ଭୁବନେଶ୍ବର: ଚଳିତ କନିଷ୍ଠ ହକି ବିଶ୍ବକପ୍ରେ ନିଜର ପ୍ରଥମ ମ୍ୟାଚ୍ ଫ୍ରାନ୍ସଠୁ ହାରିବା ପରେ ଭାରତ ଦ୍ବିତୀୟ ମ୍ୟାଚ୍ରେ ୧୩-୧ ଗୋଲ୍ରେ କାନାଡ଼ାକୁ ହରାଇ କ୍ବାର୍ଟର ଫାଇନାଲ୍ ଅଶା ଉଜ୍ଜୀବିତ ରଖିଛି। ଶନିବାର ଗ୍ରୁପ୍-ବି’ର ଶେଷ ମ୍ୟାଚ୍ରେ ଏହି ଦଳ ସମ୍ମୁଖରେ ରହିଛି ପୋଲାଣ୍ଡ। ଏହି ମ୍ୟାଚ୍ ଜିତି କ୍ବାର୍ଟର ଫାଇନାଲ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଆୟୋଜକ ଭାରତ। ବିଜେତା ଭାରତ ପାଇଁ ଏହି ମ୍ୟାଚ୍ କର ବା ମର ସଦୃଶ ହୋଇଛି।
‘‘ବଡ଼ ବ୍ୟବଧାନରେ କାନାଡ଼ାକୁ ହରାଇବା ପରେ ପୋଲାଣ୍ଡ ବିପକ୍ଷ ମ୍ୟାଚ୍ ପୂର୍ବରୁ ଆମର ମନୋବଳ ଦୃଢ଼ ହୋଇଛି। ଏହି ବିଜୟ ପୋଲାଣ୍ଡ ବିପକ୍ଷରେ ଭଲ କରିବାକୁ ଉତ୍ସାହିତ କରିବ। ପ୍ରଥମ ମ୍ୟାଚ୍ରେ ୪-୫ ଗୋଲ୍ରେ ଫ୍ରାନ୍ସଠୁ ହାରିବା ନିଶ୍ଚିତ କଷ୍ଟ ଦେଇଥିଲା। ଏହି ମ୍ୟାଚ୍ରେ ଆମେ ଅନେକ ସୁଯୋଗ ସୃଷ୍ଟି କରିଥିଲୁ ହେଲେ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଲୁ। ଯାହା ଫଳରେ ପରାଜୟର ମୁହଁ ଦେଖିବାକୁ ପଡ଼ିଲା। ତେବେ ପରବର୍ତ୍ତୀ ମ୍ୟାଚ୍ରେ ଆମ ଭୁଲ୍କୁ ସୁଧାରି ନେଉଥିଲୁ ଏବଂ କାନାଡ଼ାକୁ ହରାଇଥିଲୁ। ଯଦି ଆମେ ପୋଲାଣ୍ଡକୁ ଶନିବାର ହରାଇବୁ ତେବେ ଆମେ ବେଲ୍ଜିୟମ ଭଳି ଭଲ ଦଳ ବିପକ୍ଷରେ କ୍ବାର୍ଟର ଫାଇନାଲ୍ ଖେଳିବା ସମ୍ଭାବନା ରହିବ। ବେଲ୍ଜିିୟମ ଭଲ ଦଳ ହୋଇଥିଲେ ମଧ୍ୟ ଆମେ ଯେକୌଣସି ଦଳକୁ ହରାଇବାକୁ ସକ୍ଷମ। ଫ୍ରାନ୍ସଠୁ ହାରିବା ପରେ ଆମେ ପ୍ରତି ମ୍ୟାଚ୍ ଜିତି ବିଶ୍ବକପ୍ ବିଜେତା ହେବା ଲାଗି ସବୁ ଉଦ୍ୟମ କରିବୁ'' ବୋଲି ମ୍ୟାଚ୍ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍ କହିଛନ୍ତି।
''ଆମେ କିପରି ନୂଆ ଜ୍ଞାନକୌଶଳରେ ଖେଳିବୁ ତାହା ପ୍ରଶିକ୍ଷକ ଆମକୁ ସର୍ବଦା ଶିଖାଉଛନ୍ତି। ଅନ୍ୟ ଦଳକୁ କିପରି ଗୋଲ୍ ସୁଯୋଗ ନଦେବୁ ଆମେ ତାହା ଉପରେ ଅଧିକ ଗୁରୁତ୍ବ ଦେଉଛୁ। ମୁଁ ଭାରତୀୟ ଦଳର ଅଗ୍ରଭାଗ ଖେଳାଳି ହରମନ୍ପ୍ରୀତ ସିଂହଙ୍କଠୁ ସବୁବେଳେ ପରାମର୍ଶ ନିଏ। ତାଙ୍କ ପରାମର୍ଶ ଚଳିତ ବିଶ୍ବକପ୍ରେ ଭଲ କରିବାରେ ମୋତେ ସହାୟତା କରିଛି'' ବୋଲି ଦୁଇ ମ୍ୟାଚ୍ରେ ହ୍ୟାଟ୍ରିକ୍ ଅର୍ଜନ କରିଥିବା ଉପଅଧିନାୟକ ସଂଜୟ ପ୍ରକାଶ କରିଛନ୍ତି।