ଭାରତକୁ ବଡ଼ ଝଟ୍‌କା: ଦିନିକିଆ ଓ ଟେଷ୍ଟ୍‌ ଶୃଙ୍ଖଳାରୁ ରୋହିତ ବାଦ୍, ମୟଙ୍କ କିମ୍ବା ଗିଲ୍‌ଙ୍କୁ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଐତିହାସିକ ମୂଳପୋଛ ବିଜୟ ହାସଲ କରିବାର ଦିନକ ପରେ ଭାରତୀୟ କ୍ରିକେଟ୍ ଦଳକୁ ଶକ୍ତ ଧକ୍କା ଲାଗିଛି। ମାଉଣ୍ଟମଙ୍ଗନୁଇରେ ଖେଳାଯାଇଥିବା ପଞ୍ଚମ ଟ୍ବେଣ୍ଟି-୨୦ରେ ଆହତ ହୋଇଥିବା ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ବୁଧବାରଠାରୁ ଆରମ୍ଭ ହେଉଥିବା ଦିନିକିଆ ଏବଂ ଏହା ପରେ ଖେଳାଯିବାକୁ ଥିବା ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍ ପଡ଼ିଛନ୍ତି। ବିଗତ କିଛି ମାସ ହେବ ରୋହିତ ଚମତ୍କାର ବ୍ୟାଟିଂ କରିଆସୁଥିଲେ। ସେ ବି ଭାରତର ଅନେକ ବିଜୟରେ ନାୟକ ସାଜିଥିଲେ। ରୋହିତ ବାଦ୍ ପଡ଼ିବା ପରେ ଭାରତୀୟ ବ୍ୟାଟିଂବାହିନୀର ସନ୍ତୁଳନ ବିଗିଡ଼ି ଯିବାର ଆଶଙ୍କା ସୃଷ୍ଟି ହୋଇଛି। ପୂର୍ବରୁ ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ଓ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ ନ୍ୟୁଜିଲାଣ୍ଡ ଦିନିକିଆ ଓ ଟେଷ୍ଟ୍‌ ଶୃଙ୍ଖଳାରୁ ବାଦ୍ ପଡ଼ି ସାରିଛନ୍ତି।

ରବିବାରର ପଞ୍ଚମ ଟ୍ବେଣ୍ଟି-୨୦ରେ ବ୍ୟାଟିଂ କରୁଥିଲା ବେଳେ ରୋହିତଙ୍କ ନଳି ଗୋଡ଼ ମାଂସପେଶୀ‌ ଟାଣି ହୋଇ ଯାଇଥିଲା। ଫଳରେ ବ୍ୟକ୍ତିଗତ ଭାବେ ୬୦ ରନ୍‌ରେ ଥିଲା ବେଳେ ସେ ଆହତ ଅବସର ନେବାକୁ ବାଧ୍ୟ ହୋଇଥିଲେ। ଏହା ପରେ ଆଉ କ୍ଷେତ୍ରରକ୍ଷଣ ମଧ୍ୟ କରି ପାରି ନଥିଲେ। ଏଣୁ ନ୍ୟୁଜିଲାଣ୍ଡ ପାଳିରେ କେଏଲ୍ ରାହୁଲ ଭାରତୀୟ ଦଳର ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ରୋହିତ ବାଦ ପଡ଼ିବା ପରେ ଚୟନକର୍ତା ତାଙ୍କ ସ୍ଥାନରେ ଯୁବ ତାରକା ମୟଙ୍କ ଅଗ୍ରୱାଲଙ୍କୁ ଦଳରେ ସାମିଲ କରି ପାରନ୍ତି। ସଂପ୍ରତି ନ୍ୟୁଜିଲାଣ୍ଡରେ ଭାରତ ‘ଏ’ ପକ୍ଷରୁ ଶୃଙ୍ଖଳା ଖେଳୁଥିବା ଶୁବମନ ଗିଲ୍‌ଙ୍କୁ ବି ସୁଯୋଗ ମିଳିପାରେ। ଶୁବମନ ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷ ଅଣଆନୁଷ୍ଠାନିକ ଟେଷ୍ଟ୍‌ରେ ଦ୍ବିଶତକ ହାସଲ କରି ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରି ସାରିଛନ୍ତି। ଏବେ କେଏଲ୍ ରାହୁଲ ପାଳି ଆରମ୍ଭ କରିବା ଏକପ୍ରକାର ନିଶ୍ଚିତ ହୋଇଥିଲା ବେଳେ ପୃଥ୍ବୀ ସ’, ଶୁବମନ କିମ୍ବା ମୟଙ୍କଙ୍କ ମଧ୍ୟରୁ ଜଣେ କେହି ଅନ୍ୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ସ୍ଥାନ ନେଇ ପାରନ୍ତି। ରୋହିତଙ୍କ ବିଷୟରେ ସୂଚନା ଦେବାକୁ ଯାଇ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେ ନ୍ୟୁଜିଲାଣ୍ଡ ଗସ୍ତର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ଫିଜିଓ ତାଙ୍କ ଆଘାତ ଜନିତ ସମସ୍ୟାର ସମୀକ୍ଷା କରୁଛନ୍ତି। ତେବେ ସେ ନ୍ୟୁଜିଲାଣ୍ଡ ଗସ୍ତରେ ଆଉ ଖେଳିବାର ସମ୍ଭାବନା ପ୍ରାୟ ନାହିଁ।

