କରୋନା ପ୍ରଭାବ: ଅଷ୍ଟ୍ରେଲିଆରେ ଭାରତ ଟ୍ବେଣ୍ଟି-୨୦ ଖେଳିବନି, ଇଂଲଣ୍ଡରେ ୫ ନୁହେଁ ୩ ଟେଷ୍ଟ୍ ଖେଳିବ

ଅଷ୍ଟ୍ରେଲିଆରେ କୋହଲି ଜିତିବେ: ଗାଙ୍ଗୁଲି

ନୂଆଦିଲ୍ଲୀ: କୋଭିଡ୍-୧୯ ମହାମାରୀ ପ୍ରକୋପ ପାଇଁ ଭାରତୀୟ କ୍ରିକେଟ୍ ଦଳର ୨୦୨୦-୨୧ କ୍ରିକେଟ୍ ଋତୁରେ ବ୍ୟାପକ ଅଦଳ ବଦଳ କରାଯିବ। ଅନ୍ତର୍ଜାତୀୟ ଶୃଙ୍ଖଳା ସହ ଘରୋଇ କ୍ରିକେଟ୍‌ର ସୂଚୀ ମଧ୍ୟ ସମୟର ଆବଶ୍ୟକତା ଅନୁସାରେ ପରିବର୍ତ୍ତନ ହେବ। ସେହିଭଳି ଭାରତୀୟ ବରିଷ୍ଠ ଦଳର ପ୍ରସ୍ତାବିତ ଜାତୀୟ ପ୍ରଶିକ୍ଷଣ ଶିବିର ସମୟର ମଧ୍ୟ ସମୀକ୍ଷା କରାଯିବ। ବିସିସିଆଇ ସୂତ୍ରରୁ ଏହା ଜଣାପଡ଼ିଛି। କୋଭିଡ୍-୧୯ ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଦିନିକିଆ ଶୃଙ୍ଖଳା ବାତିଲ ହୋଇଥିଲା ବେଳେ ଆଇପିଏଲ-୧୩ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଛି। ଏହି ଦୁଇ ପ୍ରତିଯୋଗିତା ମାର୍ଚରୁ ମେ’ ମାସ ମଧ୍ୟରେ ଖେଳାଯିବାର ଥିଲା। ସେପଟେ କେନ୍ଦ୍ରୀୟ ଚୁକ୍ତିରେ ସାମିଲ ଥିବା ଖେଳାଳିଙ୍କୁ ନେଇ ଚଳିତ ମାସ ମଧ୍ୟଭାଗରୁ ଜାତୀୟ ପ୍ରଶିକ୍ଷଣ ଶିବିର ଆରମ୍ଭ ହେବାର ଥିଲା। ଏବେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ସମଗ୍ର ଭାରତବର୍ଷ ଏବେ କୋଭିଡ୍-୧୯ କବଳରେ ଥିଲା ବେଳେ ଶିବିର କେଉଁଠି କରାଯିବ, ସେ ନିଷ୍ପତ୍ତି ଏବେ ସୁଦ୍ଧା ବିସିସିଆଇ ନେଇପାରିନି। ବେଙ୍ଗାଲୁରୁସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମିରେ ଶିବିର ଆୟୋଜନ କରିବାକୁ ବିସିସିଆଇ ଇଚ୍ଛୁକ ଥିଲା ବେଳେ ବେଙ୍ଗାଲୁରୁରେ ସଂପ୍ରତି କୋଭିଡ୍ ସଙ୍କଟ ଦିନକୁ ଦିନ ସଙ୍ଗିନ ହେବାରେ ଲାଗିଛି।

Webdunia

ସେଥିପାଇଁ ହିମାଚଳ ପ୍ରଦେଶର ଧର୍ମଶାଳାକୁ ବିସିସିଆଇ ଅନ୍ୟ ଏକ ବିକଳ୍ପ ଭାବେ ରଖିଛି। ତେବେ ସବୁକିଛି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମତି ଉପରେ ନିର୍ଭର କରିବ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରୁ କୋଭିଡ୍-୧୯ ସଂକ୍ରମଣ ହାର କମିବାର ସମ୍ଭାବନା ଥିବାରୁ ଶିବିରକୁ ସେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇପାରେ ବୋଲି ମଧ୍ୟ ସେ ସଙ୍କେତ ଦେଇଛନ୍ତି। ଆଇପିଏଲକୁ ବିସିସିଆଇ ଜୈବ ସୁରକ୍ଷିତ ପରିବେଶରେ ଏବଂ ବିନା ଦର୍ଶକରେ କରିବାକୁ ବ୍ୟଗ୍ର ଥିବାରୁ ଭାରତର ଅଷ୍ଟ୍ରେଲିଆ ଗସ୍ତ ହୁଏତ ଏହା ଦ୍ବାରା ପ୍ରଭାବିତ ହୋଇପାରେ। ପୂର୍ବରୁ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଦୁଇ ଦଳ ମଧ୍ୟରେ ଟ୍ବେଣ୍ଟି-୨୦ ଏବଂ ପରେ ଦିନିକିଆ ଶୃଙ୍ଖଳା ଖେଳାଯିବାର ଥିଲା। ଏବେ ଟ୍ବେଣ୍ଟି-୨୦ ଶୃଙ୍ଖଳା ଏକ ପ୍ରକାର ବାତିଲ ହୋଇସାରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ କ୍ରିକେଟ୍ ଅଷ୍ଟ୍ରେଲିଆ ଡିସେମ୍ବର ୩ ତାରିଖରୁ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବ ବୋଲି କହିଛି। ତେବେ ଭାରତ ଏହା ପୂର୍ବରୁ ଦୁଇଟି ଅଭ୍ୟାସ ମ୍ୟାଚ୍ ଖେଳିବାର ଥିବାରୁ ପ୍ରଥମ ଟେଷ୍ଟ ଡିସେମ୍ବର ୧୦ ପୂର୍ବରୁ ଆରମ୍ଭ ହେବା ନେଇ ଯଥେଷ୍ଟ ଆଶଙ୍କା ରହିଛି। ଏହା ହେଲେ ଟେଷ୍ଟ୍ ଶୃଙ୍ଖଳା ଶେଷ ହେବାର ମାତ୍ର ସପ୍ତାହକ ଭିତରେ ଭାରତକୁ ଦିନିକିଆ ଶୃଙ୍ଖଳା ଶେଷ କରିବାକୁ ହେବ। କାରଣ ଏହା ପରେ ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ଗସ୍ତରେ ଯିବାର ଅଛି। ଭାରତ-ଇଂଲଣ୍ଡ ଶୃଙ୍ଖଳାରେ ଅଦଳ ବଦଳର ସଙ୍କେତ ଉଭୟ ବିସିସିଆଇ ଓ ଇସିବି (ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ) ମଧ୍ୟ ଦେଇସାରିଛନ୍ତି। ଭାରତ ପୂର୍ବରୁ ପାଞ୍ଚ ଟିକିଆ ଟେଷ୍ଟ୍ ଶୃଙ୍ଖଳା ଖେଳିବାର ଥିଲା ବେଳେ ଏବେ ଏହାକୁ ୩କୁ କମାଇ ଦିଆଯାଇଛି। ଟେଷ୍ଟ୍ ଶୃଙ୍ଖଳା ପରେ ଅବଶ୍ୟ ଇଂଲଣ୍ଡରେ ଭାରତ ଏକ ଟ୍ବେଣ୍ଟି-୨୦ ଓ ଦିନିକିଆ ଶୃଙ୍ଖଳା ଖେଳିବ। ତେବେ ପୁଣି ଥରେ ସବୁକିଛି କୋଭିଡ୍-୧୯ ଭୂତାଣୁ ସଂକ୍ରମଣର ହାର ଓ ପ୍ରଭାବ ଉପରେ ନିର୍ଭର କରିବ ବୋଲି କୁହାଯାଉଛି।

 

ସମ୍ବନ୍ଧିତ ଖବର