ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାକୁ ୧-୨ରେ ହାରିବା ପରେ ଦିନିକିଆ ଶୃଙ୍ଖଳାରେ ମୂଳପୋଛ (୦-୩) ପରାଜୟ ବରଣ କରିଥିବା ଭାରତୀୟ ଦଳ ଏବେ ସ୍ବଦେଶ ଫେରିଆସିଛି। କିଛି ଦିନ ମଧ୍ୟରେ ଏହି ଦଳ ୱେଷ୍ଟ୍ଇଣ୍ଡିଜ୍ ବିପକ୍ଷରେ ଘରୋଇ ସୀମିତ ଓଭର ଶୃଙ୍ଖଳା ଖେଳିବ। ଏଥିରେ ୩ ଲେଖାଁଏ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଯଥାକ୍ରମେ ଅହମଦାବଦ ଓ କୋଲ୍କାତାରେ ଖେଳାଯିବ। ଆସନ୍ତା ଫେବ୍ରୁଆରି ୬ ତାରିଖରୁ ଶୃଙ୍ଖଳା ଆରମ୍ଭ ହେବ। ଏଥିପାଇଁ ଖୁବ୍ ଶୀଘ୍ର ବିସିସିଆଇ ଦଳ ଘୋଷଣା କରିବ। ଏଥିରେ ପ୍ରମୁଖ ପରିବର୍ତନ ଭାବେ ନବନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଏବଂ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ପ୍ରତ୍ୟାବର୍ତନ ଘଟିବ। ଏହି ଦୁଇ ଜଣ ଫେରିବା ପରେ ଦଳୀୟ ସନ୍ତୁଳନ ବଦଳିବ। ଏହି ଦୁଇ ଜଣଙ୍କ ବ୍ୟତୀତ ଅଲ୍ରାଉଣ୍ଡର ହାର୍ଦିକ୍ ପାଣ୍ଡ୍ୟାଙ୍କ ଫେରିବା ସମ୍ଭାବନା ରହିଥିଲା ବେଳେ ଦକ୍ଷିଣ ଆଫ୍ରିକା ଗସ୍ତରେ ବିଫଳ ହୋଇଥିବା ଭୁବନେଶ୍ବର କୁମାର ଏବଂ ରବିଚନ୍ଦ୍ରନ୍ ଅଶ୍ବିନ୍ଙ୍କୁ ନେଇ ଆଶଙ୍କା ଦେଖାଦେଇଛି। ତଥାପି ଅଶ୍ବିନ୍ଙ୍କୁ ଆଉ ଏକ ଶୃଙ୍ଖଳାରେ ସୁଯୋଗ ଦିଆଯାଇପାରେ ବୋଲି କୁହାଯାଉଛି।
ବିଶେଷକରି ଦକ୍ଷିଣ ଆଫ୍ରିକାରେ ଭଲ ପ୍ରଦର୍ଶନ କରିଥିବା ବାମହାତୀ ଓପ୍ନର ଶିଖର ଧାୱନ୍ ଦଳରେ ସ୍ଥାନ ସୁରକ୍ଷିତ ରଖିବା ପ୍ରାୟତଃ ନିଶ୍ଚିତ। ତେବେ ପୂର୍ବ ଅଧିନାୟକ ବିରାଟ କୋହଲି ଏବଂ ରନ୍ ପାଇଁ ସଂଘର୍ଷ କରୁଥିବା ଶ୍ରେୟସ ଆୟରଙ୍କ ଉପରେ ନଜର ରହିବ। ପୁଣି ଦ୍ରୁତ ବୋଲର ଯଶ୍ପ୍ରୀତ୍ ବୁମ୍ରା ଏବଂ ଅଲ୍ରାଉଣ୍ଡର ଶାର୍ଦୁଲ ଠାକୁର ବ୍ୟସ୍ତବହୁଳ ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଘରୋଇ ଶୃଙ୍ଖଳାରେ ବିଶ୍ରାମ ପାଇପାରନ୍ତି। ଏମାନଙ୍କ ବ୍ୟତୀତ ଦକ୍ଷିଣ ଆଫ୍ରିକାରେ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିବା ୱିକେଟ୍ ରକ୍ଷକ ଈଶାନ କିଷନ, ଆହତ ଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଅଲ୍ରାଉଣ୍ଡର ୱାସିଂଟନ୍ ସୁନ୍ଦର ସମ୍ଭାବ୍ୟ ଦଳରେ ସ୍ଥାନ ବଜାୟ ରଖିବା ଆଶା ରହିଛି। ସେହିପରି ଅଭେଶ ଖାନ୍ ଏବଂ ହର୍ଷଲ ପଟେଲଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିବା ସମ୍ଭାବନା ରହିଛି।
ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ୍, କେଏଲ୍ ରାହୁଲ, ବିରାଟ କୋହଲି, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ୍ ଆୟର, ଦୀପକ ଚହର, ୟୁଝ୍ବେନ୍ଦ୍ର ଚହଲ, ଋଷଭ ପନ୍ତ୍ (ୱିକେଟ୍ରକ୍ଷକ), ଈଶାନ କିଷନ, ୱାସିଂଟନ୍ ସୁନ୍ଦର, ରବୀନ୍ଦ୍ର ଜାଦେଜା, ଭୁବନେଶ୍ବର କୁମାର, ଯଶ୍ପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ।
ଏବର ଦିନିକିଆ ଦଳ ସନ୍ତୁଳିତ ନୁହେଁ: ଦ୍ରାବିଡ
ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି ଭାରତୀୟ ଦଳ ସମସ୍ତ ଫର୍ମାଟ୍ରେ ଆଖିଦୃଶିଆ ପ୍ରଦର୍ଶନ କରିଆସିଥିଲା। ଏହି ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡକୁ ସେମାନଙ୍କ ଦୁର୍ଗରେ ପରାସ୍ତ କରି ବୀରଦର୍ପରେ ସ୍ବଦେଶ ଫେରିଥିଲା। ଅଷ୍ଟ୍ରେଲିଆରେ ବ୍ରିସ୍ବର୍ଣ୍ଣ ଓ ଗାବା ଦୁର୍ଗକୁ ଭେଦ କରି ୨୦୨୧ ବର୍ଷ ଆରମ୍ଭ କରିଥିବା ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାର ସେଞ୍ଚରିଅନ୍ ଦୁର୍ଗ ମଧ୍ୟ ଦଖଲ କରିଥିଲା। ସେହିପରି ଇଂଲଣ୍ଡକୁ ସେମାନଙ୍କ ଦୁର୍ଗ ଲର୍ଡସରେ ମଧ୍ୟ ପରାସ୍ତ କରିଥିଲା। ହେଲେ ଅଚାନକ କ’ଣ ହେଲା କେଜାଣି ୨୦୨୨ ଆରମ୍ଭରୁ ପତନମୁଖୀ ହୋଇଛି। ଦକ୍ଷିଣ ଆଫ୍ରିକାରେ ପ୍ରଥମ ଟେଷ୍ଟ୍ ବିଜୟ ସତ୍ତ୍ବେ କ୍ରମାଗତ ଦୁଇଟି ଟେଷ୍ଟ୍ ସହିତ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖାଳାରେ ମୂଳପୋଛ ହୋଇଗଲା। କେଏଲ୍ ରାହୁଲଙ୍କ ନେତୃତ୍ବରେ ଭାରତ ଦକ୍ଷିଣ ଆଫ୍ରିକାରେ ୪ ମ୍ୟାଚ୍ ହାରିଥିଲା ବେଳେ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍ ମଧ୍ୟ ପରାଜୟରୁ ବର୍ଷ ଆରମ୍ଭ କରିଛନ୍ତି।
ଏହି ଦୃଷ୍ଟିରୁ ଏବର ଭାରତୀୟ ଦିନିକିଆ ଦଳକୁ ଦ୍ରାବିଡ୍ ଅସନ୍ତୁଳିତ ବୋଲି ବର୍ଣ୍ଣନା କରିଛନ୍ତି। ବିଶେଷକରି ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଉଭୟ ଟେଷ୍ଟ୍ ଏବଂ ଦିନିକିଆ ଶୃଙ୍ଖଳାରୁ ଓହରିଯିବା ପରେ ଦୁଇ ଅଲ୍ରାଉଣ୍ଡର ରବୀନ୍ଦ୍ର ଜାଦେଜା ଏବଂ ହାର୍ଦିକ୍ ପାଣ୍ଡ୍ୟାଙ୍କ ଅନୁପସ୍ଥିତି ଖୁବ୍ ଅନୁଭୂତ ହୋଇଥିଲା। ତେଣୁ ଦଳର ସନ୍ତୁଳନ ବିଗିଡ଼ିଯାଇଥିଲା ବୋଲି ଦ୍ରାବିଡ୍ କହିଛନ୍ତି।