃଙ୍ଖଳା ଜିତି ଭଲ ସ୍ଥିତିରେ ରହିବା ଶ୍ରେୟସ୍କର। ଆମେ ଯଦି ବିଜୟ ଜାରି ରଖିବୁ ଏବଂ ପଡ଼ିଆରେ ସବୁକିଛି ଠିକ୍ ଠାକ୍ ଚାଲିବ ତେବେ ଦଳୀୟ ସମନ୍ବୟ ନିଜର ଯତ୍ନ ନେବ’ ବୋଲି ରୋହିତ କହିଥିଲେ।
ପିଚ୍ ଓ ପାଗ: ମୁମ୍ବାଇରେ ବୁଧବାର ରାତିର ପାଗ ଭଲ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ଫ୍ଲାଟ୍ ପିଚ୍ ଥିବାରୁ ଛକା ଓ ଚୌକା ବର୍ଷିବ ବୋଲି ମଧ୍ୟ ଆଶା ରହିଛି। ୱାଙ୍ଖ୍ଡେ ପିଚ୍ ସବୁବେଳେ ଚମତ୍କାର, ଏହାର ବ୍ୟବହାରକୁ ନେଇ ଦ୍ବିତୀୟ ଥର ଚିନ୍ତା କରିବାର ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଛନ୍ତି ୱେଷ୍ଟ୍ଇଣ୍ଡିଜ୍ ପ୍ରଶିକ୍ଷକ ଫିଲ୍ ସିମନ୍ସ।
ଭାରତୀୟ ଦଳ (ସମ୍ଭାବ୍ୟ): ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ କୋହଲି (ଅଧିନାୟକ), ଋଷବ ପନ୍ତ, ଶ୍ରେୟସ ଆୟର, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୱାସିଂଟନ୍ ସୁନ୍ଦର, ଦୀପକ ଚହର, ଭୁବନେଶ୍ବର କୁମାର, ୟୁଜବେନ୍ଦ୍ର ଚହଲ।
ୱେଷ୍ଟଇଣ୍ଡିଜ୍ ଦଳ (ସମ୍ଭାବ୍ୟ): ଲେଣ୍ଡଲ୍ ସିମନ୍ସ, ଏଭିନ୍ ଲୁଇସ୍, ବ୍ରେଣ୍ଡନ୍ କିଙ୍ଗ୍, ସିମରନ୍ ହେଟମେୟର୍, ନିକୋଲାସ ପୂରନ (ୱିକେଟରକ୍ଷକ), କିରଣ ପୋଲାର୍ଡ (ଅଧିନାୟକ), ଜାସନ୍ ହୋଲ୍ଡର, ଖରି ପିଏର୍, କେସ୍ରିକ୍ ୱିଲିୟମ୍ସ, ସେଲଡ୍ରନ୍ କଟ୍ରେଲ୍, ହେଡେନ୍ ୱାଲ୍ସ ଜୁନିଅର୍।