ଆଜି ଆଫ୍‌ଗାନିସ୍ତାନକୁ ଭେଟିବ ଭାରତ, ଛେତ୍ରୀଙ୍କ ପାଇଁ ଆଉ ଏକ କୀର୍ତ୍ତିମାନ ଛୁଇଁବା ସୁଯୋଗ

ଦୋହା: ସର୍ବକାଳୀନ ଶ୍ରେଷ୍ଠ ୧୦ ସ୍କୋରର୍‌ ତାଲିକାରେ ଯୋଡ଼ି ହେବା ଲାଗି ଗୋଲ୍‌ ମେସିନ୍‌ ସୁନିଲ ଛେତ୍ରୀ ମାତ୍ର ଗୋଟିଏ ଗୋଲ୍‌ ଦୂରରେ ରହିଛନ୍ତି। ମଙ୍ଗଳବାର ଭାରତ ୨୦୨୨ ବିଶ୍ବକପ୍‌ ଏବଂ ୨୦୨୩ ଏସିଆ କପ୍‌ ‌ଯୋଗ୍ୟତାପର୍ଯ୍ୟାୟରେ ଆଫ୍‌ଗାନିସ୍ତାନକୁ ଭେଟିବାକୁ ଥିଲା ବେଳେ ଏହି ମ୍ୟାଚ୍‌ରେ ଛେତ୍ରୀ ମାଇଲଖୁଣ୍ଟରେ ପହଞ୍ଚିବା ଲକ୍ଷ୍ୟରେ ରହିଛନ୍ତି। ଅନ୍ୟପକ୍ଷରେ ଏଏଫ୍‌ସି ଏସୀୟ କପ୍‌ କ୍ବାଲିଫାୟର୍ସ ତୃତୀୟ ରାଉଣ୍ଡରେ ପହଞ୍ଚିବା ଲାଗି ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ସଦୃଶ। ଅମୀମାଂସିତ କିମ୍ବା ବିଜୟ ପାଇଲେ ଭାରତର ଏହି ଲକ୍ଷ୍ୟ ହାସଲ ହୋଇପାରିବ। ଶୁକ୍ରବାର ଓମାନ ୨-୧ରେ ଆଫ୍‌ଗାନିସ୍ତାନକୁ ହରାଇବା ପରେ ଏଭଳି ସମୀକରଣ ଭାରତ ସମ୍ମୁଖରେ ରହିଛି।

ଅନ୍ତର୍ଜାତୀୟସ୍ତରରେ କିଂମ୍ବଦନ୍ତି ପେଲେଙ୍କ ଗୋଲ୍‌ ସହ ସମକକ୍ଷ ଲାଗି ଛେତ୍ରୀଙ୍କୁ ଗୋଟିଏ ହ୍ୟାଟ୍ରିକର ଆବଶ୍ୟକତା ରହିଛି। ଏଥିସହ ସର୍ବକାଳୀନ ଶ୍ରେଷ୍ଠ ୧୦ ଗୋଲ୍‌ ସ୍କୋରର୍‌ ତାଲିକାରେ ନିଜ ନାମ ଯୋଡ଼ିବା ଲାଗି ଛେତ୍ରୀ ମାତ୍ର ଗୋଟିଏ ଗୋଲ୍‌ ଦୂରରେ ରହିଛନ୍ତି। ହ୍ୟାଟ୍ରିକ ନହେ‌ଲେ ମଧ୍ୟ ଆଫ୍‌ଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ଗୋଟିଏ ଗୋଲ୍‌ କଲେ ଏହି ତାଲିକାରେ ଯୋଡ଼ି ହୋଇପାରି। ଗତ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଅଧିନାୟକ ‌ଛେତ୍ରୀଙ୍କ ଯୁଗଳ ଗୋଲ୍‌ ବଳରେ ଭାରତ ବିଜୟୀ ହୋଇ ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ବିଜୟଶୂନ୍ୟ ଧାରା ଭାଙ୍ଗିଥିଲା। ଏହି ମ୍ୟାଚ୍‌ରେ ‌ଛେତ୍ରୀ ଅନ୍ତର୍ଜାତୀୟସ୍ତରରେ ‌ସର୍ବାଧିକ ଗୋଲ୍‌ ‌ସ୍କୋର୍‌‌ର ସଂପ୍ରତି ଖେଳୁଥିବା ଖେଳାଳିଙ୍କ ମଧ୍ୟରେ ଦ୍ବିତୀୟ ସ୍ଥାନରେ ଥିବା ଆର୍ଜେଣ୍ଟିନା କିଂବଦନ୍ତି ଲିଓନେଲ ମେସିକୁ ଟପିଥିଲେ। ଆଫ୍‌ଗାନିସ୍ତାନ ବିପକ୍ଷ ଆଗାମୀ ମ୍ୟାଚ୍‌ରେ ଭାରତ ଜିତିଲେ ଗ୍ରୁପ୍‌ରେ ତୃତୀୟ ସ୍ଥାନକୁ ଉନ୍ନତି ହେବ। ସଂପ୍ରତି ଭାରତ ପଞ୍ଚମରେ ରହିଛି। ଭାରତ ବିଶ୍ବକପ୍‌ ଯୋଗ୍ୟତା ଅଭିଯାନରୁ ବାଦ୍‌ ପଡ଼ିଛି। ହେଲେ ଚୀନ୍‌ରେ ହେବାକୁଥିବା ୨୦୨୩ ଏସୀୟ କପ୍‌ ଯୋଗ୍ୟତା ‌ଉପରେ ଦଳର ଲକ୍ଷ୍ୟ ରହିଛି। ଫଳରେ ଇଗୋର ଷ୍ଟିମାକଙ୍କ ଦଳ ବାଂଲାଦେଶକୁ ହରାଇ ଦୃଢ଼ ମନୋବଳରେ ରହିଥିଲେ ମଧ୍ୟ ଆଫ୍‌ଗାନିସ୍ତାନକୁ ଦୁର୍ବଳ ନ ଭାବି ପୂରା ପ୍ରସ୍ତୁତି ‌ହୋଇ ପଡ଼ିଆକୁ ଓହ୍ଲାଇବ। ଛେତ୍ରୀ ଓ ମନବୀର ସିଂହ ପୂରୋଭାଗ ସମ୍ଭାଳିବାକୁ ଥିଲା ବେଳେ ତାଙ୍କ ମଧ୍ୟଭାଗରେ ବ୍ରାଣ୍ଡନ ଫର୍ଣ୍ଣାଡିଜ୍‌ ସହଯୋଗ କରିବେ।

ସମ୍ବନ୍ଧିତ ଖବର