ଭାରତ-ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ଟେଷ୍ଟ୍‌ ଆଜିଠୁ

ଜାମାଇକା: ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍‌ ଶୃଙ୍ଖଳାର ଦ୍ବିତୀୟ ତଥା ଶେଷ ମ୍ୟାଚ୍ ଗୁରୁବାରଠାରୁ ଜାମାଇକାର କିଙ୍ଗ୍‌ଷ୍ଟ୍‌ନଠାରେ ଆରମ୍ଭ ହେବ। ପ୍ରଥମ ଟେଷ୍ଟ୍‌କୁ ସହଜରେ ଜିତି ନେଇ ୧-୦ରେ ଆଗୁଆ ଥିବା ଭାରତ ୨-୦ରେ ଶୃଙ୍ଖଳା ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ। ଅନ୍ୟପକ୍ଷରେ ମୂଳପୋଛ ହେବାର ଲଜ୍ଜା ଦୂର କରିବା ଲାଗି ଏହି ମ୍ୟାଚ୍ ଘରୋଇ ଇଣ୍ଡିଜ୍ ପାଇଁ ଶେଷ ସୁଯୋଗ ହେବ। ଏହା ପୂର୍ବରୁ ‌ଖେଳାଯାଇଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ ଏବଂ ଦିନିକିଆ ଶୃଙ୍ଖଳାକୁ ଭାରତ ୨-୦ରେ ଜିତି ନେଇଥିଲା। କିଙ୍ଗ୍‌ଷ୍ଟନ୍‌ରେ ବିଜୟୀ ହେଲେ କୋହଲି ବାହିନୀ ଲଗାତାର ତୃତୀୟ ଶୃଙ୍ଖଳା ଜିତିବାର ଗୌରବ ଅର୍ଜନ କରିବ। ଅନ୍ୟପକ୍ଷରେ ଏହି ମୁକାବିଲାକୁ ଜିତି ନ ପାରିଲେ ଇଣ୍ଡିଜ୍ ହ୍ୟାଟ୍ରିକ୍ ଶୃଙ୍ଖଳା ପରାଜୟର ଅପଯଶ ବହନ କରିବ। ଶୀର୍ଷକ୍ରମରେ ରନ୍ ମରୁଡ଼ି ଇଣ୍ଡିଜ୍ ପାଇଁ ପୁଣି ଥରେ ଚିନ୍ତାର କାରଣ ହେବ। କାରଣ ୨୦୧୮ ମସିହାଠାରୁ ‌ଇଣ୍ଡିଜ୍ ଶୀର୍ଷକ୍ରମ ମାତ୍ର ୨୩.୧୬ ହାରରେ ରନ୍ ସଂଗ୍ରହ କରିଛି। କିଙ୍ଗ୍‌ଷ୍ଟନ୍‌ର ସାବିନାପାର୍କ ପିଚ୍ ବ୍ୟାଟିଂକୁ ସୁହାଇବ ବୋଲି ଆଶା କରାଯାଉଥିବାରୁ ଇଣ୍ଡିଜ୍ ଶୀର୍ଷକ୍ରମ ହୁଏତ ଏଠାରେ ଫର୍ମକୁ ଫେରିପାରେ।

