ଭୁବନେଶ୍ବର: କୋରିଆ ବିପକ୍ଷ ମହତ୍ବପୂର୍ଣ୍ଣ ମ୍ୟାଚ୍କୁ ୪-୪ ଗୋଲ୍ରେ ଅମୀମାଂସିତ ରଖି ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଚାଲିଥିବା ଏସିଆ କପ୍ ହକି ପ୍ରତିଯୋଗିତାର ଫାଇନାଲ୍ ଖେଳିବାରୁ ବଞ୍ଚିତ ହୋଇଛି ଗତଥରର ବିଜେତା ଭାରତ। ଫାଇନାଲ୍ ପ୍ରବେଶ ଦୃଷ୍ଟିରୁ ଭାରତ ପାଇଁ ଏହି ସୁପର ଫୋର୍ ପର୍ଯ୍ୟାୟ ମ୍ୟାଚ୍କୁ ଜିତିବା ଏକାନ୍ତ ଅପରିହାର୍ଯ୍ୟ ଥିଲା। ତେବେ ଶେଷ ପର୍ଯ୍ୟନ୍ତ ଲଢ଼ିବା ସତ୍ତ୍ବେ ଭାରତ ଏହାକୁ ଜିତି ପାରିନଥିଲା। ବରଂ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଥିଲା। ଫଳରେ କୋରିଆ ଏବଂ ମାଲେସିଆ ସହ ସମାନ ୫ ପଏଣ୍ଟ୍ ଲେଖାଏଁ ପାଇଥିଲେ ମଧ୍ୟ ଗୋଲ୍ ବ୍ୟବଧାନରେ ପଛୁଆ ରହି ଫାଇନାଲ୍ ଟିକେଟ୍ ହାସଲ କରି ପାରି ନଥିଲା। ଭାରତ ଏବେ କାଂସ୍ୟ ପଦକ (ତୃତୀୟ/ଚତୁର୍ଥ ସ୍ଥାନ) ପାଇଁ ଜାପାନ ସହ ମୁକାବିଲା କରିବ। ଅନ୍ୟପକ୍ଷରେ ଫାଇନାଲ୍ କୋରିଆ ଏବଂ ମାଲେସିଆ ମଧ୍ୟରେ ଖେଳାଯିବ।
ମଙ୍ଗଳବାର ଭାରତ ଆରମ୍ଭରୁ ଆକ୍ରମଣାତ୍ମକ ହକି ଖେଳିଥିଲା। ତା ସହ ନବମ ମିନିଟ୍ରେ ଓଡ଼ିଆ ତାରକା ନିଲମସଞ୍ଜୀବ ଖେସ୍ଙ୍କ ଗୋଲ୍ ବଳରେ ଆଗୁଆ ହୋଇଯାଇଥିଲା। ତେବେ ଢିଲା ରକ୍ଷଣଭାଗ ପାଇଁ ମାତ୍ର ୫ ମିନିଟ୍ ଭିତରେ ଦୁଇଟି ଗୋଲ୍ ବରଣ କରି ପଛୁଆ ହୋଇଯାଇଥିଲା। କୋରିଆ ପକ୍ଷରୁ ଏହି ଦୁଇଟି ଗୋଲ୍ ଜଙ୍ଗ ଜଙ୍ଘୟୁନ (୧୩ ମିନିଟ୍) ଓ ଜୀ ଉ ଚେନ୍ (୧୮ ମିନିଟ୍) ଦେଇଥିଲେ। ୨୧ ମିନିଟ୍ରେ ମନୀନ୍ଦର ସିଂହଙ୍କ ଗୋଲ୍ ବଳରେ ଭାରତ ସ୍ଥିତି ସମାନ ସ୍ତରକୁ ନେଇ ଆସିଥିଲା। ତେବେ ୭ ମିନିଟ୍ ପରେ କୋରିଆ କିଜ୍ ଜଙ୍ଗ ହୁ’ଙ୍କ ଗୋଲ୍ ବଳରେ ପୁଣି ଥରେ ୩-୨ରେ ଆଗୁଆ ହୋଇଯାଇଥିଲା। ୩୭ ମିନିଟ୍ରେ ମାରିସ୍ବରନ୍ ଶକ୍ତିଭେଲ ଏବଂ ବିଏମ୍ ଶେଷ ଗୌଡ଼ା ମାତ୍ର କିଛି ସେକେଣ୍ଡ ଭିତରେ ଦୁଇଟି ଗୋଲ୍ କରି ଭାରତକୁ ଆଗୁଆ କରିଥିଲେ ମଧ୍ୟ ଜଙ୍ଗ ମଞ୍ଜାଏ (୪୪ ମିନିଟ୍)ଙ୍କ ଗୋଲ୍ ବଳରେ ପୁନର୍ବାର ସ୍ଥିତି ସମାନ ସ୍ତରକୁ ନେଇଆସିଥିଲା। ବଳକା ୧୬ ମିନିଟ୍ରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ନପାରିବାରୁ ମ୍ୟାଚ୍ ୪-୪ରେ ଅମୀମାଂସିତ ରହିଥିଲା। ଭାରତ-ଜାପାନ କାଂସ୍ୟ ପଦକ ମ୍ୟାଚ୍ ବୁଧବାର ଖେଳାଯିବ। ଗୌଡ଼ା ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।
ନିଜ ସର୍ବଶ୍ରେଷ୍ଠ ମାନ୍ୟତାରେ ଭାରତୀୟ ମହିଳା ଦଳ
ଭାରତୀୟ ମହିଳା ହକି ଦଳ ନିଜ ସର୍ବଶ୍ରେଷ୍ଠ ମାନ୍ୟତା ଲାଭ କରିଛି। ୨୦୨୯.୩୯୬ ପଏଣ୍ଟ ଅର୍ଜନ କରି ଏଫ୍ଆଇଏଚ୍ ବିଶ୍ବ ମାନ୍ୟତାର ଷଷ୍ଠ ସ୍ଥାନକୁ ଉଠି ସ୍ପେନକୁ ସପ୍ତମ ସ୍ଥାନକୁ ଠେଲି ଦେଇଛି। ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ୮ ମ୍ୟାଚ୍ ଖେଳି ୨୨ ପଏଣ୍ଟ ଅର୍ଜନ କରିବା ପରେ ଭାରତୀୟ ମହିଳା ଦଳ ଏହି ସଫଳତା ଲାଭ କରିଛି। ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ୨୨ ପଏଣ୍ଟ୍ ଅର୍ଜନ କରି ଭାରତ ସଂପ୍ରତି ତୃତୀୟ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନରେ ଅଛି।