ବାରବାଟୀ ଲଢ଼େଇ ପାଇଁ ପହଞ୍ଚିଲେ ଯୋଦ୍ଧା

ଭୁବନେଶ୍ବର : ରବିବାର ଖେଳାଯିବାକୁ ଥିବା ବହୁ ପ୍ରତୀକ୍ଷିତ ବାରବାଟୀ ଦିନିକିଆ ଲାଗି ଉଭୟ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ଖେଳାଳିମାନେ ଗୁରୁବାର ଭୁବନେଶ୍ବର ପହଞ୍ଚିଛନ୍ତି। ଦୁଇ ଦଳର ଖେଳାଳି ସ୍ବତନ୍ତ୍ର ବିମାନ ଯୋଗେ ବିଶାଖାପାଟଣାରୁ ଅପରାହ୍ଣରେ ସ୍ଥାନୀୟ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଓହ୍ଲାଇ ଥିଲେ। ସେଠାରୁ କମିସନରେଟ୍ ପୁଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ଆରାମଦାୟକ ଓ ଶୀତତାପ ନିୟନ୍ତ୍ରିତ ବସ୍ ଯୋଗେ ମେ’ ଫେୟାର ହୋଟେଲ୍‌କୁ ନିଆଯାଇଥିଲା। ବିମାନବନ୍ଦରରୁ ହୋଟେଲ୍‌ ମଧ୍ୟରେ ଥିବା ପ୍ରତ୍ୟେକ ଗଳି ଏବଂ ସଡ଼କରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଥିଲା। ଖେଳାଳିମାନଙ୍କର ଟିକିଏ ଝଲକ ପାଇବା ଲାଗି କିନ୍ତୁ ହୋଟେଲ ସମ୍ମୁଖରେ ସର୍ବାଧିକ ଭିଡ଼ ଦେଖିବାକୁ ମିଳିଥିଲା। ଭାରତୀୟ ଖେଳାଳିଙ୍କ ବସ୍ ପ୍ରଥମେ ହୋଟେଲ ଭିତରେ ପ୍ରବେଶ କରିଥିଲା। ତା’ ପରେ ୱେଷ୍ଟଇଣ୍ଡିଜ୍ ଖେଳାଳି ପହଞ୍ଚିଥିଲେ। ଖେଳାଳିଙ୍କ ସହ ଦୁଇ ଦଳର ଅଧିକାରୀ, ପ୍ରଶିକ୍ଷକ ଏବଂ ପରିଚାଳକ ମଧ୍ୟ ଏକ ସମୟରେ ହୋଟେଲ ଭିତରକୁ ପ୍ରବେଶ କରିଥିଲେ।

ନାଚଗୀତରେ ସ୍ବାଗତ
ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଲାଗି ଭାରତ କିମ୍ବା ଅନ୍ୟ କୌଣସି ଦେଶର ଖେଳାଳି ଓଡ଼ିଶା ଆସିଲେ ସେମାନଙ୍କୁ ପାରମ୍ପରିକ ଶୈଳୀରେ ସ୍ବାଗତ କରାଯାଇଥାଏ। ମଥାରେ ଚନ୍ଦନଟିପା ସହ ସିନ୍ଦୁର ଏବଂ ଚାଉଳ ଲଗା ଯାଇଥାଏ। ସେହିଭଳି ଗଳାରେ ଉତ୍ତରୀୟ ପିନ୍ଧିବାକୁ ଦିଆଯାଇଥାଏ। ଏଥର କିନ୍ତୁ ମେ’ ଫେୟାର ହୋଟେଲ କର୍ତ୍ତୁପକ୍ଷ ନିଆରା ଢଙ୍ଗରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କୁ ସ୍ବାଗତ କରିଥିଲେ। ପରମ୍ପରାକୁ ବଜାୟ ରଖିବା ସହ ଏଥିରେ ଆଧୁନିକତାକୁ ଫେଣ୍ଟି ଥିଲେ। ପ୍ରଥମ ଥର ପାଇଁ ହୋଟେଲ କର୍ମଚାରୀମାନେ ବଲିଉଡ୍ ଗୀତର ତାଳେ ତାଳେ ନାଚି ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଧନା ଦେଇଥିଲେ। ଖେଳାଳିମାନେ ମଧ୍ୟ ଏହାର ପୂରା ମଜା ନେଇଥିଲେ।

ପୋଲାର୍ଡ ପିଇଲେ ପଇଡ଼
ଖେଳାଳିମାନଙ୍କ ଲାଗି ହୋଟେଲ ପକ୍ଷରୁ ଚିରାଚରିତ ‌ଶୈଳୀରେ ଜଳଯୋଗର ବ୍ୟବସ୍ଥା କରାଯାଇଥିଲା। ସମସ୍ତଙ୍କୁ ମିଠା ପଇଡ଼ ପାଣି ପିଇବାକୁ ଦିଆଯାଇଥିଲା। ତେବେ ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରଣ ପୋଲାର୍ଡ ପଇଡ଼ ଧରି ଫଟୋ ପାଇଁ ପୋଜ୍ ଦେବା ହୋଟେଲ କର୍ମଚାରୀଙ୍କ ସହ ସେଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କ ମନ ଜିତି ନେଇଥିଲା। ତାଙ୍କୁ ଦେଖି ଅନ୍ୟ ଖେଳାଳିମା‌ନେ ମଧ୍ୟ ପଇଡ଼ ପାଣିରେ ନିଜ ଶୋଷ ମେଣ୍ଟାଇଥିଲେ।

