ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟ୍ବେଣ୍ଟି-୨୦ ଆଜି: ପନ୍ତଙ୍କ ପାଇଁ ଧୋନିଙ୍କୁ ଟପିବା ସୁଯୋଗ

ନୋ’ ବଲ୍ ଡାକିବେ ତୃତୀୟ ଅମ୍ପାୟାର

ହାଇଦ୍ରାବାଦ: ଭାରତ-ୱେଷ୍ଟଇଣ୍ଡିଜ୍ ତିନି ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲା ଶୁକ୍ରବାର ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ଏହି ଶୃଙ୍ଖଳା ଉଭୟ ଦଳ ପାଇଁ ପରୀକ୍ଷାନିରୀକ୍ଷା କରିବାର ବଡ଼ ସୁଯୋଗ ଦେବ। କ୍ରିସ୍ ଗେଲ୍, ଆନ୍ଦ୍ରେ ରସେଲ ଓ କାର୍ଲୋସ ବ୍ରାଥ୍‌ୱେଟ୍‌ଙ୍କ ବିନା ଭାରତ ଆ‌ସିଥିବା ୱେଷ୍ଟଇଣ୍ଡିଜ୍‌ର ଏକାଧିକ ଯୁବ ଖେଳାଳିଙ୍କୁ ନିଜ ବିଶ୍ବକପ୍ ଦାବିଦାରି ଉପସ୍ଥାପନ କରିବାର ଏହା ମଧ୍ୟ ଏକ ବଳିଷ୍ଠ ମଞ୍ଚ ହେବ। ରସେଲଙ୍କ ସ୍ଥାନରେ ଖେଳିବାକୁ ଥିବା ଫାବିଆନ ଆଲେନ, ବ୍ରାଣ୍ଡନ କିଙ୍ଗ୍ ଓ ହେଡେନ୍ ୱାଲ୍ସ (ଜୁନିଅର)ଙ୍କ ପାଇଁ ଏହି ଶୃଙ୍ଖଳା ସର୍ବାଧିକ ମହତ୍ବ ରଖିବ। ଲେଣ୍ଡଲ ସିମନ୍ସଙ୍କ ପ୍ରତ୍ୟାବର୍ତନ ମଧ୍ୟ ଇଣ୍ଡିଜ୍ ବ୍ୟାଟିଂକ୍ରମକୁ ତୁଳନାତ୍ମକ ଭାବେ ସୁଦୃଢ଼ କରିବ। ଅନେକ ଇଣ୍ଡିଜ୍ ଖେଳାଳି ମଧ୍ୟ ପ୍ରଥମ ଥର ପାଇଁ ଭାରତରେ ଅନ୍ତର୍ଜାତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିବେ। ଓସାନେ ଥୋମାସ, ସିମରନ୍ ହେଟମେୟର ଓ ନିକୋଲାସ ପୂରନଙ୍କ ଭଳି ଖେଳାଳି ଗତବର୍ଷ ଆଇପିଏଲରେ ମୋଟା ଅଙ୍କର ଅର୍ଥରେ ବିକ୍ରି ‌ହୋଇଥିଲେ। ପୂରନ ଅବଶ୍ୟ ପ୍ରଥମ ଟ୍ବେଣ୍ଟି-୨୦ ଖେଳିବେ ନାହିଁ ବୋଲି ସ୍ପଷ୍ଟ ହୋଇ ଯାଇଛି। କିରଣ ପୋଲାର୍ଡଙ୍କ ନେତୃତ୍ବରେ ସେମାନଙ୍କୁ ପୁଣି ଥରେ ପ୍ରଶଂସକଙ୍କ ଆଶା ପୂରଣ କରିବାକୁ ହେବ।