ଚାପରେ ପନ୍ତ
ପ୍ରଥମ ଟେଷ୍ଟ୍‌ର ଉଭୟ ପାଳିରେ ବିଫଳ ହୋଇଥିବା ଭାରତର ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ଉପରେ ଅଧିକ ଚାପ ରହିବ। ଦଳୀୟ ଅଧିକାରୀମାନେ ଅଭିଜ୍ଞ ଋଦ୍ଧିମାନ ସାହାଙ୍କୁ ବସାଇ ତାଙ୍କୁ ପ୍ରଥମ ଟେଷ୍ଟ୍‌ରେ ସୁଯୋଗ ଦେଇଥିଲେ। ହେଲେ ସେ ଆଶାଜନକ ପ୍ରଦର୍ଶନ କରି ପାରି ନାଥିଲେ। ଦିନିକିଆ ଶୃଙ୍ଖଳାରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା। ଏଣୁ ଦ୍ବିତୀୟ ଟେଷ୍ଟ୍‌ରେ ଭଲ ନକଲେ ଆଗାମୀ ସମୟରେ ଦଳରେ ପନ୍ତଙ୍କ ସ୍ଥାନ ଟଳମଳ ହୋଳପାରେ। ସେହିଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ମଧ୍ୟ ଭଲ କରି ନାହାନ୍ତି। ତେବେ ତାଙ୍କୁ ଦଳୀୟ ପରିଚାଳକ ଆଉ ଏକ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି। ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀଙ୍କ ସମେତ ଭାରତୀୟ ମଧ୍ୟକ୍ରମ ପ୍ରଥମ ଟେଷ୍ଟ୍‌ରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ଏଣୁ ଏଥିରେ ପରବର୍ତନ ହେବାର ଆଶା କମ୍। ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଯଶପ୍ରୀତ ବୁମରା ଚୂଡ଼ାନ୍ତ ଦଳରେ ରହିବା ଏକପ୍ରକାର ନିଶ୍ଚିତ। ବୁମରା ଓ ଈଶାନ୍ତ ପ୍ରଥମ ଟେଷ୍ଟ୍‌ରେ ପାଞ୍ଚ ୱିକେଟ୍ ସଫଳତା ଲାଭ କରିଥିଲା ବେଳେ ସାମି ମଧ୍ୟ ବହୁତ ଭଲ ବୋଲିଂ କରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ମଧ୍ୟ ଭଲ ବ୍ୟାଟିଂ କରିଥିଲେ।ଏଣୁ ସେ ବଦଳିବାର ସମ୍ଭାବନା ପ୍ରାୟ ନାହିଁ। ୱେଷ୍ଟଇଣ୍ଡିଜର ଦୁଇ ପ୍ରତିଭାବାନ୍ ଯୁବ ତାରକା ସିମରନ୍ ହେଟମେର ଓ ସାଇ ହୋପ୍ ସେମିତି କିଛି ଆଖି ଦୃଶିଆ ପ୍ରଦର୍ଶନ କରି ନଥିଲେ। ରଷ୍ଟନ ଚେଜ୍ ମଧ୍ୟ ନିରାଶ କରିଥିଲେ। କେବଳ ନୂଆ ବଲ୍ ବୋଲର ଯୋଡ଼ି ସାନନ ଗାବ୍ରିଏଲ ଓ କେମାର ରୋଚ୍ ଘରୋଇ ଦଳର ସମ୍ମାନ ରଖିଥିଲେ। ୱେଷ୍ଟଇଣ୍ଡିଜ୍ ଦଳରେ ଅଦଳ ବଦଳର ସୁଯୋଗ ରହିଛି। ତେବେ ତା’ ପାଖରେ ବିକଳ୍ପର ଅଭାବ ଅଛି।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା।

ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍: ଜାସନ ହୋଲ୍ଡର (ଅଧିନାୟକ), ଡ‌େରେନ୍ ବ୍ରାଭୋ, ରଷ୍ଟନ୍ ଚେଜ୍, ସାନନ ଗାବ୍ରିଏଲ, ସିମରନ୍ ହେଟମେର, ସାଇ ହୋପ୍, କିମୋ ପଲ୍, କେମାର ରୋଚ୍, ଜନ୍ କ୍ୟାମ୍ପବେଲ୍, ସେନ୍ ଦାଓରିଚ୍, କ୍ରେଗ୍ ବ୍ରାଥୱେଟ୍।

ରୋହିତଙ୍କୁ ଅପେକ୍ଷା କରିବାକୁ ପଡ଼ିବ
ଅଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଭଲ କରୁଥିବାରୁ ଭାରତୀୟ କ୍ରିକେଟ୍ ଦଳର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଲାଗି ରୋହିତ ଶର୍ମାଙ୍କୁ ଅପେକ୍ଷା କରିବାକୁ ହେବ। ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ତଥା ସାଂସଦ ଗୌତମ ଗମ୍ଭୀର ଏହା କହିଛନ୍ତି। ରାହାଣେ ପ୍ରଥମ ଟେଷ୍ଟ୍‌ର ପ୍ରଥମ ପାଳିରେ ୮୧ ଏବଂ ଦ୍ବିତୀୟରେ ୧୦୨ ରନ୍ କରିଥିଲେ। ସେହିଭଳି ବିହାରୀ ୩୨ ଓ ୯୩ ରନ୍ କରିଥିଲେ। ଭାରତ ପ୍ରଥମ ଟେଷ୍ଟ୍‌କୁ ୩୧୮ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଥିଲା। ଏଣୁ ରୋହିତ କିଙ୍ଗଷ୍ଟନ୍ ଟେଷ୍ଟ୍‌ରେ ଖେଳିବାର ସମ୍ଭାବନା ନାହିଁ ବୋଲି ଗମ୍ଭୀର ଭବିଷ୍ୟବାଣୀ କରିଛନ୍ତି। ଋଷବ ପନ୍ତ ଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟର ଉଭୟ ପାଳିରେ ବିଫଳ ହୋଇଥିଲେ ମଧ୍ୟ ତାଙ୍କୁ ଗମ୍ଭୀର ସମର୍ଥନ କରିଛନ୍ତି। ପୂର୍ବତନ ୱିକେଟ୍ ରକ୍ଷକ ସୟଦ କିର୍ମିାନୀ ଦ୍ବିତୀୟ ଟେଷ୍ଟରେ ଋଦ୍ଧିମାନ ସାହାଙ୍କୁ ସୁଯୋଗ ଦେବାକୁ ଆହ୍ବାନ କରିଥିଲେ ମଧ୍ୟ ପନ୍ତଙ୍କୁ ପୁଣି ଥରେ ସୁଯୋଗ ଦେବାକୁ ଗମ୍ଭୀର ଆହ୍ବାନ କରିଛନ୍ତି।

ଧୋନିଙ୍କ କୀର୍ତ୍ତିମାନ ଭାଙ୍ଗିବା ଦ୍ବାର ଦେଶରେ କୋହଲି
ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଅଧିନାୟକ ଭାବେ ବିଦେଶ ମାଟିରେ ସର୍ବାଧିକ ଟେଷ୍ଟ ବିଜୟରେ ସୌରଭ ଗାଙ୍ଗୁଲିଙ୍କୁ କାଟିଥିଲେ। ଦ୍ବିତୀୟ ଟେଷ୍ଟରେ ତାଙ୍କ ପାଖରେ ମହେନ୍ଦ୍ର ସିଂହ ଧୋନିଙ୍କୁ କାଟିବାର ସୁଯୋଗ ରହିବ। ଦ୍ବିତୀୟ ଟେଷ୍ଟରେ ବିଜୟୀ ହେଲେ ଧୋନିଙ୍କୁ କାଟି ସେ ଭାରତର ସଫଳତମ ଟେଷ୍ଟ ଅଧିନାୟକ ହେବେ। ଉଭୟ କୋହଲି ଏବଂ ଧୋନି ଏବେ ଅଧିନାୟକ ଭାବେ ଭାରତକୁ ୨୭ ଲେଖାଏଁ ଟେଷ୍ଟରେ ବିଜୟୀ କରାଇଛନ୍ତି। ସାବିନାପାର୍କରେ ବିଜୟୀ ହେଲେ ଅଧିନାୟକ ଭାବେ କୋହଲିଙ୍କ ଟେଷ୍ଟ ବିଜୟ ସଂଖ୍ୟା ୨୮କୁ ବଢ଼ିବ। ଧୋନି ଭାରତକୁ ୨୭ ଟେଷ୍ଟରେ ବିଜୟୀ କରାଇଥିଲା ବେଳେ ୧୮ ଟେଷ୍ଟ ହାରିଥିଲେ। ତାଙ୍କ ଅଧିନାୟକତ୍ବରେ ଭାରତ ୧୫ ଟେଷ୍ଟକୁ ଅମୀମାଂସିତ ରଖିଥିଲା। ତାଙ୍କ ବିଜୟ ପ୍ରତିଶତ ଥିଲା ୪୫। ଅନ୍ୟପକ୍ଷରେ କୋହଲି ୪୭ ଟେଷ୍ଟରେ ଭାରତର ନେତୃତ୍ବ ନେଇ ୨୭ ବିଜୟ, ୧୦ ପରାଜୟ ଏବଂ ୧୦ ଡ୍ର’ ହାସଲ କରିଛନ୍ତି। ଅଧିନାୟକ ଭାବେ ତାଙ୍କ ବିଜୟ ପ୍ରତିଶତ ହେଉଛି ୫୫.୩୧।

ସମ୍ବନ୍ଧିତ ଖବର