ଗାବା ଟେଷ୍ଟ୍‌ର ପୁନଃବିଚାର କରିବ ଭାରତ

ଚତୁର୍ଥ ଟେଷ୍ଟ୍‌କୁ ସ୍ଥାନାନ୍ତର ପାଇଁ ବିସିସିଆଇ ଅନୁରୋଧ କରିନି: କ୍ରିକେଟ୍‌ ଅଷ୍ଟ୍ରେଲିଆ

ମେଲ୍‌ବର୍ଣ୍ଣ: ଜାନୁଆରି ୭ ତାରିଖ ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍ ଆରମ୍ଭ ହେବାକୁ ଥିଲେ ମଧ୍ୟ ସପ୍ତାହକ ପରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍‌ (ଜାନୁଆରି ୧୫ରୁ)କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଚତୁର୍ଥ ଟେଷ୍ଟ୍‌ ବ୍ରିସ୍‌ବନ୍‌ର ଗାବାରେ ଖେଳାଯିବାର ଥିଲେ ମଧ୍ୟ ସେଠାକାର କଠୋର କୋଭିଡ୍‌-୧୯ କଟକଣାକୁ ନେଇ ଭାରତୀୟ ଦଳ ଅସନ୍ତୁଷ୍ଟ ରହିଛି। ଭାରତ ଏହାକୁ ବର୍ଜନ କରିବା କଥା ଚିନ୍ତା କରୁଥିବାର ଖବର ରବିବାର ପଦାକୁ ଆସିଥିଲା। ସିଡ୍‌ନିରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ୍ ‌ଖେଳି ଶୃଙ୍ଖଳାକୁ ସେଠାରେ ଶେଷ କରିଦେବାକୁ ଭାରତ ପ୍ରସ୍ତାବ ‌ଦେବ ବୋଲି ମଧ୍ୟ ଚିନ୍ତା କରୁଥିଲା। କିମ୍ବା ଚତୁର୍ଥ ଟେଷ୍ଟ୍‌କୁ ମଧ୍ୟ ସେହି ସିଡ୍‌ନିରେ‌ ଖେଳିବାକୁ ଅନୁରୋଧ କରିବ ବୋଲି ବିଚାର କରୁଛି। ତେବେ ବ୍ରିସ୍‌ବନ୍‌ ଟେଷ୍ଟ୍‌କୁ ନେଇ କୁଇନ୍ସଲାଣ୍ଡ୍‌ ସ୍ବାସ୍ଥ୍ୟମନ୍ତ୍ରୀ ରସ୍ ବେଟ୍ସଙ୍କ ଟିପ୍ପଣୀକୁ ନେଇ ବିସିସିଆଇ କ୍ଷୁବ୍ଧ ହୋଇଛି। ବିସିସିଆଇକୁ‌ ଗୌଣ ଦୃଷ୍ଟିରେ ଦେଖାଯିବାକୁ ଚେଷ୍ଟା ହୋଇଥିବାରୁ ବୋର୍ଡ ମଧ୍ୟ ବ୍ରିସ୍‌ବନ୍‌ ଟେଷ୍ଟ୍‌ରେ ଖେଳିବା ନ‌ଖେଳିବା ସମ୍ପର୍କରେ ପୁନଃବିଚାର କରିବ ବୋଲି ସୂଚନା ମିଳିଛି। ବେଟ୍ସ କହିଥିଲେ, ‘ଭାରତୀୟ ମାନେ ଯଦି ନିୟମ ଭିତରେ ଖେଳିବାକୁ ଚାହୁଁନାହାନ୍ତି ତେବେ ବ୍ରିସବନ୍‌ ନ ଆସନ୍ତୁ’। ବେଟ୍ସଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ଦର୍ଶାଇଛି ବିସିସିଆଇ। ଭାରତୀୟ ଖେଳାଳିମାନେ ବିଗତ ୬ ମାସ ମଧ୍ୟରେ ବିବିଧ ସଙ୍ଗରୋଧ ବ୍ୟବସ୍ଥା ମଧ୍ୟରେ ସମୟ କାଟିଥିବାରୁ ବ୍ରିସ୍‌ବନ୍‌ର ଅତିରିକ୍ତ କଟକଣାରୁ ମୁକ୍ତ ରହିବାକୁ ପ୍ରସ୍ତାବ ଦେଇଥିଲେ। ପଡ଼ି‌ଆରେ ପ୍ରଶଂସକଙ୍କ ଉପସ୍ଥିତିକୁ ଅନୁମତି ମିଳୁଛି କିନ୍ତୁ ଖେଳାଳିଙ୍କୁ ହୋଟେଲ୍ ଭିତରେ ଆବଦ୍ଧ ରହିବାକୁ କୁହାଯିବାକୁ ସେମାନେ ଗ୍ରହଣ କରିପାରିନଥିଲେ।

