ଆଜି ଶେଷ ଦିନିକିଆ: ସମ୍ମାନ ରକ୍ଷା ପାଇଁ ଖେଳିବ ଭାରତ

ମୂଳପୋଛ ଲକ୍ଷ୍ୟରେ ବାଂଲାଦେଶ

ଢାକା : ପ୍ରଥମ ଦୁଇ ଦିନିକିଆରେ ବାଂଲାଦେଶଠୁ ଶୋଚନୀୟ ଭାବେ ପରାସ୍ତ ହୋଇ ଶୃଙ୍ଖଳା ହାରିବା ପରେ ତୃତୀୟ ତଥା ଶେଷ ମ୍ୟାଚ୍‌ ଜିତି ସମ୍ମାନ ରଖିବା ଲକ୍ଷ୍ୟରେ ଖେଳିବ ଭାରତୀୟ ଦଳ। ବାରମ୍ବାର ଦଳ ଫିଟ୍‌ନେସ୍‌ ସମସ୍ୟାର ସାମ୍ନା କରୁଥିଲା ବେଳେ ଅଧିନାୟକ ରୋହିତ ଶର୍ମା, କୁଲଦୀପ ସେନ୍‌ ଓ ଦୀପକ ଚହର ଆହତ ଯୋଗୁ ତୃତୀୟ ଦିନିକିଆରୁ ବାଦ୍‌ ପଡ଼ିଛନ୍ତି। ଏଭଳିସ୍ଥିତିରେ ଦଳକୁ ଶେଷ ମ୍ୟାଚ୍‌ ଜିତିବା ଆହୁରି କଷ୍ଟକର ହୋଇଯିବ। ହେଲେ ଶନିବାର ଚ‌ଟ୍ଟୋଗ୍ରାମ୍‌ରେ ହେବାକୁ ଥିବା ଏହି ଔପଚାରିକ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ‌ମୂଳପୋଛ ପାଇଁ ଘରୋଇ ଦଳ ଚାହିଁବ। ଏଭଳି ହୋଇପାରିଲେ ବାଂଲାଦେଶ ପ୍ରଥମ ଥର ଭାରତକୁ କ୍ଲିନ୍‌ସୁଇପ୍‌ କରିବ। ତଥାପି ଲଗାତାର ଭାବେ ବାଂଲାଦେଶକୁ ଜିତାଇଥିବା ମେହିଦି ହାସନ ମିରାଜଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ବାଂଲାଦେଶକୁ ଆସିବା ପୂର୍ବରୁ ଭାରତୀୟ ଦଳ ପାଖରେ ପାଖାପାଖି ୨୦ ଜଣ ଖେଳାଳି ଉପଲବ୍ଧ ଥିଲେ। କିନ୍ତୁ ସପ୍ତାହକ ମଧ୍ୟରେ ଭାରତୀୟ ଦଳ ଖରାପ ସମୟ ଦେଇ ଗତି କରିବା ସହ ଏବେ କେବଳ ୧୩ ଜଣ ଫିଟ୍‌ ଖେଳାଳି ତୃତୀୟ ଦିନିକିଆ ପାଇଁ ଉପଲବ୍‌ଧ ଅଛନ୍ତି। ତେଣୁ ଜରୁରୀକାଳୀନ ଭିତ୍ତିରେ ଚାଇନାମ୍ୟାନ୍‌ କୁଲଦୀପ ଯାଦବଙ୍କୁ ବାଂଲାଦେଶକୁ ପଠାଯାଇଛି। ରୋହିତ ଶର୍ମାଙ୍କ ବାମହାତ ଆଙ୍ଗୁଠିରେ ଗୁରୁତର ଆଘାତ ଲାଗିଥିଲା‌ ବେଳେ, କୁଲଦୀପ ସେନ୍‌ ପଦାର୍ପଣ ମ୍ୟାଚ୍‌ ପରେ ପିଠିରେ ଯନ୍ତ୍ରଣା ହେବାରୁ ଆଉ ଖେଳିପାରିନାହାନ୍ତି। ଦ୍ରୁତ ବୋଲର ଦୀପକ ଚହର ଦ୍ବିତୀୟ ମ୍ୟାଚ୍‌ ବେଳେ ମାଂସପେଶୀ ଜନିତ ଆଘାତ ପାଇ ଶୃଙ୍ଖଳାରୁ ବାଦ୍‌ ପଡ଼ିଥିଲେ। ଏ‌ମାନଙ୍କ ସହିତ ଅକ୍ଷର ପଟେଲ୍‌ଙ୍କ ଉପର ଜଙ୍ଘରେ ଆଘାତ ଲାଗିଥିଲା ବେଳେ ଋଷଭ ପନ୍ତ୍‌ ଅଧିକ ଚାପ ଯୋଗୁଁ ଭାରତ ଫେରିଆସିଛନ୍ତି। ଏଭଳିସ୍ଥିତିରେ ଭାରତୀୟ ଦଳରେ ରୋହିତ ଓ ଚହରଙ୍କ ସ୍ଥାନରେ କିଏ ଖେଳିବ ତାହା ଗୁରୁତ୍ବପୂର୍ଣ୍ଣ। ଯଦି ଇଶାନ କିଶନଙ୍କୁ ଓପନର୍‌ ଭାବେ ଅଣାଯାଏ, ତାହେଲେ ରାହୁଲ ମଧ୍ୟକ୍ରମରେ ଖେଳିବା ଜାରି ରଖିପାରନ୍ତି। ନଚେତ୍‌ ସେ ନିଜେ ଉପରକୁ ଆସିବା ସମ୍ଭାବନା ରହିଛି। ଅନ୍ୟ ବିକଳ୍ପ ମଧ୍ୟରେ କୋହଲି-ଧାୱନଙ୍କୁ ନେଇ ଓପନିଂ ଯୋଡ଼ି କରାଯାଇପାରେ। ହେଲେ ଗତ ମ୍ୟାଚ୍‌ରେ ଏହା ଫଳପ୍ରଦ ହୋଇନଥିଲା। ତଥାପି ଏହାକୁ ଦୋହରାଇଲେ ରାହୁଲ ତ୍ରିପାଠୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ରାହୁଲ ବ୍ୟାଟିଂ ସହିତ ମଧ୍ୟମଗତି ବୋଲିଂ ମଧ୍ୟ କରିପାରନ୍ତି। ନଚେତ୍‌ ଯଦି ଦଳ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦିଏ ତାହେଲେ ରଜତ ପାଟିଦାରଙ୍କୁ ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ମିଳିପାରେ।