ରାହୁଲଙ୍କ ଉପରେ ନଜର
ଭାରତ ପଡ଼ୋଶୀ ବାଂଲାଦେଶକୁ ପରାସ୍ତ କରି ଏହି ଶୃଙ୍ଖଳା ଖେଳିବାକୁ ଯାଉଛି। ଏକ ଘରୋଇ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଅଧିନାୟକ ବିରାଟ କୋହଲି ଖେଳୁଥିବାରୁ ଭାରତର ଶକ୍ତି ମଧ୍ୟ ବଢ଼ିଛି। ୨୦୧୫ ମସିହା ପରେ ପ୍ରଥମ ଥର ପାଇଁ ମଧ୍ୟ ଭାରତ ଏକ କ୍ୟାଲେଣ୍ଡର ବର୍ଷରେ ୱେଷ୍ଟଇଣ୍ଡିଜଠାରୁ ଅଧିକ ଛକା ମାରିଛି। ଚଳିତ ବର୍ଷ ଭାରତ ‌ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ପିଛା ୬.୪୬ ହାରରେ ଛକା ମାରିଛି। ଶୁକ୍ରବାର ମୁକାବିଲାରେ କିନ୍ତୁ ସବୁ ନଜର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ଏବଂ ୱିକେଟ୍ ରକ୍ଷକ ଋଷବ ପନ୍ତ୍‌ଙ୍କ ଉପରେ ରହିବ। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କ ସ୍ଥାନରେ ସାମିଲ ହୋଇଥିବା ସଞ୍ଜୁ ସାମସନ ଚୂଡ଼ାନ୍ତ ଦଳରେ ସ୍ଥାନ ନ ପାଇ ପାରନ୍ତି। ଏହି କ୍ଷେତ୍ରରେ ଇଣ୍ଡିଜର ହାରାହାରି ୫ ରହିଛି। ଉଭୟ ଦଳ ପରସ୍ପର ବିପକ୍ଷରେ ୧୪ ଟ୍ବେଣ୍ଟି-୨୦ ଖେଳିଥିଲା ବେଳେ ଭାରତ ସେଥିରୁ ୮ ମ୍ୟାଚ୍ ଜିତି ଆଗୁଆ ରହିଛି। ହାଇଦ୍ରାବାଦରେ ଶୁକ୍ରବାର ପାଗ ‌କୋହଲା ରହିବାର ପୂର୍ବାନୁମାନ ଅଛି। ପାରମ୍ପରିକ ଭାବେ ଏଠାକାର ପିଚ୍ ବୋଲରଙ୍କୁ ସୁହାଇଥାଏ। ଆସନ୍ତାକାଲି ମଧ୍ୟ ବୋଲର ଫାଇଦାରେ ରହିପାରନ୍ତି।

ପନ୍ତ୍‌ଙ୍କୁ କୋହଲିଙ୍କ ସମର୍ଥନ
‌ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦଳଠୁ ଦୂରେଇ ରହିବା ପରେ ଚୟନକର୍ତା ତାଙ୍କର ବିକଳ୍ପ ୱିକେଟ୍‌ରକ୍ଷକ ଭାବେ ଋଷବ ପନ୍ତ୍‌ଙ୍କୁ ବାଛିଛନ୍ତି। ହେଲେ ଋଷବଙ୍କ ୱିକେଟ୍‌ ପଛପଟ ପ୍ରଦର୍ଶନ ଏବଂ ଖରାପ ଡିଆର୍‌ଏସ୍‌ ଆବେଦନ ପାଇଁ କିଛି ପୂର୍ବତନ ‌ଖେଳାଳି ସମାଲୋଚନା କରୁଛନ୍ତି। କିନ୍ତୁ ହାଇଦ୍ରାବାଦରେ ଖେଳାଯିବାକୁ ଥିବା ଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଟ୍ବେଣ୍ଟି-୨୦ ପୂର୍ବରୁ ଋ‌ଷବଙ୍କୁ ପୁରା ସମର୍ଥନ କରିଛନ୍ତି ଅଧିନାୟକ ବିରାଟ କୋହଲି। ଆମେ ଋଷବଙ୍କ କ୍ଷମତାକୁ ବିଶ୍ବାସ କରିବା କଥା। ‌ଆପଣମାନେ କହିବା କଥା ଭଲ ଖେଳିବା ଲାଗି ଖେଳାଳିମାନଙ୍କର ଦାୟିତ୍ବ। କିନ୍ତୁ ଆମର ଦାୟିତ୍ବ ‌ରହିବା ଦରକାର ଖେଳାଳିଙ୍କୁ ଭଲ କରିବା ଲାଗି ସୁଯୋଗ ଓ ସମର୍ଥନ ଦେବା। ସମର୍ଥନ ମିଳିଲେ ଜଣେ ଖେଳାଳି ନିଶ୍ଚିତ ଭଲ କରିବ ‌ ବୋଲି କୋହଲି କହିଛନ୍ତି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଦୀପକ ଚହର।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: କିରଣ ପୋଲାର୍ଡ (ଅଧିନାୟକ), ଏଭିନ ଲୁଇସ୍, ଲେଣ୍ଡଲ ସିମନ୍ସ, ବ୍ରେଣ୍ଡନ କିଙ୍ଗ୍, ସିମରନ୍ ହେଟମେୟର, ଦୀନେଶ ରାମଦୀନ, ଜାସନ ହୋଲ୍ଡର, ଖରି ପିଏରେ/କିମୋ ପଲ୍, ଫାବିଆନ ଆଲେନ, ହେଡେନ୍ ୱାଲ୍ସ (ଜୁନିଅର), ସେଲଡନ୍ କଟରେଲ।

