ଭୁବନେଶ୍ବର: ବିହାରର ରାଜଗିରିରେ ଚାଲିଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ମହିଳା ହକି ପ୍ରତିଯୋଗିତାରେ ଆୟୋଜକ ଭାରତ ମଙ୍ଗଳବାର ସେମିଫାଇନାଲ୍ରେ ଜାପାନକୁ ଭେଟିବ। ଏହି ମ୍ୟାଚ୍ ଅପରାହ୍ଣ ୪.୪୫ରେ ଖେଳାଯିବ। ଏହା ପୂର୍ବରୁ ପ୍ରଥମ ସେମିଫାଇନାଲ୍ରେ ଅପରାହ୍ଣ ୨.୧୫ରେ ଚୀନ୍-ମାଲେସିଆ ମୁହାଁମୁହିଁ ହେବେ। ବୁଧବାର ଫାଇନାଲ୍ ମ୍ୟାଚ୍ ଖେଳାଯିବ।
ଗ୍ରୁପ୍ ପର୍ଯ୍ୟାୟରେ ଅପରାଜେୟ ଗତ ଥରର ବିଜେତା ଭାରତ (୧୫ ପଏଣ୍ଟ୍) ଏହି ସ୍ଥାନ ପକ୍କା କରିଥିଲା। ଜାପାନ ୫ ପଏଣ୍ଟ ସହ ଚତୁର୍ଥ ଦଳ ଭାବେ ଟ୍ରଫି ଦୌଡ଼ରେ ସାମିଲ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତ ୫ ମ୍ୟାଚ୍ ଖେଳି ୨୬ ଗୋଲ୍ ଦେଇଥିଲା ବେଳେ ମାତ୍ର ୨ଟି ବରଣ କରିଛି। ଅନ୍ୟପକ୍ଷରେ ଜାପାନ ୬ ଗୋଲ୍ ଦେଇଥିଲା ବେଳେ ୯ ଖାଇଛି। ଉଭୟ ଦଳ ରବିବାର ଲିଗ୍ ପର୍ଯ୍ୟାୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ। ଭାରତ ୩-୦ରେ ଏହି ମ୍ୟାଚ୍ ଜିତିଥିଲା। ତେଣୁ ସେମିଫାଇନାଲ୍ରେ ଘରୋଇ ଦଳ ନିଶ୍ଚିତ ଜାପାନ ଉପରେ ଚାପ ପକାଇବ। ଜାପାନ ପୂର୍ବ ଭୁଲ୍ ସୁଧାରି ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ମ୍ୟାଚ୍ ପୂର୍ବରୁ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି ଯେ ‘‘ପୁଲ୍ ମ୍ୟାଚ୍ ଓ ସେମିଫାଇନାଲ୍ ଅଲଗା ଅଲଗା ପ୍ରକାରର।
ସବୁ ଦଳ ନିଜ ନିଜ ଯୋଜନା ନେଇ ପଡ଼ିଆକୁ ଓହ୍ଲାନ୍ତି। ସେହିଭଳି ଆମେ କିଛି ନୂଆ ଯୋଜନା ସହ ପଡ଼ିଆକୁ ଓହ୍ଲାଇବୁ। ଆମେ କିଭଳି ଅଧିକ ସୁଯୋଗ ସୃଷ୍ଟି କରିବୁ ତାହା ଉପରେ କାମ କରିଛୁ। ମ୍ୟାଚ୍ ଦିନ କେମିତି ଖେଳିବୁ ତାହା ଉପରେ ଆମର ଲକ୍ଷ୍ୟ ରହିବ। ମୋର ଆଶା ଦଳ ପୂର୍ବ ଭଳି ଖେଳ ଜାରି ରଖିବ ଏବଂ ବିଜୟୀ ହେବ’’। ଭାରତ ପକ୍ଷରୁ ଦୀପିକା ପୂରା ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି ୧୦ ଗୋଲ୍ କରିଛନ୍ତି। ଫରୱାର୍ଡରେ ସଂଗୀତା କୁମାରୀ ମଧ୍ୟ ଭଲ ପ୍ରଦର୍ଶନ ଦେଇଛନ୍ତି ଏବଂ ୪ ଗୋଲ୍ ମାରିଛନ୍ତି। ଜାପାନ ଦଳ ରକ୍ଷଣାତ୍ମକ ଖେଳ ଖେଳୁଛି। ଗତ ମ୍ୟାଚ୍ରେ ପ୍ରଥମ ଦୁଇ କ୍ବାର୍ଟରରେ କୌଣସି ସୁଯୋଗ ଦେଇ ନଥିଲା। ଜାପାନ ପକ୍ଷରୁ ମିୟୁ ହାସେଗାୱା ସର୍ବାଧିକ ୨ ଗୋଲ୍ କରିଛନ୍ତି।