ଚତୁର୍ଥ ଟେଷ୍ଟ୍‌କୁ ସ୍ଥାନାନ୍ତର ପାଇଁ ବିସିସିଆଇ ଅନୁରୋଧ କରିନି: କ୍ରିକେଟ୍‌ ଅଷ୍ଟ୍ରେଲିଆ
ବ୍ରିସ୍‌ବନ୍‌ ଟେଷ୍ଟ୍‌କୁ ନେଇ ଆଶଙ୍କା ଜାରି ରହିଛି‌ ବୋଲି ଚର୍ଚ୍ଚା ଲାଗି ରହିଥିଲେ ମଧ୍ୟ ବିସିସିଆଇ ଆନୁଷ୍ଠାନିକ ଭାବେ ଏହାକୁ ସ୍ଥାନାନ୍ତର କରିବାକୁ କୌଣସି ଅନୁରୋଧ କରିନଥିବା କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିକ୍ ହକ୍‌ଲେ ପ୍ରକାଶ କରିଛନ୍ତି। କୁଇନ୍ସଲାଣ୍ଡ୍‌ରେ ଆବଶ୍ୟକ କୋଭିଡ୍‌ କଟକଣାକୁ ନେଇ ଭାରତୀୟ ବୋର୍ଡ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି ବୋଲି ହକ୍‌ଲେ ପ୍ରକାଶ କରିଛନ୍ତି। ଆମେ ପ୍ରତିପକ୍ଷ ବିସିସିଆଇ ସହ ପ୍ରତ୍ୟେକ ଦିନ କଥା ହେଉଛୁ, ସମର୍ଥନ ବିନା ସେମାନେ ସ୍ଥାନାନ୍ତର କଥା ‌କେବେ କହିନାହାନ୍ତି। ଉଭୟ ଦଳ ‌ପୂର୍ବ ନିର୍ଧାରିତ ଖେଳସୂଚୀ ଅନୁସାରେ ଖେଳିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ, ୪ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ରହିଥିବା ବେଳେ ସିଡ୍‌ନିରେ ଜାନୁଆରି ୭ରୁ ତୃତୀୟ ଟେଷ୍ଟ୍ ଏବଂ ବ୍ରିସ୍‌ବନ୍‌ରେ ଜାନୁଆରି ୧୫ରୁ ଚତୁର୍ଥ ଟେଷ୍ଟ୍‌ ଖେଳାଯିବାର ସୂଚୀ ରହିଛି। ମେଲବର୍ଣ୍ଣରେ ଦ୍ବିତୀୟ ଟେଷ୍ଟ୍ ପରେ ଅଟକିଥିବା ଉଭୟ ଦଳ ସୋମବାର ସିଡ୍‌ନି ମଧ୍ୟ ପହଞ୍ଚିଛନ୍ତି। ଖବରକାଗଜରେ କ’ଣ ପ୍ରକାଶିତ ହୋଇଛି ଆମେ ଚିନ୍ତିତ ନାହୁଁ, ସିଡ୍‌ନି ଟେଷ୍ଟ୍ ପାଇଁ ଆମେ ଏକାଗ୍ର ରହିଛୁ ବୋଲି କହିଛନ୍ତି ଅଷ୍ଟ୍ରେଲିଆ ଅଫସ୍ପିନର୍‌ ନାଥନ୍ ଲାୟନ୍‌।

ସିଡ୍‌ନି ଟେଷ୍ଟ୍‌ରୁ ପାଟିନସନ୍‌ ବାଦ୍‌
ଅଷ୍ଟ୍ରେଲିଆ ଦ୍ରୁତ ବୋଲର ଜେମ୍ସ ପାଟିନସନ୍‌ ଆହତ ଯୋଗୁଁ ‌ସିଡ୍‌ନିରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ତୃତୀୟ ‌ଟେଷ୍ଟ୍‌ରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ପିଞ୍ଜରା ଆଞ୍ଚୁଡ଼ି ହୋଇ ଯାଇଥିବାରୁ ସେ ଭାରତ ବିପକ୍ଷ ଏହି ଟେଷ୍ଟ୍‌ରେ ଖେଳିପାରିବେନି। ତାଙ୍କ ସ୍ଥାନରେ କାହାକୁ ନିଆଯାଇନି। ବ୍ରିସବନ୍‌ ଟେଷ୍ଟ୍‌ ବେଳକୁ ପାଟିନସନ୍‌ ସୁସ୍ଥ ନ ହୋଇଥିଲେ ବିକଳ୍ପ ଚିନ୍ତା କରାଯିବ ବୋଲି କ୍ରିକେଟ୍‌ ଅଷ୍ଟ୍ରେଲିଆ ସୋମବାର ସୂଚନା ଦେଇଛି। ୩୦ ବର୍ଷୀୟ ପାଟିନସନ୍‌ ପ୍ରଥମ ଦୁଇ ଟେଷ୍ଟ୍‌ର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ସିଡ୍‌ନି ଟେଷ୍ଟ୍‌ ମ୍ୟାଚ୍‌ରେ ମଧ୍ୟ ସେ ସ୍ଥାନ ପାଇବାର ଆଶା ନଥିଲା।