ବିରାଟ… ବିରାଟ
ଖେଳାଳିମାନଙ୍କୁ ଦେଖିବା ଲାଗି ହୋଟେଲ ବାହାରେ ଅପେକ୍ଷା କରି ରହିଥିବା ପ୍ରଶଂସକଙ୍କ ମଧ୍ୟରେ ଅନେକ ଥିଲେ କଲେଜ ପଢ଼ୁଆ ଛାତ୍ରଛାତ୍ରୀ। ଭାରତୀୟ ଦଳ ପହଞ୍ଚିବା କ୍ଷଣି ସେମାନେ ଇଣ୍ଡିଆ ଇଣ୍ଡିଆ‌ ….କହି ସେମାନଙ୍କୁ ସ୍ବାଗତ କରିଥିଲେ। କ୍ଷଣକ ପରେ କିନ୍ତୁ ସେମାନେ ବିରାଟ …..ବିରାଟ ସ୍ଲୋଗାନ ଦେଇଥିଲେ। କିଛି କୁନି ପ୍ରଶଂସକ ବାରବାଟୀରେ ବିରାଟ ଦ୍ବିଶତକ ଅର୍ଜନ କରିବେ ବୋଲି ଆଶା ଜାହିର କରିଥିଲେ। ଅନ୍ୟ କେତେକ କୁଲଦୀପ ବିଶାଖାପାଟଣା ଭଳି କଟକରେ ମଧ୍ୟ ତାଙ୍କ ଯାଦୁ ଦେଖାଇବେ ବୋଲି ମତ ରଖିଥିଲେ।

ଘାରିଲା କ୍ରିକେଟ୍‌ ଜ୍ୱର
ରାଜଧାନୀ ଭୁବନେଶ୍ବର ସମେତ ସମଗ୍ର ଓଡ଼ିଶାକୁ ଗ୍ରାସିଛି କ୍ରିକେଟ୍ ଜ୍ବର। ରବିବାର ବାରବାଟୀରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଅନ୍ତର୍ଜାତୀୟ ଦିନିକିଆ ଲାଗି ଦ୍ବୈତ ନଗରୀ କଟକ-ଭୁବନେଶ୍ବର ପୂରା ଉତ୍ସବ ମୁଖର। ବିଶେଷକରି ନିଆରା ଅତିଥିଙ୍କ ଉପସ୍ଥିତି ନେଇ ରାଜଧାନୀ ଏବେ କ୍ରିକେଟ୍ ମୟ। ବିରାଟ କୋହଲିଙ୍କ ନେତୃତ୍ବରେ ଆସିଥିବା ଭାରତୀୟ କ୍ରି‌କେଟ୍ ଦଳ ସହ କିରଣ ପୋଲାର୍ଡଙ୍କ ଅଧିନାୟକତ୍ବରେ ଖେଳିବାକୁ ଆସିଥିବା ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କୁ ପାଖରେ ପାଇ ରାଜଧାନୀବାସୀ ସବୁଠାରୁ ବେଶି ଉଲ୍ଲସିତ। ଖେଳାଳିମାନେ ଗୁରୁବାର ଏଠାରେ ପହଞ୍ଚିଥିଲା ବେଳେ ଶୁକ୍ରବାର ଅଭ୍ୟାସ ପାଇଁ କଟକ ଯିବେ। ଶନିବାର ମଧ୍ୟ ସେମାନେ ଅଭ୍ୟାସ ପାଇଁ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ରବିବାର ମେଗା ଲଢ଼େଇ ଅନୁଷ୍ଠିତ ହେବ। ସୋମବାର ଖେଳାଳିମାନେ ଭୁବନେଶ୍ବର ଛାଡ଼ିବେ। ଗୁରୁବାରରୁ ରବିବାର ପର୍ଯ୍ୟନ୍ତ କ୍ରିକେଟ ହିଁ କଟକ-ଭୁବନେଶ୍ବରରେ ମୁଖ୍ୟ ଚର୍ଚାର ବିଷୟ ହେବ। ତିନି ଟିକିଆ ଶୃଙ୍ଖଳାରେ ଦୁଇ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଥିବାରୁ ବାରବାଟୀ ଦିନିକିଆ ଶୃଙ୍ଖଳା ନିର୍ଣ୍ଣାୟକ ହୋଇଛି। ସେଥିପାଇଁ ଏହି ମ୍ୟାଚ୍‌ର ଉତ୍କଣ୍ଠା ଢେର ବଢ଼ି ଯାଇଛି।

ସମ୍ବନ୍ଧିତ ଖବର