ନୋ’ ବଲ୍ ଡାକିବେ ତୃତୀୟ ଅମ୍ପାୟାର
ହାଇଦ୍ରାବାଦ ଟ୍ବେଣ୍ଟି-୨୦ରେ ପଡ଼ିଆ ଅମ୍ପାୟାର ନୁ‌ହେଁ, ତୃତୀୟ ଅମ୍ପାୟାର ଆଗପାଦ ନୋ’ ବଲ୍ ଡାକିବେ। ଆଇସିସି ଗୁରୁବାର ଏହି ଘୋଷଣା କରିଛି। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଉଭୟ ଟ୍ବେଣ୍ଟି-୨୦ ଏବଂ ଦିନିକିଆ ଶୃଙ୍ଖଳାରେ ପରୀକ୍ଷାମୂଳକ ଭାବେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଶୃଙ୍ଖଳାରେ ତୃତୀୟ ଅମ୍ପାୟାର ସମସ୍ତ ବଲ୍ ଉପରେ ତୀକ୍ଷ୍ଣ ନଜର ରଖିବେ। ଆଗ ପାଦ ନୋ’ ବଲ୍ ଡାକିବା ଦାୟିତ୍ବ ସଂପୂର୍ଣ୍ଣ ଭାବେ ତାଙ୍କ ଉପରେ ନ୍ୟସ୍ତ କରାଯିବ ବୋଲି ଆଇସିସି ଏକ ପ୍ରେସ୍ ବିଜ୍ଞପ୍ତିରେ ଘୋଷଣା କରିଛି। କୌଣସି ବୋଲରଙ୍କ ଆଗ ପାଦ କ୍ରିଜ୍ ରେଖା ଟପିଲେ ତୃତୀୟ ଅମ୍ପାୟାର ତୁରନ୍ତ ଏହି ବିଷୟ ପଡ଼ିଆ ଅମ୍ପାୟାରଙ୍କୁ ଜଣାଇବେ। ତାଙ୍କ ବିନା ପରାମର୍ଶରେ ପଡ଼ିଆ ଅମ୍ପାୟାର ଏଭଳି ବଲ୍‌କୁ ନୋ’ ବଲ୍ ଡାକି ପାରିବେ ନାହିଁ। ଏହି ବ୍ୟବସ୍ଥା ଦ୍ବାରା ବୋଲରମାନେ ଲାଭବାନ ‌ହେବେ ବୋଲି ଆଇସିସି ଆଶା ପ୍ରକାଶ କରିଛି। ମ୍ୟାଚ୍‌ର ଅନ୍ୟାନ୍ୟ ପରିଚାଳନା ଦାୟିତ୍ବ କିନ୍ତୁ ପଡ଼ିଆ ଅମ୍ପାୟାରଙ୍କ ହାତରେ ରହିବ। ତୃତୀୟ ଅମ୍ପାୟାର ବିଳମ୍ବରେ ନୋ’ ବଲ୍ ନିଷ୍ପତ୍ତି ଜଣାଇଲେ, ସେହି ବଲ୍‌ରେ ଯଦି କୌଣସି ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇ ଥାଆନ୍ତି, ଏହି ନିଷ୍ପତ୍ତି ବଦଳାଇବାର ଅଧିକାର ତୃତୀୟ ଅମ୍ପାୟାରଙ୍କ ପାଖରେ ରହିବ।

ସମ୍ବନ୍ଧିତ ଖବର