ସେହିପରି ଚହରଙ୍କ ବଦଳରେ କୌଣସି ଦ୍ରୁତ ବୋଲର ନଥିବାରୁ ଅତିରିକ୍ତ ସ୍ପିନରଙ୍କୁ ସାମିଲ କରାଯାଇପାରେ। ଏଭଳି ସମୟରେ ଶାହବାଜ ଅହମ୍ମଦ ଷଷ୍ଠ ବୋଲର ଭାବେ ଖେଳିପାରନ୍ତି। ତେଣୁ ବୋଲିଂରେ ସିରାଜ, ଶାର୍ଦ୍ଦୁଳ, ଉମ୍ରାନ, ୱାସିଙ୍ଗଟନ୍‌ଙ୍କ ସହିତ ଅକ୍ଷର କିମ୍ବା କୁଲଦୀପଙ୍କ ମଧ୍ୟରୁ ଜଣଙ୍କୁ ଖେଳିବାକୁ ମିଳିପାରେ। ବୁମ୍‌ରା, ସାମି ଓ ଜାଦେଜାଙ୍କ ଅନୁପସ୍ଥିତିରେ ଭାରତୀୟ ବୋଲିଂ କ୍ରମ ଯଦିଓ ପ୍ରଭାବହୀନ ହୋଇପଡ଼ିଛି, ତଥାପି ବାଂଲାଦେଶରେ କରିସ୍ମା କରିବାକୁ ଏହା ସେମାନଙ୍କ ପାଖରେ ଶେଷ ସୁଯୋଗ। କାରଣ ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶକୁ ଜିତିବାକୁ ୫୧ ରନ୍‌ ଓ ଭାରତକୁ ୧ ୱିକେଟ୍‌ର ଆବଶ୍ୟକତା ଥିଲେ ବି ରୋହିତଙ୍କ ଦଳ ହାରିଯାଇଥିଲା। ସେହିପରି ଦ୍ବିତୀୟ ମ୍ୟାଚ୍‌ରେ ୬୯/୬ ସ୍କୋରରୁ ଖେଳି ବାଂଲା‌ଦେଶ ୨୭୧ ରନ୍‌ ଛିଡ଼ା କରିପାରିଥିଲା। ଏହି ମ୍ୟାଚ୍‌ରେ ଚହର ଓ ରୋହିତ ଆହତ ହୋଇଥିଲେ। ତଥାପି ରୋହିତ ୮ ନମ୍ବରରେ ଆସି ଲଢିଥିଲେ ବି ମ୍ୟାଚ୍‌କୁ ଅଳ୍ପକେ ହାତଛଡ଼ା କରିଥିଲେ। କିନ୍ତୁ ବିଜୟଧାରା ଜାରି ରଖିଥିବା ବାଂଲାଦେଶ ଶେଷ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରିବାକୁ ଚାହିଁବନି।

ସମ୍ଭାବ୍ୟ ଭାରତ ୧୧: କେଏଲ୍‌ ରାହୁଲ (ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ ଆୟର, ଇଶନ କିଶନ, ରାହୁଲ ତ୍ରିପାଠୀ, ମହମ୍ମଦ ସିରାଜ, ୱାସିଂଟନ ସୁନ୍ଦର, ଅକ୍ଷର ପଟେଲ/କୁଲଦୀପ ଯାଦବ, ଶର୍ଦ୍ଦୁଲ ଠାକୁର, ଉମ୍ରାନ ମଲ୍ଲିକ।

ସମ୍ଭାବ୍ୟ ବାଂଲାଦେଶ ୧୧: ଏନାମୁଲ ହକ୍‌, ଲିଟନ୍‌ ଦାସ (ଅଧିନାୟକ), ନଜମୁଲ ହୋସେନ୍‌ ସାଣ୍ଟୋ, ସକିବ ଅଲ୍‌ ହାସନ, ମୁସ୍‌ଫିକର ରହିମ, ମହମ୍ମୁଦୁଲ୍ଲା, ଅଫିଫ୍‌ ହୋସେନ୍‌, ମେହିଦି ହାସନ ମିରାଜ, ନାସୁମ ଅହମ୍ମଦ, ଏବାଦତ୍‌ ‌ହୋସେନ୍‌, ମୁସ୍ତାଫିଜୁର ରେହମାନ।

ସମ୍ବନ୍ଧିତ ଖବର