ରବିବାର ଭାରତ ଖେଳିବ ୧୦୦୦ତମ ଦିନିକିଆ

ନୂଆଦିଲ୍ଲୀ : ଆସନ୍ତା ରବିବାରଠୁ ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ସୀମିତ ଓଭର ଶୃଙ୍ଖଳା ଆରମ୍ଭ ହେବ। ଏହି ଭାରତ ଗସ୍ତରେ ଇଣ୍ଡିଜ୍‌ ଦଳ ୩ ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍‌ ଖେଳିବ। ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‌ରୁ ହିଁ ଶୃଙ୍ଖଳା ଆରମ୍ଭ ହେବ। ଉଭୟ ଦଳ ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚ୍‌ ଭାରତର ୧୦୦୦ତମ ଦିନିକିଆ ଆନ୍ତର୍ଜାତିକର ମାନ୍ୟତା ବହନ କରିବ। ଏହି ମାଇଲଖୁଣ୍ଟ ମ୍ୟାଚ୍‌ ଅହମଦାବାଦସ୍ଥିତ ବିଶ୍ବର ବୃହତ୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ। ପୁଣି ରୋହିତ ଶର୍ମା ହିଁ ଏହି ମାଇଲଖୁଣ୍ଟ ୧୦୦୦ତମ ଦିନିକିଆ ମ୍ୟାଚ୍‌ର ନେତୃତ୍ବ ନେବେ।

ବିରାଟ କୋହଲିଙ୍କ ଉତ୍ତରାଧୀକାରୀ ଭା‌ବେ ରୋହିତଙ୍କୁ ସୀମିତ ଓଭର (ଧଳା ବଲ୍‌ କ୍ରିକେଟ୍‌)ର ପୂର୍ଣ୍ଣକାଳୀନ ଅଧିନାୟକ ମନୋନୀତ କରାଯାଇଥିଲା। ହେଲେ ସେ ଆହତ ଯୋଗୁଁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରୁ ଓହରିଯାଇଥିଲେ। ସେହି ଗସ୍ତରେ ଭାରତ ୧-୨ରେ ଟେଷ୍ଟ୍‌ ଏବଂ ୦-୩ରେ ଦିନିକିଆ ଶୃଙ୍ଖଳା ହାରିଯାଇଥିଲା। ଏବେ କିନ୍ତୁ ନୂଆ ପୂର୍ଣ୍ଣକାଳୀନ ଅଧିନାୟକ ଭାବେ ରୋହିତ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଶୃଙ୍ଖଳାରୁ କାର୍ଯ୍ୟ ଆରମ୍ଭ କରିବେ। ହେଲେ ରୋହିତଙ୍କ ନେତୃତ୍ବରେ ଭାରତ ୧୦୦୦ତମ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାକୁ ଯାଉଥିଲା ବେଳେ କୋଭିଡ୍‌ ସଂକଟ ଯୋଗୁଁ ସେହି ମ୍ୟାଚ୍‌ରେ କୌଣସି ଦର୍ଶକଙ୍କୁ ଷ୍ଟାଡିୟମ୍‌ ପ୍ରବେଶ ଅନୁମତି ମିଳିନି। ତଥାପି ରୋହିତ ଦଳକୁ ଫେରିବା ଏବଂ ନେତୃତ୍ବ ନେବା ପରେ ଭାରତର ଭାଗ୍ୟ ବଦଳିବ ବୋଲି ଆଶା ରହିଛି। ରବିବାର ମ୍ୟାଚ୍‌ ପୂର୍ବରୁ ଓପ୍‌ନର ଶିଖର ଧାୱନ୍‌, ଶ୍ରେୟସ ଆୟର ଓ ଋତୁରାଜ ଗାଏକ୍ବାଡଙ୍କ ସମେତ ୪ ଖେଳାଳି କୋଭିଡ୍‌ ସଂକ୍ରମିତ ଯୋଗୁଁ ଖେଳିବା ଆଶା କମ୍‌ ରହିଛି। ମୟଙ୍କ ଅଗ୍ରୱାଲଙ୍କୁ ସୁଯୋଗ ମିଳିଛି। ଏହାସତ୍ତ୍ବେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଘରୋଇ ଶୃଙ୍ଖଳା ରୋହିତଙ୍କ ନେତୃତ୍ବରେ ଭାରତ ଜିତିବାର ଲକ୍ଷ୍ୟ ରଖିଛି।

ରୋହିତ ଭାରତ ପାଇଁ ୧୦୦୦ତମ ଦିନିକିଆ ଆନ୍ତର୍ଜାତିକରେ ନେତୃତ୍ବ ନେବାକୁ ଯାଉଥିଲା ବେ‌ଳେ ଏହାକୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଅଭିନନ୍ଦନ ଜଣାଇଛନ୍ତି। ସେ ମଧ୍ୟ ଭାରତର ୫୦୦ତମ ଦିନିକିଆ ଆନ୍ତର୍ଜାତିକରେ ନେତୃତ୍ବ ନେଇଥିବା କଥା ମନେ ପକାଇ ଦେଇଛନ୍ତି। ‘‘ମୁ ୫୦୦ତମ ଦିନିକିଆ ଆନ୍ତର୍ଜାତିକରେ ଭାରତର ନେତୃତ୍ବ ନେଇଥିଲି। ଏହି ମ୍ୟାଚ୍‌ ୨୦୦୨ରେ ଇଂଲଣ୍ତ ବିପକ୍ଷରେ ଚେଷ୍ଟର-ଲି-ଷ୍ଟ୍ରିଟ୍‌ରେ ଖେଳାଯାଇଥିଲା’’ ବୋଲି ଗାଙ୍ଗୁଲି ଆଭାସ ଦେଇଛନ୍ତି। ୧୦୦୦ତମ ମ୍ୟାଚ୍‌ର ନେତୃତ୍ବ ରୋହିତଙ୍କ ପାଇଁ ସ୍ମରଣୀୟ ମୁହୁର୍ତ୍ତ ହେବ। କିନ୍ତୁ ଦୁର୍ଭାଗ୍ୟବଶତଃ ବିନା ଦର୍ଶକରେ ଏହି ମ୍ୟାଚ୍‌ ଖେଳାଯିବ ବୋଲି ଗାଙ୍ଗୁଲି କହିଛନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍‌ ଭଳି ଏକ ଅକଳନୀୟ ଦଳ ଭାରତ ପାଇଁ ଆହ୍ବାନ ଆଣିପାରେ। ଭ୍ରଣକାରୀ ଦଳ ନିକଟରେ ଇଂଲଣ୍ଡ ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳାକୁ ୩-୨‌ରେ ଜିତି ଭାରତ ଆସିଛି। ଗତ ଟି-୨୦ ବିଶ୍ବକପ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ ସାଙ୍ଗକୁ ଆୟର୍ଲାଣ୍ଡ୍‌ଠୁ ଦିନିକିଆ ଶୃଙ୍ଖଳା ପରାଜୟ ପରେ ଇଂଲଣ୍ଡ ବିପକ୍ଷ ଟି-୨୦ ବିଜୟ ଇଣ୍ଡିଜ୍‌ ଦଳର ମନୋବଳ ଉଚ୍ଚରେ ରଖିଛି। ପୁଣି ଦ୍ରୁତ ବୋଲର କେମାର ରୋଚ୍‌ଙ୍କ ପ୍ରତ୍ୟାବର୍ତ୍ତନ ସାଙ୍ଗକୁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଜାସନ୍‌ ହୋଲ୍‌ଡରଙ୍କ ମାରାତ୍ମକ ବୋଲିଂ ଦଳକୁ ଭାରତ ବିପକ୍ଷରେ ଟକ୍କର ଦେବାରେ ସହାୟକ ହେବ। ୱେଷ୍ଟଇଣ୍ଡିଜ୍‌ ଦଳ ଅହମଦାବାଦରେ ତିନିଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବା ପରେ କୋଲ୍‌କାତାରେ ତିନିଟିଯାକ ଟି-୨୦ ମ୍ୟାଚ୍‌ ଖେଳି ଭାରତ ଗସ୍ତ ଶେଷ କରିବ।

ଦିନିକିଆରେ ୫୦୦୦ ରନ୍‌: ଗାଙ୍ଗୁଲି-ସଚିନ୍‌ଙ୍କ କ୍ଲବ୍‌ରେ ସାମିଲ ହେବେ ରୋହିତ-କୋହଲି
ନୂଆଦିଲ୍ଲୀ : ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ନୂଆ ଅଧିନାୟକ ରୋହିତ ଶର୍ମା ଯୋଡ଼ି ପାଇଁ ଏକ ମାଇଲଖୁଣ୍ଟ ସୁଯୋଗ ଅପେକ୍ଷା କରିଛି। ଏହି ଯୋଡ଼ି ଦିନିକିଆ ଆନ୍ତର୍ଜାତିକରେ ଏପର୍ଯ୍ୟନ୍ତ ୪୯୦୬ ରନ୍‌ ସଂଗ୍ରହ କରିସାରିଛନ୍ତି। ଇଣ୍ଡିଜ୍‌ ବିପକ୍ଷ ୩ ମ୍ୟାଚ୍‌ ଶୃଙ୍ଖଳାରେ ଏକାଠି ଆଉ ୯୪ ରନ୍‌ କରିପାରିଲେ ୫୦୦୦ ରନ୍‌ ପୂରଣ କରିବେ। ଆଉ ଏହା ହେଲେ କୋହଲି-ରୋହିତ ଯୋଡ଼ି ସୌରଭ ଗାଙ୍ଗୁଲି-ସଚିନ୍‌ ତେନ୍ଦୁଲକରଙ୍କ ତାଲିକାରେ ଯୋଡ଼ି ହେବାର ସୁଯୋଗ ରହିବ। ସୌରଭ-ସଚିନ୍‌ ୧୭୬ ପାଳିରୁ ୮୨୨୭ ରନ୍‌ କରି ଏହି ମାଇଲଖୁଣ୍ଟ ତାଲିକାର ଶୀର୍ଷରେ ରହିଥିଲା ବେଳେ ରୋହିତ-କୋହଲି ଯୋଡ଼ି ୮୧ ପାଳିରୁ ୪୯୦୬ ରନ୍‌ କରିଛନ୍ତି। ତେବେ ଆଉ ୯୪ ରନ୍‌ ରୋହିତ-କୋହଲିଙ୍କୁ ତୃତୀୟ ଭାରତୀୟ ଯୋଡ଼ି ଭାବେ ୫୦୦୦ ରନ୍‌ କରିବାର ମାନ୍ୟତା ଦେବ। କାରଣ ସୌରଭ-ସଚିନ୍‌ଙ୍କ ପଛକୁ ରୋହିତ ଓ ଶିଖର ଧାୱନ୍‌ ଯୋଡ଼ି ୫୦୦୦ ରନ୍‌ କ୍ଲବ୍‌ରେ ସାମିଲ ହୋଇସାରିଛନ୍ତି। ଦୁହେଁ ୧୧୨ ପାଳିରୁ ୫୦୨୩ ରନ୍‌ କରିଛନ୍ତି। ମୋଟାମୋଟି ଭାବେ ରୋହିତ-କୋହଲି ଏହି ମାଇଲଖୁଣ୍ଟ ଛୁଇଁବାରେ ଅଷ୍ଟମ ବ୍ୟାଟିଂ ଯୋଡ଼ି ହୋଇପାରିବେ।

ଅନ୍ୟପକ୍ଷରେ ରୋହିତ-କୋହଲି ଯୋଡ଼ି ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ରେ ୯୮୨ ରନ୍‌ ସଂଗ୍ରହ କରିଛନ୍ତି। ଆଉ ୧୮ ରନ୍‌ କରିପାରିଲେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୦୦୦ ରନ୍‌ର ମାଇଲଖୁଣ୍ଟ ଛୁଇଁବାରେ ପ୍ରଥମ ଭାରତୀୟ ଯୋଡ଼ି ହେବାର ଗୌରବ ବହନ କରିବେ। କେବଳ ସେତିକି ନୁହେଁ ଗୋଟିଏ ପ୍ରତିପକ୍ଷ ବିପକ୍ଷରେ ଦୁଇ ବା ତା’ଠୁ ଅଧିକ ଥର ୧୦୦୦ ରନ୍‌ ଭାଗିଦାରୀ କରିବାରେ ଗାଙ୍ଗୁଲି ଓ ସଚିନ୍‌ଙ୍କ ପରେ ଦ୍ବିତୀୟ ଭାରତୀୟ ଯୋଡ଼ି ହୋଇପାରିବେ। ଏହା ପୂର୍ବରୁ ରୋହିତ-କୋହଲି ଯୋଡ଼ି ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ପାଳିରୁ ୧୧୨୮ ରନ୍‌ କରିସାରିଛନ୍ତି।

ରୋହିତ ସେନାର ଜୋର୍‌ଦାର ଅଭ୍ୟାସ
ଅହମଦାବାଦ : ରବିବାର ପ୍ରଥମ ଦିନିକିଆ ପୂର୍ବରୁ ଶୁକ୍ରବାର ରୋହିତ ‌ସେନା ଜୋର୍‌ଦାର ଅଭ୍ୟାସ କରିଛନ୍ତି। ଗୁରୁବାର ହାଲ୍‌କା ଅଭ୍ୟାସ କରିଥିବା ଭାରତୀୟ ଦଳ ଶୁକ୍ରବାର କିନ୍ତୁ ଅଧିକ ସମୟ ଧରି ଅଭ୍ୟାସ ଚଳାଇଥିଲା। କେବଳ କୋଭିଡ୍‌ ସଂକ୍ରମିତ ଧାୱନ୍‌, ଶ୍ରେୟସ ଓ ଋତୁରାଜଙ୍କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ ଅଭ୍ୟାସ ସେସନ୍‌ରେ ଉପସ୍ଥିତ ଥିଲେ। ଏହି ସମସ୍ତଙ୍କ କୋଭିଡ୍‌ ପରୀକ୍ଷା ରିପୋଟ ନେଗେଟିଭ୍‌ ଆସିଛି। ଆଲୋକ ତଳେ ଅଭ୍ୟାସ ଚଳାଇଥିବା ଦଳ ସହ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ୍‌ ବିଶେଷକରି ଯୁବ ଲେଗ୍‌ ସ୍ପିନର ରବି ବିଷ୍ଣୋଇଙ୍କୁ ଖେଳାଳିମାନଙ୍କ ସହ ପରିଚିତ କରାଇଥିଲେ। ବିରାଟ କୋହଲି, ଋଷଭ ପନ୍ତ୍‌ଙ୍କ ସହ ଅନ୍ୟ ବ୍ୟାଟର୍‌ମାନେ ନେଟ୍‌ସରେ ବ୍ୟାଟିଂ କରିଥିଲା ବେଳେ ସ୍ପିନ୍‌ ଯୋଡ଼ି କୁଲ୍‌ଦୀପ ଯାଦବ ଓ ୟୁଝ୍‌ବେନ୍ଦ୍ର ଚହଲ୍‌ ବୋଲିଂ କରୁଥିବା ଦେଖିବାକୁ ମିଳିଥିଲା। ପେସର୍‌ ମହମ୍ମଦ ସିରାଜ ଏବଂ ଅଲ୍‌ରାଉଣ୍ଡର ଶାର୍ଦୁଲ ଠାକୁର ମଧ୍ୟ ନେଟ୍‌ରେ ଝାଳ ବୁହାଇଥିଲେ। ଓପ୍‌ନର ମୟଙ୍କ ଅଗ୍ରୱାଲ ସଂଗରୋଧରେ ରହିଥିଲେ ମଧ୍ୟ କେଏଲ୍‌ ରାହୁଲ ଉପଲବ୍‌ଧ ନହେଲେ ପ୍ରଥମ ଦିନିକିଆ ଖେଳିବେ ବୋଲି ଦ୍ରାବିଡ୍‌ ଆଭାସ ଦେଇଛନ୍ତି। ସେହିପରି ୱିକେଟ୍‌ରକ୍ଷକ ଈଶାନ କିଷନ ମଧ୍ୟ ଖେଳିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର