ଗାଏନା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ପରାଜୟ ଏଡ଼ାଇବାକୁ ହେଲେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ କିଛି ନିର୍ଭିକ କ୍ରିକେଟ୍‌ ଖେଳିବାକୁ ହେବ। ଗାଏନାର ପ୍ରୋଭଡେନ୍ସ ଷ୍ଟାଡିୟମ୍‌ର ଧିମା ପିଚ୍‌ରୁ ଭଲ ବ୍ୟାଟିଂ ଦେଖିବାକୁ ମିଳିବନି ବୋଲି ପାଣ୍ଡ୍ୟା ଦ୍ବିତୀୟ ମ୍ୟାଚ୍‌ ଟସ୍‌ ବେଳେ ସ୍ବୀକାର କରିଥିଲେ। ତେଣୁ ଅଧିକ ୧୦ରୁ ୨୦ ରନ୍‌ କିପରି ବାହାରିପାରିବ ତାହା ଉପରେ ଭାରତୀୟ ବ୍ୟାଟରଙ୍କୁ ଧ୍ୟାନ ଦେବାକୁ ହେବ। ମଙ୍ଗଳବାର ତୃତୀୟ ‌ଟେଣ୍ଟି-୨୦ ଖେଳାଯିବାକୁ ଥିଲା ବେଳେ ଭାରତୀୟ ବ୍ୟାଟରଙ୍କ ପାଇଁ ଏହା ପରୀକ୍ଷାର ସମୟ ବୋଲି କୁହାଯାଇପାରେ।

Advertisment

ବ୍ୟାଟରଙ୍କୁ ଅଧିକ ଦାୟିତ୍ବବାନ୍‌ ହେବାକୁ ପଡ଼ିବ: ପାଣ୍ଡ୍ୟା

ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା। ଏବେ ଭାରତ ୦-୨ରେ ପଛରେ ରହିଯାଇଛି। ଏହି ସୀମିତ ଓଭର ଫର୍ମାଟ୍‌ରେ ବ୍ୟାଟରଙ୍କୁ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ। ହେଲେ ଈଶାନ କିଶନ, ଶୁବମନ ଗିଲ୍‌ ଓ ସୂର୍ଯ୍ୟକୁମାର ଯାଦବ ସେଭଳି କୌଣସି ମଜବୁତ୍‌ ପାଳି ଖେଳିପାରିନାହାନ୍ତି। ଶୀର୍ଷ କ୍ରମର ବିଫଳତା ମଧ୍ୟଭାଗ ଉପରେ ଅଧିକ ଚାପ ପକାଉଛି। ଯେଉଁଥିପାଇଁ ସଂଜୁ ସାମସନ୍‌ ଓ ତିଳକ ବର୍ମା ହାତଖୋଲା ସଟ୍‌ ଖେଳିପାରୁନାହାନ୍ତି। ତେଣୁ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଗିଲ୍‌, କିଶନ୍‌ ଓ ସୂର୍ଯ୍ୟକୁମାର ସେମାନଙ୍କ ଲୟକୁ ଫେରିବା ଆବଶ୍ୟକତା ରହିଛି। ଭାରତୀୟ ବ୍ୟାଟିଂ କ୍ରମ ଅଧିକ ଗଭୀର ରହିଛି। ଅକ୍ଷର ପଟେଲ୍‌ ୭ ନମ୍ବରର ବ୍ୟାଟିଂ ଆସୁଥିବାରୁ ଦଳର ସନ୍ତୁଳନ ରକ୍ଷା ହେଉଛି ଓ ସମ୍ମାନଜକ ସ୍କୋର ‌ସଂଗ୍ରହ ହୋଇପାରୁଛି। ତେଣୁ ଏହି କ୍ରମରେ କୌଣସି ପରିବର୍ତ୍ତନ ହେବା ସମ୍ଭାବନା କମ୍‌ ରହିଛି। ତେବେ ସ୍ପିନରଙ୍କ ମଧ୍ୟରେ ଆହତ ହୋଇ ଦ୍ବିତୀୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଥିବା କୁଲଦୀପ ଯାଦବ ମଙ୍ଗଳବାର ‌ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରହିବ। ସ୍ପିନରମାନେ ଭଲ ବୋଲିଂ କରୁଥିଲେ ସୁଦ୍ଧା ଗତ ମ୍ୟାଚ୍‌ରେ ନିକୋଲାସ ପୂରନ୍‌ଙ୍କୁ ଚକ୍‌ମା ଦେବାରେ ବିଫଳ ହୋଇଥିଲେ। ୟୁଝବେନ୍ଦ୍ର ଚହଲ ଓ ରବି ବିଷ୍ଣୋଇଙ୍କୁ ପୂରନ୍‌ ଧୂଲେଇ କରିଥିଲା ବେଳେ ଅକ୍ଷରଙ୍କୁ ବୋଲିଂ ସୁଯୋଗ ମିଳିନଥିଲା। ଏକ୍ଷେତ୍ରରେ କିଛିଟା ପରବର୍ତ୍ତନ ଆଶା କରାଯାଇପାରେ। ହାର୍ଦିକ ପାଣ୍ଡ୍ୟା ଓ ଅର୍ଶଦୀପ ସିଂହଙ୍କ ବଲ୍‌ ଭଲ ସୁଇଂ କରୁଥିଲେ ବି ମୁକେଶ କୁମାର ରନ୍‌ ବ୍ୟୟ କରିଚାଲିଛନ୍ତି। ତେଣୁ ତୃତୀୟ ମ୍ୟାଚ୍‌ରେ ଆୱେସ୍‌ ଖାନ୍‌ କିମ୍ବା ଉମ୍ରାନ୍‌ ମଲ୍ଲିକଙ୍କୁ ସୁଯୋଗ ମିଳିବା ସମ୍ଭାବନା ଅଧିକ ରହିଛି।

ବ୍ୟାଟରଙ୍କୁ ଅଧିକ ଦାୟିତ୍ବବାନ୍‌ ହେବାକୁ ପଡ଼ିବ: ପାଣ୍ଡ୍ୟା
ରବିବାର ଭାରତୀୟ ଦଳର ପ୍ରଦର୍ଶନ ଉପରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା ଅସନ୍ତୋଷ ବ୍ୟକ୍ତ କରିବା ସହିତ ବ୍ୟାଟରମାନେ ମଙ୍ଗଳବାର ଅଧିକ ଦାୟିତ୍ବବାନ୍‌ ହୋଇ ଖେଳିବା ପାଇଁ ସେ ଆହ୍ବାନ ଦେଇଛନ୍ତି। ରବିବାର ମ୍ୟାଚ୍‌ରେ ବ୍ୟାଟରମାନେ ନିଜ ୱିକେଟ୍‌ ରକ୍ଷା କରିପାରିନଥିଲେ। ଏହା ଏକ ଧିମା ପିଚ୍‌ରେ ଖେଳାଯାଇଥିଲା। ତେଣୁ ରନ୍‌ ବାହାର କରିବା ଉପରେ ଶୀର୍ଷକ୍ରମ ଧ୍ୟାନ ଦେବା ଉଚିତ୍‌। ଯଦି ବୋର୍ଡରେ ୧୬୦ କିମ୍ବା ୧୭୦ ରନ୍‌ରୁ ଅଧିକ ହୋଇଥାନ୍ତା, ତାହେଲେ ଘରୋଇ ଦଳ ଉପରେ ନିୟନ୍ତ୍ରଣ ଅଣାଯାଇପାରିଥାନ୍ତା। ବର୍ତ୍ତମାନର ଦଳ ମଧ୍ୟରେ ଆମକୁ ଶୀର୍ଷ ୭ ବ୍ୟାଟରଙ୍କ ଉପରେ ଭରସା ରଖିବାକୁ ହେବ। ସେମାନେ ଭଲ ଖେଳିଲେ, ବୋଲରମାନେ ଦଳ ପାଇଁ ମ୍ୟାଚ୍‌ ଜିତିପାରିବେ ବୋଲି ପାଣ୍ଡ୍ୟା ମ୍ୟାଚ୍‌ ପରବର୍ତ୍ତୀ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ପ୍ରତିକ୍ରିୟା ରଖିଥିଲେ।

ସମ୍ଭାବ୍ୟ ଭାରତ ୧୧: ଈଶାନ କିଶନ, ଶୁବମନ ଗିଲ୍‌, ସୂର୍ଯ୍ୟକୁମାର ଯାଦବ, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ସଂଜୁ ସାମସନ୍‌, ଅକ୍ଷର ପଟେଲ୍‌, ରବି ବିଷ୍ଣୋଇ, ମୁକେଶ କୁମାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।
ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ୧୧: ବ୍ରାଣ୍ଡନ କିଙ୍ଗ୍‌, କାଇଲ୍‌ ମେୟର୍ସ, ଜନସନ୍‌ ଚାର୍ଲ୍ସ, ନିକୋଲାସ ପୂରନ, ରୋଭମାନ ପାୱେଲ୍‌, ସିମ୍ରନ ହେଟମାୟର, ରୋମରିଓ ସେଫର୍ଡ, ଜାସନ୍‌ ହୋଲ୍ଡର, ଅକିଲ ହୋସେନ୍‌, ଅଲଜାରି ଜୋସେଫ୍‌, ଓବେଦ୍‌ ମ୍ୟାକୟ।

ବିଶ୍ବକପ୍‌ ଜିତିବାକୁ ଘରୋଇ ଦର୍ଶକଙ୍କ ପୂର୍ଣ୍ଣ ସମର୍ଥନ ଆବଶ୍ୟକ: ରୋହିତ
ନୂଆଦିଲ୍ଲୀ: ଆଗାମୀ ଦିନିକିଆ ବିଶ୍ବକପ୍‌ରେ ଭାରତକୁ ପୁଣି ଥରେ ଟ୍ରଫି ଉଠାଇବାକୁ ହେଲେ ଘରୋଇ ଦର୍ଶକଙ୍କ ପୂର୍ଣ୍ଣ ସମର୍ଥନ ରହିବା ନିହାତି ଆବଶ୍ୟକ ବୋଲି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା କହିଛନ୍ତି। ଶେଷଥର ପାଇଁ ୨୦୧୧ରେ ଭାରତରେ ହୋଇଥିବା ବିଶ୍ବକପ୍‌କୁ ମହେନ୍ଦ୍ର ସିଂହଙ୍କ ନେତୃତ୍ବାଧିନ ଦଳ ଜିତିଥିଲା। ‌ଏହି ଦଳରେ ରୋହିତ ଶର୍ମା ସାମିଲ ନଥିଲେ, ତେଣୁ ବିଜୟ ଉତ୍ସବକୁ ଅତି ନିକଟରୁ ଦେଖିବା ସୌଭାଗ୍ୟ ସେ ପାଇନାହାନ୍ତି। ତେଣୁ ଏହି ସ୍ବାଦକୁ ସେ ଚାଖିବା ପାଇଁ ଚଳିତ ବର୍ଷ ତାଙ୍କ ପାଖରେ ସୁଯୋଗ ରହିଥିବା ଆଇସିସିକୁ ଦେଇଥିବା ଏକ ସାକ୍ଷତକାରରେ ରୋହିତ କହିଛନ୍ତି। ରୋହିତଙ୍କ ମତରେ, ୨୦୧୫ ଓ ୨୦୧୯ ବିଶ୍ବକପ୍‌ରେ ସେ ଖେଳିଥିଲେ। ବିଶ୍ବକପ୍‌ ଜିତିବା ପାଇଁ ଆମେ ବହୁତ ଚେଷ୍ଟା କରିଥିଲୁ। କିନ୍ତୁ ଦୁର୍ଭାଗ୍ୟବସତଃ ଆମେ ଏଥିରେ ବିଫଳ ହୋଇଥିଲୁ। ଏବେ ଭାରତ ଖେଳିବାକୁ ଥିବା ପ୍ରତ୍ୟେକ ସ୍ଥାନରେ ଘରୋଇ ଦର୍ଶକ ବିପୁଳ ସମର୍ଥନ ଯୋଗାଇଦେବେ। ୨୦୧୧ ପରେ ୨୦୧୬ରେ ଭାରତରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଆୟୋଜନ ହୋଇଥିଲା। କିନ୍ତୁ ୧୨ ବର୍ଷ ପରେ ୫୦ ଓଭରର ବିଶ୍ବକପ୍‌ ଭାରତକୁ ଫେରିଛି। ଏଥିପାଇଁ ଦର୍ଶକ, ପ୍ରଶଂସକ ସମସ୍ତେ ଉତ୍ସାହିତ ଥିବା ସେ କହିଥିଲେ।