ଭାରତୀୟ ଖେଳାଳି ଓ ଷ୍ଟାଫ୍‌ ନେଗେଟିଭ୍‌
ତୃତୀୟ ଟେଷ୍ଟ୍ ପୂର୍ବରୁ ସମ୍ପୂର୍ଣ୍ଣ ଭାରତୀୟ ଦଳର‌ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍‌ଙ୍କ ସଦ୍ୟତମ‌ କୋଭିଡ୍‌-୧୯ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଆସିଛି। ଫଳରେ ସମସ୍ତ ଭାରତୀୟ ଖେଳାଳି ‌‌ସିଡ୍‌ନି ଟେଷ୍ଟ୍‌ରେ ଖେଳିବାକୁ ଉପଲବ୍‌ଧ ରହିଛନ୍ତି। ଜାନୁଆରି ୩ ତାରିଖରେ ସମସ୍ତଙ୍କର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଯାଇଥିଲା ଏବଂ ରିପୋର୍ଟ ନେଗେଟିଭ୍ ଆସିଛି‌ ବୋଲି ବିସିସିଆଇ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛି। ଏମାନଙ୍କ ମଧ୍ୟରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ପଡ଼ିଥିବା ୫ ‌ଖେଳାଳି ଉପଅଧିନାୟକ ରୋହିତ ଶର୍ମା, ଋଷବ ପନ୍ତ୍, ଶୁବମନ ଗିଲ୍, ପୃଥ୍ବୀ ସ’ ଏବଂ ନଭଦୀପ ସୈନି ସାମିଲ ରହିଛନ୍ତି। ଫଳରେ ଏମାନେ ମଧ୍ୟ ଖେଳିବାକୁ ଉପଲବ୍‌ଧ ହେବେ। ରୋହିତ ଶର୍ମା ଏବଂ ନଭଦୀପ ସୈନି ଯଥାକ୍ରମେ ମୟଙ୍କ ଅଗ୍ରୱାଲ୍‌ ଓ ଉମେଶ ଯାଦବଙ୍କ ସ୍ଥାନରେ ଖେଳିବା ପ୍ରାୟ ନିଶ୍ଚିତ ରହିଛି।

ସିଡ୍‌ନିରେ ୨୫ ପ୍ରତିଶତ ଦର୍ଶକ
ଗୁରୁବାରଠାରୁ ସିଡ୍‌ନି କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଖେଳାଯିବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍‌ରେ ଏସ୍‌ସିଜି ଦର୍ଶକ କ୍ଷମତାର ୨୫ ପ୍ରତିଶତଙ୍କୁ ଅନୁମତି ମିଳିବ। ସହରରେ ନୂଆ କୋଭିଡ୍‌ ରୋଗୀ ଚିହ୍ନଟ ହେବା ପରେ ନ୍ୟୁ ସାଉଥ୍‌ୱେଲ୍ସ ସରକାର ଏଭଳି ଆଦେଶ ଦେଇଛି। ଫଳରେ ପ୍ରାୟ ୯୫୦୦ ଦର୍ଶକ ସିଡ୍‌ନିରେ ପ୍ରତ୍ୟେକ୍ଷଭାବେ ମ୍ୟାଚ୍‌ ଦେଖିପାରିବେ। ଏସ୍‌ସିଜିର ଦର୍ଶକ କ୍ଷମତା ୩୮,୦୦୦ ସାମାଜିକ ଦୂରତା ରକ୍ଷା କରି ବସାଇବାକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଚଳିତ ଗସ୍ତରେ ଭାରତ ସିଡ୍‌ନିରେ ୪ଟି ସୀମିତ ଓଭର ଖେଳି ସାରିଛି (ଦୁଇଟି ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦)।

ସମ୍ବନ୍ଧିତ ଖବର