ଭୁବନେଶ୍ବର : ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ରେ ଦ୍ବିତୀୟ ଥର ଉପବିଜେତା ହେବା ପରେ ଭାରତ ପରବର୍ତ୍ତୀ ଡବ୍ଲୁଟିସି ଚକ୍ର (୨୦୨୩-୨୫) ପାଇଁ ୧୨ ତାରିଖରୁ ଅଭିଯାନ ଆରମ୍ଭ କରିବ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ। ଦିନିକିଆ ବିଶ୍ବକପ୍‌ ଯୋଗ୍ୟତାରୁ ୱେଷ୍ଟଇଣ୍ଡିଜ୍‌ ବାଦ୍‌ ପଡ଼ିବା ପରେ ଟେଷ୍ଟ ମ୍ୟାଚ୍‌ ମାଧ୍ୟମରେ ପୁରୁଣା ଯଶ ଫେରିପାଇବାକୁ ଏହି ଦଳ ଲକ୍ଷ୍ୟ ରଖିବ। ଗୋଟିଏ ସମୟରେ ବିଶ୍ବ କ୍ରିକେଟ୍‌ର ସବୁଠୁ ଶକ୍ତିଶାଳୀ ଦଳର ଆଖ୍ୟା ପାଇଥିବା ୱେଷ୍ଟଇଣ୍ଡିଜ୍‌ ଦଳରେ ଆଉ ପୂର୍ବଭଳି ଚମକ ନାହିଁ। କିନ୍ତୁ ପ୍ରତିଭା ଓ ଦକ୍ଷତାର ଅଭାବ ନାହିଁ। କେବଳ ଠିକ୍‌ ଢଙ୍ଗରେ କାର୍ଯ୍ୟକାରୀ କରିବା ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଡବ୍ଲୁଟିସି ଫାଇନାଲ୍‌ର ଶୋଚନୀୟ ପରାଜୟକୁ ଭୁଲି ଭାରତୀୟ ଦଳ ଏକ ନୂଆ ଆରମ୍ଭ ପାଇଁ ଲକ୍ଷ୍ୟ ରଖିଛି। ଏଥିପାଇଁ ଟେଷ୍ଟ ଶୃଙ୍ଖଳା ଆରମ୍ଭ ହେବାର କିଛି ଦିନ ଆଗରୁ ବାର୍ବାଡସ୍‌ରେ ଭାରତର ଅଭ୍ୟାସ ଶିବିର ଚାଲିଥିଲା ବେଳେ ମ୍ୟାଚ୍‌ ଖେଳିବାକୁ ଡୋମିନିକା ଗସ୍ତ କରିଛି।

Advertisment

publive-image

ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ ଇତିହାସ ବହୁତ ପୁରୁଣା। ୧୯୪୮-୪୯ ବର୍ଷରୁ ଉଭୟ ଟେଷ୍ଟ ମ୍ୟାଚ୍‌ ଖେଳିଆସୁଥିଲା ବେଳେ ବର୍ତ୍ତମାନ ସୁଦ୍ଧା ଉଭୟ ୨୪ ଶୃଙ୍ଖଳାରେ ୯୮ ମ୍ୟାଚ୍‌ ଖେଳିସାରିଛନ୍ତି। ସମସ୍ତ ଶୃଙ୍ଖଳା ମଧ୍ୟରୁ ୱେଷ୍ଟଇଣ୍ଡିଜ୍‌ ସର୍ବାଧିକ ୧୨ ଥର ବିଜେତା ହୋଇଥିଲା ବେଳେ ଭାରତ ୧୦ ଥର ବିଜେତା ହୋଇଛି। ଦୁଇଟି ଶୃଙ୍ଖଳା ଅମୀମାଂସିତ ରହିଥିଲା। କିନ୍ତୁ ବିଗତ ଗତ ୧୦ ଶୃଙ୍ଖଳା ମଧ୍ୟରୁ ଭାରତ ଶେଷ ୮ ଶୃଙ୍ଖଳାକୁ ଲଗାତାର ଭାବେ ଜିତିଛି। ଗତ ଦୁଇଟି ଶୃଙ୍ଖଳାକୁ ଭାରତ ମୂଳପୋଛ କରିଆସିଛି। ତେଣୁ ରେକର୍ଡ ବହିକୁ ଦେଖିବାକୁ ଗଲେ ଭାରତ ସଂଖ୍ୟାରେ ପଛରେ ଥିଲେ ବି ବର୍ତ୍ତମାନ ପରିସ୍ଥିତିରେ ଆଗକୁ ବଢି ଚାଲିଛି। ବ୍ୟକ୍ତିଗତ ପ୍ରଦର୍ଶନକୁ ନଜର ପକାଇଲେ ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତୀୟମାନେ ଆଗରେ ଅଛନ୍ତି। ସର୍ବାଧିକ ରନ୍‌ରେ ସୁନୀଲ ଗାଭାସ୍କର (୨୭୪୯), ସର୍ବାଧିକ ୱିକେଟ୍‌ରେ କପିଳ ଦେବ (୮୯) ଶୀର୍ଷରେ ରହିଛନ୍ତି। ସେହିପରି ସର୍ବାଧିକ ଶତକ ଅର୍ଜନ କରିବାରେ ଗାଭାସ୍କର (୧୩) ପ୍ରଥମ ସ୍ଥାନରେ ରହିଥିଲା ବେଳେ ବର୍ତ୍ତମାନ ଖେଳୁଥିବା କ୍ରିକେଟରଙ୍କ ମଧ୍ୟରୁ ରବିଚନ୍ଦ୍ରନ ଅଶ୍ବିନ ୪ ଶତକ ମାରି ତାଲିକାର ଏକାଦଶ ସ୍ଥାନରେ ଅଛନ୍ତି। ଆଗକୁ ଦ୍ବିତୀୟ ଟେଷ୍ଟ ସମୟରେ ଉଭୟ ଦଳ ମଧ୍ୟରେ ୧୦୦ ତମ ମ୍ୟାଚ୍‌ ହେବାକୁ ଯାଉଥିବାରୁ ଏହାକୁ ସ୍ମରଣୀୟ କରିବା ପାଇଁ ଉଭୟ ଦଳ ଚାହିଁବେ।

publive-image