ଭାରତକୁ ପୁଣି ଜରିମାନା
ମାଉଣ୍ଟମଙ୍ଗନୁଇ: ମନ୍ଥର ବୋଲିଂ ପାଇଁ ଭାରତୀୟ କ୍ରିକେଟ୍ ଦଳ ପୁଣି ଥରେ ଦଣ୍ଡିତ ହୋଇଛି। ମାଉଣ୍ଟମଙ୍ଗନୁଇରେ ଖେଳାଯାଇଥିବା ପଞ୍ଚମ ତଥା ଶେଷ ଟ୍ବେଣ୍ଟି-୨୦ରେ ନିର୍ଧାରିତ ସମୟ ମଧ୍ୟରେ ଗୋଟିଏ ଓଭର କମ୍ ବୋଲିଂ କରିଥିବାରୁ ମ୍ୟାଚ୍ ରେଫରି କ୍ରିସ୍ ବ୍ରଡ୍ ଭାରତୀୟ ଖେଳାଳିଙ୍କ ମ୍ୟାଚ୍ ପାଉଣାର ୨୦ ପ୍ରତିଶତ କାଟି ଦେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳର କାମଚଳା ଅଧିନାୟକ ରୋହିତ ଶର୍ମା ଦୋଷ ମାନିନେବା ପରେ ବିନା ଶୁଣାଣିରେ ଏହି ଦଣ୍ଡବିଧାନ ହୋଇଥିଲା। ଏହା ପୂର୍ବରୁ ୱେଲିଂଟନର ୱେଷ୍ଟପାକ୍ ଷ୍ଟାଡିୟମରେ ଖେଳା ଯାଇଥିବା ଚତୁର୍ଥ ଟ୍ବେଣ୍ଟି-୨୦ରେ ମଧ୍ୟ ଭାରତୀୟ ଖେଳାଳିମାନେ ନିଜ ନିଜ ମ୍ୟାଚ୍ ପାଉଣାର ୪୦ ପ୍ରତିଶତ ହରାଇଥିଲେ। ଭାରତ ସେହି ମ୍ୟାଚ୍‌ର ନିର୍ଧାରିତ ସମୟ ମଧ୍ୟରେ ଦୁଇ ଓଭର କମ୍ ବୋଲିଂ କରିଥିଲା। ଏଣୁ ଆଇସିସି ନିୟମ ଅନୁସାରେ ପ୍ରତି ଓଭର ପିଛା ୨୦ ପ୍ରତିଶତ ହିସାବରେ ସେମାନେ ୪୦ ପ୍ରତିଶତ ଜରିମାନା ଦେଇଥିଲେ।

ରାହୁଲ ଦ୍ବିତୀୟକୁ ଲମ୍ଫ ଦେଲେ
ଦୁବାଇ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଟି-୨୦ ଶୃଙ୍ଖଳାକୁ ଭାରତ ୫-୦ରେ ମୂଳପୋଛ କରି ଜିତିବା ପରେ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ କେଏଲ୍‌ ରାହୁଲ୍‌ ନିଜ ଖେଳ ଜୀବନର ଶ୍ରେଷ୍ଠ ମାନ୍ୟତା ଦ୍ବିତୀୟକୁ ଲମ୍ଫ ମାରିଛନ୍ତି। ଦୁଇଟି ଅର୍ଧଶତକ ସହିତ ରାହୁଲ ମୋଟ ୨୨୪ ରନ୍ କରିଥିଲେ। ସମସ୍ତ ୫ ମ୍ୟାଚ୍‌ରେ ମଧ୍ୟ ୱିକେଟରକ୍ଷଣ ଦାୟିତ୍ବକୁ ସେ ତୁଲାଇଥିଲେ। ପାକିସ୍ତାନର ବାବର ଆଜମ୍‌ ଶୀର୍ଷରେ ରହିଥିବାବେଳେ ଭାରତୀୟ ଦଳ ଉପ ଅଧିନାୟକ ରୋହିତ ଶର୍ମା ଶୀର୍ଷ ୧୦ ଭିତରକୁ ପ୍ରବେଶ କରିଛନ୍ତି। ଅଧିନାୟକ ବିରାଟ କୋହଲି ନବମ ସ୍ଥାନରେ ଅପରିବର୍ତିତ ଅଛନ୍ତି। ବ୍ୟାଟିଂରେ ଅନ୍ୟ ଭାରତୀୟଙ୍କ ମଧ୍ୟରେ ଶ୍ରେୟସ ଆୟର ଓ ମନୀଷ ପାଣ୍ଡେ ଯଥାକ୍ରମେ ୮ ଓ ୧୨ ସ୍ଥାନ ଲମ୍ଫ ମାରି ୫୫ ଓ ୫୮ତମ ସ୍ଥାନରେ ଅଛନ୍ତି। ବୋଲିଂରେ ଯଶପ୍ରୀତ୍ ବୁମରା ୨୬ ସ୍ଥାନ ‌ଡେଇଁ ୧୧ତମ, ୟୁଜବେନ୍ଦ୍ର ଚହଲ ୧୦ ସ୍ଥାନ ଡେଇଁ ୩୦ତମ ଏବଂ ମୋଟ ୮ ୱିକେଟ୍ ନେଇଥିବା ଶାର୍ଦୁଲ ଠାକୁର ୩୪ ସ୍ଥାନ ‌ଡେଇଁ ୫୭ତମ ସ୍ଥାନରେ ପହଞ୍ଚିଛନ୍ତି। ନଭଦୀପ ସୈନି (୭୧), ରବୀନ୍ଦ୍ର ଜାଦଜୋ (୭୬) ଯଥାକ୍ରମେ ୨୫ ଓ ୩୪ ସ୍ଥାନ ଲମ୍ଫ ମାରିଛନ୍ତି।

ସମ୍ବନ୍ଧିତ ଖବର